ଚେନ୍ନାଇ: ଚେନ୍ନାଇ ସୁପର କିଙ୍ଗ ଆଇପିଏଲର ଦ୍ୱାଦଶ ସିଜନରେ ତା’ର ପ୍ରଥମ ଘରୋଇ ମ୍ୟାଚରୁ ହେବାକୁଥିବା ଆୟକୁ ଆତଙ୍କୀ ଆକ୍ରମଣରେ ସହିଦ ହୋଇଥିବା ସିଆରପିଏଫ୍ ଯବାନଙ୍କ ପରିବାରକୁ ସହାୟତା କରିବା ପାଇଁ ନିଷ୍ପତ୍ତି ନେଇଛି। ଅଧିନାୟକ ମହେନ୍ଦ୍ର ସିଂହ ଧୋନି ନିଜେ ଏହି ଚେକ୍ ପ୍ରଦାନ କରିବେ। ଆଇପିଏଲର ଚଳିତ ସିଜନ୍ ଶନିବାରଠାରୁ ଆରମ୍ଭ ହେବ।
ସିଜନର ପ୍ରଥମ ମ୍ୟାଚ୍ ଚେନ୍ନାଇ ସୁପର କିଙ୍ଗସ୍ ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ରାତି ୮ଟାରେ ଏମ୍ଏ ଚିଦାମ୍ବରମ ଷ୍ଟାଡିୟମରେ ଖେଳାଯିବ। ସିଏସକେର ନିର୍ଦ୍ଦେଶକ ରାକେଶ ସିଂହ କହିଛନ୍ତି, ଏହି ମ୍ୟାଚ୍ରୁ ହେବାକୁ ଥିବା ଆୟ ୧୪ ଫେବୃଆରୀରେ ପୁଲୱାମା ଆତଙ୍କୀ ଆକ୍ରମଣରେ ସହିଦ୍ ହୋଇଥିବା ଯବାନଙ୍କ ପରିବାରକୁ ପ୍ରଦାନ କରାଯିବ। ଭାରତୀୟ ଟେରିଟୋରିୟାଲ ଆର୍ମିରେ ଲେଫ୍ଟନାଣ୍ଟ କର୍ନେଲ ଥିବା ଧୋନି ଚେକ୍ ପ୍ରଦାନ କରିବେ। ଏହି ମ୍ୟାଚ୍ ପାଇଁ ଟିକେଟ୍ ବିକ୍ରି ମାତ୍ର କେଇ ଘଣ୍ଟା ମଧ୍ୟରେ ଶେଷ ହୋଇଯାଇଥିଲା।