ଭୁବନେଶ୍ୱର: ୨୦୧୫ର ଶ୍ରେଷ୍ଠ ଟେଷ୍ଟ ବୋଲର୍ ହେଲେ ରବିଚନ୍ଦ୍ରନ ଅଶ୍ୱିନ। ବର୍ଷ ଶେଷ ବେଳକୁ ଆଇସିସି ଟେଷ୍ଟ ମାନ୍ୟତାର ନମ୍ୱର ୱାନ୍ ସ୍ଥାନ ହାସଲ କରିଛନ୍ତି ଏହି ଭାରତୀୟ ସ୍ପିନର୍। ବିଶେନ୍ ସିଂ ବେଦୀଙ୍କ ପରେ ଦୀର୍ଘ ୪୨ ବର୍ଷ ପରେ ଦ୍ୱିତୀୟ ଭାରତୀୟ ଭାବେ ସେ ବିଶ୍ୱର ଏକ ନମ୍ବର ଟେଷ୍ଟ ବୋଲର ଭାବେ ବର୍ଷ ଶେଷ କରିଛନ୍ତି।
ଗୁରୁବାର ଆଇସିସି ପକ୍ଷରୁ ଜାରି ହୋଇଥିବା ଆଇସିସି ଟେଷ୍ଟ ବୋଲର ଓ ଅଲରାଉଣ୍ଡର ମାନ୍ୟତାରେ ଅଶ୍ୱିନ ଶ୍ରେଷ୍ଠ ସ୍ଥାନ ଅଧିକାର କରିଛନ୍ତି। ୨୯ ବର୍ଷୀୟ ଅଶ୍ୱିନ ବିଦାୟୀ ବର୍ଷରେ ୯ଟି ଟେଷ୍ଟରୁ ନେଇଛନ୍ତି ୬୨ ୱିକେଟ୍। ଏଥିରୁ ୩୧ଟି ୱିକେଟ୍ ନେଇଥିଲେ ସାଉଥ୍ ଆଫ୍ରିକା ବିପକ୍ଷ ଘରୋଇ ଟେଷ୍ଟ ସିରିଜରେ। ମହାନ୍ ସ୍ପିନର୍ ବିଶେନ୍ ସିଂ ବେଦୀଙ୍କ ପରେ ଅଶ୍ୱିନ ହେଉଛନ୍ତି ଦ୍ୱିତୀୟ ଭାରତୀୟ ବୋଲର୍ ଯିଏ ଆଇସିସି ଟେଷ୍ଟ ମାନ୍ୟତାର ନମ୍ୱର ୱାନ୍ ସ୍ଥାନରେ ରହି ବର୍ଷ ଶେଷ କରିଛନ୍ତି। ଟେଷ୍ଟ ବୋଲର୍ ମାନ୍ୟତାର ୧୫ତମ ସ୍ଥାନରୁ ବର୍ଷ ଆରମ୍ଭ କରିଥିବା ତାମିଲନାଡୁର ଏହି ଖେଳାଳି ବର୍ଷ ଶେଷ ବେଳକୁ ପହଞ୍ଚିଛନ୍ତି ଏକ ନମ୍ୱର ସ୍ଥାନରେ। ୧୯୭୩ ମସିହାରେ ବେଦୀଙ୍କୁ ମିଳିଥିଲା ଏହି ସଫଳତା।
କେବଳ ବୋଲିଂରେ ନୁହେଁ, ଆଇସିସି ଟେଷ୍ଟ ଅଲରାଉଣ୍ଡର ତାଲିକାରେ ମଧ୍ୟ ଟପରେ ରହିଛନ୍ତି ଅଶ୍ୱିନ। ଟେଷ୍ଟ ବ୍ୟାଟସମ୍ୟାନ ମାନ୍ୟତାର ଏକ ନମ୍ୱର ସ୍ଥାନରେ ରହିଛନ୍ତି ଅଷ୍ଟ୍ରେଲିଆ କ୍ୟାପଟେନ୍ ଷ୍ଟିଭେନ୍ ସ୍ମିଥ୍ । ଗତ ସପ୍ତାହରେ ଦୁଇ ଦୁଇଟି ଆଇସିସି କ୍ରିକେଟର୍ ପୁରସ୍କାର ହାତେଇଥିବା ସ୍ମିଥ୍ ବକ୍ସିଂ ଡେ ଟେଷ୍ଟ ବେଳକୁ ମାନ୍ୟତାର ଚତୁର୍ଥ ସ୍ଥାନରେ ଥିଲେ। ହେଲେ ଏହି ମ୍ୟାଚରେ ଦମଦାର ପ୍ରଦର୍ଶନ ପରେ ଏକ ନମ୍ୱର ସ୍ଥାନକୁ ହାସଲ କରିଛନ୍ତି ସ୍ମିଥ୍।