ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଦିନକ ପରେ ବାଜିବ ହକି ବିଶ୍ୱ ଲିଗ ଫାଇନାଲ ବିଗୁଲ। ଶ୍ରେଷ୍ଠତ୍ୱ ପ୍ରମାଣ ଦେବାକୁ ମଇଦାନକୁ ଓହ୍ଲାଇବେ ବିଶ୍ୱର ଟପ୍ ୮ଟି ଟିମ୍। ଏଥିପାଇଁ କଳିଙ୍ଗ ଷ୍ଟାଡିୟମର ଆଷ୍ଟ୍ରୋଟର୍ଫରେ ଚାଲିଛି ଜୋରଦାର ପ୍ରାକ୍ଟିସ୍। ଶକ୍ତିଶାଳୀ ଅଷ୍ଟ୍ରେଲିଆ, ଇଂଲଣ୍ଡ ଓ ଜର୍ମାନୀ ସହ ଗ୍ରୁପ୍-ବିରେ ରହିଛି ଭାରତ। ଜଣେ ଆରକଠୁ ଟାଣୁଆ ହୋଇଥିବାରୁ ଆରମ୍ଭରୁ ହିଁ ଟିମ୍ ଇଣ୍ଡିଆକୁ ଦମ୍ ଲଗାଇବାକୁ ପଡିବ।
ଶ୍ରେଷ୍ଠତ୍ୱର ଲଢେଇ ପାଇଁ ମୁକାବିଲା ହେବ ଜବରଦସ୍ତ। ହକି ବିଶ୍ୱଲିଗ୍ ଫାଇନାଲ୍ ଗ୍ରୁପ୍-ବିରେ ଶକ୍ତିଶାଳୀ ଅଷ୍ଟ୍ରେଲିଆ, ଜର୍ମାନୀ ଓ ଇଂଲଣ୍ଡ ସହ ଲଢିବ ଭାରତ। ଅଭ୍ୟାସ ମ୍ୟାଚରେ ଆର୍ଜେଣ୍ଟିନାକୁ ହରାଇବା ପରେ ଇଂଲଣ୍ଡ ସହ ମ୍ୟାଚ୍ ଡ୍ର ରଖି ଦକ୍ଷତାର ଝଲକ ଦେଖାଇଛି ଟିମ୍ ଇଣ୍ଡିଆ। ତାସହିତ ସିନିୟର ଓ ଜୁନିୟର ଖେଳାଳିଙ୍କ ମଧ୍ୟରେ କମ୍ବିନେସନ ରାଇଟ୍ ଟ୍ରାକରେ ଥିବା ଆଭାସ୍ ବି ମିଳିଛି। ହୋମ୍ ଟର୍ଫ, ହୋମ କ୍ରାଉଡ୍ ସାଙ୍ଗକୁ ଘରୋଇ ପାଣିପାଗ ଟିମ୍ ଇଣ୍ଡିଆ ସପକ୍ଷରେ ଯିବ। ତାସିହତ ଡିଫେନ୍ସରେ ତିନି ଓଡ଼ିଆ ଖେଳାଳି ବୀରେନ୍ଦ୍ର ଲାକ୍ରା, ଅମିତ୍ ରୋହିଦାସ ଓ ଦିପ୍ସାନ ତିର୍କିଙ୍କ ଉପସ୍ଥତି ଦଳ ପାଇଁ ଅଧିକ ଉପଯୋଗୀ ହେବ। ସେପଟେ ବୀରେନ୍ଦ୍ର ଲାକ୍ରା ଓ ରୁପିନ୍ଦର ପାଲ୍ ସିଂଙ୍କ ଟପ୍ ଫର୍ମ ଟିମର ମନୋବଳକୁ ଆହୁରି ଦୃଢ କରିଛି। ମିଡ୍ ଫିଲଡରେ କପ୍ତାନ ମନପ୍ରିତ ସିଂଙ୍କ ଓ ଏସ.କେ ଉଥାପାଙ୍କ ତାଳମେଳ ଜମିବ। ଫରଓ୍ୱାର୍ଡ ଲାଇନରେ ଦୁଇ ସର୍ଦାର ଆକାଶଦ୍ୱୀପ ଓ ମନଦ୍ୱୀପଙ୍କ ଏବଂ ଅଭିଜ୍ଞ ଏସ.ଭି ସୁନୀଲ ଯେ କୌଣସି ଶକ୍ତିଶାଳୀ ଡିଫେନ୍ସକୁ ଭେଦ କରିବାରେ ସମର୍ଥ ହେବେ। ନୂଆ କୋଚଙ୍କ ଆଟାକ୍ ଫାଷ୍ଟ ରଣନୀତି ବି ଟିମ୍ ଇଣ୍ଡିଆ ଅଭିଯାନକୁ ଶାଣିତ କରିବା ଆଶା କରାଯାଉଛି।
ସେପଟେ ଇଂଲଣ୍ଡ, ଜର୍ମାନୀ ଓ ଅଷ୍ଟ୍ରେଲିଆ ଭୁବନେଶ୍ୱରର ୱେଦର କଣ୍ଡିସନ ସହ ନିଜକୁ ଫିଟ୍ କରିବାକୁ ଲାଗି ପଡିଛନ୍ତି। ଜର୍ମାନୀ ୨୦୧୪ରେ କଳିଙ୍ଗ ଷ୍ଟାଡ଼ିୟମରେ ଖେଳାଯାଇଥିବା ଚାମ୍ପିୟନସ ଟ୍ରଫି ଟାଇଟଲ ଜିତିଥିଲା। ଫାଷ୍ଟ ଆଣ୍ଡ ଆଟାକିଂ ହକି ଖେଳିବାରେ ମାହିର ଜର୍ମାନୀ ବିଶ୍ୱଲିଗ୍ ଫାଇନାଲରେ ବି ସମାନ ରେଜଲ୍ଟ ଦୋହରାଇବା ଚକ୍କରରେ ଅଛି। ସେପଟେ ଟିମ୍ ଇଂଲଣ୍ଡ ମଧ୍ୟ ଆରମ୍ଭରୁ ଭଲ ପ୍ରଦର୍ଶନ କରିବା ନେଇ ଆଶା ବାନ୍ଧିଛି ହେଲେ ଦଳର ଇତିହାସ ଭାରି ଦୁର୍ବଳ। ବିଶ୍ୱ ରାଙ୍କିରେ ସପ୍ତମ ସ୍ଥାନରେ ରହିଛି ଇଂଲଣ୍ଡ। ଆଦାମ ଡିକ୍ସନ ଏବଂ କ୍ୟାପଟେନ୍ ବେରି ମିଡଲଟନଙ୍କ ପ୍ରଦର୍ଶନ ଉପରେ ଟିମର ଭାଗ୍ୟ ନିର୍ଭର କରିବ।
ହକି ବିଶ୍ୱଲିଗ ଫାଇନାଲରେ ଡିଫେଣ୍ଡିଙ୍ଗ ଚାମ୍ପିୟନ ହେଉଛି ଅଷ୍ଟ୍ରେଲିଆ। ବିଶ୍ୱ ରାଙ୍କିଙ୍ଗରେ ବି ଦ୍ୱିତୀୟ ସ୍ଥାନରେ ଶକ୍ତିଶାଶୀ କଙ୍ଗାରୁ ଟିମ୍। ଟାଇଟଲ୍ ବଜାୟ ରଖିବା ଲାଗି ଟିମ୍ ଅଷ୍ଟ୍ରେଲିଆ ପୁରା ଦମ୍ ଲଗାଇବ।