ଟେଷ୍ଟ ଟିମ୍‌ର ନେତୃତ୍ୱ ନେବାକୁ ବୁମ୍ରାଙ୍କ ଇଚ୍ଛା! ଜାଣନ୍ତୁ କ’ଣ କହିଲେ

ଜୋହାନ୍ସବର୍ଗ: ଅପ୍ରତ୍ୟାଶିକ ଢଙ୍ଗରେ ବିରାଟ କୋହଲି ଭାରତୀୟ ଟେଷ୍ଟ ଟିମ୍‌ର ଅଧିନାୟକ ପଦରୁ ଇସ୍ତଫା ଦେଇଛନ୍ତି। ଏହାକୁ ନେଇ ଚାରିଆଡ଼େ ଚର୍ଚ୍ଚା ହେଉଥିବା ବେଳେ ଟିମ ଇଣ୍ଡିଆର ସ୍ପିଡଷ୍ଟର ଯଶପ୍ରୀତ ବୁମ୍ରା ବଡ଼ ବୟାନ ଦେଇଛନ୍ତି। ସେ ଟେଷ୍ଟ ଫର୍ମାଟରେ ଭାରତର ନେତୃତ୍ୱ ନେବାକୁ କେବେ ହେଲେ ପଛଘୁଞ୍ଚା ଦେବେ ନାହିଁ ବୋଲି କହିଛନ୍ତି। ୧୯ ତାରିଖରୁ ଆରମ୍ଭ ହେବାକୁ ଥିବା ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ସିରିଜ୍‌ରେ ବୁମ୍ରା ଟିମ ଇଣ୍ଡିଆର ଉପ ଅଧିନାୟକ କମାଣ […]

Jasprit-Bumrah

Hemant Lenka
  • Published: Monday, 17 January 2022
  • , Updated: 17 January 2022, 07:58 PM IST

ଜୋହାନ୍ସବର୍ଗ: ଅପ୍ରତ୍ୟାଶିକ ଢଙ୍ଗରେ ବିରାଟ କୋହଲି ଭାରତୀୟ ଟେଷ୍ଟ ଟିମ୍‌ର ଅଧିନାୟକ ପଦରୁ ଇସ୍ତଫା ଦେଇଛନ୍ତି। ଏହାକୁ ନେଇ ଚାରିଆଡ଼େ ଚର୍ଚ୍ଚା ହେଉଥିବା ବେଳେ ଟିମ ଇଣ୍ଡିଆର ସ୍ପିଡଷ୍ଟର ଯଶପ୍ରୀତ ବୁମ୍ରା ବଡ଼ ବୟାନ ଦେଇଛନ୍ତି। ସେ ଟେଷ୍ଟ ଫର୍ମାଟରେ ଭାରତର ନେତୃତ୍ୱ ନେବାକୁ କେବେ ହେଲେ ପଛଘୁଞ୍ଚା ଦେବେ ନାହିଁ ବୋଲି କହିଛନ୍ତି।

୧୯ ତାରିଖରୁ ଆରମ୍ଭ ହେବାକୁ ଥିବା ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ସିରିଜ୍‌ରେ ବୁମ୍ରା ଟିମ ଇଣ୍ଡିଆର ଉପ ଅଧିନାୟକ କମାଣ ସମ୍ଭାଳିବେ। ରୋହିତ ଶର୍ମାଙ୍କ ଅନୁପସ୍ଥିତିରେ କେଏଲ ରାହୁଲ ଦଳର ଅଧିନାୟକ ହେବ। ଏହା ପୂର୍ବରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବୁମ୍ରା ଟେଷ୍ଟ କ୍ୟାପ୍ଟେନଶିପକୁ ନେଇ ଚାଲିଥିବା ଚର୍ଚ୍ଚା ସମ୍ପର୍କରେ ମତ ରଖିଛନ୍ତି।

ସେ କହିଛନ୍ତି, “ଭବିଷ୍ୟତରେ ଯଦି ଜାତୀୟ ଟିମ୍‌ର ନେତୃତ୍ୱ ନେବାକୁ ସୁଯୋଗ ମିଳେ, ତା’ହେଲେ ଏହା ମୋ ପାଇଁ ସମ୍ମାନର ବିଷୟ ହେବ। ମୁଁ ଭାବୁନି ଦେଶର ନେତୃତ୍ୱ ନେବାକୁ କେବେ ହେଲେ କୌଣସି ଖେଳାଳି ମନା କରିବେ ନାହିଁ। ମୁଁ ସେମାନଙ୍କ ଠାରୁ ଅଲଗା ନୁହେଁ। ଦଳରେ ନେତୃତ୍ୱ ନିଏ କି ନ ନିଏ, ମୁଁ ସବୁବେଳେ ଟିମ ପାଇଁ ଖେଳିବାକୁ ଭଲ ପାଏ। ମୁଁ ସବୁବେଳେ ଶତପ୍ରତିଶତ ଦେବାକୁ ଚେଷ୍ଟା କରେ।”

ପ୍ରଥମଥର ଉପ ଅଧିନାୟକ ହେଉଥିବା ବୁମ୍ରା ନିଜର ଦାୟିତ୍ୱ ସମ୍ପର୍କରେ ମଧ୍ୟ କହିଛନ୍ତି। ସେ କହିଛନ୍ତି, “ପୂର୍ବଭଳି ମୁଁ ବର୍ତ୍ତମାନର ସ୍ଥିତିକୁ ମଧ୍ୟ ଦେଖୁଛି। ଦାୟିତ୍ୱ ନେବା, ଖେଳାଳିଙ୍କ ସହ କଥାବର୍ତ୍ତା ଓ ସହଯୋଗ କରିବାକୁ ମୁଁ ସବୁବେଳେ ଅଗ୍ରାଧିକାର ଦେଇ ଆସିଛି।

ବର୍ତ୍ତମାନ ସମୟରେ ମଧ୍ୟ ମୁଁ ସେହି ଦାୟିତ୍ୱ ସମ୍ପାଦନ କରିବି। ପଦ ପାଇବା ଓ ନ ପାଇବା ମୋ ପାଇଁ କୌଣସି ଗୁରୁତ୍ୱ ରଖେନି। ସବୁବେଳେ ମୁଁ ଦଳ ପାଇଁ କ’ଣ କରିପାରିବି, ତା’ ଉପରେ ବିଚାର କରେ। ପ୍ରଥମେ ମୋ ଦାୟିତ୍ୱକୁ ମୁଁ ସମ୍ପାଦନ କରିବି। ଏହାପରେ କେଏଲ ରାହୁଲ ଯଦି କିଛି ମୋ ଠାରୁ ଚାହିଁବେ, ତା’ହେଲେ ମୁଁ ତାଙ୍କୁ ସହାୟତା କରିବି।

ମୁଁ ଉପ ଅଧିନାୟକ ପଦରେ ନଥିବା ବେଳେ ମଧ୍ୟ ଯୁବ ଖେଳାଳିଙ୍କୁ ବୋଲିଂ ବେଳେ ସହଯୋଗ କରେ। କେଉଁଠି ଫିଲ୍ଡର ଦରକାର ମୁଁ ପରାମର୍ଶ ଦିଏ। ଏବେ ବି ମୋ କାମ ସେଇଆ ରହିବ। କୌଣସି ସ୍ୱତନ୍ତ୍ର ଦାୟିତ୍ୱ କିମ୍ବା ଚାପ ଆଦୌ ମୋତେ ପ୍ରଭାବିତ କରିବ ନାହିଁ। ହଁ, କେଏଲଙ୍କୁ ଯଥା ସମ୍ଭବ ସହାୟତା କରିବାକୁ ଚେଷ୍ଟା କରିବି।”

Related story