ଚମକିଲେ ୱିଲିୟମସନ ଓ ଧିମା ବ୍ୟାଟିଂ କଲେ ବେୟାରଷ୍ଟୋ, ହାଇଦ୍ରାବାଦ ୧୬୨

ଦୁବାଇ: ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରୁଥିବା ସନ ରାଇଜର୍ସ ହାଇଦ୍ରାବାଦ ନିର୍ଦ୍ଧାରିତ ୨୦ ଓଭରରେ ୪ ୱିକେଟ ହରାଇ ୧୬୨ ରନ୍‌ କରିଛି। ଦିଲ୍ଲୀକୁ ଚଳିତ ଆଇପିଏଲରେ ହ୍ୟାଟ୍ରିକ ବିଜୟ ହାସଲ ପାଇଁ ୧୭୩ ରନ୍‌ର ଟାର୍ଗେଟ ମିଳିଛି। ହାଇଦ୍ରାବାଦ ପକ୍ଷରୁ ଚଳିତ ସଜିନ୍‌ରେ ପ୍ରଥମ ମ୍ୟାଚ୍‌ ଖେଳୁଥିବା ଅଭିଜ୍ଞ କେନ୍‌ ୱିଲିୟମସନ ଜବରଦସ୍ତ ବ୍ୟାଟିଂ କରିଛନ୍ତି। ସେ ମାତ୍ର ୨୬ଟି ବଲ୍‌ରେ ୪୧ ରନ୍‌ର ଇନିଂସ୍‌ ଖେଳିଛନ୍ତି। ଓପନର ଜନ୍ନି […]

y

Hemant Lenka
  • Published: Tuesday, 29 September 2020
  • , Updated: 29 September 2020, 09:27 PM IST

ଦୁବାଇ: ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରୁଥିବା ସନ ରାଇଜର୍ସ ହାଇଦ୍ରାବାଦ ନିର୍ଦ୍ଧାରିତ ୨୦ ଓଭରରେ ୪ ୱିକେଟ ହରାଇ ୧୬୨ ରନ୍‌ କରିଛି। ଦିଲ୍ଲୀକୁ ଚଳିତ ଆଇପିଏଲରେ ହ୍ୟାଟ୍ରିକ ବିଜୟ ହାସଲ ପାଇଁ ୧୭୩ ରନ୍‌ର ଟାର୍ଗେଟ ମିଳିଛି।

ହାଇଦ୍ରାବାଦ ପକ୍ଷରୁ ଚଳିତ ସଜିନ୍‌ରେ ପ୍ରଥମ ମ୍ୟାଚ୍‌ ଖେଳୁଥିବା ଅଭିଜ୍ଞ କେନ୍‌ ୱିଲିୟମସନ ଜବରଦସ୍ତ ବ୍ୟାଟିଂ କରିଛନ୍ତି। ସେ ମାତ୍ର ୨୬ଟି ବଲ୍‌ରେ ୪୧ ରନ୍‌ର ଇନିଂସ୍‌ ଖେଳିଛନ୍ତି। ଓପନର ଜନ୍ନି ବେୟାରଷ୍ଟୋ ୧୮ ଓଭର ପର୍ଯ୍ୟନ୍ତ କ୍ରିଜ୍‌ରେ ରହିଥିଲେ ହେଁ ପୂରା ଧିମା ବ୍ୟାଟିଂ କରିଛନ୍ତି।

ସେ ଅର୍ଦ୍ଧଶତକ ହାସଲ କରିଛନ୍ତି ସତ। କିନ୍ତୁ ଏଥିପାଇଁ ୪୮ଟି ବଲ୍‌ ଖେଳିଛନ୍ତି। ଅର୍ଦ୍ଧଶତକ ପରେ ବେୟାରଷ୍ଟୋ ଶେଷ ଦୁଇ ଓଭରରେ ବିସ୍ଫୋରକ ରୂପ ଦେଖାଇବେ ବୋଲି ଆଶା କରାଯାଉଥିଲା। କିନ୍ତୁ ସେ ୫୩ ରନ୍‌ କରି ପ୍ୟାଭିଲିୟନ ଫେରିଥିଲେ। ଯାହା ହାଇଦ୍ରାବାଦ ପ୍ରଶଂସକଙ୍କୁ ନିରାଶ କରିଛି।

ଟସ୍‌ ଜିତି ଦିଲ୍ଲୀ ଅଧିନାୟକ ଶ୍ରେୟସ ଆୟର ହାଇଦ୍ରାବାଦକୁ ବ୍ୟାଟିଂ ପାଇଁ ନିମନ୍ତ୍ରଣ କରିଥିଲେ। ଦଳର ଦୁଇ ଓପନର ଡେଭିଡ ୱାର୍ଣ୍ଣର ଓ ବେୟାରଷ୍ଟୋ ବେଶ ରକ୍ଷଣଶୀଳ ଢଙ୍ଗରେ ବ୍ୟାଟିଂ କରିଥିଲେ। ଉଭୟ ପ୍ରଥମ ୬ ଓଭରରେ ମାତ୍ର ୩୮ ରନ୍‌ ହିଁ ଆଦାୟ କରିପାରିଥିଲେ। ଏହା ହାଇଦ୍ରାବାଦ ପାଇଁ ପାୱାର ପ୍ଲେରେ ସବୁଠାରୁ ନିମ୍ନତମ ସ୍କୋର ଥିଲା। ଏହାପରେ ଉଭୟ ଗିୟର ବଦଳାଇବାକୁ ଚେଷ୍ଟା କରିଥିଲେ।

କିଛି ସମୟ ପାଇଁ ୱାର୍ଣ୍ଣର ଦ୍ରୁତ ରନ୍‌ ସଂଗ୍ରହ କରିଥିଲେ। କିନ୍ତୁ ୧୦ମ ଓଭରର ୩ୟ ବଲରେ ଅମିତ ମିଶ୍ରା ୩୩ ବଲରେ ୪୫ ରନ୍‌ କରିଥିବା ୱାର୍ଣ୍ଣରଙ୍କୁ ପ୍ୟାଭିଲିୟନ ପଠାଇ ଦେଇଥିଲେ। ଗତ ମ୍ୟାଚ୍‌ରେ ଅର୍ଦ୍ଧଶତକ ହାସଲ କରିଥିବା ମନୀଷ ପାଣ୍ଡେ(୩) ଅମିତ ମିଶ୍ରାଙ୍କ ଦ୍ୱିତୀୟ ଶିକାର ବନିଥିଲେ। ଏହାପରେ କ୍ରିଜ୍‌କୁ ଆସିଥିଲେ ୱିଲିୟମସନ। ସେ ଦ୍ରୁତ ରନ୍‌ସଂଗ୍ରହ କରିବା ସହ ଦଳୀୟ ସ୍କୋରକୁ ଆଗକୁ ବଢ଼ାଇଥିଲେ।

କିନ୍ତୁ ବେୟାରଷ୍ଟୋଙ୍କ ଧିମା ବ୍ୟାଟିଂ ଜାରି ରହିଥିଲା। ଶେଷରେ ୧୮ତମ ଓଭରରେ ବେୟାରଷ୍ଟୋ ୫୩ ରନ୍‌ କରି ରାବଡାଙ୍କ ବଲରେ ଆଉଟ ହୋଇଥିଲେ। ଇନିଂସ୍‌ର ଶେଷ ଓଭରରେ ୱିଲିୟମସନ ମଧ୍ୟ ୨୬ ବଲରେ ୪୧ ରନ୍‌ କରି ରାବଡାଙ୍କ ଦ୍ୱିତୀୟ ଶିକାର ବନିଥିଲେ। ତେବେ ଶେଷ ଭାଗରେ ଆଇପିଏଲରେ ଡେବ୍ୟୁ କରୁଥିବା ଅବଦୁଲ ସାମଦ କିଛି ବଡ଼ ଶଟ ଖେଳିବାରୁ ହାଇଦ୍ରାବାଦର ସ୍କୋର ୧୬୦ ପାର୍‌ କରିଥିଲା। ସେ ୭ ବଲରେ ଗୋଟିଏ ଛକା ଓ ଗୋଟିଏ ଚୌକା ବଳରେ ୧୨ ରନ୍‌ କରି ଅପରାଜିତ ରହିଥିଲେ।

Related story