ନୂଆଦିଲ୍ଲୀ: ଚାମ୍ପିଅନ୍ସ ଟ୍ରଫି ହକିରେ ଭାରତର ଲଗାତର ଦ୍ୱିତୀୟ ବିଜୟ। ଆଜି ଅଲିମ୍ପିକ ଚାମ୍ପିଅନ ଆର୍ଜେଣ୍ଟିନାକୁ ୨-୧ ଗୋଲରେ ପରାସ୍ତ କରିଛି ଭାରତ। ମ୍ୟାଚ୍ ଆରମ୍ଭରୁ ହିଁ ପ୍ରାଧାନ୍ୟ ବିସ୍ତାର କରି ରଖିଥିଲା ଭାରତୀୟ ଟିମ୍। ମ୍ୟାଚର ୧୭ ତମ ମିନିଟ୍ରେ ହରମନପ୍ରୀତ ସିଂ ଓ ୨୮ ତମ ମିନିଟରେ ମନଦୀପ ସିଂହ ଗୋଲ୍ କରିଥିଲେ। ଆର୍ଜେଣ୍ଟିନା ପକ୍ଷରୁ ମାତିଆସ ପାରେଡେସ୍ ୩୦ତମ ମିନିଟ୍ରେ ଏକ ଗୋଲ କରିବାକୁ ସକ୍ଷମ ହୋଇଥିଲେ।
ଭାରତ ଏହାର ପୂର୍ବ ମ୍ୟାଚରେ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ୪-୦ ଗୋଲରେ ଅତି ଶୋଚନୀୟ ଭାବରେ ପରାସ୍ତ କରିଥିଲା। ଆଜିର ବିଜୟ ସହ ଭାରତ ୬ ପଏଣ୍ଟ ସହ ପଏଣ୍ଟ ଟେବୁଲରେ ଶୀର୍ଷରେ ରହିଛି।
ନେଦରଲାଣ୍ଡର ବ୍ରେଦାରେ ଚଳିତ ପୁରୁଷ ହକି ଚାମ୍ପିଅନ୍ସ ଟ୍ରଫି ଖେଳା ଯାଉଛି। ଜୁନ୍ ୨୩ ତାରିଖରୁ ଏହା ଆରମ୍ଭ ହୋଇଥିବା ବେଳେ ଜୁଲାଇ ୧ ତାରିଖରେ ଶେଷ ହେବ।