ଲଣ୍ଡନ: ଅଷ୍ଟ୍ରେଲିଆ ବିପକ୍ଷ ଦ୍ୱିତୀୟ ଆଶେସ୍ ଟେଷ୍ଟ ପୂର୍ବରୁ ଇଂଲଣ୍ଡକୁ ଶକ୍ତ ଝଟକା ଲାଗିଛି। ଇଂଲଣ୍ଡ୍ ଟିମର ଷ୍ଟାର୍ ପେସ୍ ବୋଲର ଜେମ୍ସ ଆଣ୍ଡରସନ୍ ଡାହାଣ ଗୋଡର ପେଣ୍ଡାରେ ଆଘାତ କାରଣରୁ ଦ୍ୱିତୀୟ ଆଶେସ୍ ଟେଷ୍ଟରୁ ବାଦ୍ ପଡ଼ିଛନ୍ତ।
ଇଂଲଣ୍ଡର ସବୁଠାରୁ ସଫଳ ବୋଲର ଆଣ୍ଡରସନ୍ ଏଜବାଷ୍ଟନରେ ଖେଳାଯାଇଥିବା ପ୍ରଥମ ଟେଷ୍ଟରେ ମାତ୍ର ଗୋଟିଏ ଓଭର ବୋଲିଂ କରିବା ପରେ ଆହତ ହୋଇଯାଇଥିଲେ। ଏହା ପରେ ସେ ପୁଣିଥରେ ବୋଲିଂ କରିବାକୁ ଆସିନଥିଲେ। ତାଙ୍କ ଅନୁପସ୍ଥିତିରେ ଇଂଲଣ୍ଡ ୨୫୧ ରନରେ ଟେଷ୍ଟ ମ୍ୟାଚ୍ ହାରିଯାଇଥିଲା।
ଆଣ୍ଡରସନ୍ ନିଜର ସ୍କାନ୍ କରାଇଛନ୍ତି, ଯେଉଁଥିରେ ଜଣାପଡ଼ିଲା ଯେ ତାଙ୍କୁ ଫିଟ୍ ହେବା ପରେ ଆଉ କିଛି ଦିନ ସମୟ ଲାଗିବ। ଏହି କାରଣରୁ ସେ ଦ୍ୱିତୀୟ ଟେଷ୍ଟରେ ଉପଲବ୍ଧ ହୋଇପାରିବେ ନାହିଁ।
ଏ ନେଇ ଟିମ୍ କ୍ୟାପଟେନ୍ ଜୋ ରୁଟ୍ କହିଛନ୍ତି, "ପ୍ରଥମ ଟେଷ୍ଟ ଆରମ୍ଭରୁ ଆଣ୍ଡରସନଙ୍କୁ ହରାଇବା ନିଶ୍ଚିତ ଭାବେ ଆମ ପାଇଁ କଷ୍ଟକର ଥିଲା। କିନ୍ତୁ କ୍ରିକେଟରେ ଏଭଳି ଘଟିଥାଏ। ଆମକୁ ଏପର୍ଯ୍ୟନ୍ତ ତାଙ୍କ ଆଘାତ ବିଷୟରେ ବିଶେଷ କିଛି ଜଣାପଡ଼ିନାହିଁ। ଆଶା କରୁଛି ଯେ ଶୀଘ୍ର ଫିଟ୍ ହୋଇ ଟିମକୁ ଫେରିବେ।" ଆଣ୍ଡରସନଙ୍କ ସ୍ଥାନରେ ଜୋଫ୍ରା ଆର୍ଚର୍ ଦ୍ୱିତୀୟ ଟେଷ୍ଟରେ ଡେବ୍ୟୁ କରିପାରନ୍ତି।