ଟି-୨୦ ବିଶ୍ୱକପ ଆରମ୍ଭରୁ ବିପର୍ଯ୍ୟୟ, ବାଂଲାଦେଶକୁ ହରାଇଲା ସ୍କଟଲ୍ୟାଣ୍ଡ

ଦୁବାଇ: ବହୁ ପ୍ରତିକ୍ଷୀତ ଟି-୨୦ ବିଶ୍ୱକପର ପ୍ରଥମ ଦିନରେ ହିଁ ବଡ଼ଧରଣର ବିପର୍ଯ୍ୟୟ ଦେଖିବାକୁ ମିଳିଛି। ସୁପର ୧୨ ପୂର୍ବରୁ ଆରମ୍ଭ ହୋଇଥିବା ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ୍‌ରେ ଶକ୍ତିଶାଳୀ ବାଂଲାଦେଶକୁ ଅପେକ୍ଷାକୃତ ଦୁର୍ବଳ ସ୍କଟଲ୍ୟାଣ୍ଡ ରୋମାଞ୍ଚକର ଭାବେ ୬ ରନ୍‌ରେ ପରାସ୍ତ କରିଛି। ମ୍ୟାଚ୍‌ ଆରମ୍ଭରୁ ବାଂଲାଦେଶ ସମସ୍ତଙ୍କ ଫେଭରାଇଟଥିଲା। କିନ୍ତୁ ସ୍କଟଲ୍ୟାଣ୍ଡ ସବୁ କିଛି ଓଲଟପାଲଟ କରି ଦେଇଛି। ବାଂଲାଦେଶ ଆଗରେ ସ୍କଟଲ୍ୟାଣ୍ଡ ୧୪୧ ରନ୍‌ର ଟାର୍ଗେଟ ରଖିଥିଲା। ଏହାର ଜବାବରେ ବାଂଲାଦେଶ କେବଳ ୭ […]

scotland

Hemant Lenka
  • Published: Monday, 18 October 2021
  • , Updated: 18 October 2021, 08:04 AM IST

ଦୁବାଇ: ବହୁ ପ୍ରତିକ୍ଷୀତ ଟି-୨୦ ବିଶ୍ୱକପର ପ୍ରଥମ ଦିନରେ ହିଁ ବଡ଼ଧରଣର ବିପର୍ଯ୍ୟୟ ଦେଖିବାକୁ ମିଳିଛି। ସୁପର ୧୨ ପୂର୍ବରୁ ଆରମ୍ଭ ହୋଇଥିବା ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ୍‌ରେ ଶକ୍ତିଶାଳୀ ବାଂଲାଦେଶକୁ ଅପେକ୍ଷାକୃତ ଦୁର୍ବଳ ସ୍କଟଲ୍ୟାଣ୍ଡ ରୋମାଞ୍ଚକର ଭାବେ ୬ ରନ୍‌ରେ ପରାସ୍ତ କରିଛି।

ମ୍ୟାଚ୍‌ ଆରମ୍ଭରୁ ବାଂଲାଦେଶ ସମସ୍ତଙ୍କ ଫେଭରାଇଟଥିଲା। କିନ୍ତୁ ସ୍କଟଲ୍ୟାଣ୍ଡ ସବୁ କିଛି ଓଲଟପାଲଟ କରି ଦେଇଛି। ବାଂଲାଦେଶ ଆଗରେ ସ୍କଟଲ୍ୟାଣ୍ଡ ୧୪୧ ରନ୍‌ର ଟାର୍ଗେଟ ରଖିଥିଲା। ଏହାର ଜବାବରେ ବାଂଲାଦେଶ କେବଳ ୭ ୱିକେଟ ହରାଇ ୧୩୪ ରନ୍‌ କରିପାରିଥିଲା। ପୂରା ମ୍ୟାଚ୍‌ରେ ସ୍କଟଲ୍ୟାଣ୍ଡର ବୋଲରମାନେ ଜବରଦସ୍ତ ବୋଲିଂ କରିଥିଲେ।

ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରୁଥିବା ସ୍କଟଲ୍ୟାଣ୍ଡ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। କିନ୍ତୁ କ୍ରିସ୍ ଗ୍ରୀଭସଙ୍କ ୨୮ ବଲରେ ୪୫ ଓ ମାର୍କ ୱଟ୍ଟଙ୍କ ୨୨ ରନ୍‌ ବଳରେ ଦଳ ୧୪୦ ରନ୍‌ କରିପାରିଥିଲା। ବ୍ୟାଟିଂରେ କମାଲ କରିଥିବା ଗ୍ରୀଭସ ବୋଲିଂରେ ମଧ୍ୟ ଦୁଇଟି ୱିକେଟ ନେଇଥିଲେ। ଏହି ମ୍ୟାଚ୍‌ ବିଜୟୀ ପ୍ରଦର୍ଶନ ପାଇଁ ତାଙ୍କୁ ମ୍ୟାନ ଅଫ ଦି ମ୍ୟାଚ୍‌ ପୁରସ୍କାର ମିଳିଛି।

୧୪୧ ରନ୍‌ର ଟାର୍ଗେଟକୁ ପିଛା କରୁଥିବା ବାଂଲାଦେଶ ଆରମ୍ଭରୁ ଝୁଣ୍ଟିଥିଲା। ଓପନର ସୌମ୍ୟ ସରକାର ଓ ଲିଟନ ଦାସ ୫ ରନ୍‌ ଲେଖାଏ କରି ପ୍ୟାଭିଲିୟନ ଫେରିଥିଲେ। ଅଭିଜ୍ଞ ସାକିବ ଅଲ ହାସନ ଓ ମୁଶଫିକର ରହିମ ସ୍ଥିତି ସମ୍ଭାଳିବାକୁ ଚେଷ୍ଟା କରିଥିଲେ ମଧ୍ୟ ବଡ଼ ଶଟ ଖେଳିବାକୁ ବିଫଳ ହୋଇଥିଲେ। ସାକିବ ୨୮ ବଲରେ ସଂଘର୍ଷପୂର୍ଣ୍ଣ ୨୦ ରନ୍ କରିଥିବା ବେଳେ ରହିମ ୩୮ ରନ୍ କରି ଆଉଟ ହୋଇଥିଲେ।

ଏହାପରେ ବାଂଲାଦେଶ ନିୟମିତ ବ୍ୟବଧାନରେ ୱିକେଟ୍ ହରାଇ ଚାଲିଥିଲା। ଅଧିନାୟକ ମହମ୍ମୁଦୁଲ୍ଲା ୨୩ ଓ ମେହେଦି ହାସଲ ୫ ବଲରେ ୧୩ ରନ୍‌ କରିଥିଲେ ହେଁ ଦଳ ସ୍କଟଲ୍ୟାଣ୍ଡର ସ୍କୋର ଠାରୁ ୬ ରନ୍‌ ପଛରେ ରହି ଯାଇଥିଲା।

ସୂଚନାଯୋଗ୍ୟ, ସୁପର ୧୨ ପୂର୍ବରୁ ଖେଳାଯାଉଥିବା ଯୋଗ୍ୟତା ପର୍ଯ୍ୟାୟରେ ମୋଟ ୮ଟି ଦଳ ରହିଛନ୍ତି। ଏମାନଙ୍କୁ ଦୁଇଟି ଗ୍ରୁପ୍‌ରେ ଭାଗ କରାଯାଇଛି। ପ୍ରତି ଗ୍ରୁପ୍‌ରୁ ଟପ୍‌ ୨ ଟିମ୍‌ ସୁପର ୧୨ ପର୍ଯ୍ୟାୟକୁ ଯିବେ। ବାଂଲାଦେଶ, ସ୍କଟଲ୍ୟାଣ୍ଡ, ଓମାନ ଓ ପିଏଜି ଗୋଟିଏ ଗ୍ରୁପ୍‌ରେ ଥିବା ବେଳେ ଶ୍ରୀଲଙ୍କା, ଆର୍ୟଲ୍ୟାଣ୍ଡ, ନେଦରଲ୍ୟାଣ୍ଡସ ଓ ନାମ୍ବିଆ ଅନ୍ୟ ଗ୍ରୁପ୍‌ରେ ରହିଛନ୍ତି।

Related story