ଟିମ୍ ଇଣ୍ଡିଆକୁ ଆଉ ଏକ ଝଟକା, ଏହି ପେସ୍ ବୋଲର ଦିନିକିଆ ସିରିଜରୁ ବାଦ୍‌

ଚେନ୍ନାଇ: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଦିନିକିଆ ସିରିଜ୍ ପୂର୍ବରୁ ଟିମ୍ ଇଣ୍ଡିଆକୁ ଆଉ ଏକ ଶକ୍ତ ଝଟକା ଲାଗିଛି। ଶିଖର୍ ଧୱନଙ୍କ ପରେ ଟିମର ଷ୍ଟାର୍ ପେସ୍ ବୋଲର ଭୁବନେଶ୍ୱର କୁମାର ମଧ୍ୟ ଆହତ କାରଣରୁ ଦିନିକିଆ ସିରିଜରୁ ବାଦ୍ ପଡ଼ିଛନ୍ତି। ତାଙ୍କ ସ୍ଥାନରେ ମୁମ୍ବାଇ ପେସ୍ ବୋଲର ଶାର୍ଦ୍ଦୁଲ ଠାକୁରଙ୍କୁ ସାମିଲ୍ କରାଯାଇପାରେ। ତେବେ ଏ ନେଇ ବିସିସିଆଇ ପକ୍ଷରୁ ଆନୁଷ୍ଠାନିକ ଭାବେ କୌଣସି ସୂଚନା ମିଳିନାହିଁ। ନିକଟରେ ୱେଷ୍ଟଇଣ୍ଡିଜ୍ ବିପକ୍ଷ ଶେଷ ହୋଇଥିବା ଟି-୨୦ ସିରିଜର […]

bhuvi1

Ranjit Kumar Jena
  • Published: Friday, 13 December 2019
  • , Updated: 13 December 2019, 09:01 PM IST

ଚେନ୍ନାଇ: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଦିନିକିଆ ସିରିଜ୍ ପୂର୍ବରୁ ଟିମ୍ ଇଣ୍ଡିଆକୁ ଆଉ ଏକ ଶକ୍ତ ଝଟକା ଲାଗିଛି। ଶିଖର୍ ଧୱନଙ୍କ ପରେ ଟିମର ଷ୍ଟାର୍ ପେସ୍ ବୋଲର ଭୁବନେଶ୍ୱର କୁମାର ମଧ୍ୟ ଆହତ କାରଣରୁ ଦିନିକିଆ ସିରିଜରୁ ବାଦ୍ ପଡ଼ିଛନ୍ତି। ତାଙ୍କ ସ୍ଥାନରେ ମୁମ୍ବାଇ ପେସ୍ ବୋଲର ଶାର୍ଦ୍ଦୁଲ ଠାକୁରଙ୍କୁ ସାମିଲ୍ କରାଯାଇପାରେ। ତେବେ ଏ ନେଇ ବିସିସିଆଇ ପକ୍ଷରୁ ଆନୁଷ୍ଠାନିକ ଭାବେ କୌଣସି ସୂଚନା ମିଳିନାହିଁ।

ନିକଟରେ ୱେଷ୍ଟଇଣ୍ଡିଜ୍ ବିପକ୍ଷ ଶେଷ ହୋଇଥିବା ଟି-୨୦ ସିରିଜର ଅନ୍ତିମ ମ୍ୟାଚରେ ଭୁବିଙ୍କୁ ଆଘାତ ଲାଗିଥିଲା। ହାମଷ୍ଟ୍ରିଙ୍ଗ୍ ଇଞ୍ଜୁରି କାରଣରୁ ଏହି ପେସ୍ ବୋଲର ଜଣକ ୪ମାସ ପରେ ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ଓ ଦିନିକିଆ ସିରିଜକୁ କମବ୍ୟାକ୍ କରିଥିଲେ। ବୁଧବାର ୱେଷ୍ଟଇଣ୍ଡିଜ୍ ବିପକ୍ଷ ଅନ୍ତିମ ଟି-୨୦ ମ୍ୟାଚରେ ଭୁବି ଭଲ ପ୍ରଦର୍ଶନ କରିଥିଲେ। ଉକ୍ତ ମ୍ୟାଚରେ ଭାରତ ୬୭ ରନରେ ବିଜୟୀ ହୋଇ ତିନିମ୍ୟାଚ୍ ବିଶିଷ୍ଟ ସିରିଜକୁ ୨-୧ରେ ଜିତିଥିଲା। ତେବେ ଏହି ମ୍ୟାଚରେ ହିଁ ଭୁବିଙ୍କୁ ଆଘାତ ଲାଗିଥିବା କୁହାଯାଉଛି। କିନ୍ତୁ ଏହି ଆହତର କାରଣ ଏପର୍ଯ୍ୟନ୍ତ ଜଣାପଡ଼ି ନାହିଁ। କିନ୍ତୁ କୁହାଯାଉଛି ଯେ, ହାମଷ୍ଟ୍ରିଙ୍ଗ୍ ସହ ତାଙ୍କର ଆହତର କୌଣସି ସମ୍ପର୍କ ନାହିଁ।

ଭୁବିଙ୍କ ଆହତ ହେବା କିଛି ନୂଆ କଥା ନୁହେଁ। ଗତ ୨୦ ମାସ ହେବ ଭୁବି ଏକାଧିକଥର ଆହତ କାରଣରୁ ଟିମରୁ ବାଦ୍ ପଡ଼ିଛନ୍ତି । ଗତବର୍ଷ ଦକ୍ଷିଣ ଆଫ୍ରିକା ଗସ୍ତ ପରଠାରୁ ଏହି ପେସର୍ ଜଣକ ଗୋଟିଏ ବି ଟେଷ୍ଟ ମ୍ୟାଚ୍ ଖେଳିନାହାନ୍ତି। ଏପରିକି ୨୦୧୮ରେ ଇଂଲଣ୍ଡ ଗସ୍ତରୁ ମଧ୍ୟ ସେ ବାଦ୍ ପଡ଼ିଥିଲେ। ଚଳିତ ବର୍ଷ ପାକିସ୍ତାନ ବିପକ୍ଷ ବିଶ୍ୱକପ୍ ମ୍ୟାଚରେ ଭୁବିଙ୍କୁ ହାମଷ୍ଟ୍ରିଙ୍ଗ୍ ଇଞ୍ଜୁରି ହୋଇଥିଲା। ଏହା ସତ୍ତ୍ୱେ ସେ ପୂରା ଟୁର୍ଣ୍ଣାମେଣ୍ଟ ଖେଳିଥିଲେ। ତେବେ ବିଶ୍ୱକପ୍ ପରେ ସେ ସମ୍ପୂର୍ଣ୍ଣ ବିଶ୍ୱାମ ନେଇଥିଲେ ଏବଂ ଚାରିମାସ ପରେ ଜାତୀୟ ଦଳକୁ ଫେରିଥିଲେ। ଆଗକୁ ନ୍ୟୁଜିଲ୍ୟାଣ୍ଡ ଭଳି ମହତ୍ତ୍ୱପୂର୍ଣ୍ଣ ଗସ୍ତ ପୂର୍ବରୁ ଭୁବି ପୁଣିଥରେ ଆହତ ହେବା ଟିମ୍ ମ୍ୟାନେଜମେଣ୍ଟକୁ ଚିନ୍ତାରେ ପକାଇ ଦେଇଛି।

ସୂଚନାଯୋଗ୍ୟ, ଭୁବିଙ୍କ ପୂର୍ବରୁ ଟିମ୍ ଇଣ୍ଡିଆର ଓପନିଂ ବ୍ୟାଟ୍ସମ୍ୟାନ୍ ଶିଖର ଧୱନ୍ ମଧ୍ୟ ଆହତ କାରଣରୁ ଦିନିକିଆ ସିରିଜରୁ ବାଦ୍ ପଡ଼ିଛନ୍ତି। ଗତମାସରେ ସୟଦ ମୁସ୍ତାକ୍ ଅଲୀ ଟି-୨୦ ଟ୍ରଫିରେ ମହାରାଷ୍ଟ୍ର ବିପକ୍ଷ ମ୍ୟାଚରେ ଧୱନଙ୍କ ଆଣ୍ଠୁରେ ଶକ୍ତ ଆଘାତ ଲାଗିଥିଲା, ଯେଉଁକାରଣୁ ସେ ଟି-୨୦ ସ୍କ୍ୱାଡରୁ ବାଦ୍ ପଡ଼ିଥିଲେ ଏବ ତାଙ୍କ ସ୍ଥାନରେ ସଞ୍ଜୁ ସାମସନଙ୍କୁ ସାମିଲ୍ କରାଯାଇଥିଲା। ଦିନିକିଆ ସିରିଜରେ ଧୱନଙ୍କ ସ୍ଥାନରେ ମୟଙ୍କ ଅଗ୍ରୱାଲଙ୍କୁ ସାମିଲ୍ କରାଯାଇଛି।

Related story