ମୋହଲି: ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଟେଷ୍ଟରେ ଗତକାଲି ରବୀନ୍ଦ୍ର ଜାଡ଼େଜା ଭାରତ ପାଇଁ ୭ମ ୱିକେଟରେ ସର୍ବାଧିକ ବ୍ୟକ୍ତିଗତ ସ୍କୋର କରିଥିବା ଖେଳାଳି ଭାବେ ଗୌରବ ଅର୍ଜନ କରିଥିଲେ। ଆଉ ଆଜି ସେ ଅନ୍ୟ ଏକ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ଗୋଟିଏ ଟେଷ୍ଟରେ ୧୫୦ରୁ ଅଧିକ ରନ୍ କରିବା ଓ ତା’ ସହିତ ୫ଟି ୱିକେଟ୍ ନେବାରେ ସେ ବନି ଯାଇଛନ୍ତି ବିଶ୍ୱର ଷଷ୍ଠ କ୍ରିକେଟର। ତାଙ୍କ ପୂର୍ବରୁ ବିନୁ ମଙ୍କଡ଼, ଡେନିସ୍ ଆଟ୍କିନ୍ସନ୍, ପଲି ଉମ୍ରିଗର, ଗ୍ୟାରୀ ସୋବର୍ସ ଓ ମୁସ୍ତାକ ମହମ୍ମଦଙ୍କୁ ଏହି ସଫଳତା ମିଳିଥିଲା।
ଭାରତର ପ୍ରଥମ ଇନିସଂରେ ୭ ନମ୍ବରରେ ବ୍ୟାଟିଂ କରିବାକୁ ଆସିଥିବା ଜାଡ଼େଜା ୧୭୫ ରନ୍ କରି ଅପରାଜିତ ରହିଥିଲେ। ସେ ୨୨୮ଟି ବଲ୍ର ସମ୍ମୁଖୀନ ହୋଇଥିବା ବେଳେ ୧୭ଟି ଚୌକା ଓ ୩ଟି ଛକା ମାରିଥିଲେ।
ବ୍ୟାଟ୍ ଭଳି ବଲ୍ରେ ବି ଜାଡ଼େଜାଙ୍କ ଯାଦୁ ଦେଖିବାକୁ ମିଳିଥିଲା। ଶ୍ରୀଲଙ୍କାର ପ୍ରଥମ ଇନିଂସରୁ ସେ ୫ଟି ୱିକେଟ୍ ପାଇଥିଲେ। ୧୩ ଓଭର ବୋଲିଂ କରିଥିବା ଜାଡ଼େଜା ୪୧ ରନ୍ ଦେଇଥିଲେ। ଏହି ୧୩ ଓଭରରୁ ୪ଟି ମେଡେନ୍ ଓଭର ଥିଲା।
ପ୍ରଥମ ଇନିଂସ୍ରେ ଶ୍ରୀଲଙ୍କା ୧୭୪ ରନ୍ରେ ଅଲ୍ଆଉଟ୍ ହୋଇଯିବାରୁ ଭାରତ ଫଲୋ-ଅନ୍ ଦେଇଛନ୍ତି। ଫଳରେ ଭ୍ରମଣକାରୀ ଦଳ ତା’ର ଦ୍ୱିତୀୟ ଇନିଂସ ଖେଳ ଆରମ୍ଭ କରିଛି।
ସୂଚନାଯୋଗ୍ୟ, ଗତକାଲି ଭାରତ ୮ଟି ୱିକେଟ୍ ହରାଇ ୫୭୪ ରନ୍ କରିଥିବା ବେଳେ ଅଧିନାୟକ ରୋହିତ ଶର୍ମା ପାଳି ଘୋଷଣା କରିଥିଲେ।