ମୁମ୍ବାଇ: ଚଳିତ ଆଇପିଏଲରେ ଲଗାତର ୫ଟି ମ୍ୟାଚ୍ ହାରିଥିବା କୋଲକାତା ନାଇଟ ରାଇଡର୍ସ ଆଜି ରାଜସ୍ଥାନ ରୟାଲ୍ସ ବିପକ୍ଷରେ ମୈଦାନକୁ ଓହ୍ଲାଇଛି। କୋଲକାତା ପାଇଁ ଆଜିର ମ୍ୟାଚ୍ କର ବା ମର ସଦୃଶ। କାରଣ ଆଜି ମ୍ୟାଚ୍ ହାରିଲେ କୋଲକାତାର ପ୍ଲେ ଅଫର ଆଶା ଏକ ପ୍ରକାରର ମଉଳି ଯିବ। କୋଲକାତାର ଆନ୍ଦ୍ରେ ରସେଲ ମଧ୍ୟ ସମାନ କଥା କହିଛନ୍ତି। ଟୁର୍ଣ୍ଣାମେଣ୍ଟର ବାକି ୫ଟି ଯାକ ମ୍ୟାଚ୍ ତାଙ୍କ ଦଳ ପାଇଁ ଫାଇନାଲ ସଦୃଶ ବୋଲି ରସେଲ ମ୍ୟାଚ୍ ପୂର୍ବରୁ କହିସାରିଛନ୍ତି।
ମୁମ୍ବାଇର ୱାଙ୍ଖଡେରେ ଖେଳା ଯାଉଥିବା ଏହି ମ୍ୟାଚ୍ରେ ଶ୍ରେୟସ ଆୟର ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛନ୍ତି। କୋଲକାତା ଏଯାଏ ୯ଟି ମ୍ୟାଚ୍ ଖେଳିଥିବା ବେଳେ କେବଳ ୩ଟିରେ ଜିତିବାକୁ ସକ୍ଷମ ହୋଇଛି। ସେହିପରି ରାଜସ୍ଥାନ ସମାନ ସଂଖ୍ୟକ ମ୍ୟାଚରୁ ୬ଟିରେ ଜିତି ପଏଣ୍ଟ ଟେବୁଲର ତୃତୀୟ ସ୍ଥାନରେ ରହିଛି। ଦୁଇ ଦଳ ଚଳିତ ବର୍ଷ ଦ୍ୱିତୀୟ ଥର ପାଇଁ ପରସ୍ପରକୁ ଭେଟୁଛନ୍ତି।
ଏପ୍ରିଲ ୧୮ରେ ଉଭୟ ମୁମ୍ବାଇର ବ୍ରାବୋର୍ଣ୍ଣ ଷ୍ଟାଡିୟମରେ ମୁହାଁମୁହିଁ ହୋଇଥିଲେ। ଏହି ମ୍ୟାଚ୍କୁ ରାଜସ୍ଥାନ ୭ ରନ୍ରେ ବାଜିମାତ କରିଥିଲା। ରାଜସ୍ଥାନ ପକ୍ଷରୁ ଜୋଶ ବଟଲର ଶତକ ହାସଲ କରିଥିଲେ। ଏହାପରେ ବୋଲିଂରେ ଦଳ ପକ୍ଷରୁ ୟୁଜବେନ୍ଦର ଚହଲ ହ୍ୟାଟ୍ରିକ ନେଇଥିଲେ। ୨୧୮ ରନ୍ର ଟାର୍ଗେଟ ପିଛା କରୁଥିବା କୋଲକାତା କେବଳ ୨୧୦ ରନ୍ କରିବାକୁ ସକ୍ଷମ ହୋଇଥିଲା। ତେଣୁ ଆଜି କୋଲକାତା ପାଖରେ ଉକ୍ତ ପରାଜୟର ବଦଲା ନେବାର ସୁଯୋଗ ରହିଛି।
ଏହି ଗୁରୁତ୍ୱପୂର୍ଣ୍ଣ ମୁକାବିଲାରେ କୋଲକାତା ଦୁଇଟି ପରିବର୍ତ୍ତନ କରିଛି। ଭେଙ୍କଟେଶ ଆୟରଙ୍କ ବଦଳରେ ଅଙ୍କୁଲ ରାୟ ଆଜି କୋଲକାତା ପାଇଁ ଡେବ୍ୟୁ କରୁଛନ୍ତି। ସେହିପରି ହରର୍ଶିତ ରାଣାଙ୍କ ବଦଳରେ ଶିବମ ମାଭି ଦଳକୁ କମବ୍ୟାକ୍ କରିଛନ୍ତି।
ଅନ୍ୟପକ୍ଷରେ ରାଜସ୍ଥାନ ଗତ ମ୍ୟାଚ୍ରେ ମୁମ୍ବାଇ ଇଣ୍ଡିଆନ୍ସ ଠାରୁ ହାରିଥିଲେ। ଏଥିପାଇଁ ଦଳ ତା’ର ଚୂଡ଼ାନ୍ତ ଏକାଦଶରେ ଗୋଟିଏ ପରିବର୍ତ୍ତନ କରିଛି। ଡାରୟଲ ମିଚେଲଙ୍କ ବଦଳରେ କରୁଣ ନାଏର ଆଜି ଚୂଡ଼ାନ୍ତ ଏକାଦଶରେ ସ୍ଥାନ ପାଇଛନ୍ତି। ଏହାର ଅର୍ଥ ରାଜସ୍ଥାନ ଆଜି ୩ ବିଦେଶ ଖେଳାଳି ଜୋଶ ବଟଲର, ଟ୍ରେଣ୍ଟ ବୋଲ୍ଟ ଓ ଶିମରନ ହେଟମେୟରଙ୍କୁ ନେଇ ମୈଦାନକୁ ଓହ୍ଲାଇଛି।
#KKR have won the toss and they will bowl first against #RR.
Live - https://t.co/fVVHGJTNYn #KKRvRR #TATAIPL pic.twitter.com/e7iSS3QKmW
— IndianPremierLeague (@IPL) May 2, 2022