ଦିନକ ପରେ ନିର୍ଣ୍ଣାୟକ ଦିନିକିଆ: ବାରବାଟୀରେ ଭାରତର ପଲା ଭାରୀ

କଟକ (ଓଡ଼ିଶା ରିପୋର୍ଟର): ଆଉ ଦିନକ ପରେ ବାରବାଟୀ ଷ୍ଟାଡିୟମରେ ଖେଳାଯିବ ଭାରତ ଓ ୱେଷ୍ଟଇଣ୍ଡିଜ୍ ତୃତୀୟ ତଥା ନିର୍ଣ୍ଣାୟକ ଦିନିକିଆ ମ୍ୟାଚ୍। ଏଥିପାଇଁ ଚୂଡ଼ାନ୍ତ ପର୍ଯ୍ୟାୟରେ ସବୁ ପ୍ରସ୍ତୁତି। ଏଥରକୁ ମିଶାଇ ବାରବାଟୀରେ ଖେଳାଯିବ ୨୧ତମ ଦିନିକିଆ ମ୍ୟାଚ୍। ବାରବାଟୀ ଭାରତ ପାଇଁ ଅନ୍ୟତମ ଲକି ଷ୍ଟାଡିୟମ। ଏଠାରେ ଭାରତ ୧୮ଟି ଅନ୍ତର୍ଜାତୀୟ ଦିନିକିଆ ମ୍ୟାଚ୍ ଖେଳିଛି, ଯେଉଁଥିରୁ ୧୨ଟିରେ ବିଜୟୀ ହୋଇଥିବା ବେଳେ ୪ଟିରେ ପରାସ୍ତ ହୋଇଛି। କିନ୍ତୁ ଦୁଇଟି ମ୍ୟାଚ୍ ବର୍ଷା ଯୋଗୁ […]

bb

bb

Ranjit Kumar Jena
  • Published: Friday, 20 December 2019
  • Updated: 21 December 2019, 08:35 AM IST

Sports

Latest News

କଟକ (ଓଡ଼ିଶା ରିପୋର୍ଟର): ଆଉ ଦିନକ ପରେ ବାରବାଟୀ ଷ୍ଟାଡିୟମରେ ଖେଳାଯିବ ଭାରତ ଓ ୱେଷ୍ଟଇଣ୍ଡିଜ୍ ତୃତୀୟ ତଥା ନିର୍ଣ୍ଣାୟକ ଦିନିକିଆ ମ୍ୟାଚ୍। ଏଥିପାଇଁ ଚୂଡ଼ାନ୍ତ ପର୍ଯ୍ୟାୟରେ ସବୁ ପ୍ରସ୍ତୁତି। ଏଥରକୁ ମିଶାଇ ବାରବାଟୀରେ ଖେଳାଯିବ ୨୧ତମ ଦିନିକିଆ ମ୍ୟାଚ୍। ବାରବାଟୀ ଭାରତ ପାଇଁ ଅନ୍ୟତମ ଲକି ଷ୍ଟାଡିୟମ। ଏଠାରେ ଭାରତ ୧୮ଟି ଅନ୍ତର୍ଜାତୀୟ ଦିନିକିଆ ମ୍ୟାଚ୍ ଖେଳିଛି, ଯେଉଁଥିରୁ ୧୨ଟିରେ ବିଜୟୀ ହୋଇଥିବା ବେଳେ ୪ଟିରେ ପରାସ୍ତ ହୋଇଛି। କିନ୍ତୁ ଦୁଇଟି ମ୍ୟାଚ୍ ବର୍ଷା ଯୋଗୁ ବାତିଲ ହୋଇଛି। ସେହିପରି ଏଠାରେ ଦୁଇଟି ଟେଷ୍ଟ ମ୍ୟାଚ୍ ମଧ୍ୟ ଖେଳାଯାଇଥିଲା, ଯେଉଁଥିରେ ଭାରତ ଗୋଟିଏରେ ବିଜୟୀ ହୋଇଥିବା ବେଳେ ଗୋଟିଏ ଡ୍ର' ହୋଇଛି। ବାରବାଟୀରେ ଦୁଇଟି ଟି-୨୦ ମ୍ୟାଚର ଆୟୋଜନ ହୋଇଛି। ଏଥିରୁ ଭାରତ ଗୋଟିଏରେ ଜିତିଥିବା ବେଳେ ଗୋଟିଏରେ ହାରିଛି। ସେହିପରି ଇଂଲଣ୍ଡ ଦ୍ୱିତୀୟ ଦଳ ଭାବେ ବାରବାଟୀରେ ସର୍ବାଧିକ ମ୍ୟାଚ୍ ଖେଳିଛି। ଇଂଲଣ୍ଡ ଏଠାରେ ୬ଟି ମ୍ୟାଚ୍ ଖେଳିଛି, ଯେଉଁଥିରୁ ୩ଟିରେ ଜିତିଥିବା ବେଳେ ୩ଟିରେ ହାରିଛି। ତେବେ ୱେଷ୍ଟଇଣ୍ଡିଜ୍ ଏଠାରେ ଖେଳିଥିବା ୩ଟି ଯାକ ମ୍ୟାଚରେ ପରାସ୍ତ ହୋଇଛି।

୧୯୮୨ରେ ପ୍ରଥମ ମ୍ୟାଚ୍‌: ସେହି ବର୍ଷ ଜାନୁଆରୀ ୨୭ ତାରିଖରେ ବାରବାଟୀରେ ପ୍ରଥମଥର ଲାଗି ଅନ୍ତର୍ଜାତୀୟ ମ୍ୟାଚ୍ ଖେଳାଯାଇଥିଲା। ଏହି ମ୍ୟାଚରେ ଆୟୋଜକ ଭାରତ ଓ ଇଂଲଣ୍ଡ ପରସ୍ପରକୁ ଭେଟିଥିଲେ। ତେବେ ଭାରତ ଏଥିରେ ୫ ୱିକେଟରେ ବିଜୟୀ ହୋଇଥିଲା। ଇଂଲଣ୍ଡ ପ୍ରଥମେ ବ୍ୟାଟିଂ କରି ୪୬ ଓଭରରେ ୬ ୱିକେଟ୍ ହରାଇ ୨୩୦ ରନ୍ କରିଥିଲା। ଜବାବରେ ଭାରତ ୪୨ ଓଭରରେ ୫ ୱିକେଟ୍ ହରାଇ ମୁକାବିଲାକୁ ଜିତି ନେଇଥିଲା। ଦୁଇବର୍ଷ ପରେ ଅର୍ଥାତ୍ ୧୯୮୪ରେ ଭାରତ ଏଠାରେ ତା'ର ଦ୍ୱିତୀୟ ମ୍ୟାଚରେ ପୁଣିଥରେ ଇଂଲଣ୍ଡକୁ ଭେଟିଥିଲା, ଯେଉଁଥିରେ ଆୟୋଜକ ଦଳ ୧ ରନରେ ପରାସ୍ତ ହୋଇଥିଲା। ୧୯୮୮ରେ ଖେଳାଯାଇଥିବା ମ୍ୟାଚରେ ଭାରତ ୫ ୱିକେଟରେ ନ୍ୟୁଜିଲ୍ୟାଣ୍ଡକୁ, ୧୯୯୦ରେ ଭାରତ ୩୬ ରନରେ ଶ୍ରୀଲଙ୍କାଠାରୁ, ୧୯୯୪ରେ ଭାରତ ୮ ୱିକେଟରେ ୱେଷ୍ଟଇଣ୍ଡିଜକୁ, ୧୯୯୬ରେ ଭାରତ ୭ ୱିକେଟରେ କେନିୟାକୁ, ୧୯୯୮ରେ ଭାରତ ୩୨ ରନରେ ଜିମ୍ବାୱେକୁ, ୨୦୦୦ରେ ଭାରତ ୩ ୱିକେଟରେ ଜିମ୍ବାୱେକୁ, ୨୦୦୨ରେ ଭାରତ ୧୬ ରନରେ ଇଂଲଣ୍ଡଠାରୁ, ୨୦୦୩ରେ ଭାରତ ୪ ୱିକେଟରେ ନ୍ୟୁଜିଲ୍ୟାଣ୍ଡଠାରୁ, ୨୦୦୭ରେ ଭାରତ ୨୦ ରନରେ ୱେଷ୍ଟଇଣ୍ଡିଜକୁ, ୨୦୦୮ରେ ଭାରତ ୬ ୱିକେଟରେ ଇଂଲଣ୍ଡକୁ, ୨୦୦୯ରେ ଭାରତ ୭ ୱିକେଟରେ ଶ୍ରୀଲଙ୍କାକୁ, ୨୦୧୧ରେ ଭାରତ ୧ ୱିକେଟରେ ୱେଷ୍ଟଇଣ୍ଡିଜକୁ, ୨୦୧୪ରେ ଭାରତ ୧୬୯ ରନରେ ଶ୍ରୀଲଙ୍କାକୁ ଏବଂ ୨୦୧୭ରେ ଭାରତ ୧୫ ରନରେ ଇଂଲଣ୍ଡକୁ ହରାଇଥିଲା।

ଦୁଇ ବିଶ୍ୱକପ୍ ମ୍ୟାଚ୍‌: ୧୯୮୭ରେ ପ୍ରଥମଥର ଲାଗି ବାରବାଟୀରେ କୌଣସି ବିଶ୍ୱକପ୍ ମ୍ୟାଚ୍ ଆୟୋଜନ ହୋଇଥିଲା। ଏଥିରେ ଅଷ୍ଟ୍ରେଲିଆ ଭେଟିଥିଲା ଜିମ୍ବାୱେକୁ। ଏହି ମୁକାବିଲାରେ ଅଷ୍ଟ୍ରେଲିଆ ୭୦ ରନରେ ବିଜୟୀ ହୋଇଥିଲା। ଏହା ପରେ ୧୯୯୬ରେ ବିଶ୍ୱକପର ଏକ ମ୍ୟାଚ୍ ବାରବାଟୀରେ ଖେଳାଯାଇଥିଲା, ଯେଉଁଥିରେ ଭାରତ ଓ କେନିୟା ମୁହାଁମୁହିଁ ହୋଇଥିଲେ। ଭାରତୀୟ ବୋଲରମାନେ ଚମତ୍କାର ପ୍ରଦର୍ଶନ କରି କେନିୟାକୁ ୫୦ ଓଭରରେ ୬ ୱିକେଟରେ ୧୯୯ ରନରେ ସୀମିତ ରଖିଥିଲେ। ଜବାବରେ ସଚିନ ତେନ୍ଦୁଲକର (୧୨୭)ଙ୍କ ଆକର୍ଷଣୀୟ ଶତକ ବଳରେ ଭାରତ ୪୧.୩ ଓଭରରେ ୩ ୱିକେଟ୍ ହରାଇ ୨୦୩ ରନ୍ କରି ବିଜୟୀ ହୋଇଥିଲା। ଏହା ପରେ ବାରବାଟୀରେ ଆଉ ବିଶ୍ୱକପ୍ ମ୍ୟାଚ୍ ଖେଳାଯାଇ ନାହିଁ।

ଦୁଇ ଟେଷ୍ଟ ମ୍ୟାଚ୍‌: ବାରବାଟୀରେ ଦୁଇଟି ଟେଷ୍ଟ ମ୍ୟାଚ୍ ମଧ୍ୟ ଖେଳାଯାଇଛି। ୧୯୮୭ରେ ଭାରତ ଓ ଶ୍ରୀଲଙ୍କା ଏବଂ ୧୯୯୫ରେ ଭାରତ ଓ ନ୍ୟୁଜିଲ୍ୟାଣ୍ଡ୍ ମଧ୍ୟରେ ଟେଷ୍ଟ ମ୍ୟାଚ୍ ଖେଳାଯାଇଥିଲା। ପ୍ରଥମ ଟେଷ୍ଟରେ ଭାରତ ଇନିଂସ୍ ଓ ୬୭ ରନରେ ଶ୍ରୀଲଙ୍କାକୁ ପରାସ୍ତ କରିଥିଲା। ମ୍ୟାଚରେ ଭାରତ ପ୍ରଥମ ଇନିଂସରେ ଦିଲୀପ ଭେଙ୍ଗସରକାର (୧୬୬)ଙ୍କ ଶତକ ବଳରେ ୪୦୦ ରନ୍ କରିଥିଲା। ଜବାବରେ ଶ୍ରୀଲଙ୍କା ଉଭୟ ଇନିଂସରେ ଯଥାକ୍ରମେ ୧୯୧ ଓ ୧୪୨ ରନ୍ କରିବାକୁ ସକ୍ଷମ ହୋଇଥିଲା। ଅଲରାଉଣ୍ଡର ପ୍ରଦର୍ଶନ ପାଇଁ କପିଲ୍ ଦେବ (୬୦ ରନ୍‌, ୫ ୱିକେଟ୍‌) ମ୍ୟାନ୍ ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଥିଲେ।

ଟି-୨୦ରେ ମିଶ୍ରିତ ଫଳାଫଳ: ପ୍ରଥମଥର ଲାଗି ବାରବାଟୀରେ ୨୦୧୫ରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଟି-୨୦ ମ୍ୟାଚ୍ ଖେଳାଯାଇଥିଲା, ଯେଉଁଥିରେ ଭାରତକୁ ପରାଜୟ ସ୍ୱାଦ ଚାଖିବାକୁ ପଡ଼ିଥିଲା। ଏହି ମ୍ୟାଚରେ ଭାରତ ପ୍ରଥମେ ବ୍ୟାଟିଂ କରି ମାତ୍ର ୯୨ ରନରେ ଅଲଆଉଟ୍ ହୋଇଥିଲା। ଜବାବରେ ଦକ୍ଷିଣ ଆଫ୍ରିକା ୪ ୱିକେଟ୍ ହରାଇ ମ୍ୟାଚକୁ ସହଜରେ ଜିତି ନେଇଥିଲା। ଶେଷଥର ଲାଗି ବାରବାଟୀରେ ଖେଳାଯାଇଥିବା ଟି-୨୦ ମ୍ୟାଚରେ ଭାରତ ୯୩ ରନରେ ଶ୍ରୀଲଙ୍କାକୁ ପରାସ୍ତ କରିଥିଲା। ଭାରତ ୨୦ ଓଭରରେ ୩ ୱିକେଟ୍ ହରାଇ ୧୮୦ ରନ୍ କରିଥିଲା। ଜବାବରେ ଶ୍ରୀଲଙ୍କା ୮୭ ରନରେ ଅଲଆଉଟ୍ ହୋଇଯାଇଥିଲା। ଏହି ମ୍ୟାଚରେ ୟୁଜବେନ୍ଦ୍ର ଚହଲ୍ ୪ଟି ୱିକେଟ୍ ନେଇ ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ।

ଆଗରେ ସଚିନ ଓ ଆଝାରୁଦ୍ଦିନ: ବାରବାଟୀରେ ଯଦି ବ୍ୟାଟିଂ ରେକର୍ଡ ଉପରେ ନଜର ପକାଇବା, ତାହେଲେ ସଚିନ ତେନ୍ଦୁଲକର ଓ ମହମ୍ମଦ ଆଝାରୁଦ୍ଦିନ ଆଗରେ ରହିବେ। ବାରବାଟୀରେ ସଚିନ ସର୍ବାଧିକ ୧୦ଟି ମ୍ୟାଚ୍ ଖେଳିଛନ୍ତି, ଯେଉଁଥିରେ ସେ ୪୬୯ ରନ୍ କରି ଶୀର୍ଷରେ ରହିଛନ୍ତି। ସେ ବାରବାଟୀରେ ଗୋଟିଏ ଶତକ ଓ ତିନୋଟି ଅର୍ଦ୍ଧଶତକ ମାରିଛନ୍ତି। ତାଙ୍କ ପରେ ଅଜୟ ଜାଡେଜା ୩ ମ୍ୟାଚରେ ୨୭୩ ରନ୍ ଏବଂ ଆଝାରୁଦ୍ଦିନ ୫ ମ୍ୟାଚରେ ୨୪୨ ରନ୍ କରିଛନ୍ତି। ମହେନ୍ଦ୍ର ସିଂ ଧୋନି ୩ଟି ମ୍ୟାଚରୁ ୧୯୦ ଓ ଯୁବରାଜ ସିଂହ ୫ ମ୍ୟାଚରୁ ୧୯୦ ରନ୍ କରିଛନ୍ତି। ସେହିପରି ବାରବାଟୀରେ ସର୍ବାଧିକ ବ୍ୟକ୍ତିଗତ ସ୍କୋର ଆଝାରୁଦ୍ଦିନଙ୍କ ନାଁରେ ରହିଛି । ୧୯୯୮ରେ ଜିମ୍ବାୱେ ବିପକ୍ଷ ମ୍ୟାଚରେ ଆଝାର ଅପରାଜିତ ୧୫୩ ରନ୍ କରିଥିଲେ। ସେହିପରି ୨୦୧୭ରେ ଇଂଲଣ୍ଡ ବିପକ୍ଷ ମ୍ୟାଚରେ ଯୁବରାଜ ସିଂହ ୧୫୦ ଏବଂ ଧୋନି ୧୩୪ ରନର ଶତକୀୟ ଇନିଂସ୍ ଖେଳିଥିଲେ।

ସର୍ବାଧିକ ଦଳଗତ ସ୍କୋର: ୨୦୧୭ରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍ ହାଇସ୍କୋରିଂ ହୋଇଥିଲା। ଭାରତ ପ୍ରଥମେ ବ୍ୟାଟିଂ କରି ୬ ୱିକେଟରେ ୩୮୧ ରନ୍ କରିଥିଲା, ଯାହା ବାରବାଟୀରେ ସର୍ବାଧିକ ସ୍କୋର। ଜବାବରେ ଇଂଲଣ୍ଡ ୮ ୱିକେଟ୍ ହରାଇ ୩୬୬ ରନ୍ କରି ପରାସ୍ତ ହୋଇଥିଲା, ଯାହାକି ଏଠାରେ ଏହା ଦ୍ୱିତୀୟ ସର୍ବାଧିକ ସ୍କୋର । ତୃତୀୟ ସର୍ବାଧିକ ସ୍କୋରର ରେକର୍ଡ ଭାରତ ନାଁରେ ରହିଛି। ୨୦୧୪ରେ ଶ୍ରୀଲଙ୍କା ବିପକ୍ଷରେ ଭାରତ ୫ ୱିକେଟ୍ ହରାଇ ୩୬୩ ରନ୍ କରିଥିଲା। ସେହିପରି ୧୯୯୮ରେ ଜିମ୍ବାୱେ ବିପକ୍ଷରେ ଭାରତ ୩୦୧ ରନ୍ କରିଥିଲା।

କୁମ୍ବଲେ, ଈଶାନ୍ତ ଓ ଅଗରକର ସର୍ବାଧିକ ୱିକେଟ୍ ଟେକର: ବାରବାଟୀରେ ଅନୀଲ କୁମ୍ବଲେ, ଅଜିତ୍ ଅଗରକର ଏବଂ ଈଶାନ୍ତ ଶର୍ମାଙ୍କ ନାଁରେ ସର୍ବାଧିକ ୱିକେଟ୍ ନେବାର ରେକର୍ଡ ରହିଛି। ଏହି ତିନି ବୋଲର ଏଠାରେ ୭ଟି ଲେଖାଏ ୱିକେଟ୍ ଦଖଲ କରିଛନ୍ତି। ସେହିପରି ବର୍ତ୍ତମାନ ଭାରତୀୟ ଦଳରେ ସାମିଲ୍ ଥିବା ରବୀନ୍ଦ୍ର ଜାଡେଜାଙ୍କ ନାଁରେ ୬ଟି ୱିକେଟ୍ ରହିଛି। ଏହାଛଡ଼ା ଜାହିର୍ ଖାନ୍ ଏବଂ ଆର୍ ଅଶ୍ୱିନ୍ ୫ଟି ଲେଖାଏ ୱିକେଟ୍ ନେଇଛନ୍ତି। ବୋଲିଂରେ ସର୍ବଶ୍ରେଷ୍ଠ ପ୍ରଦର୍ଶନର ରେକର୍ଡ ୱେଷ୍ଟଇଣ୍ଡିଜର ଡାରେନ୍ ପାୱେଲଙ୍କ ନାଁରେ ରହିଛି। ୨୦୦୭ରେ ଭାରତ ବିପକ୍ଷ ମ୍ୟାଚରେ ସେ ୨୭ ରନ୍ ଦେଇ ୪ଟି ୱିକେଟ୍ ନେଇଥିଲେ। ୨୦୦୯ରେ ଶ୍ରୀଲଙ୍କା ବିପକ୍ଷରେ ଜାଡେଜା ୩୨ ରନ୍ ଦେଇ ୪ଟି, ୨୦୧୪ରେ ଈଶାନ୍ତ ଶ୍ରୀଲଙ୍କା ବିପକ୍ଷରେ ୩୪ ରନ୍ ଦେଇ ୪ଟି ୱିକେଟ୍ ନେଇଥିଲେ।

ସର୍ବାଧିକ ପାର୍ଟନରଶିପ୍‌: ବାରବାଟୀରେ ସର୍ବାଧିକ ପାର୍ଟନରଶିପର ରେକର୍ଡ ମହମ୍ମଦ ଆଝାରୁଦ୍ଦିନ ଓ ଅଜୟ ଜାଡେଜାଙ୍କ ନାଁରେ ରହିଛି । ଦୁହେଁ ୧୯୯୮ରେ ଜିମ୍ବାୱେ ବିପକ୍ଷ ମ୍ୟାଚରେ ଚତୁର୍ଥ ୱିକେଟ୍ ପାଇଁ ଅପରାଜିତ ୨୭୫ ରନ୍ ଯୋଡ଼ିଥିଲେ। ସେହିପରି ୨୦୧୭ରେ ଇଂଲଣ୍ଡ ବିପକ୍ଷ ମ୍ୟାଚରେ ଯୁବରାଜ ସିଂହ ଓ ମହେନ୍ଦ୍ର ସିଂହ ଧୋନି ଚତୁର୍ଥ ୱିକେଟ୍ ପାଇଁ ୨୫୬ ରନର ଭାଗୀଦାରୀ କରିଥିଲେ, ଯାହାକି ବାରବାଟୀରେ ଦ୍ୱିତୀୟ ବଡ଼ ପାର୍ଟନରଶିପ୍। ୨୦୧୪ରେ ଶ୍ରୀଲଙ୍କା ବିପକ୍ଷ ମ୍ୟାଚରେ ଆଜିଙ୍କ୍ୟ ରାହାଣେ ଓ ଶିଖର ଧୱନ୍ ପ୍ରଥମ ୱିକେଟ୍ ପାଇଁ ୨୩୧ ରନ୍ ଯୋଡ଼ିଥିଲେ।

୨୦୦୩ରେ ପ୍ରଥମଥର ଦିବାରାତ୍ର ମ୍ୟାଚ୍‌: ୧୯୮୨ରୁ ୨୦୦୩ ପର୍ଯ୍ୟନ୍ତ ବାରବାଟୀରେ ଦିବା ଆଲୋକରେ ମ୍ୟାଚ୍ ଖେଳାଯାଉଥିଲା। ଏହା ମଧ୍ୟରେ ବାରବାଟୀରେ ୧୨ଟି ମ୍ୟାଚ୍ ଖେଳାଯାଇଥିଲା। କିନ୍ତୁ ୨୦୦୩ରେ କପିଲ ଦେବଙ୍କ ସହଯୋଗରେ ବାରବାଟୀରେ ପ୍ରଥମଥର ଲାଗି ଫ୍ଲଡଲାଇଟ୍ ଲଗାଯାଇଥିଲା। ଏହାପରେ ଭାରତ ଓ ନ୍ୟୁଜିଲ୍ୟାଣ୍ଡ୍ ମଧ୍ୟରେ ଏଠାରେ ପ୍ରଥମଥର ଦିବାରାତ୍ର ମ୍ୟାଚ୍ ଖେଳାଯାଇଥିଲା, ଯେଉଁଥିରେ ଭାରତ ୪ ୱିକେଟ୍ ହାରିଯାଇଥିଲା। ଏହା ପରେ ସବୁଯାକ ମ୍ୟାଚ୍ ଦିବାରାତ୍ର ଖେଳାଯାଇଥିଲା।

ବର୍ଷା ଧୋଇଛି ଦୁଇଟି ମ୍ୟାଚ୍‌: ବାରବାଟୀରେ ଦୁଇଟି ମ୍ୟାଚ୍ ବର୍ଷା ଯୋଗୁ ବାତିଲ ହୋଇଛି । ତେବେ ସେହି ଦୁଇଟି ମ୍ୟାଚ୍ ପୁଣି ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବାର ଥିଲା। ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ପ୍ରଥମଥର ପାଇଁ ୧୯୯୬ରେ ଏଠାରେ ମ୍ୟାଚ୍ ଖେଳାଯିବା ପାଇଁ ସ୍ଥିର ହୋଇଥିଲା। କିନ୍ତୁ ବର୍ଷା ଯୋଗୁ ଏହି ମ୍ୟାଚରେ ଗୋଟିଏ ବି ବଲ୍ ପଡ଼ିପାରି ନଥିଲା। ଏହା ପରେ ୨୦୧୩ରେ ଭାରତ ଓ ଅଷ୍ଟ୍ରେଲିଆ ଆଉ ଏକ ଦିନିକିଆ ପାଇଁ ବାରବାଟୀକୁ ବଛା ଯାଇଥିଲା। କିନ୍ତୁ ସେଥର ମଧ୍ୟ ବର୍ଷା ମ୍ୟାଚରେ ବାଧା ସୃଷ୍ଟି କରିଥିଲା। ୨୦୧୩ରେ ବାତ୍ୟା ଯୋଗୁ ଏହି ମ୍ୟାଚ୍ ବାତିଲ ହୋଇଥିଲା । ଉଭୟ ବାତିଲ ମ୍ୟାଚ୍ ପାଇଁ ଟିକେଟ୍ ବିକ୍ରି ସରିଯାଇଥିଲା। ତେଣୁ ମ୍ୟାଚ୍ ନହେବାରୁ ଦର୍ଶକଙ୍କୁ ଟିକେଟ୍ ଅର୍ଥ ଫେରସ୍ତ କରାଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos