ଇଣ୍ଡିଆନ୍ ୱେଲ୍ସ: ଅଷ୍ଟ୍ରିଆର ଡୋମିନିକ୍ ଥିଏମ୍ ସ୍ୱିଜରଲ୍ୟାଣ୍ଡ ତାରକା ରୋଜର ଫେଡେରରଙ୍କୁ ହରାଇ କ୍ୟାରିୟରର ପ୍ରଥମ ଏଟିପି ମାଷ୍ଟର୍ସ-୧୦୦୦ ଟାଇଟଲ୍ ଜିତିଛନ୍ତି। ଅନ୍ୟପକ୍ଷରେ ଫେଡେରରଙ୍କ ରେକର୍ଡ ଷଷ୍ଠ ଇଣ୍ଡିଆନ୍ ୱେଲ୍ସ ଟାଇଟଲ୍ ଜିତିବାର ଆଶା ଧୂଳିସାତ୍ ହୋଇଛି। ୨୫ ବର୍ଷୀୟ ଥିଏମ୍ ୨ ଘଣ୍ଟା ୨ ମିନିଟ୍ ଧରି ଚାଲିଥିବା ଫାଇନାଲରେ ଫେଡେରରଙ୍କୁ ୩-୬, ୬-୩, ୭-୫ ସେଟରେ ହରାଇଛନ୍ତି। ବିଶ୍ୱର ୮ ନମ୍ବର ଖେଳାଳି ଥିଏମ୍ ଦୁଇଥର ମାଡ୍ରିଡ୍ ମାଷ୍ଟର୍ସ ଫାଇନାଲରେ ହାରି ରନର୍ସଅପ୍ ହୋଇଥିଲେ। କିନ୍ତୁ ଏଥର ସେ ବିଶ୍ୱର ସର୍ବଶ୍ରେଷ୍ଠ ଖେଳାଳିଙ୍କୁ ହରାଇ କ୍ୟାରିୟରର ପ୍ରଥମ ଏଟିପି-୧୦୦୦ ଟାଇଟଲ୍ ଜିତିଛନ୍ତି।
ଫେଡେରରଙ୍କ ବିରୋଧରେ ଖେଳିଥିବା ୫ ମୁକାବିଲାରୁ ଥିଏମଙ୍କ ଏହା ତୃତୀୟ ବିଜୟ। ମ୍ୟାଚର ତୃତୀୟ ସେଟର ୧୧ତମ ଗେମରେ ଥିଏମ୍ ନିର୍ଣ୍ଣାୟକ ବ୍ରେକ୍ ପଏଣ୍ଟ ହାସଲ କରିଥିଲେ। ଦ୍ୱାଦଶ ଗେମରେ ସେ ନିଭ ସର୍ଭିସ ବଜାୟ ରଖି ମ୍ୟାଚ୍କୁ ଜିତି ନେଇଥିଲେ। ନିକଟରେ ଦୁବାଇରେ ନିଜର ୧୦୦ତମ ଟାଇଟଲ୍ ଜିତିଥିବା ଫେଡେରରଙ୍କ ପାଖରେ ରେକର୍ଡ ଷଷ୍ଠ ଇଣ୍ଡିଆନ୍ ୱେଲ୍ସ ଟାଇଟଲ୍ ଜିତିବାର ଭଲ ସୁଯୋଗ ଥିଲା। ଅନ୍ୟପକ୍ଷରେ ୧୯୯୭ରେ ଥୋମାସ ମୁଷ୍ଟର (ମିଆମି ଟାଇଟଲ)ଙ୍କ ପରେ ଥିଏମ୍ ପ୍ରଥମ ଅଷ୍ଟ୍ରିଆନ୍ ଖେଳାଳି ଭାବେ ମାଷ୍ଟର୍ସ-୧୦୦୦ ଟାଇଟଲ୍ ଜିତିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।