ମୁମ୍ବାଇ: ୱାଙ୍ଖଡେରେ ଆଣ୍ଠେଇଛି ଟିମ୍ ଇଣ୍ଡିଆ। ୨୦୨୦ରେ ବିରାଟ୍ କୋହଲିଙ୍କ ନେତୃତ୍ୱାଧୀନ ଟିମ୍ ଇଣ୍ଡିଆ ତା'ର ପ୍ରଥମ ଦିନିକିଆ ମ୍ୟାଚରେ ଅଷ୍ଟ୍ରେଲିଆ ନିକଟରୁ ଶୋଚନୀୟ ପରାସ୍ତ ହୋଇଛି। ପ୍ରଥମେ ବ୍ୟାଟ୍ସମ୍ୟାନଙ୍କ ଆତ୍ମସମର୍ପଣ ଏବଂ ପରେ ବୋଲରଙ୍କ ଦୁର୍ବଳ ପ୍ରଦର୍ଶନ ଟିମ୍ ଇଣ୍ଡିଆ ପରାଜୟର ମୁଖ୍ୟ କାରଣ ସାଜିଛି। ବ୍ୟାଟିଂ କରିବାକୁ ସୁଯୋଗ ପାଇଥିବା ଭାରତ ୪୯.୧ ଓଭରରେ ୨୫୫ ରନ୍ କରି ଅଲଆଉଟ୍ ହୋଇଥିଲା।
ଜବାବରେ ଡେଭିଡ୍ ୱାର୍ଣ୍ଣର୍ ଓ କ୍ୟାପଟେନ୍ ଆରୋନ୍ ଫିଞ୍ଚଙ୍କ ଅପରାଜିତ ଶତକ ବଳରେ ଅଷ୍ଟ୍ରେଲିଆ ମାତ୍ର ୩୭.୪ ଓଭରରେ ବିନା ୱିକେଟ୍ ହରାଇ ୨୫୮ ରନ୍ କରି ମୁକାବିଲାକୁ ୧୦ ୱିକେଟରେ ଜିତି ନେଇଛି। ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟରେ ଅଷ୍ଟ୍ରେଲିଆର ଏହା ସର୍ବବୃହତ ୧୦ ୱିକେଟ୍ ବିଜୟ। ଅନ୍ୟପକ୍ଷରେ ବିଶ୍ୱ କ୍ରିକେଟରେ ଏହା ଦ୍ୱିତୀୟ ସର୍ବଶ୍ରେଷ୍ଠ ବିଜୟ। ଅଷ୍ଟ୍ରେଲିଆ ପକ୍ଷରୁ ୱାର୍ଣ୍ଣର୍ ସର୍ବାଧିକ ୧୨୮ (୧୧୨ ବଲ୍, ୧୭ ଚୌକା, ୩ ଛକା) ଓ ଫିଞ୍ଚ୍ ୧୧୦ (୧୧୪ ବଲ୍, ୧୩ ଚୌକା, ୨ ଛକା) ରନ୍ କରି ଅପରାଜିତ ଥିଲେ।
ପୂର୍ବରୁ କଙ୍ଗାରୁ ଟିମ୍ କ୍ୟାପଟେନ୍ ଫିଞ୍ଚ୍ ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଟିମ୍ ଇଣ୍ଡିଆର ଷ୍ଟାର୍ ଓପ୍ନର ତଥା ଘରୋଇ ତାରକା ରୋହିତ୍ ଶର୍ମା (୧୦) ମ୍ୟାଚର ପ୍ରଥମ ବଲରେ ଚୌକା ମାରି ଜବରଦସ୍ତ ଶୁଭାରମ୍ଭ କରିଥିଲେ। କିନ୍ତୁ ରୋହିତ୍ ନିଜ ଇନିଂସକୁ ବେଶୀ ଆଗକୁ ନେଇପାରିନଥିଲେ। ଇନିଂସର ପଞ୍ଚମ ଓଭରରେ ମିଚେଲ୍ ଷ୍ଟାର୍କଙ୍କ ବଲରେ ରୋହିତ୍ ଲଙ୍ଗଅଫରେ ଡେଭିଡ୍ ୱାର୍ଣ୍ଣରଙ୍କୁ କ୍ୟାଚ୍ ଦେଇ ବସିଥିଲେ। ବିରାଟଙ୍କ ସ୍ଥାନରେ ଲୋକେଶ ରାହୁଲ ତୃତୀୟ ସ୍ଥାନରେ ବ୍ୟାଟିଂ କରିବାକୁ ଆସିଥିଲେ ଏବଂ ଶିଖର ଧୱନଙ୍କୁ ଭରପୂର ସହଯୋଗ କରିଥିଲେ। ଦୁହେଁ ଓଭରପିଛା ୫ ଲେଖାଏ ରନ୍ କରି ଭାରତର ସ୍କୋରକୁ ୧୦୦ ଅତିକ୍ରମ କରାଇଥିଲେ।
ଭାରତ ଇନିଂସର ୩୩ତମ ଓଭରର ପ୍ରଥମ ବଲରେ କୋହଲି ଅଷ୍ଟ୍ରେଲୀୟ ସ୍ପିନର୍ ଆଡାମ ଜାମ୍ପାଙ୍କୁ ଛକା ମାରି ଆରମ୍ଭ କରିଥିଲେ। କିନ୍ତୁ ପରବର୍ତ୍ତୀ ବଲରେ ବିରାଟ୍ ନିଜ ୱିକେଟ୍ ଦେଇ ବସିଥିଲେ ଏବଂ ପରେ ଆୟରଙ୍କୁ ଷ୍ଟାର୍କ ଆଉଟ୍ କରିଥିଲେ। ୧୬୪ ରନରେ ଅଧା ବ୍ୟାଟ୍ସମ୍ୟାନଙ୍କୁ ହରାଇବା ପରେ ଭାରତକୁ ଏକ ପାର୍ଟନରଶିପର ଆବଶ୍ୟକ ଥିଲା, ଯାହାକୁ ଋଷଭ ପନ୍ତ ଓ ରବୀନ୍ଦ୍ର ଜାଡେଜା କିଛିମାତ୍ରାରେ ପୂରଣ କରିଥିଲେ। ଦୁହେଁ ଷଷ୍ଠ ୱିକେଟ୍ ପାଇଁ ୪୯ ରନର ଭାଗୀଦାରୀ କରି ଭାରତର ସ୍କୋରକୁ ୨୦୦ ଅତିକ୍ରମ କରାଇଥିଲେ। ଜାଡେଜା (୨୫)ଙ୍କୁ କେନ୍ ରିଚାର୍ଡସନ୍ ଏବଂ ପନ୍ତ (୨୮)ଙ୍କୁ କମିନ୍ସ ପ୍ୟାଭିଲିୟନ୍ ପଠାଇଥିଲେ। ନିମ୍ନକ୍ରମରେ ଶାର୍ଦ୍ଦୁଲ ଠାକୁର (୧୩), କୁଲଦୀପ ଯାଦବ (୧୭) ଏବଂ ମହମ୍ମଦ ଶାମି (୧୦)ଙ୍କ ଉପଯୋଗୀ ଯୋଗଦାନ ଦ୍ୱାରା ଭାରତ ୨୫୫ ରନର ସମ୍ମାନଜନକ ସ୍କୋର କରିବାକୁ ସକ୍ଷମ ହୋଇଥିଲା। ଅଷ୍ଟ୍ରେଲିଆ ପକ୍ଷରୁ ଷ୍ଟାର୍କ ସର୍ବାଧିକ ୩ଟି ୱିକେଟ୍ ନେଇଥିବା ବେଳେ କମିନ୍ସ ଓ ରିଚାର୍ଡସନ୍ ୨ଟି ଲେଖାଏ ୱିକେଟ୍ ପାଇଥିଲେ।