ଜୁନିୟର ବିଶ୍ୱକପ୍‌: ଆର୍ଜେଣ୍ଟିନାକୁ ହରାଇଲା ଜର୍ମାନୀ

ଭୁବନେଶ୍ୱର (ନିରଞ୍ଜନ ରେଡ୍ଡୀ): କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ଏଫଆଇଏଚ ଓଡ଼ିଶା ହକି ପୁରୁଷ ଜୁନିୟର ବିଶ୍ୱକପ୍‌ରେ ଆଜି ତୃତୀୟ ଦିନରେ ଚତୁର୍ଥ ମ୍ୟାଚ୍‌ରେ ଦୁଇ ଶକ୍ତିଶାଳୀ ଦଳ ଆର୍ଜେଣ୍ଟିନା ଓ ଜର୍ମାନୀ ମଧ୍ୟରେ କଡ଼ା ଟକ୍କର ହୋଇଥିଲା। ଏଥିରେ ୩-୨ ଗୋଲରେ ଆର୍ଜେଣ୍ଟିନାକୁ ପରାସ୍ତ କରିଛି ଜର୍ମାନୀ। ଉଭୟ ଆର୍ଜେଣ୍ଟିନା ଓ ଜର୍ମାନୀର ଏହା ଥିଲା ଦ୍ୱିତୀୟ ମ୍ୟାଚ୍‌। ଆରମ୍ଭରୁ ହିଁ ଦୁଇ ଦଳ ଆକ୍ରମଣାତ୍ମକ ଢଙ୍ଗରେ ଖେଳିଥିଲେ। ଉଭୟ ଦଳ ଘନ ଘନ ଆକ୍ରମଣ କରିଥିଲେ। […]

Hockey

Jitendra Garnayak
  • Published: Friday, 26 November 2021
  • , Updated: 26 November 2021, 07:39 PM IST

ଭୁବନେଶ୍ୱର (ନିରଞ୍ଜନ ରେଡ୍ଡୀ): କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ଏଫଆଇଏଚ ଓଡ଼ିଶା ହକି ପୁରୁଷ ଜୁନିୟର ବିଶ୍ୱକପ୍‌ରେ ଆଜି ତୃତୀୟ ଦିନରେ ଚତୁର୍ଥ ମ୍ୟାଚ୍‌ରେ ଦୁଇ ଶକ୍ତିଶାଳୀ ଦଳ ଆର୍ଜେଣ୍ଟିନା ଓ ଜର୍ମାନୀ ମଧ୍ୟରେ କଡ଼ା ଟକ୍କର ହୋଇଥିଲା। ଏଥିରେ ୩-୨ ଗୋଲରେ ଆର୍ଜେଣ୍ଟିନାକୁ ପରାସ୍ତ କରିଛି ଜର୍ମାନୀ।

ଉଭୟ ଆର୍ଜେଣ୍ଟିନା ଓ ଜର୍ମାନୀର ଏହା ଥିଲା ଦ୍ୱିତୀୟ ମ୍ୟାଚ୍‌। ଆରମ୍ଭରୁ ହିଁ ଦୁଇ ଦଳ ଆକ୍ରମଣାତ୍ମକ ଢଙ୍ଗରେ ଖେଳିଥିଲେ। ଉଭୟ ଦଳ ଘନ ଘନ ଆକ୍ରମଣ କରିଥିଲେ। ମ୍ୟାଚ୍‌ର ୧୧ତମ ମିନିଟ୍‌ରେ ଜର୍ମାନୀ ପ୍ରଥମେ ଗୋଲ ଦେଇଥିଲା। ଦଳ ପକ୍ଷରୁ ପୋଲଜାରିକ ମାଟେଓ ଆର୍ଜେଣ୍ଟିନା ଡିଫେନଣ୍ଡରଙ୍କୁ ଚକମା ଦେଇ ଗୋଲଟି କରିଥିଲେ। ଏହା ସହିତ ପ୍ରଥମ କ୍ୱାର୍ଟର ଶେଷ ସୁଦ୍ଧା ଜର୍ମାନୀ ୧-୦ ଗୋଲ୍‌ରେ ଆଗୁଆ ରହିଥିଲା।

ଦ୍ୱିତୀୟ କ୍ୱାର୍ଟରରେ ଦୁଇ ଦଳ ମଧ୍ୟରେ ଜୋରଦାର ଟକ୍କର ହୋଇଥିଲା। ଆର୍ଜେଣ୍ଟିନାକୁ ଅନେକ ପେନାଲ୍‌ଟି କର୍ଣ୍ଣର ମିଳିଥିଲା। ତେବେ ଦଳ ସେଗୁଡ଼ିକୁ ଗୋଲରେ ପରିଣତ କରିବାରେ ସକ୍ଷମ ହୋଇ ନଥିଲା। ଫଳରେ ହାପ୍‌ ଟାଇମ୍‌ ଶେଷ ସୁଦ୍ଧା ଜର୍ମାନୀ ୧-୦ଗୋଲ୍‌ରେ ଆଗୁଆ ରହିଥିଲା।

ତୃତୀୟ ଓ ଚତୁର୍ଥ କ୍ୱାର୍ଟରରେ ବି କଡ଼ା ଟକ୍କର ହୋଇଥିଲା। ୩୨ତମ ମିନିଟ୍‌ରେ ଆଉ ଏକ ଗୋଲ୍‌ ଦେଇଥିଲା ଜର୍ମାନୀ। ପେନାଲ୍‌ଟି କର୍ଣ୍ଣରୁ ହୋଇଥିଲା ଏହି ଗୋଲ୍‌। ଡ୍ରାଗଫ୍ଲିକର ତଥା କ୍ୟାପେଟେନ ସ୍ୱର୍ଝାପଟ ବେନେଡିକିଟ ଏହି ଗୋଲ୍‌ଟି ଦେଇଥିଲେ। ମ୍ୟାଚ୍‌ର ୩୮ତମ ମିନିଟ୍‌ରେ ଆର୍ଜେଣ୍ଟିନା ଏକ ଗୋଲ୍ ଦେଇ ଖାତା ଖୋଲିଥିଲା। ଏହି ଗୋଲ୍‌ଟି ଦେଇଥିଲେ ଷ୍ଟେଲାଟୋ ବୃନୋ। ଏହା ପରେ ୪୪ତମ ମିନିଟ୍‌ରେ ଜର୍ମାନୀର ମୁଲ୍ଲେର ହାନେସ ଆଉ ଏକ ପେନାଲ୍‌ଟି କର୍ଣ୍ଣରକୁ ଗୋଲ୍‌ରେ ପରିଣତ କରିଥିଲେ। ତୃତୀୟ କ୍ୱାର୍ଟର ଶେଷ ସୁଦ୍ଧା ୩-୧ ଗୋଲ୍‌ରେ ଆଗୁଆ ରହିଥିଲା ଜର୍ମାନୀ।

ଚତୁର୍ଥ ତଥା ଶେଷ କ୍ୱାର୍ଟରରେ ଆର୍ଜେଣ୍ଟିନା ଆଉ ଏକ ଗୋଲ୍ ଦେଇଥିଲା। ମ୍ୟାଚ୍‌ର ୫୪ତମ ମିନିଟ୍‌ରେ ଆର୍ଜେଣ୍ଟିନା ପାଇଁ ଏହି ଗୋଲ୍ କରିଥିଲେ ଅଗସ୍ତିନ ଫ୍ରାଙ୍କ। ଶେଷ ପର୍ଯ୍ୟନ୍ତ ଆର୍ଜେଣ୍ଟିନା ଲଢ଼େଇ କରିଥିଲେ ବି ପରାସ୍ତ ହୋଇଥିଲା।

ଜର୍ମାନୀ ତା’ର ଶେଷ ଲିଗ୍ ମ୍ୟାଚ୍ ୨୮ ତାରିଖରେ ଇଜିପ୍ଟ ବିପକ୍ଷରେ ଖେଳିବ। ଆର୍ଜେଣ୍ଟିନା ୨୮ରେ ତା’ର ଶେଷ ଲିଗ୍ ମ୍ୟାଚ୍‌ ପାକିସ୍ତାନ ବିପକ୍ଷରେ ଖେଳିବ।

ସୂଚନାଯୋଗ୍ୟ, ଜର୍ମାନୀ ତାର ପ୍ରଥମ ଲିଗ୍‌ ମ୍ୟାଚରେ ପାକିସ୍ତାନକୁ ୫-୨ଗୋଲ୍‌ରେ ହରାଇଥିଲା। ଆର୍ଜେଣ୍ଟିନା ତା’ର ପ୍ରଥମ ଲିଗ୍‌ ମ୍ୟାଚ୍‌ରେ ଇଜିପ୍ଟକୁ ୧୪-୦ ଗୋଲ୍‌ରେ ହରାଇଥିଲା।

Related story