ଟି-୨୦ ସିରିଜ୍ କ୍ଲିନସୁଇପ୍ ଲକ୍ଷ୍ୟରେ ଟିମ୍ ଇଣ୍ଡିଆ

ସିଡନୀ: ସିରିଜ୍ ଜିତିବା ପରେ ଦୃଢ଼ ଆତ୍ମବିଶ୍ୱାସ ଲାଭ କରିଥିବା ଟିମ୍ ଇଣ୍ଡିଆ ମଙ୍ଗଳବାର ଅଷ୍ଟ୍ରେଲିଆ ବିପକ୍ଷ ତୃତୀୟ ତଥା ଅନ୍ତିମ ଟି-୨୦ ମ୍ୟାଚ୍ ଖେଳିବାକୁ ଓହ୍ଲାଇବ। ପ୍ରଥମ ଦୁଇଟି ଦିନିକିଆ ହାରିବା ପରେ ଭାରତ କ୍ୟାନବେରାରେ ତୃତୀୟ ମ୍ୟାଚ୍ ଜିତି ଲୟ ହାସଲ କରିଥିଲା। ରବୀନ୍ଦ୍ର ଜାଡେଜାଙ୍କ ଭଳି ଷ୍ଟାର୍ ଅଲରାଉଣ୍ଡରଙ୍କ ଅନୁପସ୍ଥିତିରେ ଭାରତ ରବିବାର ୨ୟ ଟି-୨୦ ମ୍ୟାଚ୍ ୬ ୱିକେଟରେ ସିରିଜ୍ କବଜା କରିଛି। ଦିନିକିଆ ସିରିଜ୍ ଭଳି ଟି-୨୦ରେ ମଧ୍ୟ ଦମ୍ […]

Untitled-1

Ranjit Kumar Jena
  • Published: Monday, 07 December 2020
  • , Updated: 07 December 2020, 07:35 PM IST

ସିଡନୀ: ସିରିଜ୍ ଜିତିବା ପରେ ଦୃଢ଼ ଆତ୍ମବିଶ୍ୱାସ ଲାଭ କରିଥିବା ଟିମ୍ ଇଣ୍ଡିଆ ମଙ୍ଗଳବାର ଅଷ୍ଟ୍ରେଲିଆ ବିପକ୍ଷ ତୃତୀୟ ତଥା ଅନ୍ତିମ ଟି-୨୦ ମ୍ୟାଚ୍ ଖେଳିବାକୁ ଓହ୍ଲାଇବ। ପ୍ରଥମ ଦୁଇଟି ଦିନିକିଆ ହାରିବା ପରେ ଭାରତ କ୍ୟାନବେରାରେ ତୃତୀୟ ମ୍ୟାଚ୍ ଜିତି ଲୟ ହାସଲ କରିଥିଲା। ରବୀନ୍ଦ୍ର ଜାଡେଜାଙ୍କ ଭଳି ଷ୍ଟାର୍ ଅଲରାଉଣ୍ଡରଙ୍କ ଅନୁପସ୍ଥିତିରେ ଭାରତ ରବିବାର ୨ୟ ଟି-୨୦ ମ୍ୟାଚ୍ ୬ ୱିକେଟରେ ସିରିଜ୍ କବଜା କରିଛି। ଦିନିକିଆ ସିରିଜ୍ ଭଳି ଟି-୨୦ରେ ମଧ୍ୟ ଦମ୍ ଦେଖାଇଛନ୍ତି ହାର୍ଦ୍ଦିକ ପାଣ୍ଡ୍ୟା। ଯଶପ୍ରୀତ ବୁମ୍ରା ଓ ମହମ୍ମଦ ଶାମିଙ୍କ ବିନା ଭାରତ ଯେଉଁଭଳି ପ୍ରଦର୍ଶନ କରିଛି, ସେଥିରେ ଦଳର ଆତ୍ମବିଶ୍ୱାସ ବୃଦ୍ଧି ପାଇଛି।

ସୀମିତ ଓଭର କ୍ରିକେଟରେ ନୂଆ ବଲ୍ ସମ୍ଭାଳିଥିବା ଟି. ନଟରାଜନ ଅନ୍ତର୍ଜାତୀୟ କ୍ରିକେଟରେ ଜବରଦସ୍ତ ପଦାର୍ପଣ କରିଛନ୍ତି। ତାଙ୍କୁ ଖେଳିବାରେ ଅଷ୍ଟ୍ରେଲିଆ ବ୍ୟାଟ୍ସମ୍ୟାନଙ୍କୁ ସମସ୍ୟାର ସାମ୍ନା କରିବାକୁ ପଡ଼ୁଥିଲା। ୨ୟ ମ୍ୟାଚରେ କାର୍ଯ୍ୟକାରୀ କ୍ୟାପଟେନ୍ ମାଥ୍ୟୁ ୱେଡଙ୍କ ଆଉଟ୍ ହେବା ପରେ ଅଷ୍ଟ୍ରେଲିଆ ଲୟ ହରାଇଥିଲା।

ଅନ୍ୟପକ୍ଷରେ ଭାରତୀୟ କ୍ୟାପଟେନ୍ ବିରାଟ୍ କୋହଲି ପାୱାରପ୍ଲେ' ପରେ କିଛି ଆକର୍ଷଣୀୟ ଶଟ୍ ଖେଳିଥିଲେ। ଆହତ ମନିଷ ପାଣ୍ଡେଙ୍କ ସ୍ଥାନରେ ଶ୍ରେୟସ ଆୟରଙ୍କୁ ସାମିଲ୍ କରିବା ପାଇଁ ଭାରତ ପାଇଁ ଫଳପ୍ରଦ ହୋଇଥିଲା। ତେବେ ଭାରତ ପାଇଁ ଏକମାତ୍ର ଦୁର୍ବଳ ପକ୍ଷ ଥିଲା ୟୁଜବେନ୍ଦ୍ର ଚହଲଙ୍କ ଖରାପ ପ୍ରଦର୍ଶନ। ପ୍ରଥମ ଟି-୨୦ ମ୍ୟାଚରେ ରବୀନ୍ଦ୍ର ଜାଡେଜାଙ୍କ କନକସନ୍ ବିକଳ୍ପ ଭାବେ ଖେଳି ୩ ୱିକେଟ୍ ନେଇ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଥିବା ୟୁଜବେନ୍ଦ୍ର ଚହଲ୍ ୨ୟ ମ୍ୟାଚରେ ବହୁତ ମହଙ୍ଗା ସାବ୍ୟସ୍ତ ହୋଇଥିଲେ।

ଅଷ୍ଟ୍ରେଲିଆ ଟିମକୁ ନିୟମିତ କ୍ୟାପଟେନ୍ ଆରୋନ୍ ଫିଞ୍ଚ୍, ଡେଭିଡ୍ ୱାର୍ଣ୍ଣର, ମିଚେଲ୍ ଷ୍ଟାର୍କ, ପ୍ୟାଟ୍ କମିନ୍ସ ଓ ଜୋଶ୍ ହେଜଲଉଡଙ୍କ ଅନୁପସ୍ଥିତି ଅନୁଭୂତ ହେଉଛି। ଏହି ପାଞ୍ଚଜଣଙ୍କ ମଧ୍ୟରୁ ତିନିଜଣ ଭାରତ ବିପକ୍ଷ ପ୍ରଥମ ଟି-୨୦ ମ୍ୟାଚ୍ ଖେଳିଥିଲେ, ଯେଉଁଥିରେ ଅଷ୍ଟ୍ରେଲିଆ ୧୧ ରନରେ ପରାସ୍ତ ହୋଇଥିଲା। ଓପ୍ନର ଡାର୍ସି ଶର୍ଟ ପ୍ରଥମ ଦୁଇଟି ମ୍ୟାଚରେ ନିରାଶ କରିଛନ୍ତି। ଏଭଳି ସ୍ଥିତିରେ ମାର୍କସ୍ ଷ୍ଟୋଇନିସ୍ ଓ ଗ୍ଲେନ୍ ମ୍ୟାକ୍ସୱେଲଙ୍କ ଉପରେ ଦାୟିତ୍ୱ ବଢ଼ିଯାଇଛି।

ଅଷ୍ଟ୍ରେଲିଆର ବୋଲିଂ ଆକ୍ରମଣ ପାଖରେ ଅଭିଜ୍ଞତାର ଅଭାବ ଦେଖିବାକୁ ମିଳିଛି। ସେମାନେ ଭାରତୀୟ ବ୍ୟାଟ୍ସମ୍ୟାନଙ୍କ ଉପରେ ଅଙ୍କୁଶ ଲଗାଇବାରେ ବିଫଳ ହୋଇଛନ୍ତି। ଆଡିଲେଡରେ ଡିସେମ୍ବର ୧୭ ତାରିଖରୁ ଆରମ୍ଭ ହେବାକୁଥିବା ଟେଷ୍ଟ ସିରିଜ୍ ପୂର୍ବରୁ ଟି-୨୦ ସିରିଜ୍ କ୍ଲିନସୁଇପ୍ ଭାରତ ପାଇଁ ଟନିକ୍ ଭଳି କାମ ଦେବ।

ସମ୍ଭାବ୍ୟ ଏକାଦଶ

ଭାରତ: ଶିଖର ଧୱନ୍, ଲୋକେଶ ରାହୁଲ୍‌, ବିରାଟ୍‌ କୋହଲି (କ୍ୟାପଟେନ୍), ସଞ୍ଜୁ ସାମସନ୍, ଶ୍ରେୟସ ଆୟର୍, ହାର୍ଦ୍ଦିକ ପାଣ୍ଡ୍ୟା, ଶାର୍ଦ୍ଦୁଲ ଠାକୁର, ୱାଶିଂଟନ୍ ସୁନ୍ଦର, ଦୀପକ ଚହର୍, ଟି. ନଟରାଜନ୍, ୟୁଜବେନ୍ଦ୍ର ଚହଲ୍‌।

ଅଷ୍ଟ୍ରେଲିଆ: ଆରୋନ୍ ଫିଞ୍ଚ୍ (କ୍ୟାପଟେନ୍)/ଡାର୍ସି ଶର୍ଟ, ମାଥ୍ୟୁ ୱେଡ୍, ଷ୍ଟିଭ୍ ସ୍ମିଥ୍, ଗ୍ଲେନ୍ ମ୍ୟାକ୍ସୱେଲ୍, ମୋଜେସ୍ ହେନରିକ୍ସ, ମାର୍କସ୍ ଷ୍ଟୋଇନିସ୍, ସିନ୍ ଆବୋଟ୍ଟ, ଡାନିଏଲ୍ ସାମ୍ସ, ମିଚେଲ୍ ସ୍ୱେପସନ୍, ଆଡାମ ଜାମ୍ପା।

Related story