ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମ୍ର ଅଧିନାୟକ ରୋହିତ ଶର୍ମା ଓ ଦ୍ରୁତ ବୋଲର ଯଶପ୍ରୀତ ବୁମ୍ରା ୱିସଡେନର କ୍ରିକେଟର ଅଫ ଦି ଇୟର ୨୦୨୨ ତାଲିକାରେ ସ୍ଥାନ ପାଇଛନ୍ତି। ଗତବର୍ଷ ପ୍ରଦର୍ଶନ ଆଧାରରେ ଉଭୟଙ୍କୁ କ୍ରିକେଟର ଅଫ ଦି ଇୟର ସମ୍ମାନ ପାଇଁ ମନୋନୀତ କରାଯାଇଛି।
ଏମାନଙ୍କ ବ୍ୟତୀତ ଏହି ତାଲିକାରେ ନ୍ୟୁଜିଲ୍ୟାଣ୍ଡର ଡେଭୋନ କନୱେ, ଇଂଲଣ୍ଡର ଦ୍ରୁତ ବୋଲର ଓଲି ରବିନସନ ଓ ଦକ୍ଷିଣ ଆଫ୍ରିକାର ଷ୍ଟାର ମହିଳା କ୍ରିକେଟର ଡାନେ ଭାନ ନିଇକେରକ ରହିଛନ୍ତି। ୱିସଡେନର କ୍ରିକେଟର ଅଫ ଦ ଇୟର ଭାବେ ଏହି ୫ ଖେଳାଳିଙ୍କୁ ଚୟନ କରାଯାଇଛି।
ଅନ୍ୟପକ୍ଷରେ ଜୋ ରୁଟ୍ ଲିଡିଂ କ୍ରିକେଟର ଇନ ଦି ୱାର୍ଲ୍ଡ ଅର୍ଥାତ ବିଶ୍ୱର ଶ୍ରେଷ୍ଠ କ୍ରିକେଟ ମାନ୍ୟତା ପାଇଛନ୍ତି। ମହିଳା ବର୍ଗରେ ଏହି ସମ୍ମାନ ପାଇଁ ଦକ୍ଷିଣ ଆଫ୍ରିକାର ଲିଜେଲ ଲିଙ୍କୁ ଚୟନ କରାଯାଇଛି। ଏହା ବ୍ୟତୀତ ଟି-୨୦ରେ ଲିଡିଂ କ୍ରିକେଟର ଭାବେ ପାକିସ୍ତାନର ମହମ୍ମଦ ରିଜୱାନ ମନୋନୀତ ହୋଇଛନ୍ତି।
ବୁମ୍ରା ଇଂଲଣ୍ଡ ବିପକ୍ଷ ସିରିଜ୍ରେ ତାଙ୍କର ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିଥିଲେ। ଲର୍ଡସ ବ୍ୟତୀତ ସେ ଭାରତ ପାଇଁ ଓଭାଲରେ ମ୍ୟାଚ୍ ୱିନିଂ ସ୍ପେଲ ପକାଇଥିଲେ। ଏହି ସିରିଜ୍ରେ ଭାରତ ୨-୧ରେ ଆଗକୁ ରହିଛି। କରୋନା ପାଇଁ ଅଧାରୁ ସିରିଜ ବନ୍ଦ ହୋଇଥିଲା। ଚଳିତ ବର୍ଷ ଜୁଲାଇ ମାସରେ ଏହି ସିରିଜ୍ର ଶେଷ ମ୍ୟାଚ୍ ଖେଳାଯିବ।
ରୋହିତ ଶର୍ମା ୪ଟି ଟେଷ୍ଟରେ ୩୬୮ ରନ୍ ହାସଲ କରିଥିଲେ। ଏଥିସହ ଓଭାଲରେ ସେ ୧୨୭ ରନ୍ର ଇନିଂସ ଖେଳିଥିଲେ। ଭାରତ ବାହାରେ ଏହା ତାଙ୍କର ପ୍ରଥମ ଟେଷ୍ଟ ଶତକ ଥିଲା। ଏଥିପାଇଁ ତାଙ୍କୁ କ୍ରିକେଟର ଅଫ ଦି ଇୟର ଭାବେ ମନୋନୀତ କରାଯାଇଛି।
ବିଶ୍ୱର ଶ୍ରେଷ୍ଠ କ୍ରିକେଟରର ଆଖ୍ୟା ପାଇଥିବା ଜୋ ରୁଟ ଗତ କ୍ୟାଲଣ୍ଡର ବର୍ଷରେ ୧୭୦୮ ରନ୍ କରିଛନ୍ତି। ଏହା ଗୋଟିଏ ବର୍ଷରେ ତୃତୀୟ ସର୍ବାଧିକ ବ୍ୟକ୍ତିଗତ ସ୍କୋର।