ଅଲିମ୍ପିକ୍ କ୍ୱାଲିଫାୟର୍: ଆମେରିକାକୁ ଦାବିଲେ ମହିଳା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କଳିଙ୍ଗ ଷ୍ଟାଡିୟମରେ ପ୍ରଥମଥର ପାଇଁ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳୁଥିବା ଭାରତୀୟ ମହିଳା ଟିମ୍ ଘରୋଇ ଦର୍ଶକଙ୍କ ସାମ୍ନାରେ ଚିତ୍ତାକର୍ଷକ ବିଜୟ ହାସଲ କରି ଅଲିମ୍ପିକ୍ସର ନିକଟତର ହୋଇଛି। ଶୁକ୍ରବାର ଏଠାରେ ଭାରତୀୟ ମହିଳା ଟିମ୍ ଏଫଆଇଏଚ୍ ଅଲିମ୍ପିକ୍ କ୍ୱାଲିଫାୟରର ପ୍ରଥମ ମ୍ୟାଚରେ ଆମେରିକାକୁ ୫-୧ ଗୋଲରେ ପରାସ୍ତ କରିଛି। ଭାରତ ବିଜୟରେ ଗୁରଜିତ୍ କୌର୍ ଦୁଇଟି (୪୨ତମ, ୫୧ତମ) ଗୋଲ୍ ସ୍କୋର କରିଥିବା ବେଳେ ଲିଲିମା ମିଞ୍ଜ୍ (୨୮ତମ), ଶର୍ମିଳା ଦେବୀ (୪୦ତମ) […]

women-team

Ranjit Kumar Jena
  • Published: Friday, 01 November 2019
  • , Updated: 01 November 2019, 09:35 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କଳିଙ୍ଗ ଷ୍ଟାଡିୟମରେ ପ୍ରଥମଥର ପାଇଁ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳୁଥିବା ଭାରତୀୟ ମହିଳା ଟିମ୍ ଘରୋଇ ଦର୍ଶକଙ୍କ ସାମ୍ନାରେ ଚିତ୍ତାକର୍ଷକ ବିଜୟ ହାସଲ କରି ଅଲିମ୍ପିକ୍ସର ନିକଟତର ହୋଇଛି। ଶୁକ୍ରବାର ଏଠାରେ ଭାରତୀୟ ମହିଳା ଟିମ୍ ଏଫଆଇଏଚ୍ ଅଲିମ୍ପିକ୍ କ୍ୱାଲିଫାୟରର ପ୍ରଥମ ମ୍ୟାଚରେ ଆମେରିକାକୁ ୫-୧ ଗୋଲରେ ପରାସ୍ତ କରିଛି। ଭାରତ ବିଜୟରେ ଗୁରଜିତ୍ କୌର୍ ଦୁଇଟି (୪୨ତମ, ୫୧ତମ) ଗୋଲ୍ ସ୍କୋର କରିଥିବା ବେଳେ ଲିଲିମା ମିଞ୍ଜ୍ (୨୮ତମ), ଶର୍ମିଳା ଦେବୀ (୪୦ତମ) ଓ ନଭନୀତ୍ କୌର୍ (୪୬ତମ) ଗୋଟିଏ ଲେଖାଏ ଗୋଲ୍ ଦେଇଥିଲେ। ଆମେରିକା ପକ୍ଷରୁ ଏରିନ୍ ମ୍ୟାଟସନ୍ (୫୪ତମ) ଏକମାତ୍ର ଗୋଲ୍ ଦେଇଥିଲେ।

୧୦ହଜାର ଦର୍ଶକଙ୍କ ଉପସ୍ଥିତିରେ ଭାରତୀୟ ମହିଳା ଟିମ୍ ପୂରା ଜୋଶରେ ମଇଦାନକୁ ଓହ୍ଲାଇଥିଲା। ମ୍ୟାଚର ପ୍ରଥମ କ୍ୱାର୍ଟରରେ ଅଧିକାଂଶ ସମୟରେ ବଲ୍ ଭାରତ ନିୟନ୍ତ୍ରଣରେ ରହିଥିଲା। କିନ୍ତୁ ଏହି କ୍ୱାର୍ଟରରେ ଉଭୟ ଦଳ ଗୋଲ୍ ଦେବାରେ ସଫଳ ହୋଇନଥିଲେ। ଦ୍ୱିତୀୟ କ୍ୱାର୍ଟର୍ ମଧ୍ୟ ଆରମ୍ଭର ସଂଘର୍ଷପୂର୍ଣ୍ଣ ହୋଇଥିଲା। ଏହି କ୍ୱାର୍ଟରର ୧୨ ମିନିଟ୍ ପର୍ଯ୍ୟନ୍ତ ଗୋଲଶୂନ୍ୟ ରହିଥିଲା। କିନ୍ତୁ ୨୮ତମ ମିନିଟରେ ଓଡ଼ିଆ ଖେଳାଳି ଲିଲିମା ମିଞ୍ଜ୍ ପେନାଲ୍ଟି କର୍ଣ୍ଣରକୁ ଗୋଲରେ ପରିଣତ କରି ଭାରତ ପାଇଁ ଖାତା ଖୋଲିଥିଲେ। ଏହି ଗୋଲ୍ ସହ ଭାରତ ପ୍ରଥମାର୍ଦ୍ଧ ସୁଦ୍ଧା ୧-୦ ଗୋଲରେ ଆଗୁଆ ରହିଥିଲା।

ତୃତୀୟ କ୍ୱାର୍ଟରରେ ଭାରତର ଦବଦବା ଦେଖିବାକୁ ମିଳିଥିଲା। ୩୭ତମ ମିନିଟରେ ଗୁରଜିତଙ୍କ ଦମଦାର ଫ୍ଲିକକୁ ଆମେରିକା ଗୋଲକିପର କେଲସୀ ବିଙ୍ଗ ରୋକିବାରେ ସଫଳ ହୋଇଥିଲେ। ୪୦ତମ ମିନିଟରେ କ୍ୟାପାଟେନ୍ ରାନୀ ରାମପଲଙ୍କଠାରୁ ପାସ୍ ପାଇ ଶର୍ମିଳା ଦେବୀ ଚମତ୍କାର ଫିଲ୍ଡ ଗୋଲ୍ ଦେଇ ସ୍କୋରକୁ ୨-୦ରେ ପହଞ୍ଚାଇଥିଲେ। ଏହା ଦୁଇ ମିନିଟ୍ ପରେ ଗୁରଜିତ୍ ପେନାଲ୍ଟି କର୍ଣ୍ଣରକୁ ଗୋଲରେ ପରିଣତ କରି ଭାରତକୁ ୩-୦ରେ ଆଗୁଆ କରାଇଥିଲେ। ୪୪ତମ ମିନିଟରେ ଗୁରଜିତଙ୍କ ଦ୍ୱାରା ମରାଯାଇଥିବା ପେନାଲ୍ଟି କର୍ଣ୍ଣର ଗୋଲକୁ ଅମ୍ପାୟାର ନାକଚ କରିଦେଇଥିଲେ।

ଚତୁର୍ଥ କ୍ୱାର୍ଟରର ପ୍ରଥମ ମିନିଟରେ ହିଁ ଭାରତକୁ ସଫଳତା ମିଳିଥିଲା। ଆମେରିକା ସର୍କଲ୍ ଭିତରେ ସାଲିମା ଟେଟେଙ୍କଠାରୁ ପାସ୍ ପାଇ ନଭଦୀପ କୌର୍ ଆକର୍ଷଣୀୟ ଗୋଲ୍ ଦେଇଥିଲେ ଏବଂ ସ୍କୋରକୁ ୪-୦ରେ ପହଞ୍ଚାଇଥିଲେ। ୫୧ତମ ମିନିଟରେ ଭାରତର ରେଫରାଲ୍ ନାକଚ୍ ହୋଇଥିଲା। କିନ୍ତୁ ତୁରନ୍ତ ଭାରତ କାଉଣ୍ଟର ଆଟାକ୍ କରିଥିଲା ଏବଂ ପେନାଲ୍ଟି ଷ୍ଟ୍ରୋକ୍ ହାସଲ କରିଥିଲା, ଯାହାକୁ ଗୁରଜିତ୍ କୌଣସି ଭୁଲ୍ ନକରି ଗୋଲରେ ପରିଣତ କରିଥିଲେ।

୫୪ତମ ମିନିଟରେ ଏରିନ୍ ଆମେରିକା ପାଇଁ ସାନ୍ତ୍ୱନାମୂଳକ ଗୋଲ୍ ଦେଇଥିଲେ, ସେତେବେଳକୁ ଯଥେଷ୍ଟ ବିଳମ୍ବ ହୋଇସାରିଥିଲା। ଫାଇନାଲ୍ ହୁଇସିଲର ଦୁଇ ମିନିଟ୍ ପୂର୍ବରୁ ଆମେରିକାକୁ ପେନାଲ୍ଟି କର୍ଣ୍ଣର ମିଳିଥିଲେ, ଏହାକୁ ସେମାନେ ଗୋଲରେ ପରିଣତ କରିପାରିନଥିଲେ। ଏଥିସହ ଭାରତ ମୁକାବିଲାକୁ ୫-୧ରେ ଜିତି ନେଇଥିଲା। ଚମତ୍କାର ପ୍ରଦର୍ଶନ ପାଇଁ ରାନୀ ରାମପଲଙ୍କୁ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ବିବେଚିତ କରାଯାଇଥିଲା।

Related story