ଆଇସିସି ଟେଷ୍ଟ ରାଙ୍କିଙ୍ଗ୍: ଦ୍ୱିତୀୟକୁ ଉଠିଲେ ସ୍ମିଥ୍, ବିପଦରେ କୋହଲିଙ୍କ ଶୀର୍ଷ ସ୍ଥାନ

ଦୁବାଇ: ଅଷ୍ଟ୍ରେଲିଆର ଷ୍ଟାର୍ ବ୍ୟାଟ୍ସମ୍ୟାନ୍ ଷ୍ଟିଭେନ୍ ସ୍ମିଥ୍ ଆଇସିସି ପକ୍ଷରୁ ସୋମବାର ଜାରି ହୋଇଥିବା ଟେଷ୍ଟ ବ୍ୟାଟ୍ସମ୍ୟାନ୍ ରାଙ୍କିଙ୍ଗରେ ଦ୍ୱିତୀୟ ସ୍ଥାନକୁ ଉଠିଛନ୍ତି। ଏହି ମାମଲାରେ ସେ ନ୍ୟୁଜିଲ୍ୟାଣ୍ଡ୍ କ୍ୟାପଟେନ୍ କେନ୍ ୱିଲିୟମସନଙ୍କୁ ପଛରେ ପକାଇ ଏହି ସ୍ଥାନ ଅଧିକାର କରିଛନ୍ତି। ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ୍ କୋହଲି ପୂର୍ବପରି ଶୀର୍ଷ ସ୍ଥାନ ବଜାୟ ରଖିଛନ୍ତି। କିନ୍ତୁ ଟେଷ୍ଟ ରାଙ୍କିଙ୍ଗରେ ବିରାଟଙ୍କ ଏକ ନମ୍ବର ସ୍ଥାନ ଏବେ ବିପଦରେ ପଡ଼ିଯାଇଛି। କାରଣ ସ୍ମିଥ୍ ଏବେ କୋହଲିଙ୍କଠାରୁ ମାତ୍ର […]

smith-and-virat

Ranjit Kumar Jena
  • Published: Monday, 19 August 2019
  • , Updated: 19 August 2019, 04:27 PM IST

ଦୁବାଇ: ଅଷ୍ଟ୍ରେଲିଆର ଷ୍ଟାର୍ ବ୍ୟାଟ୍ସମ୍ୟାନ୍ ଷ୍ଟିଭେନ୍ ସ୍ମିଥ୍ ଆଇସିସି ପକ୍ଷରୁ ସୋମବାର ଜାରି ହୋଇଥିବା ଟେଷ୍ଟ ବ୍ୟାଟ୍ସମ୍ୟାନ୍ ରାଙ୍କିଙ୍ଗରେ ଦ୍ୱିତୀୟ ସ୍ଥାନକୁ ଉଠିଛନ୍ତି। ଏହି ମାମଲାରେ ସେ ନ୍ୟୁଜିଲ୍ୟାଣ୍ଡ୍ କ୍ୟାପଟେନ୍ କେନ୍ ୱିଲିୟମସନଙ୍କୁ ପଛରେ ପକାଇ ଏହି ସ୍ଥାନ ଅଧିକାର କରିଛନ୍ତି।

ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ୍ କୋହଲି ପୂର୍ବପରି ଶୀର୍ଷ ସ୍ଥାନ ବଜାୟ ରଖିଛନ୍ତି। କିନ୍ତୁ ଟେଷ୍ଟ ରାଙ୍କିଙ୍ଗରେ ବିରାଟଙ୍କ ଏକ ନମ୍ବର ସ୍ଥାନ ଏବେ ବିପଦରେ ପଡ଼ିଯାଇଛି। କାରଣ ସ୍ମିଥ୍ ଏବେ କୋହଲିଙ୍କଠାରୁ ମାତ୍ର ୯ ପଏଣ୍ଟ ଦୂରରେ ଅଛନ୍ତି। ବିରାଟଙ୍କର ବର୍ତ୍ତମାନ ୯୨୨ ପଏଣ୍ଟ ରହିଛି। ବର୍ମିହାମର ଦୁଇଟି ଯାକ ଇନିଂସରେ ଶତକ ମାରିବା ପରେ ଲର୍ଡ୍ସରେ ୯୨ ରନର ଇନିଂସ୍ ଖେଳିଥିବା ସ୍ମିଥଙ୍କର ୯୧୩ ପଏଣ୍ଟ ହୋଇଛି।

ଟପ୍-୧୦ରେ ଥିବା ଅନ୍ୟ ଭାରତୀୟଙ୍କ ମଧ୍ୟରେ ଚେତେଶ୍ୱର ପୂଜାରା ଚତୁର୍ଥ ସ୍ଥାନରେ ସୁରକ୍ଷିତ ଅଛନ୍ତି। ନ୍ୟୁଜିଲ୍ୟାଣ୍ଡ୍ ବିପକ୍ଷ ପ୍ରଥମ ଟେଷ୍ଟରେ ଶତକ ମାରିଥିବା ଶ୍ରୀଲଙ୍କା କ୍ୟାପଟେନ୍ ଦିମୁତ କରୁଣାରତ୍ନେ ଚାରୋଟି ସ୍ଥାନ ଉପରକୁ ଉଠି ଅଷ୍ଟମରେ ପହଞ୍ଚିଛନ୍ତି। ଦକ୍ଷିଣ ଆଫ୍ରିକାର ଆଇଡେନ୍ ମର୍କରାମ ମଧ୍ୟ ନିଜ ରାଙ୍କିଙ୍ଗରେ ସୁଧାର ଆଣିଛନ୍ତି ଏବଂ ସେ ଷଷ୍ଠ ସ୍ଥାନରେ ପହଞ୍ଚିଛନ୍ତି। ଅନ୍ୟପକ୍ଷରେ ଇଂଲଣ୍ଡ କ୍ୟାପଟେନ୍ ଜୋ ରୁଟଙ୍କ ଖରାପ ଫର୍ମର ପ୍ରଭାବ ରାଙ୍କିଙ୍ଗ ଉପରେ ପଡ଼ିଛି। ରୁଟ୍ ଏବେ ନବମ ସ୍ଥାନକୁ ଖସି ଆସିଛନ୍ତି।

ବୋଲିଂ ତାଲିକାରେ ଅଷ୍ଟ୍ରେଲୀୟ ପେସ୍ ବୋଲର ପ୍ୟାଟ୍ କମିନ୍ସ ଶୀର୍ଷ ସ୍ଥାନ ବଜାୟ ରଖିଛନ୍ତି। ସେହିପରି ଭାରତୀୟ ସ୍ପିନର୍ ରବୀନ୍ଦ୍ର ଜାଡେଜା ଗୋଟିଏ ସ୍ଥାନ ଉପରକୁ ଉଠି ପଞ୍ଚମରେ ପହଞ୍ଚିଛନ୍ତି। ତାଙ୍କ ସାଥୀ ସ୍ପିନର୍ ରବିଚନ୍ଦ୍ରନ୍ ଅଶ୍ୱିନ୍ ଦଶମ ସ୍ଥାନରେ ରହିଛନ୍ତି। ଅଷ୍ଟ୍ରେଲିଆ ବିପକ୍ଷ ଲର୍ଡ୍ସ ଟେଷ୍ଟରେ ଡେବ୍ୟୁ କରିଥିବା ଇଂଲଣ୍ଡ ପେସର୍ ଜୋଫ୍ରା ୮୩ତମ ସ୍ଥାନକୁ ଉଠିଛନ୍ତି। ସେ ଏହି ଟେଷ୍ଟରେ ୯୧ ରନ୍ ଦେଇ ୫ଟି ୱିକେଟ୍ ନେଇଥିଲେ। ଜାଡେଜା ଅଲରାଉଣ୍ଡର ତାଲିକାରେ ତୃତୀୟ ସ୍ଥାନରେ ରହିଛନ୍ତି। ଏହି ତାଲିକାରେ ୱେଷ୍ଟଇଣ୍ଡିଜ୍ କ୍ୟାପଟେନ୍ ଜେସନ୍ ହୋଲ୍ଡର ଶୀର୍ଷରେ ରହିଥିବା ବେଳେ ବାଂଲାଦେଶର ସାକିବ୍ ଅଲ୍ ହାସନ୍ ଦ୍ୱିତୀୟ ସ୍ଥାନରେ ରହିଛନ୍ତି।

ଆସନ୍ତା ୨୨ ତାରିଖରୁ ଭାରତ ୱେଷ୍ଟଇଣ୍ଡିଜ୍ ବିପକ୍ଷ ମ୍ୟାଚ୍ ଖେଳି ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍ ଆରମ୍ଭ କରିବ। ଭାରତ ଯଦି ୱେଷ୍ଟଇଣ୍ଡିଜ୍ ନିକଟରୁ ୦-୧ରେ ସିରିଜ୍ ହାରିଯାଏ, ତଥାପି ବିରାଟଙ୍କ ଟିମ୍ ଟେଷ୍ଟ ରାଙ୍କିଙ୍ଗର ଶୀର୍ଷ ସ୍ଥାନରେ ରହିବ। ଏହି ପରାଜୟ ଦ୍ୱାରା ଭାରତର ପଏଣ୍ଟ ସଂଖ୍ୟା ୧୦୮ ହୋଇଯିବ। ଏହି ଫଳାଫଳ ଦ୍ୱାରା ୱେଷ୍ଟଇଣ୍ଡିଜ୍ ୮୮ ପଏଣ୍ଟ ସହ ପାକିସ୍ତାନ ଉପରକୁ ସପ୍ତମ ସ୍ଥାନରେ ପହଞ୍ଚିଯିବ। ଭାରତ ଏବେ ୧୧୩ ପଏଣ୍ଟ ସହ ଶୀର୍ଷରେ ରହିଛି । ଏହା ପରେ ନ୍ୟୁଜିଲ୍ୟାଣ୍ଡ୍ (୧୧୧ ପଏଣ୍ଟ) ଏବଂ ଦକ୍ଷିଣ ଆଫ୍ରିକା (୧୦୮ ପଏଣ୍ଟ) ଯଥାକ୍ରମେ ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ଅଛନ୍ତି।

Related story