ପ୍ରଥମ ପାଳିରେ ଟିମ୍ ଇଣ୍ଡିଆ ୪୧୬ ରନ୍‌ରେ ଅଲଆଉଟ୍

ବର୍ମିଂହାମ: ପ୍ରଥମ ପାଳିରେ ଭାରତ ୪୧୬ ରନ୍ କରି ଅଲ୍‌ଆଉଟ ହୋଇଛି। ଋଷଭ ପନ୍ତଙ୍କ ୧୪୬ ଓ ରବୀନ୍ଦ୍ର ଜାଡେଜାଙ୍କ ୧୦୪ ରନ୍‌ ବଳରେ ଟିମ୍ ଇଣ୍ଡିଆ ଏହି ବିରାଟ ସ୍କୋର ଇଂଲଣ୍ଡ ଆଗରେ ଠିଆ କରିପାରିଛି। ବର୍ମିଂହାମର ଏଜବାଷ୍ଟନରେ ଖେଳାଯାଉଥିବା ଏହି ଟେଷ୍ଟ ମ୍ୟାଚ୍‌ର ଦ୍ୱିତୀୟ ଦିନ ମଧ୍ୟ ଭାରତୀୟ ବ୍ୟାଟ୍ସ ମ୍ୟାନ୍‌ଙ୍କ ନିମନ୍ତେ ଖୁବ୍ ଭଲ ରହିଥିଲା। ଯେତେବେଳେ କି ଇଂଲଣ୍ଡର ବୋଲରମାନେ ଉପାୟ ଶୂନ୍ୟ ନଜର ଆସିଥିଲେ। ପ୍ରଥମ ଦିନର ଖେଳ ଶେଷ […]

team-india

  • Published: Saturday, 02 July 2022
  • , Updated: 02 July 2022, 10:47 PM IST

ବର୍ମିଂହାମ: ପ୍ରଥମ ପାଳିରେ ଭାରତ ୪୧୬ ରନ୍ କରି ଅଲ୍‌ଆଉଟ ହୋଇଛି। ଋଷଭ ପନ୍ତଙ୍କ ୧୪୬ ଓ ରବୀନ୍ଦ୍ର ଜାଡେଜାଙ୍କ ୧୦୪ ରନ୍‌ ବଳରେ ଟିମ୍ ଇଣ୍ଡିଆ ଏହି ବିରାଟ ସ୍କୋର ଇଂଲଣ୍ଡ ଆଗରେ ଠିଆ କରିପାରିଛି। ବର୍ମିଂହାମର ଏଜବାଷ୍ଟନରେ ଖେଳାଯାଉଥିବା ଏହି ଟେଷ୍ଟ ମ୍ୟାଚ୍‌ର ଦ୍ୱିତୀୟ ଦିନ ମଧ୍ୟ ଭାରତୀୟ ବ୍ୟାଟ୍ସ ମ୍ୟାନ୍‌ଙ୍କ ନିମନ୍ତେ ଖୁବ୍ ଭଲ ରହିଥିଲା। ଯେତେବେଳେ କି ଇଂଲଣ୍ଡର ବୋଲରମାନେ ଉପାୟ ଶୂନ୍ୟ ନଜର ଆସିଥିଲେ।

ପ୍ରଥମ ଦିନର ଖେଳ ଶେଷ ସୁଦ୍ଧା ଟିମ୍ ଇଣ୍ଡିଆ ୭ ୱିକେଟ ହରାଇ ୩୩୮ ରନ କରିଥିଲା। ଏହି ଠାରୁ ଆଜି ଖେଳର ଦ୍ୱିତୀୟ ଦିନ ଆରମ୍ଭ କରିଥିଲା ଟିମ୍‌ ଇଣ୍ଡିଆ। ଜାଡେଜା ଓ ଶାମି ପଡ଼ିଆକୁ ଓହ୍ଲାଇ ଥିଲେ। ୮୩ ରନ୍‌ରେ ଅପରାଜିତ ଥିବା ଜାଡେଜା ଧର୍ଯ୍ୟପୂର୍ଣ୍ଣ ଖେଳ ଦେଖାଇ ଆଜି ଶତକ ହାସଲ କରିଥିଲେ। ସେ ୧୦୪ ରନ୍ କରି ଆଣ୍ଡରସନଙ୍କ ବଲ୍‌ରେ ଆଉଟ ହୋଇଥିଲେ। ଯାହା ଭିତରେ ତାଙ୍କର ୧୩ଟି ଚୌକା ରହିଥିଲା। ସେହିପରି ସାମି ୧୬ ରନ୍ କରି ବ୍ରୋଡ୍‌ଙ୍କ ଶିକାର ହୋଇଥିଲେ।

କ୍ୟାପଟେନ ଯଶପ୍ରୀତ ବୁମ୍ରା ଧୂଆଁଧାର ବ୍ୟାଟିଂର ପ୍ରଦର୍ଶନ କରି ୧୬ ବଲ୍‌ରେ ଅପରାଜିତ ୩୧ ରନ୍ କରିଥିଲେ। ଯେଉଁଥିରେ ୪ଟି ଚୌକା ଓ ୨ଟି ଛକା ଥିଲା। ତେବେ ଶେଷରେ ଆସିଥିବା ମହମ୍ମଦ ସିରାଜ ମାତ୍ର ୨ ରନ୍ କରି ଆଣ୍ଡରସନଙ୍କ ବଲ୍‌ରେ ଆଉଟ ହେବାରୁ ଟିମ୍ ଇଣ୍ଡିଆ ସମସ୍ତ ଓ୍ୱିକେଟ ହରାଇ ମାତ୍ର ୪୧୬ ରନ୍ କରିପାରିଥିଲା। ଏହା ଭିତରେ ୪୦ ଅତିରିକ୍ତ ରନ୍ ରହିଥିଲା। ଟସ୍ ହାରି ପ୍ରଥମେ ବ୍ୟାଟିଂ କରୁଥିବା ଟିମ୍ ଇଣ୍ଡିଆ ପାଇଁ ଋଷଭ ପନ୍ତ ଓ ରବୀନ୍ଦ୍ର ଜାଡେଜାଙ୍କ ଗୁରୁତ୍ୱପୂର୍ଣ୍ଣ ଶତକୀୟ ସ୍କୋର ମୁସକିଲରେ ପଡ଼ିଥିବା ଦଳକୁ ବଳ ଦେଇଥିଲା।

ଟିମ୍ ଇଣ୍ଡିଆ ପକ୍ଷରୁ ଶୁବମନ ଗିଲ ୧୭ ରନ୍‌, ଚେତେଶ୍ୱର ପୂଜାରା ୧୩ ରନ୍, ହନୁମା ବିହାରୀ ୨୦, ବିରାଟ କୋହଲି ୧୧, ଋଷଭ ପନ୍ତ ୧୪୬, ଶ୍ରେୟସ ଆୟର ୧୫, ରବୀନ୍ଦ୍ର ଜାଡେଜା ୧୦୪, ଶର୍ଦୁଲ ଠାକୁର ୧, ମହମ୍ମଦ ସାମୀ ୧୬, ଯଶପ୍ରୀତ ବୁମ୍ରା ୩୧, ମହମଦ ସିରାଜ ୨ ରନ କରିଛନ୍ତି।

ତେଣେ ପ୍ରଥମ ପାଳି ଆରମ୍ଭ କରିଥିବା ଇଂଲଣ୍ଡ ତାର ପ୍ରାରମ୍ଭିକ ଓ୍ୱିକେଟ ଶୀଘ୍ର ହରାଇଛି। ଲଞ୍ଚ ପୂର୍ବରୁ ଇଂଲଣ୍ଡ ଗୋଟିଏ ଓ୍ୱିକେଟ ହରାଇ ୧୬ ରନ କରିଛି। ଆଲେକ୍ସ ଲିସ୍ ୬ ରନ୍‌ କରି ବୁମ୍ରାଙ୍କ ପ୍ରଥମ ଶିକାର ହୋଇଛନ୍ତି।

Related story