ବୁମ୍ରା ପାଇଲେ ବିସିସିଆଇର ଦୁଇ ବଡ଼ ପୁରସ୍କାର

ମୁମ୍ବାଇ: ଭାରତୀୟ ପେସ୍ ଆକ୍ରମଣର ମୁଖ୍ୟ ଅସ୍ତ୍ର ସାଜିଥିବା ଯଶପ୍ରୀତ ବୁମ୍ରାଙ୍କୁ ୨୦୧୮-୨୦୧୯ରେ ଅନ୍ତର୍ଜାତୀୟ କ୍ରିକେଟରେ ଦମଦାର ପ୍ରଦର୍ଶନ ଯୋଗୁ ସମ୍ମାନଜନକ ପଲି ଉମ୍ରିଗର ପୁରସ୍କାରରେ ସମ୍ମାନିତ କରାଯାଇଛି। ରବିବାର ମୁମ୍ବାଇରେ ଆୟୋଜିତ ବିବିସିଆଇର ବାର୍ଷିକ ପୁରସ୍କାର ସମାରୋହରେ ବୁମ୍ରାଙ୍କୁ ଏହି ପୁରସ୍କାର ଦିଆଯାଇଛି। ବୁମ୍ରାଙ୍କୁ ସାଇଟେସନ୍, ଟ୍ରଫି ଓ ୧୫ଲକ୍ଷ ଟଙ୍କାର ଚେକ୍ ପ୍ରଦାନ କରାଯାଇଛି। ବିଶ୍ୱର ଏକ ନମ୍ବର ଦିନିକିଆ ବୋଲର ବୁମ୍ରା ଜାନୁଆରୀ, ୨୦୧୮ରେ ଭାରତର ଦକ୍ଷିଣ ଆଫ୍ରିକା ଗସ୍ତରେ ଟେଷ୍ଟ କ୍ରିକେଟରେ […]

bumrah1

Ranjit Kumar Jena
  • Published: Sunday, 12 January 2020
  • , Updated: 12 January 2020, 10:09 PM IST

ମୁମ୍ବାଇ: ଭାରତୀୟ ପେସ୍ ଆକ୍ରମଣର ମୁଖ୍ୟ ଅସ୍ତ୍ର ସାଜିଥିବା ଯଶପ୍ରୀତ ବୁମ୍ରାଙ୍କୁ ୨୦୧୮-୨୦୧୯ରେ ଅନ୍ତର୍ଜାତୀୟ କ୍ରିକେଟରେ ଦମଦାର ପ୍ରଦର୍ଶନ ଯୋଗୁ ସମ୍ମାନଜନକ ପଲି ଉମ୍ରିଗର ପୁରସ୍କାରରେ ସମ୍ମାନିତ କରାଯାଇଛି। ରବିବାର ମୁମ୍ବାଇରେ ଆୟୋଜିତ ବିବିସିଆଇର ବାର୍ଷିକ ପୁରସ୍କାର ସମାରୋହରେ ବୁମ୍ରାଙ୍କୁ ଏହି ପୁରସ୍କାର ଦିଆଯାଇଛି। ବୁମ୍ରାଙ୍କୁ ସାଇଟେସନ୍, ଟ୍ରଫି ଓ ୧୫ଲକ୍ଷ ଟଙ୍କାର ଚେକ୍ ପ୍ରଦାନ କରାଯାଇଛି। ବିଶ୍ୱର ଏକ ନମ୍ବର ଦିନିକିଆ ବୋଲର ବୁମ୍ରା ଜାନୁଆରୀ, ୨୦୧୮ରେ ଭାରତର ଦକ୍ଷିଣ ଆଫ୍ରିକା ଗସ୍ତରେ ଟେଷ୍ଟ କ୍ରିକେଟରେ ପଦାର୍ପଣ କରିଥିଲେ ଏବଂ ଏହା ପରଠାରୁ ସେ ଆଉ ପଛକୁ ଫେରି ଚାହିଁନାହାନ୍ତି। ନିକଟରେ ଅର୍ଜୁନ ପୁରସ୍କାରପାପ୍ତ ଭାରତୀୟ ମହିଳା କ୍ରିକେଟ୍ ଟିମର ଷ୍ଟାର୍ ସ୍ପିନର୍ ପୁନମ୍ ଯାଦବଙ୍କୁ ମଧ୍ୟ ବିସିସିଆଇ ପକ୍ଷରୁ ପଲି ଉମ୍ରିଗର ପୁରସ୍କାରରେ ସମ୍ମାନିତ କରାଯାଇଛି।

ବୁମ୍ରା ଟେଷ୍ଟ କ୍ରିକେଟରେ ଦକ୍ଷିଣ ଆଫ୍ରିକା, ଇଂଲଣ୍ଡ, ଅଷ୍ଟ୍ରେଲିଆ ଓ ୱେଷ୍ଟଇଣ୍ଡିଜରେ ଗୋଟିଏ ଇନିଂସରେ ପାଞ୍ଚ ୱିକେଟ୍ ନେବାର କାରନାମା କରିଛନ୍ତି ଏବଂ ଏହି ଉପଲବ୍ଧି ହାସଲ କରିବାରେ ସେ ଏସିଆର ଏକମାତ୍ର ବୋଲର ହୋଇଛନ୍ତି। ବୁମ୍ରା ଟେଷ୍ଟ କ୍ରିକେଟରେ ହ୍ୟାଟ୍ରିକ୍ ସଫଳତା ମଧ୍ୟ ହାସଲ କରିଛନ୍ତି। ସେ ଜାମାଇକାର ସାବିନା ପାର୍କରେ ନିଜର ହ୍ୟାଟ୍ରିକ୍ ଦ୍ୱାରା ୱେଷ୍ଟଇଣ୍ଡିଜ୍ ବ୍ୟାଟିଂଲାଇନକୁ ସମ୍ପୂର୍ଣ୍ଣ ଧ୍ୱଂସ କରିଦେଇଥିଲେ। ସେ ସେ ତୃତୀୟ ଭାରତୀୟ ବୋଲର ଭାବେ ଏହି କାରନାମା କରିଥିଲେ।

'ୟର୍କର୍‌' ସ୍ପେଶାଲିଷ୍ଟ ବୁମ୍ରା ଭାରତକୁ ଅଷ୍ଟ୍ରେଲିଆରେ ୨-୧ରେ ଐତିହାସିକ ସିରିଜ୍ ଜିତାଇବାରେ ପ୍ରମୁଖ ଭୂମିକା ବହନ କରିଥିଲେ, ଯାହା ବଳରେ ଭାରତ ବର୍ଡର-ଗାଭାସ୍କର ଟ୍ରଫି କାଏମ ରଖିବାରେ ସଫଳ ହୋଇଥିଲା। ବୁମ୍ରାଙ୍କୁ ପଲି ଉମ୍ରିଗର ପୁରସ୍କାର ସହ ୨୦୧୮-୧୯ ବର୍ଷରେ ଟେଷ୍ଟ କ୍ରିକେଟରେ ସର୍ବାଧିକ ୱିକେଟ୍ ନେବା ପାଇଁ ଦିଲୀପ ସରଦେଶାଇ ପୁରସ୍କାର ମଧ୍ୟ ମିଳିଛି। ଭାରତର ପୂର୍ବତନ କ୍ୟାପଟେନ୍ କ୍ରିଷ୍ଣମଚାରି ଶ୍ରୀକାନ୍ତ ଏବଂ ଅଞ୍ଜୁମ ଚୋପ୍ରାଙ୍କୁ ଯଥାକ୍ରମେ କର୍ଣ୍ଣଲ ସିକେ ନାଇଡୁ ଲାଇଫଟାଇମ୍ ଆଚିଭମେଣ୍ଟ ପୁରସ୍କାର ଓ ମହିଳାଙ୍କ ମଧ୍ୟରେ ବିସିସିଆଇ ଲାଇଫଟାଇମ୍ ଆଚିଭମେଣ୍ଟ ପୁରସ୍କାର ପ୍ରଦାନ କରାଯାଇଛି।

ଶ୍ରୀକାନ୍ତ ୪୩ ଟେଷ୍ଟ ଖେଳିଛନ୍ତି, ଯେଉଁଥିରେ ସେ ୨ ଶତକ ଓ ୧୨ ଅର୍ଦ୍ଧଶତକ ସହ ୨୦୬୨ ରନ୍ କରିଛନ୍ତି। କିନ୍ତୁ ଦିନିକିଆ କ୍ରିକେଟରେ ସେ ନିଜ ବ୍ୟାଟରେ ଖୁବ୍ ଧମାକା କରିଥିଲେ। ପେସ୍ ବୋଲରଙ୍କ ବିପକ୍ଷରେ ତାଙ୍କର ନିର୍ଭୀକ ବ୍ୟାଟିଂ ଖୁବ୍ ଚର୍ଚ୍ଚା ସାଉଁଣ୍ଟିଥିଲା। ବିଶ୍ୱକପ୍ ଫାଇନାଲରେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ସେ ସର୍ବାଧିକ ୩୮ ରନ୍ କରିଥିଲେ। ଶ୍ରୀକାନ୍ତଙ୍କୁ ୧୯୮୯ରେ ପାକିସ୍ତାନ ଗସ୍ତ ପାଇଁ କ୍ୟାପଟେନ୍ ଭାବେ ନିଯୁକ୍ତ କରାଯାଇଥିଲା। ଏହା ସେହି ସିରିଜ୍ ଥିଲା, ଯେଉଁଥିରେ ସଚିନ ତେନ୍ଦୁଲକର ଅନ୍ତର୍ଜାତୀୟ କ୍ରିକେଟରେ ପଦାର୍ପଣ କରିଥିଲେ। ଏହି ସିରିଜ୍ ଡ୍ର' ରହିଥିଲା, କିନ୍ତୁ ଏହା ପରେ ତାଙ୍କୁ କ୍ୟାପଟେନ୍ ପଦରୁ ହଟାଇ ଦିଆଯାଇଥିଲା। ସେ ୧୯୯୨ ବିଶ୍ୱକପ୍ ପରେ ସନ୍ନ୍ୟାସ ନେଇଥିଲେ। ଶ୍ରୀକାନ୍ତ ୨୦୦୯ରୁ ୨୦୧୨ ପର୍ଯ୍ୟନ୍ତ ଚୟନକମିଟି ଅଧ୍ୟକ୍ଷ ମଧ୍ୟ ଥିଲେ।

ଅନ୍ୟପକ୍ଷରେ ଅଞ୍ଜୁମ ଚୋପ୍ରାଙ୍କୁ ମିତାଲି ରାଜଙ୍କ ପୂର୍ବରୁ ଭାରତର ସର୍ବଶ୍ରେଷ୍ଠ ମହିଳା ବ୍ୟାଟ୍ସଓମ୍ୟାନ୍ କୁହାଯାଉଥିଲା। ସେ ୧୨ ଟେଷ୍ଟ ମ୍ୟାଚରେ ୫୪୮ ରନ୍ କରିଛନ୍ତି। ଏହାସହ ଅଞ୍ଜୁମ ୧୨୭ ଦିନିକିଆ ଖେଳି ଗୋଟିଏ ଶତକ ଓ ୧୮ ଅର୍ଦ୍ଧଶତକ ହାସଲ କରିଛନ୍ତି। ସେ ୧୮ ଟି-୨୦ ମ୍ୟାଚ୍ ମଧ୍ୟ ଖେଳିଛନ୍ତି। ସେହିପରି ମୟଙ୍କ ଅଗ୍ରୱାଲଙ୍କୁ ଶ୍ରେଷ୍ଠ ଅନ୍ତର୍ଜାତୀୟ ପୁରୁଷ ଡେବ୍ୟୁ ଏବଂ ଶେଫାଳୀ ବର୍ମାଙ୍କୁ ମହିଳା ଡେବ୍ୟୁଟାଣ୍ଟ୍ ପୁରସ୍କାର ପ୍ରଦାନ କରାଯାଇଛି। ଟେଷ୍ଟ ସ୍ପେଶାଲିଷ୍ଟ ଚେତେଶ୍ୱର ପୂଜାରାଙ୍କୁ ୨୦୧୮-୧୯ ବର୍ଷରେ ଟେଷ୍ଟରେ ସର୍ବାଧିକ ରନ୍ କରିଥିବାରୁ ଦିଲୀପ ସରଦେଶାଇ ପୁରସ୍କାର, ସ୍ମୃତି ମନ୍ଧାନାଙ୍କୁ ୨୦୧୮-୧୯ରେ ଦିନିକିଆରେ ସର୍ବାଧିକ ରନ୍ ପାଇଁ ପୁରସ୍କୃତ କରାଯାଇଛି।

୨୦୧୮-୧୯ରେ ଘରୋଇ କ୍ରିକେଟରେ ସଫଳ ଅମ୍ପାୟାରିଂ ପାଇଁ ବୀରେନ୍ଦ୍ର ଶର୍ମାଙ୍କୁ ପୁରସ୍କୃତ କରାଯାଇଥିବା ବେଳେ ଘରୋଇ କ୍ରିକେଟରେ ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ବିଦର୍ଭକୁ, ରଣଜୀ ଟ୍ରଫିରେ ଅଲରାଉଣ୍ଡର ପ୍ରଦର୍ଶନ ପାଇଁ ଶିବମ ଦୁବେଙ୍କୁ ଲାଲା ଅମରନାଥ ପୁରସ୍କାର, ଘରୋଇ କ୍ରିକେଟରେ ସୀମିତ ଓଭରରେ ଅଲରାଉଣ୍ଡର ପ୍ରଦର୍ଶନ ପାଇଁ ନୀତୀଶ ରାଣାଙ୍କୁ ଲାଲା ଅମରନାଥ ପୁରସ୍କାର ପ୍ରଦାନ କରାଯାଇଛି।

Related story