ମୁମ୍ବାଇ: ଫିଟ୍ ହେଲେ ଭାରତର ପ୍ରତିଭାଶାଳୀ ବ୍ୟାଟ୍ସମ୍ୟାନ ଶ୍ରେୟସ୍ ଆୟର। ଜାତୀୟ କ୍ରିକେଟ୍ ଏକାଡେମୀ (ଏନସିଏ) ଆୟରଙ୍କୁ ପ୍ରତିଦ୍ୱନ୍ଦ୍ୱିତାମୂଳକ କ୍ରିକେଟ୍ ଖେଳିବା ପାଇଁ ଫିଟ୍ ଘୋଷଣା କରିଛି। ଏଥିସହ ଆୟର୍ ସେପ୍ଟେମ୍ବର ୧୯ ତାରିଖରୁ ୟୁଏଇରେ ହେବାକୁ ଯାଉଥିବା ଇଣ୍ଡିଆନ ପ୍ରିମିୟର୍ ଲିଗ୍ (ଆଇପିଏଲ)ର ଦ୍ୱିତୀୟ ପର୍ଯ୍ୟାୟରେ ଖେଳିବେ।
ଆୟର୍ ଏବେ ଦିଲ୍ଲୀ କ୍ୟାପିଟାଲ୍ସ ଟିମ୍ ସହ ଯୋଗଦେବେ। ଆୟରଙ୍କ ନେତୃତ୍ୱରେ ଦିଲ୍ଲୀ ୨୦୨୦ ସଂସ୍କରଣର ଫାଇନାଲରେ ପହଞ୍ଚିଥିଲା। ଚଳିତ ସଂସ୍କରଣ ପୂର୍ବରୁ ଆୟରଙ୍କୁ ଆଘାତ ଲାଗିଥିଲା, ଯେଉଁ କାରଣରୁ ଋଷଭ ପନ୍ତ ଦିଲ୍ଲୀ କ୍ୟାପିଟାଲ୍ସର କ୍ୟାପଟେନ୍ ହୋଇଥିଲେ। ବାୟୋ-ବବଲ୍ ପରିବେଶରେ ଖେଳାଯାଉଥିବା ଆଇପିଏଲରେ କୋଭିଡ୍ ମାମଲା ସାମ୍ନାକୁ ଆସିବା ପରେ ଟୁର୍ଣ୍ଣାମେଣ୍ଟକୁ ସ୍ଥଗିତ କରିଦିଆଯାଇଥିଲା। ଏବେ ଟୁର୍ଣ୍ଣାମେଣ୍ଟର ଦ୍ୱିତୀୟ ପର୍ଯ୍ୟାୟ ୟୁଏଇରେ ଖେଳାଯିବ।
୨୬ ବର୍ଷୀୟ ଆୟର୍ ଏପର୍ଯ୍ୟନ୍ତ ଭାରତ ପକ୍ଷରୁ ୨୨ ଦିନିକିଆ ଓ ୨୯ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଛନ୍ତି। ମାର୍ଚ୍ଚ ୨୩ ତାରିଖରେ ଇଂଲଣ୍ଡ ବିପକ୍ଷ ପୁନେରେ ଖେଳାଯାଇଥିବା ଦିନିକିଆରେ ଆୟରଙ୍କ କାନ୍ଧରେ ଶକ୍ତ ଆଘାତ ଲାଗିଥିଲା। ଗୁରୁତର ଆହତ ହୋଇଥିବା ଆୟର ବ୍ରିଟେନରେ ଅପରେସନ୍ କରାଇଥିଲେ। ସଫଳ ଅସ୍ତ୍ରୋପଚାର ପରେ ଆୟର୍ ଏନସିଏରେ ରିହ୍ୟାବରେ ଥିଲେ।
ଆୟର ସପ୍ତାହେ ଧରି ବେଙ୍ଗାଲୁରୁସ୍ଥିତ ଏନସିଏରେ ରହିଥିଲେ, ଯେଉଁଠାରେ ତାଙ୍କର ଫିଟନେସ୍ ପରୀକ୍ଷା କରାଯାଇଥିଲା। ଚିକିତ୍ସା ଓ ଶାରୀରିକ ମାପଦଣ୍ଡ ପରଖିବା ପରେ ଆୟରଙ୍କୁ ଫିଟ୍ ଘୋଷିତ କରାଯାଇଛି। ତାଙ୍କୁ ମଧ୍ୟ ଫିଟନେସ୍ ସାର୍ଟିଫିକେଟ୍ ମିଳିଥିବା ଜଣାପଡ଼ିଛି। ଯେହେତୁ ଭାରତ ଦୁଇ ମାସ ପରେ ଟି-୨୦ ବିଶ୍ୱକପ୍ ଖେଳିବ, ତେଣୁ ଆୟରଙ୍କ ଫିଟ୍ ହେବା ଭାରତ ପାଇଁ ଖୁସି ଖବର। ଆୟରଙ୍କ ପ୍ରତ୍ୟାବର୍ତ୍ତନ ଦ୍ୱାରା ଭାରତର ମିଡଲ୍ ଅର୍ଡର ବ୍ୟାଟିଂ ଲାଇନ ମଜଭୁତ୍ ହେବ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।