ନିକଟରେ ତାଇୱାନ ଆଥ୍ଲେଟିକ୍ସ ଓପନରେ ୨୦୦ ମିଟର ଦୌଡ଼ରେ ଦୂତୀ ଚାନ୍ଦ ସ୍ୱର୍ଣ୍ଣ ପଦକ ଜିତିଥିଲା ବେଳେ ଶ୍ରାବଣୀ ନନ୍ଦ ଦ୍ୱିତୀୟ ସ୍ଥାନରେ ରହି ରୌପ୍ୟ ପଦକ ଜିତିଥିଲେ।
ଏହି ପ୍ରତିଯୋଗିତାର ୧୦୦ ମିଟର ଦୌଡ଼ରେ ମଧ୍ୟ ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ ଦୂତୀ।
ତା’ପୂର୍ବରୁ ପଞ୍ଜାବର ପଟିଆଲା ଇଣ୍ଡିଆନ୍ ଗ୍ରାଁ ପ୍ରି-୨ର ୧୦୦ମିଟର ଦୌଡରେ ଦୂତୀ ଚାନ୍ଦ ସ୍ୱର୍ଣ୍ଣ ଜିତିଥିବା ବେଳେ ଶ୍ରାବଣୀ ନନ୍ଦ ବ୍ରୋଞ୍ଜ ଜିତିଥିଲେ।
ସେହିପରି ନୂଆଦିଲ୍ଲୀରେ ଖେଳାଯାଇଥିବା ଫେଡେରେସନ୍ କପ୍ ନ୍ୟାସ୍ନାଲ୍ ସିନିୟର ଆଥ୍ଲେଟିକ୍ସ ଚାମ୍ପିୟନସିପ୍ରେ ୨୦୦ ମିଟର ଦୌଡ଼ରେ ଶ୍ରାବଣୀ ସ୍ୱର୍ଣ୍ଣ ପଦକ ଜିତି ଥିବା ବେଳେ ଦୂତୀ ରୌପ୍ୟ ପଦକ ଜିତିଥିଲେ।
ଶ୍ରାବଣୀ ପୂର୍ବରୁ ପୂର୍ବତଟ ରେଳବାଇର ଭୁବନେଶ୍ୱର ସ୍ଥିତ ମୁଖ୍ୟକାର୍ଯ୍ୟାଳୟରେ ହେଡ୍ ଅଫିସର ଭାବେ କାର୍ଯ୍ୟରତ ଥିଲେ। ସେହିପରି ଦୂତୀ ଚାନ୍ଦ କେନ୍ଦ୍ରୀୟ ରେଳବାଇରେ ମୁମ୍ବାଇରେ ନିଯୁକ୍ତି ପାଇଥିଲେ। ନୂଆ ନିଯୁକ୍ତି ନେଇ ଉଭୟ ଖେଳାଳି ଖୁସି ଜାହିର କରିଛନ୍ତି।
ଅନ୍ୟପକ୍ଷରେ ଆଥ୍ଲେଟ୍ ଅମୀୟ ମଲ୍ଲିକ, ଜଉନା ମୁର୍ମୁ, ହକି ଖେଳାଳି ବୀରେନ୍ଦ୍ର ଲାକ୍ରା ଓ ୱେଟ୍ଲିଫ୍ଟର କେ.ରବି କୁମାରଙ୍କୁ କାହିଁକି ନିଯୁକ୍ତି ଦିଆଯାଇନାହିଁ ବୋଲି ପ୍ରଶ୍ନ ଉଠିଛି।
୧୦୦ ମିଟର ଦୌଡ଼ରେ ଜାତୀୟ ରେକର୍ଡ ଅମୀୟଙ୍କ ନାଁରେ ରହିଛି। ୨୦୧୦ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ରବି କୁମାର ସ୍ୱର୍ଣ୍ଣ ପଦକ ଜିତିଥିଲେ। ଏସିଆନ୍ ଗେମ୍ସରେ ସ୍ୱର୍ଣ୍ଣପଦକ ବିଜେତା ଭାରତୀୟ ଦଳର ସଦସ୍ୟ ଥିଲେ ବୀରେନ୍ଦ୍ର ଲାକ୍ରା। ରାଜ୍ୟ ସରକାରଙ୍କ କ୍ରୀଡ଼ା ନିଯୁକ୍ତି ସ୍କିମ୍ ଅନୁଯାୟୀ ଏସିଆନ୍ ଗେମ୍ସ ଓ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ସ୍ୱର୍ଣ୍ଣ ପଦକ ବିଜେତାଙ୍କୁ ସିଧାସଳଖ ଡିଏସ୍ପି ପଦବୀରେ ନିଯୁକ୍ତି ମିଳିବା କଥା।