ଶୁକ୍ରବାରଠାରୁ ଟିମ୍ ଇଣ୍ଡିଆର ପିଙ୍କ୍ ଯାତ୍ରା

କୋଲକାତା: ଭାରତୀୟ କ୍ରିକେଟ୍ ଟିମ୍ ଶେଷରେ ଗୋଲାପି ରଙ୍ଗରେ ରଙ୍ଗେଇ ହେବାକୁ ଯାଉଛି ଅର୍ଥାତ୍ ଶୁକ୍ରବାରଠାରୁ ଭାରତ ପ୍ରଥମଥର ପାଇଁ ଦିବାରାତ୍ର ଟେଷ୍ଟ ଅର୍ଥାତ୍ ପିଙ୍କ୍ ବଲରେ ମ୍ୟାଚ୍ ଖେଳିବ। ଭାରତ ତା’ର ଐତିହାସିକ ମୁକାବିଲାରେ ପଡୋଶୀ ବାଂଲାଦେଶକୁ ଭେଟିବ। ତେବେ ଦେଖିବାକୁ ଗଲେ ଉଭୟ ଭାରତ ଓ ବାଂଲାଦେଶ ପାଇଁ ଏହା ଐତିହାସିକ କ୍ଷଣ ହେବ। ବାଂଲାଦେଶ ମଧ୍ୟ ପ୍ରଥମଥର ପାଇଁ ଫ୍ଲଡଲାଇଟରେ ଟେଷ୍ଟ ମ୍ୟାଚ୍ ଖେଳିବାକୁ ଯାଉଛି। ଏହି ମ୍ୟାଚ୍ କୋଲକାତାର ଇଡେନ୍ ଗାର୍ଡେନ୍ସ […]

virat

Ranjit Kumar Jena
  • Published: Thursday, 21 November 2019
  • , Updated: 21 November 2019, 06:21 PM IST

କୋଲକାତା: ଭାରତୀୟ କ୍ରିକେଟ୍ ଟିମ୍ ଶେଷରେ ଗୋଲାପି ରଙ୍ଗରେ ରଙ୍ଗେଇ ହେବାକୁ ଯାଉଛି ଅର୍ଥାତ୍ ଶୁକ୍ରବାରଠାରୁ ଭାରତ ପ୍ରଥମଥର ପାଇଁ ଦିବାରାତ୍ର ଟେଷ୍ଟ ଅର୍ଥାତ୍ ପିଙ୍କ୍ ବଲରେ ମ୍ୟାଚ୍ ଖେଳିବ। ଭାରତ ତା'ର ଐତିହାସିକ ମୁକାବିଲାରେ ପଡୋଶୀ ବାଂଲାଦେଶକୁ ଭେଟିବ। ତେବେ ଦେଖିବାକୁ ଗଲେ ଉଭୟ ଭାରତ ଓ ବାଂଲାଦେଶ ପାଇଁ ଏହା ଐତିହାସିକ କ୍ଷଣ ହେବ। ବାଂଲାଦେଶ ମଧ୍ୟ ପ୍ରଥମଥର ପାଇଁ ଫ୍ଲଡଲାଇଟରେ ଟେଷ୍ଟ ମ୍ୟାଚ୍ ଖେଳିବାକୁ ଯାଉଛି। ଏହି ମ୍ୟାଚ୍ କୋଲକାତାର ଇଡେନ୍ ଗାର୍ଡେନ୍ସ ଷ୍ଟାଡିୟମରେ ଖେଳାଯିବ। ଏଥିପାଇଁ ଷ୍ଟେଜ୍ ପ୍ରସ୍ତୁତ ହୋଇସାରିଛି, କେବଳ ଟସ୍ ପଡ଼ିବା ବାକି ରହିଲା। ଦୁଇମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ଏହା ଦ୍ୱିତୀୟ ମ୍ୟାଚ୍ ହେବ। ଏହା ପୂର୍ବରୁ ଭାରତ ଇନ୍ଦୋର ଟେଷ୍ଟକୁ ଇନିଂସ୍ ଓ ୧୩୦ ରନରେ ଜିତି ୧-୦ରେ ଆଗୁଆ ରହିଛି। ପିଙ୍କ୍ ବଲ୍ ଟେଷ୍ଟକୁ ଜିତି ଭାରତ ଆଉ ଏକ ସିରିଜ ଉପରେ କବଜା କରିବାକୁ ଲକ୍ଷ୍ୟ ରଖିଛି।

ପୂର୍ବତନ କ୍ୟାପଟେନ୍ ସୌରଭ ଗାଙ୍ଗୁଲିଙ୍କ ନେତୃତ୍ୱରେ ବିସିସିଆଇ ଗୋଲାପି (ପିଙ୍କ୍‌) ବଲରେ ଏହି ଟେଷ୍ଟ କରାଇବାର ଅଦ୍ଭୁତ ନିଷ୍ପତ୍ତି ନେଇଛି। ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି) ଦର୍ଶକଙ୍କ ରୁଚିକୁ ଦୃଷ୍ଟିରେ ରଖି ସାତବର୍ଷ ପୂର୍ବେ ଏହି ଟେଷ୍ଟକୁ ମଞ୍ଜୁରି ଦେଇଥିଲା। ଗାଙ୍ଗୁଲି ବହୁତ କମ୍ ଦିନ ମଧ୍ୟରେ ବାଂଲାଦେଶ କ୍ରିକେଟ୍ ବୋର୍ଡ (ବିସିବି)କୁ ଏହି ଦିବାରାତ୍ର ଟେଷ୍ଟ ମ୍ୟାଚ୍ ପାଇଁ ମନାଇ ନେଇଥିଲେ। ଏପର୍ଯ୍ୟନ୍ତ ମୋଟ ୧୧ଟି ଦିବାରାତ୍ର ଟେଷ୍ଟ ମ୍ୟାଚ୍ ଖେଳାଯାଇଛି।

ଚାରିବର୍ଷ ପୂର୍ବେ ଅଷ୍ଟ୍ରେଲିଆ ଓ ନ୍ୟୁଜିଲ୍ୟାଣ୍ଡ୍ ମଧ୍ୟରେ ପ୍ରଥମ ଦିବାରାତ୍ର ଟେଷ୍ଟ ଖେଳାଯାଇଥିଲା। ଅଷ୍ଟ୍ରେଲିଆ ଗତବର୍ଷ ନିଜ ଦେଶରେ ଦିବାରାତ୍ର ଟେଷ୍ଟ ମ୍ୟାଚ୍ ଖେଳିବାକୁ ପ୍ରସ୍ତାବ ଦେଇଥିଲା, କିନ୍ତୁ ଭାରତ ରାଜି ହୋଇନଥିଲା। ଏହାର କାରଣ ଏସଜି ବଲ୍ ଥିଲା, ଯାହାକୁ ସୂର୍ଯ୍ୟାସ୍ତ ପରେ ଦେଖିବା କଷ୍ଟକର ହେଉଥିଲା। ତେବେ ଗାଙ୍ଗୁଲି ଓ କୋହଲି ଏଥିପାଇଁ ପ୍ରସ୍ତୁତ ହୋଇଛନ୍ତି। ବର୍ତ୍ତମାନ ଭାରତୀୟ ଦଳର କ୍ୟାପଟେନ୍ ବିରାଟ୍ କୋହଲି ମାତ୍ର ତିନି ସେକେଣ୍ଡରେ ଏହି ଟେଷ୍ଟ ଖେଳିବା ପାଇଁ ରାଜି ହୋଇଥିଲେ। ଏପର୍ଯ୍ୟନ୍ତ ଦିବାରାତ୍ର ଟେଷ୍ଟ ପାଇଁ ପ୍ରସ୍ତୁତି ଠିକଠାକ୍ ରହିଛି। ମ୍ୟାଚର ପ୍ରଥମ ଚାରିଦିନର ଟିକେଟ୍ ପ୍ରାୟତଃ ଶେଷ ହୋଇସାରିଛି। ଏହା ମଧ୍ୟରେ ଭାରତୀୟ ଟିମ୍ ଘରୋଇ ମାଟିରେ କ୍ରମାଗତ ଦ୍ୱାଦଶ ସିରିଜ୍ ଜିତିବା ଟାର୍ଗେଟ୍ ରଖିଛି।

ଶୀଘ୍ର ସୂର୍ଯ୍ୟାସ୍ତ ହେବା, ଖେଳାଳିମାନଙ୍କ ପାଇଁ ସବୁଠାରୁ ବଡ଼ ଚ୍ୟାଲେଞ୍ଜ୍ ହେବ, କାରଣ ଏହା ପରେ ଉଭୟ ଦଳକୁ କାକରର ମୁକାବିଲାକୁ କରିବାକୁ ପଡ଼ିବ। ଏହାଛଡ଼ା ଗୋଲାପି (ପିଙ୍କ୍‌) ବଲରେ ଖେଳାଳିମାନେ କିପରି ଖେଳୁଛନ୍ତି, ତାହା ଦେଖିବାକୁ ବାକି ରହିଲା। ବେଙ୍ଗଲ କ୍ରିକେଟ୍ ଆସୋସିଏସନ୍ ଏହି ମ୍ୟାଚକୁ ସ୍ମରଣୀୟ କରାଇବା ପାଇଁ ଯଥାସମ୍ଭବ ପ୍ରସ୍ତୁତି କରିଛି। ଏହି ମ୍ୟାଚ୍ ପାଇଁ ପିଙ୍କ୍ ବଲ୍ ମାସ୍କଟ୍‌, ମ୍ୟାଚ୍ ବଲ୍ ଦେବା ପାଇଁ ଆର୍ମି ପାରାଟ୍ରୁପର୍‌, ଜଣାଶୁଣା କ୍ରୀଡ଼ାବିତ୍‌, ନାମୀ ରାଜନେତାଙ୍କୁ ଆମନ୍ତ୍ରିତ କରାଯାଇଛି, ଯେଉଁଥିରେ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ୍ ହସିନା ଯୋଗ ଦେଇପାରନ୍ତି।

ମହମ୍ମଦ ଶାମି, ଈଶାନ୍ତ ଶର୍ମା ଓ ଉମେଶ ଯାଦବଙ୍କୁ ନେଇ ଗଠିତ ପେସ୍ ବ୍ୟାଟେରୀର ଚମତ୍କାର ବୋଲିଂ ବଳରେ ଭାରତ ଇନ୍ଦୋର ଟେଷ୍ଟରେ ବାଂଲାଦେଶକୁ ଇନିଂସ୍ ଓ ୧୩୦ ରନରେ ହରାଇଥିଲା। ପେସ୍ ବୋଲରମାନେ ଇନ୍ଦୋରରେ ୧୪ ୱିକେଟ୍ ନେଇଥିଲେ ଏବଂ ଇନ୍ଦୋରରେ ସେମାନେ ଏହାର ପୁନରାବୃତ୍ତି କରିବାକୁ ଚାହିଁବେ। ଏହାବ୍ୟତୀତ ରୋହିତ୍ ଶର୍ମା ଓ ମୟଙ୍କ ଅଗ୍ରୱାଲ୍ ମଧ୍ୟ ଭଲ ଫର୍ମରେ ଅଛନ୍ତି। ମୟଙ୍କ ଇନ୍ଦୋରରେ ଦ୍ୱିଶତକ ମାରି ମ୍ୟାନ୍ ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଥିଲେ। କିଛି ଭାରତୀୟ ଖେଳାଳି ଗୋଲାପି ବଲରେ ମ୍ୟାଚ୍ ଖେଳିଛନ୍ତି। ଏମାନେ ଫ୍ଲଡଲାଇଟରେ ଦୁଲୀପ୍ ଟ୍ରଫି ମ୍ୟାଚ୍ ଖେଳିଥିଲେ। କିନ୍ତୁ ବାଂଲାଦେଶ ଟିମ୍ ପ୍ରଥମଥର ପାଇଁ ଏହି ଚ୍ୟାଲେଞ୍ଜକୁ ସାମ୍ନା କରିବ।

ଇନ୍ଦୋରରେ ମୁଶଫିକର ରହିମଙ୍କ ଅର୍ଦ୍ଧଶତକକୁ ଛାଡ଼ିଦେଲେ ବାଂଲାଦେଶର ଅନ୍ୟ ବ୍ୟାଟ୍ସମ୍ୟାନ୍ ନିରାଶ କରିଥିଲେ। ଷ୍ଟାର୍ ଅଲରାଉଣ୍ଡର ତଥା ଟିମର ପୂର୍ବତନ କ୍ୟାପଟେନ୍ ସାକିବ୍ ଅଲ୍ ହାସନଙ୍କ ଅନୁପସ୍ଥିତିରେ ବାଂଲାଦେଶର ସନ୍ତୁଳନ ବିଗିଡ଼ିଛି। ମୋମିନୁଲ୍ ହକଙ୍କ ନେତୃତ୍ୱରେ ବାଂଲାଦେଶ ଚାପର ମୁକାବିଲା କରିବାରେ ବିଫଳ ହୋଇଛି। ବୋଲିଂରେ ଆବୁ ଜାୟେଦଙ୍କୁ ଛାଡ଼ିଦେଲେ ବାକି ସବୁ ବୋଲର ଆଶାମୁତାବକ ସଫଳତା ପାଇନାହାନ୍ତି। ତେଣୁ ଦିବାରାତ୍ର ଟେଷ୍ଟରେ କୌଣସି ଚମତ୍କାର ହିଁ ବାଂଲାଦେଶକୁ ବିଜୟ ଦେଇପାରିବ।

ଭାରତୀୟ ସ୍କ୍ୱାଡ୍‌: ବିରାଟ୍ କୋହଲି (କ୍ୟାପଟେନ୍‌), ରୋହିତ୍ ଶର୍ମା, ମୟଙ୍କ ଅଗ୍ରୱାଲ୍‌, ଚେତେଶ୍ୱର ପୂଜାରା, ଆଜିଙ୍କ୍ୟ ରାହାଣେ, ଋଦ୍ଧିମାନ ସାହା (ୱିକେଟକିପର), ରବିଚନ୍ଦ୍ରନ୍ ଅଶ୍ୱିନ୍‌, ରବୀନ୍ଦ୍ର ଜାଡେଜା, ଋଷଭ ପନ୍ତ, ମହମ୍ମଦ ଶାମି, ଈଶାନ୍ତ ଶର୍ମା, ଉମେଶ ଯାଦବ, ହନୁମା ବିହାରୀ, କୁଲଦୀପ ଯାଦବ, ଶୁବମାନ୍ ଗିଲ୍।

ବାଂଲାଦେଶ ସ୍କ୍ୱାଡ୍‌: ମୋନିନୁଲ୍ ହକ୍ (କ୍ୟାପଟେନ୍‌), ଲିଟନ୍ ଦାସ (ୱିକେଟକିପର), ମେହିଦୀ ହାସନ୍‌, ନୟିମ ହାସନ୍‌, ଅଲ୍‌-ଆମିନ୍ ହୁସେନ୍‌, ଇବାଦତ୍ ହୁସେନ୍‌, ମୋଡାଡେକ୍ ହୁସେନ୍‌, ଶାଦମାନ୍ ଇସଲାମ୍‌, ତାଇଜୁଲ୍ ଇସଲାମ୍‌, ଆବୁ ଜାୟେଦ୍‌, ଇମରୁଲ୍ କାୟେସ୍‌, ମହମଦୁଲ୍ଲା, ମହମ୍ମଦ ମିଥୁନ୍‌, ମୁଶଫିକର୍ ରହିମ୍‌, ମୁସ୍ତାଫିଜୁର୍ ରେହମାନ୍।

Related story