ଦୁବାଇ: ଚଳିତ ଆଇପିଏଲର ଫାଇନାଲ୍ ଫାଇଟରେ ମୁହାଁମୁହିଁ ହେଉଛନ୍ତି ଚାରିଥରର ଚାମ୍ପିୟନ୍ ମୁମ୍ବାଇ ଇଣ୍ଡିଆନ୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ। ଏହି ମହାମୁକାବିଲାରେ ଦିଲ୍ଲୀ କ୍ୟାପିଟାଲ୍ସ କ୍ୟାପଟେନ୍ ଶ୍ରେୟସ ଆୟର୍ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି। ଫଳରେ ମୁମ୍ବାଇ ଇଣ୍ଡିଆନ୍ସ ପ୍ରଥମେ ବୋଲିଂ କରିବ।
ମୁମ୍ବାଇ ଆଇପିଏଲରେ ତା'ର ପଞ୍ଚମ ଟାଇଟଲ୍ ଲକ୍ଷ୍ୟରେ ରହିଛି। ତେବେ ପ୍ରଥମଥର ଫାଇନାଲରେ ପହଞ୍ଚିଥିବା ଦିଲ୍ଲୀ କ୍ୟାପିଟାଲ୍ସ ୧୨ ବର୍ଷର ଖାଲିସ୍ଥାନକୁ ପୂରଣ କରିବାକୁ ଚାହିଁବ। ମ୍ୟାଚରେ ଦିଲ୍ଲୀ ତା'ର ଚୂଡ଼ାନ୍ତ ଏକାଦଶରେ କୌଣସି ପରିବର୍ତ୍ତନ କରିନାହିଁ। ତେବେ ମୁମ୍ବାଇ ଦଳରେ ଗୋଟିଏ ପରିବର୍ତ୍ତନ କରାଯାଇଛି। ସ୍ପିନର୍ ରାହୁଲ୍ ଚହରଙ୍କ ସ୍ଥାନରେ ଜୟନ୍ତ ଯାଦବଙ୍କୁ ସାମିଲ୍ କରାଯାଇଛି।
ସୂଚନାଯୋଗ୍ୟ, ଚଳିତ ଟୁର୍ଣ୍ଣାମେଣ୍ଟରେ ମୁମ୍ବାଇ ଲିଗ୍ ପର୍ଯ୍ୟାୟରେ ୯ଟି ମ୍ୟାଚ୍ ଜିତି ପଏଣ୍ଟ ଟେବୁଲର ଶୀର୍ଷ ସ୍ଥାନରେ ରହିଥିବା ବେଳେ ଦିଲ୍ଲୀ ୧୬ ପଏଣ୍ଟ ସହ ୨ୟରେ ରହିଥିଲା। ପ୍ରଥମ କ୍ୱାଲିଫାୟରରେ ମୁମ୍ବାଇ ଦିଲ୍ଲୀକୁ ହରାଇ ସିଧାସଳଖ ଫାଇନାଲରେ ପ୍ରବେଶ କରିଥିଲା।
ସେହିପରି ୨ୟ କ୍ୱାଲିଫାୟରରେ ଦିଲ୍ଲୀ ସନରାଇଜର୍ସ ହାଇଦ୍ରାବାଦକୁ ହରାଇ ପ୍ରଥମଥର ଟାଇଟଲ୍ ଦୌଡ଼ରେ ଏଣ୍ଟ୍ରୀ କରିଛି। ଚଳିତ ଆଇପିଏଲରେ ଉଭୟ ଦଳ ପରସ୍ପରକୁ ତିନିଥର ଭେଟିଥିବା ବେଳେ ସବୁଥିରେ ଦିଲ୍ଲୀ ପରାସ୍ତ ହୋଇଛି। ତେବେ ଏହି ଫାଇନାଲ୍ ମୁକାବିଲା ଜିତି ପରାଜୟର ପ୍ରତିଶୋଧ ନେବାକୁ ଚାହିଁବ।
ଚୂଡ଼ାନ୍ତ ଏକାଦଶ
ମୁମ୍ବାଇ ଇଣ୍ଡିଆନ୍ସ: ରୋହିତ୍ ଶର୍ମା (କ୍ୟାପଟେନ୍), କ୍ବିଣ୍ଟନ୍ ଡି'କକ୍, ସୂର୍ଯ୍ୟକୁମାର ଯାଦବ, ଇଶାନ୍ କିଷନ୍, ହାର୍ଦ୍ଦିକ ପାଣ୍ଡ୍ୟା, କାଇରନ୍ ପୋଲାର୍ଡ, କୃନାଲ୍ ପାଣ୍ଡ୍ୟା, ନେଥନ୍ କୁଲ୍ଟର-ନାଇଲ୍, ଜୟନ୍ତ ଯାଦବ, ଟ୍ରେଣ୍ଟ ବୋଲ୍ଟ, ଯଶପ୍ରୀତ ବୁମ୍ରା।
ଦିଲ୍ଲୀ କ୍ୟାପିଟାଲ୍ସ: ଶିଖର ଧୱନ୍, ମାର୍କସ୍ ଷ୍ଟୋଇନିସ୍, ଶ୍ରେୟସ୍ ଆୟର୍ (କ୍ୟାପଟେନ୍), ଅଜିଙ୍କ୍ୟ ରାହାଣେ, ଶିମରନ୍ ହେଟମେୟର୍, ଋଷଭ ପନ୍ତ (ୱିକେଟକିପର), ଅକ୍ଷର ପଟେଲ୍, ଆର୍ ଅଶ୍ୱିନ୍, ପ୍ରବୀଣ ଦୁବେ, କାଗିସୋ ରବାଡା, ଆନରିଚ୍ ନର୍ଜେ।