ସଞ୍ଜୁ ସାମସନଙ୍କ ୮୨, ହାଇଦ୍ରାବାଦ ଆଗରେ ୧୬୫ ରନ୍‌ର ଟାର୍ଗେଟ

ଦୁବାଇ: ଅଧିନାୟକ ସଞ୍ଜୁ ସାମସନଙ୍କ ବିସ୍ଫୋରକ ୮୨ ରନ୍‌ ବଳରେ ରାଜସ୍ଥାନ ରୟାଲ୍ସ ନିର୍ଦ୍ଧାରତ ୨୦ ଓଭର୍‌ରେ ୫ ୱିକେଟ ହରାଇ ୧୬୪ ରନ୍‌ର କରିଛି। ଏହି ମ୍ୟାଚ୍‌କୁ ଜିତିବା ପାଇଁ ସନରାଇଜର୍ସ ହାଇଦ୍ରାବାଦ ଆଗରେ ୧୬୫ ରନ୍‌ର ଟାର୍ଗେଟ ରହିଛି। ଚଳିତ ଆଇପିଏଲରେ ହାଇଦ୍ରାବାଦର ପ୍ଲେ ଅଫ ଆଶା ଏକ ପ୍ରକାରର ମଉଳି ଯାଇଥିବା ବେଳେ ରାଜସ୍ଥାନ ଏବେ ବି ଟପ୍‌ ୪ ଦୌଡ଼ରେ ରହିଛି। ତେଣୁ ରାଜସ୍ଥାନକୁ ଏହି ମ୍ୟାଚ୍‌ ଜିତିବା ଜରୁରୀ। ଯଦି […]

IPL

Hemant Lenka
  • Published: Monday, 27 September 2021
  • , Updated: 27 September 2021, 09:19 PM IST

ଦୁବାଇ: ଅଧିନାୟକ ସଞ୍ଜୁ ସାମସନଙ୍କ ବିସ୍ଫୋରକ ୮୨ ରନ୍‌ ବଳରେ ରାଜସ୍ଥାନ ରୟାଲ୍ସ ନିର୍ଦ୍ଧାରତ ୨୦ ଓଭର୍‌ରେ ୫ ୱିକେଟ ହରାଇ ୧୬୪ ରନ୍‌ର କରିଛି। ଏହି ମ୍ୟାଚ୍‌କୁ ଜିତିବା ପାଇଁ ସନରାଇଜର୍ସ ହାଇଦ୍ରାବାଦ ଆଗରେ ୧୬୫ ରନ୍‌ର ଟାର୍ଗେଟ ରହିଛି। ଚଳିତ ଆଇପିଏଲରେ ହାଇଦ୍ରାବାଦର ପ୍ଲେ ଅଫ ଆଶା ଏକ ପ୍ରକାରର ମଉଳି ଯାଇଥିବା ବେଳେ ରାଜସ୍ଥାନ ଏବେ ବି ଟପ୍‌ ୪ ଦୌଡ଼ରେ ରହିଛି। ତେଣୁ ରାଜସ୍ଥାନକୁ ଏହି ମ୍ୟାଚ୍‌ ଜିତିବା ଜରୁରୀ। ଯଦି ରାଜସ୍ଥାନ ଏହି ମ୍ୟାଚ୍‌ ଜିତି ନେବ ତା’ହେଲେ ଦଳ ଟପ୍‌ ୪ରେ ପ୍ରବେଶ କରିଯିବ।

ଦୁବାଇ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଟସ୍‌ ଜିତି ରାଜସ୍ଥାନର ଅଧିନାୟକ ସଞ୍ଜୁ ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ। କିନ୍ତୁ ଦଳକୁ ଦ୍ୱିତୀୟ ଓଭର୍‌ରେ ହିଁ ଝଟକା ଲାଗିଥିଲା। ଇଭିନ ଲୁଇସ ମାତ୍ର ୬ ରନ୍‌ କରି ଭୁବନେଶ୍ୱର କୁମାରଙ୍କ ବଲରେ ଆଉଟ ହୋଇ ଯାଇଥିଲେ। ଏହାପରେ ବ୍ୟାଟିଂ କରିବାକୁ ଆସିଥିବା ସଞ୍ଜୁ ଅନ୍ୟତମ ଓପନର ଯଶ୍ୱସୀ ଜୈସୱାଲଙ୍କ ସହ ମିଶି ସ୍ଥିତି ସମ୍ଭାଳିଥିଲେ। ଉଭୟ ବେଶ ସତର୍କତାର ସହ ବ୍ୟାଟିଂ କରି ଦଳୀୟ ସ୍କୋରକୁ ଆଗକୁ ନେଇଥିଲେ।

୮.୪ ଓଭ୍‌ରରେ ରାଜସ୍ଥାନ ୬୭ ରନ୍‌ କରିଥିବା ବେଳେ ସନ୍ଦୀପ ଶର୍ମା ଦଳକୁ ଜବରଦସ୍ତ ଝଟକା ଦେଇଥିଲେ। ସେ ଇନଫର୍ମ ଯଶ୍ୱସୀ(୩୬)ଙ୍କୁ କ୍ଲିନବୋଲ୍ଡ କରି ହାଇଦ୍ରାବାଦକୁ କମବ୍ୟାକର ସୁଯୋଗ ଦେଇଥିଲେ। ୪ନଂରେ ବ୍ୟାଟିଂ କରିବାକୁ ଆସିଥିବା ଲିଆମ ଲିଭିଙ୍ଗ ଷ୍ଟୋନ ପୁଣିଥରେ ସମସ୍ତଙ୍କୁ ନିରାଶ କରିଥିଲେ।

ସେ ମାତ୍ର ୪ ରନ୍‌ କରି ରଶିଦ ଖାନଙ୍କ ଶିକାର ବନିଥିଲେ। ୧୦ ରନ୍‌ ମଧ୍ୟରେ ରାଜସ୍ଥାନ ଦୁଇଟି ୱିକେଟ ହରାଇ ସଙ୍କଟରେ ପଡ଼ିଥିଲା। ହେଲେ ସଞ୍ଜୁ ଓ ଯୁବ ତାରକା ମହିପାଲ ଲୋମୋର ଦମଦାର ବ୍ୟାଟିଂ କରିଥିଲେ। ସେମାନେ କେବଳ ୱିକେଟ ରକ୍ଷା କରି ନଥିଲେ, ବରଂ ଦ୍ରୁତ ଗତରେ ରାଜସ୍ଥାନ ପାଇଁ ରନ୍‌ ସଂଗ୍ରହ ମଧ୍ୟ କରିଥିଲେ। ଉଭୟ ୪ର୍ଥ ୱିକେଟ ପାଇଁ ୮୪ ରନ୍‌ ଯୋଡ଼ି ସ୍ଥିତି ସମ୍ଭାଳିଥିଲେ।

ସଞ୍ଜୁ ମଧ୍ୟ ଚଳିତ ଆଇପିଏଲ୍‌ରେ କ୍ରମାଗତ ଦ୍ୱିତୀୟ ଅର୍ଦ୍ଧଶତକ ହାସଲ କରିଥିଲେ। ଅର୍ଦ୍ଧଶତକ ହାସଲ କରିବା ପରେ ସେ ବଡ଼ବଡ଼ ଶଟ ଖେଳିବା ଆରମ୍ଭ କରିଥିଲେ। ତାଙ୍କୁ ମହିପାଲ ଭରପୂର ସହଯୋଗ କରିଥିଲେ। ତେବେ ଇନିଂସର ଶେଷ ଓଭର୍‌ରେ ସଞ୍ଜୁ ୮୨ ରନ୍‌ କରି ଆଉଟ ହୋଇଥିଲେ।

ଏହି ସମୟରେ ଦଳୀୟ ସ୍କୋର ୧୬୧ ରହିଥିଲା। ଆଉଟ ହେବା ପୂର୍ବରୁ ସେ ୫୭ ବଲ୍‌ରେ ୩ ଛକା ଓ ୭ ଚୌକା ବଳରେ ୮୨ ରନ୍‌ର ଇନିଂସ ଖେଳିଛନ୍ତି। ମହିପାଲ ଶେଷ ଯାଏ ୨୮ ବଲରେ ୨୯ ରନ୍‌ ଅପରାଜିତ ରହିଥିବା ବେଳେ ରିୟାନ ପରାଗ ପ୍ରଥମ ବଲ୍‌ରେ ହିଁ ଆଉଟ ହୋଇଥିଲେ। ରାହୁଲ ତେୱାତିଆ ଶେଷ ବଲ୍‌ରେ ଲେଗ ବାଇରେ ୧ ରନ୍‌ ହାସଲ କରିବାରୁ ଦଳ ୫ ୱିକେଟ ହରାଇ ୧୬୪ ରନ୍‌ କରିଥିଲା।

ହାଇଦ୍ରାବାଦ ପକ୍ଷରୁ ଶେଷ ଓଭର ବୋଲିଂ କରୁଥିବା ସିଦ୍ଧାର୍ଥ କୌଲ ସର୍ବାଧିକ ୨ଟି ୱିକେଟ ନେଇଥିବା ବେଳେ ସନ୍ଦୀପ ଶର୍ମା, ଭୁବନେଶ୍ୱର କୁମାର ଓ ରଶିଦ ଖାନ ଗୋଟିଏ ଲେଖାଏ ୱିକେଟ ନେଇଛନ୍ତି।

Related story