ସର୍ବଭାରତୀୟ ପୁଲିସ୍ ହକିରେ ସିଆରପିଏଫ୍ ଦିଲ୍ଲୀ ଚାମ୍ପିୟନ୍‌

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଡ଼ିଶା ପୁଲିସ୍ ଆନୁକୂଲ୍ୟରେ ୬୮ତମ ସର୍ବଭାରତୀୟ ହକି ପ୍ରତିଯୋଗିତା କଳିଙ୍ଗ ଷ୍ଟାଡିୟମରେ ଉଦଯାପିତ ହୋଇଛି। ପ୍ରତିଯୋଗିତାର ଫାଇନାଲ୍ ମ୍ୟାଚ୍ ସିଆରପିଏଫ୍ ଦିଲ୍ଲୀ ଏବଂ ବିଏସଏଫ୍ ଜଳନ୍ଧର ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଏଥିରେ ସିଆରପିଏଫ୍ ଦିଲ୍ଲୀ ୪-୨ ଗୋଲରେ ବିଜୟୀ ହୋଇ ଚାମ୍ପିୟନ୍ ଆଖ୍ୟା ଅର୍ଜନ କରିଥିବା ବେଳେ ବିଏସଏଫ୍ ଜଳନ୍ଧର ରନର୍ସଅପ୍ ହୋଇଛି। ସିଆରପିଏଫ୍ ଦିଲ୍ଲୀ ପକ୍ଷରୁ ଦୀପକ, ବିକାଶ କୁଜୁର, ସରୋଜ ଏକ୍କା ଓ ରବୀନ୍ଦ୍ର କୁଜୁର ଗୋଟିଏ ଲେଖାଏ ଗୋଲ୍ […]

police-hockey

Ranjit Kumar Jena
  • Published: Tuesday, 24 December 2019
  • , Updated: 24 December 2019, 08:55 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଡ଼ିଶା ପୁଲିସ୍ ଆନୁକୂଲ୍ୟରେ ୬୮ତମ ସର୍ବଭାରତୀୟ ହକି ପ୍ରତିଯୋଗିତା କଳିଙ୍ଗ ଷ୍ଟାଡିୟମରେ ଉଦଯାପିତ ହୋଇଛି। ପ୍ରତିଯୋଗିତାର ଫାଇନାଲ୍ ମ୍ୟାଚ୍ ସିଆରପିଏଫ୍ ଦିଲ୍ଲୀ ଏବଂ ବିଏସଏଫ୍ ଜଳନ୍ଧର ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଏଥିରେ ସିଆରପିଏଫ୍ ଦିଲ୍ଲୀ ୪-୨ ଗୋଲରେ ବିଜୟୀ ହୋଇ ଚାମ୍ପିୟନ୍ ଆଖ୍ୟା ଅର୍ଜନ କରିଥିବା ବେଳେ ବିଏସଏଫ୍ ଜଳନ୍ଧର ରନର୍ସଅପ୍ ହୋଇଛି। ସିଆରପିଏଫ୍ ଦିଲ୍ଲୀ ପକ୍ଷରୁ ଦୀପକ, ବିକାଶ କୁଜୁର, ସରୋଜ ଏକ୍କା ଓ ରବୀନ୍ଦ୍ର କୁଜୁର ଗୋଟିଏ ଲେଖାଏ ଗୋଲ୍ ଦେଇଥିବା ବେଳେ ବିଏସଏଫ୍ ଜଳନ୍ଧର ପକ୍ଷରୁ ହତିନ୍ଦର ସିଂହ ଓ କନୱର ପାଲ୍ ସିଂ ଗୋଟିଏ ଲେଖାଏ ଗୋଲ୍ ଦେଇଥିଲେ।

ସେହିପରି ଆୟୋଜକ ଓଡ଼ିଶା ପୁଲିସ୍ ତୃତୀୟ ସ୍ଥାନରେ ସନ୍ତୁଷ୍ଟ ହୋଇଛି। ତୃତୀୟ ସ୍ଥାନ ପାଇଁ ଆଜି ଖେଳାଯାଇଥିବା ମ୍ୟାଚରେ ଓଡ଼ିଶା ପୁଲିସ୍ ୩-୦ ଗୋଲରେ ହରିୟାଣା ପୁଲିସକୁ ପରାସ୍ତ କରି ଏହି ସଫଳତା ଅର୍ଜନ କରିଛି। ଓଡ଼ିଶା ପୁଲିସ୍ ପକ୍ଷରୁ ବିକାଶ ବାର୍ଲା, ଅଶୋକ ଲାକ୍ରା ଓ ଉମେଶ କିଶାନ ଗୋଲ୍ ସ୍କୋର କରିଥିଲେ। ଏହି ତିନୋଟି ଗୋଲ୍ ମଧ୍ୟରୁ ଗୋଟିଏ ପେନାଲ୍ଟି କର୍ଣ୍ଣର ଏବଂ ଦୁଇଟି ଫିଲ୍ଡ ଗୋଲ୍ ହୋଇଥିଲା। ଅନୀଲ କୁଲୁ ଓଡ଼ିଶା ପୁଲିସ୍ ଦଳର କ୍ୟାପଟେନ୍ ଥିବା ବେଳେ ଆଜାଦ୍ ସିଂହ ହରିୟାଣା ପୁଲିସ୍ ଦଳର ନେତୃତ୍ୱ ନେଇଥିଲେ।

ପ୍ରତିଯୋଗିତାର ଶ୍ରେଷ୍ଠ ଗୋଲକିପର ଭାବେ ସିଆରପିଏଫ୍ ଦିଲ୍ଲୀର କୁଲଦୀପ ସିଂହ, ଶ୍ରେଷ୍ଠ ଡିଫେଣ୍ଡର୍ ଭାବେ ଓଡ଼ିଶା ପୁଲିସର ରୋଶନ୍ ବାହାଲା, ଶ୍ରେଷ୍ଠ ମିଡଫିଲ୍ଡର୍ ଭାବେ ସିଆଇଏସଏଫ୍ ଦିଲ୍ଲୀର ଆଭାସ ଶର୍ମା, ଶ୍ରେଷ୍ଠ ଫରୱାର୍ଡ ଭାବେ ବିଏସଏଫ୍ ଜଳନ୍ଧରର ଜସୱନ୍ତ ସିଂହ, ସର୍ବାଧିକ ଗୋଲ୍ ସ୍କୋରର ଭାବେ ବିଏସଏଫ୍ ଜଳନ୍ଧରର ହତିନ୍ଦର ସିଂହ ଏବଂ ଶ୍ରେଷ୍ଠ ଖେଳାଳି ଭାବେ ସିଆରପିଏଫ୍ ଦିଲ୍ଲୀର ବିକାଶ କୁଜୁର ପୁରସ୍କୃତ ହୋଇଥିଲା। ସେହିପରି ଫେୟାରପ୍ଲେ ଟ୍ରଫି ମହାରାଷ୍ଟ୍ର ରାଜ୍ୟ ପୁଲିସକୁ ପ୍ରଦାନ କରାଯାଇଥିବା ବେଳେ, ଓଡ଼ିଶାକୁ ହାର୍ଡ ଲାଇନ୍ ଟ୍ରଫି, ବିଏସଏଫକୁ ରନର୍ସଅପ୍ ଟ୍ରଫି ଏବଂ ସିଆରପିଏଫକୁ ଚାମ୍ପିୟନ୍ସ ଟ୍ରଫି ପ୍ରଦାନ କରାଯାଇଥିଲା।

ସପ୍ତମ ଓଏସଏପି ବାଟାଲିୟନଠାରେ ଆୟୋଜିତ ଉଦଯାପନୀ ସମାରୋହରେ ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। କେନ୍ଦ୍ରୀୟ ଗୁଇନ୍ଦା ବ୍ୟୁରୋର ଅତିରିକ୍ତ ନିର୍ଦ୍ଦେଶକ ଅନିସ ଦୟାଲ୍ ସିଂହ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମରେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ତଥା ପରିଚାଳନା କମିଟିର ଅଧ୍ୟକ୍ଷ ଅଜୟ କୁମାର, ପରିଚାଳନା କମିଟିର ଉପାଧ୍ୟକ୍ଷ ତଥା ପୁଲିସ୍ କମିଶନର ସୁଧାଂଶୁ ଷଡଙ୍ଗୀ, ସୌମେନ୍ଦ୍ର ପ୍ରିୟଦର୍ଶୀ, ଆଇଜି (ପର୍ସୋନେଲ୍‌)ଙ୍କ ସମେତ ଅନେକ ବରିଷ୍ଠ ପୁଲିସ୍ ଅଧିକାରୀ, ଅବସରପ୍ରାପ୍ତ ଅଧିକାରୀ, ବିଭିନ୍ନ ରାଜ୍ୟ ପୁଲିସ୍ ଦଳର ମ୍ୟାନେଜର, ଅଧିନାୟକ ଏବଂ ଖେଳାଳିମାନେ ଉପସ୍ଥିତ ଥିଲେ।

ସୂଚନାଯୋଗ୍ୟ, ଉକ୍ତ ପ୍ରତିଯୋଗିତାରେ ରାଜ୍ୟ ପୁଲିସ୍ ଓ କେନ୍ଦ୍ରୀୟ ବଳରୁ ମୋଟ ୨୫ଟି ଦଳ ଏବଂ ୫୦୦ରୁ ଊର୍ଦ୍ଧ୍ୱ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। ସେହିପରି ୫୦ରୁ ଊର୍ଦ୍ଧ୍ୱ କ୍ରୀଡ଼ା ପ୍ରଶାସକ ଏବଂ ପ୍ରଶିକ୍ଷକ ଭାଗ ନେଇଥିଲେ। ପ୍ରତିଯୋଗିତାରେ ମୋଟ ୩୫ଟି ମ୍ୟାଚ୍ ଲିଗ୍ ତଥା ନକଆଉଟ୍ ଆଧାରରେ ଖେଳାଯାଇଥିଲା। ୧୬ ତାରିଖରେ ଆରମ୍ଭ ହୋଇଥିବା ଏହି ପ୍ରତିଯୋଗିତାକୁ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଅଭୟ କୁମାର ଉଦଘାଟନ କରିଥିଲେ। ଏହାଛଡ଼ା ରାଜ୍ୟ ସରକାରଙ୍କ ସ୍ୱୀକୃତିପ୍ରାପ୍ତ ମାସ୍କଟ୍ 'ଓଲି'କୁ ଏହି ପ୍ରତିଯୋଗିତାର ମାସ୍କଟ ଭାବେ ଗ୍ରହଣ କରାଯାଇଥିଲା।

Related story