ଶନିବାରଠାରୁ ୱାର୍ମଅପ୍ ମ୍ୟାଚ୍, ବିରାଟଙ୍କୁ ମିଳିପାରେ ବିଶ୍ରାମ

କୁଲିଜ୍: ଭାରତ ଓ ୱେଷ୍ଟଇଣ୍ଡିଜ୍ କ୍ରିକେଟ୍ ବୋର୍ଡ ଏକାଦଶ ମଧ୍ୟରେ ତିନିଦିନିଆ ୱାର୍ମଅପ୍ ମ୍ୟାଚ୍ ଆସନ୍ତାକାଲିଠାରୁ ଆରମ୍ଭ ହେବ। ଏହି ମ୍ୟାଚରେ ଟେଷ୍ଟ ସ୍ପେଶାଲିଷ୍ଟ ଚେତେଶ୍ୱର ପୂଜାରା, ଆଜିଙ୍କ୍ୟ ରାହାଣେଙ୍କ ସହ ପେସ୍ ବୋଲର ଯଶପ୍ରୀତ ବୁମ୍ରା ଖେଳିବେ। ୱେଷ୍ଟଇଣ୍ଡିଜ୍ ବିପକ୍ଷ ତୃତୀୟ ଦିନିକିଆରେ ଆହତ ହୋଇଥିବା କ୍ୟାପଟେନ୍ ବିରାଟ୍ କୋହଲିଙ୍କୁ ଏହି ମ୍ୟାଚରେ ବିଶ୍ରାମ ମିଳିପାରେ। ସୀମିତ ଓଭର ସିରିଜରେ ବିରାଟ୍ ଚମତ୍କାର ଫର୍ମରେ ଥିଲେ। ବିରାଟ୍ ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜରେ ୧୦୬ […]

virat

Ranjit Kumar Jena
  • Published: Friday, 16 August 2019
  • , Updated: 16 August 2019, 05:35 PM IST

କୁଲିଜ୍: ଭାରତ ଓ ୱେଷ୍ଟଇଣ୍ଡିଜ୍ କ୍ରିକେଟ୍ ବୋର୍ଡ ଏକାଦଶ ମଧ୍ୟରେ ତିନିଦିନିଆ ୱାର୍ମଅପ୍ ମ୍ୟାଚ୍ ଆସନ୍ତାକାଲିଠାରୁ ଆରମ୍ଭ ହେବ। ଏହି ମ୍ୟାଚରେ ଟେଷ୍ଟ ସ୍ପେଶାଲିଷ୍ଟ ଚେତେଶ୍ୱର ପୂଜାରା, ଆଜିଙ୍କ୍ୟ ରାହାଣେଙ୍କ ସହ ପେସ୍ ବୋଲର ଯଶପ୍ରୀତ ବୁମ୍ରା ଖେଳିବେ। ୱେଷ୍ଟଇଣ୍ଡିଜ୍ ବିପକ୍ଷ ତୃତୀୟ ଦିନିକିଆରେ ଆହତ ହୋଇଥିବା କ୍ୟାପଟେନ୍ ବିରାଟ୍ କୋହଲିଙ୍କୁ ଏହି ମ୍ୟାଚରେ ବିଶ୍ରାମ ମିଳିପାରେ।

ସୀମିତ ଓଭର ସିରିଜରେ ବିରାଟ୍ ଚମତ୍କାର ଫର୍ମରେ ଥିଲେ। ବିରାଟ୍ ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜରେ ୧୦୬ ରନ୍ ଏବଂ ମାତ୍ର ଦୁଇଟି ଦିନିକିଆରେ ୨୩୪ ରନ୍ କରିଥିଲେ, ଯେଉଁଥିରେ ଦୁଇଟି ଶତକ ସାମିଲ୍ ଥିଲା। ବର୍ଷା ଯୋଗୁ ପ୍ରଥମ ଦିନିକିଆ ବାତିଲ ହୋଇଥିଲା। ଟି-୨୦ ସିରିଜକୁ ୩-୦ ଏବଂ ଦିନିକିଆ ସିରିଜକୁ ୨-୦ରେ ହରାଇଥିବା ଭାରତ ଅଗଷ୍ଟ ୨୨ ତାରିଖରୁ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଦୁଇମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଖେଳିବ। ଟେଷ୍ଟ ସିରିଜ୍ ସହ ଭାରତ ଟେଷ୍ଟ ଚାମ୍ପିୟନଶିପ୍ ମଧ୍ୟ ଆରମ୍ଭ କରିବ।

ଲମ୍ବା ଫର୍ମାଟରେ ଭାରତର ମୁଖ୍ୟ ବ୍ୟାଟ୍ସମ୍ୟାନଙ୍କ ମଧ୍ୟରୁ ଅନ୍ୟତମ ପୂଜାରା ୬ମାସ ପରେ ନାଲି ବଲ୍ କ୍ରିକେଟ୍ ମ୍ୟାଚ୍ ଖେଳିବେ। ସେ ଶେଷଥର ପାଇଁ ୬ମାସ ତଳେ ସୌରାଷ୍ଟ୍ର ପକ୍ଷରୁ ରଣଜୀ ଟ୍ରଫି ଫାଇନାଲ୍ ଖେଳିଥିଲେ। ଏହି ଫର୍ମାଟରେ ଭାଇସ୍ କ୍ୟାପଟେନ୍ ରାହାଣେ ଇଂଲିଶ କାଉଣ୍ଟି କ୍ରିକେଟରେ ୭ଟି ମ୍ୟାଚ୍ ଖେଳି ୨୩.୬୧ ହାରରେ ୩୦୭ ରନ୍ କରିଥିଲେ, ଯେଉଁଥିରେ ଗୋଟିଏ ଶତକ ଓ ଗୋଟିଏ ଅର୍ଦ୍ଧଶତକ ସାମିଲ୍ ଥିଲା। ବିଶ୍ୱକପ୍ ପର୍ଯ୍ୟନ୍ତ ଲଗାତାର ୬ମାସ ଖେଳିଥିବା ବୁମ୍ରା ଏବେ ସମ୍ପୂର୍ଣ୍ଣ ଭାବେ ସତେଜ ଅଛନ୍ତି ଏବଂ ମାସକର ଲମ୍ବା ଆରାମ ପରେ ଅଭ୍ୟାସ ମ୍ୟାଚରେ ଲୟ ହାସଲ କରିବାକୁ ଚାହିଁବେ।

ବ୍ୟାଟିଂରେ ରୋହିତ୍ ଶର୍ମା ଓ ରିଷଭ ପନ୍ତ ମଧ୍ୟ ରନ୍ କରିବା ପାଇଁ ବ୍ୟଗ୍ର ଥିବେ। ବିଶେଷକରି ପନ୍ତଙ୍କ ପାଇଁ ଏହି ମ୍ୟାଚ୍ ବେଶ୍ ଗୁରୁତ୍ୱପୂର୍ଣ୍ଣ, କାରଣ ଋଦ୍ଧିମାନ ସାହା ଭାରତ-ଏ' ପକ୍ଷରୁ ଭଲ ପ୍ରଦର୍ଶନ କରି ଦୁଇଟି ଅର୍ଦ୍ଧଶତକ ମାରି ଟିମକୁ ଫେରିଛନ୍ତି। ସାହା ଜଣେ ଉନ୍ନତ ୱିକେଟକିପର, ଏଥିରେ କୌଣସି ସନ୍ଦେହ ନାହିଁ। ମୟଙ୍କ ଅଗ୍ରୱାଲଙ୍କ ଓପନ୍ କରିବା ଏକ ପ୍ରକାର ନିଶ୍ଚିତ, କାରଣ ହନୁମା ବିହାରୀ ଏବଂ ଲୋକେଶ ରାହୁଲଙ୍କ ମଧ୍ୟରୁ କିଏ ଏହି ଫର୍ମାଟ୍ ପାଇଁ ଶ୍ରେଷ୍ଠ, ତାହା ଚୟନ କରାଯିବ।

ପେସ୍ ବୋଲର ଉମେଶ ଯାଦବ ଓ ଈଶାନ୍ତ ଶର୍ମା ଭଲ ପ୍ରଦର୍ଶନ କରି ଟିମ୍ ମ୍ୟାନେଜମେଣ୍ଟକୁ ଆକୃଷ୍ଟ କରିବାକୁ ପ୍ରୟାସ କରିବେ। ଭାରତର ସ୍ପିନ୍ ବିଭାଗ ଦାୟିତ୍ୱ ଅଫ୍ ସ୍ପିନର୍ ଆର୍ ଅଶ୍ୱିନ୍ ଓ ବାମହାତୀ ସ୍ପିନର୍ ରବୀନ୍ଦ୍ର ଜାଡେଜା ସମ୍ଭାଳିବେ। ଯେହେରୁ ଏହା ଆନୁଷ୍ଠାନିକ ପ୍ରଥମଶ୍ରେଣୀ ମ୍ୟାଚ୍ ନୁହେଁ, ତେଣୁ ଭାରତୀୟ ଟିମର ସବୁ ବ୍ୟାଟ୍ସମ୍ୟାନଙ୍କୁ କ୍ରିଜରେ ସମୟ ବିତାଇବା ପାଇଁ ସୁଯୋଗ ମିଳିବାର ସମ୍ଭାବନା ରହିଛି। ଏହାଛଡ଼ା ସବୁ ବୋଲରଙ୍କୁ ମଧ୍ୟ ଖେଳାଯିବ।

ଭାରତୀୟ ଟେଷ୍ଟ ସ୍କ୍ୱାଡ୍: ବିରାଟ୍ କୋହଲି (କ୍ୟାପଟେନ୍), ଆଜିଙ୍କ୍ୟ ରାହାଣେ, ମୟଙ୍କ ଅଗ୍ରୱାଲ୍, ରବିଚନ୍ଦ୍ରନ୍ ଅଶ୍ୱିନ୍, ଯଶପ୍ରୀତ ବୁମ୍ରା, ରବୀନ୍ଦ୍ର ଜାଡେଜା, କୁଲଦୀପ ଯାଦବ, ମହମ୍ମଦ ଶାମି, ରିଷଭ ପନ୍ତ, ଚେତେଶ୍ୱର ପୂଜାରା, ଲୋକେଶ ରାହୁଲ୍, ଋଦ୍ଧିମାନ ସାହା, ଈଶାନ୍ତ ଶର୍ମା, ରୋହିତ୍ ଶର୍ମା, ହନୁମା ବିହାରୀ, ଉମେଶ ଯାଦବ।

Related story