ଆସନ୍ତାକାଲି ଭାରତର ଦକ୍ଷିଣ ଆଫ୍ରିକା ପରୀକ୍ଷା

ଧର୍ମଶାଲା: ୱେଷ୍ଟଇଣ୍ଡିଜ୍‌ ପରେ ଏବେ ଘରୋଇ ମାଟିରେ ଟିମ୍‌ ଇଣ୍ଡିଆ ଦକ୍ଷିଣ ଆଫ୍ରିକା ବିପକ୍ଷରେ ତା’ର ଅଭିଯାନ ଆରମ୍ଭ କରିବ। ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଅନୁଷ୍ଠିତ ହେବାକୁ ଥିବା ୩ଟିକିଆ ଟି-୨୦ ସିରିଜ୍‌ର ପ୍ରଥମ ମ୍ୟାଚ୍‌ ଆସନ୍ତାକାଲି ଧର୍ମଶାଲାରେ ଖେଳାଯିବ। ଭାରତୀୟ ସମୟ ସନ୍ଧ୍ୟା ୭ଟାରେ ଏହି ମ୍ୟାଚ୍‌ ଆରମ୍ଭ ହେବ। ୱେଷ୍ଟଇଣ୍ଡିଜ୍‌ ବିପକ୍ଷ ଟି-୨୦ ସିରିଜ୍‌କୁ ୩-୦ରେ କବଜା କରିଥିବା ବିରାଟ୍‌ ବାହିନୀ ଘରୋଇ ମାଟିରେ ନିଜର ଦବଦବା ଜାରି ରଖିବାକୁ ଉଦ୍ୟମ […]

e

Hemant Lenka
  • Published: Saturday, 14 September 2019
  • , Updated: 14 September 2019, 03:54 PM IST

ଧର୍ମଶାଲା: ୱେଷ୍ଟଇଣ୍ଡିଜ୍‌ ପରେ ଏବେ ଘରୋଇ ମାଟିରେ ଟିମ୍‌ ଇଣ୍ଡିଆ ଦକ୍ଷିଣ ଆଫ୍ରିକା ବିପକ୍ଷରେ ତା’ର ଅଭିଯାନ ଆରମ୍ଭ କରିବ। ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଅନୁଷ୍ଠିତ ହେବାକୁ ଥିବା ୩ଟିକିଆ ଟି-୨୦ ସିରିଜ୍‌ର ପ୍ରଥମ ମ୍ୟାଚ୍‌ ଆସନ୍ତାକାଲି ଧର୍ମଶାଲାରେ ଖେଳାଯିବ। ଭାରତୀୟ ସମୟ ସନ୍ଧ୍ୟା ୭ଟାରେ ଏହି ମ୍ୟାଚ୍‌ ଆରମ୍ଭ ହେବ।

ୱେଷ୍ଟଇଣ୍ଡିଜ୍‌ ବିପକ୍ଷ ଟି-୨୦ ସିରିଜ୍‌କୁ ୩-୦ରେ କବଜା କରିଥିବା ବିରାଟ୍‌ ବାହିନୀ ଘରୋଇ ମାଟିରେ ନିଜର ଦବଦବା ଜାରି ରଖିବାକୁ ଉଦ୍ୟମ କରିବ। ଆସନ୍ତା ବର୍ଷ ଅଷ୍ଟ୍ରେଲିଆରେ ଟି-୨୦ ବିଶ୍ୱକପ୍‌ ଆରମ୍ଭ ହେବ। ତେଣୁ ଏହାକୁ ଦୃଷ୍ଟିରେ ରଖି ବିରାଟ୍‌ ଆଣ୍ଡ କୋ ଏବେ ଠାରୁ ଏଥିପାଇଁ ପ୍ରସ୍ତୁତି ଆରମ୍ଭ କରିବାକୁ ଲକ୍ଷ୍ୟ ରଖିଛନ୍ତି।

ଆସନ୍ତାକାଲି ମ୍ୟାଚ୍‌ରେ ଟିମ୍‌ର ଯୁବ ତାରକା ତଥା ୱିକେଟ୍‌ କିପର ରିଷଭ ପନ୍ତଙ୍କ ଉପରେ ସମସ୍ତ ନଜର ରହିବ। କାରଣ ୱେଷ୍ଟଇଣ୍ଡିଜ୍‌ ବିପକ୍ଷ ୩ଟି ଯାକ ଟି-୨୦ରୁ କେବଳ ଗୋଟିଏ ମ୍ୟାଚ୍‌ରେ ସେ ଅର୍ଦ୍ଧଶତକ ହାସଲ କରିଥିଲେ। ଏହା ସତ୍ତ୍ୱେ ମଧ୍ୟ ଟିମ୍‌ ମ୍ୟାନେଜମେଣ୍ଟ ପନ୍ତଙ୍କ ଉପରେ ଅଧିକ ଭରସା କରିଛି। ମହେନ୍ଦ୍ର ସିଂହ ଧୋନିଙ୍କ ଅନୁପସ୍ଥିତିରେ ସେ ହିଁ ଦଳର ପ୍ରମୁଖ ୱିକେଟ୍‌ କିପର। ଏବେ ଠାରୁ ପନ୍ତଙ୍କୁ ୨୦୨୦ ଟି-୨୦ ବିଶ୍ୱକପ୍‌ ପାଇଁ ପ୍ରସ୍ତୁତ କରିବାକୁ ବିସିସିଆଇ ଫୁଲଦମରେ ଲାଗି ପଡ଼ିଛି।

ଏହାବାଦ୍‌ ଶ୍ରେୟସ ଆୟର ୱେଷ୍ଟଇଣ୍ଡିଜ୍ ବିପକ୍ଷ ଦିନିକିଆ ସିରିଜରେ ଭଲ ପ୍ରଦର୍ଶନ କରିଥିଲେ। ହେଲେ ତାଙ୍କୁ ଟି-୨୦ରେ ଆଦୌ ସୁଯୋଗ ଦିଆଯାଇ ନଥିଲା। ତାଙ୍କ ବଦଳରେ ମନୀଷ ପାଣ୍ଡେଙ୍କୁ ଦଳ ଟି-୨୦ରେ ଅଧିକ ଭରସା କରିଛି। ତେଣୁ ଆସନ୍ତାକାଲି ୪ନଂ ସ୍ଥାନରେ ପାଣ୍ଡେ କିମ୍ବା ଆୟରଙ୍କ ମଧ୍ୟରୁ ଜଣଙ୍କୁ ହିଁ ସୁଯୋଗ ମିଳିବ।

ସେହିପରି ହାର୍ଦ୍ଦିକ ପାଣ୍ଡ୍ୟା ଦଳକୁ ଫେରିଥିବାରୁ ଉଭୟ ବ୍ୟାଟିଂ ଏବଂ ବୋଲିଂ ଲାଇନ୍ ଅପ୍ ଅଧିକ ଶକ୍ତିଶାଳୀ ହୋଇଛି। ତେବେ ଭୁବନେଶ୍ୱର କୁମାର, ଯଶପ୍ରୀତ ବୁମ୍ରା ଓ ମହମ୍ମଦ ଶାମି ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-୨୦ ସ୍କ୍ୱାଡରେ ନାହାନ୍ତି।

ଦୀପକ ଚହର, ଖଲୀଲ ଅହମ୍ମଦ ଓ ନଭଦୀପ ସାଇନ୍‌କୁ ଦ୍ରୁତ ବୋଲିଂର କମାଣ ସମ୍ଭାଳିବାକୁ ପଡ଼ିବ। ସ୍ପିନ ବାହିନୀରେ ରବୀନ୍ଦ୍ର ଜାଡେଜା, ରାହୁଲ ଚହର, ୱାଶିଂଟନ୍ ସୁନ୍ଦର ଓ କୃନାଲ ପାଣ୍ଡ୍ୟା ରହିଛନ୍ତି। ଏମାନେ ସମସ୍ତେ ବ୍ୟାଟିଂ କରିବାକୁ ମଧ୍ୟ ସକ୍ଷମ।

ଟପ୍‌ ଅର୍ଡର ଦାୟିତ୍ୱ ରୋହିତ ଶର୍ମା, ଶିଖର ଧୱନ, କେଏଲ ରାହୁଲ ଓ ବିରାଟ କୋହଲିଙ୍କ ଉପରେ ରହିବ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, କେଉଁ ଶ୍ରେଷ୍ଠ ୧୧ ଜଣଙ୍କୁ ଆସନ୍ତାକାଲି ଟିମ୍ ମ୍ୟାନେଜମେଣ୍ଟ ମଇଦାନକୁ ଓହ୍ଲାଇବ, ତାକୁ ନେଇ ଏବେ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି।

ଧର୍ମଶାଲା ପିଚ୍ ପେସ୍ ବୋଲିଂକୁ ସୁହାଇବ। ଏପରି ସ୍ଥଳରେ ଦଳ ୨ ଦ୍ରୁତ ବୋଲର ଓ ପାଣ୍ଡ୍ୟାଙ୍କୁ ଅଲରାଉଣ୍ଡର ଭାବେ ଖେଳାଇପାରେ। ଏପରି ହେଲେ କୃନାଲ ପାଣ୍ଡ୍ୟା ଓ ରବୀନ୍ଦ୍ର ଜାଡେଜାଙ୍କ ମଧ୍ୟରୁ ଜଣଙ୍କୁ ସୁଯୋଗ ମିଳିବ। କାରଣ ଉଭୟ ବାମହାତୀ ଅପସ୍ପିନର।

ସୁନ୍ଦର ଓ ଚହର ଡାହାଣ ହାତୀ ବୋଲର ହୋଇଥିବା ବେଳେ ଜଣେ ଅପସ୍ପିନର ଓ ଅନ୍ୟ ଜଣେ ଲେଗ ସ୍ପିନର। ଦକ୍ଷିଣ ଆଫ୍ରିକାର ଖେଳାଳିମାନେ ଲେଗ ସ୍ପିନରଙ୍କୁ ଆଦୌ ଭଲ ଖେଳି ପାରନ୍ତି ନାହିଁ। ତେଣୁ ଚହରଙ୍କୁ ପ୍ଲେଇଂ ଇଲେଭେନରେ ସ୍ଥାନ ଦେବାକୁ କ୍ରିକେଟ୍ ପଣ୍ଡିତମାନେ ଯୁକ୍ତି କରିଛନ୍ତି।

ଅନ୍ୟପକ୍ଷରେ ଦକ୍ଷିଣ ଆଫ୍ରିକା ପ୍ରଥମଥର ପାଇଁ କ୍ୱିଣ୍ଟନ୍ ଡି କକକଙ୍କ ନେତୃତ୍ୱରେ ଟି-୨୦ ମ୍ୟାଚ୍ ଖେଳିବାକୁ ମଇଦାନକୁ ଓହ୍ଲାଇବ। ଦଳରେ ଡାଭିଡ୍‌ ମିଲର ଓ କାଗିସୋ ରାବାଡାଙ୍କୁ ଛାଡ଼ିଦେଲେ କେହି ବି ଭାରତ ବିପକ୍ଷରେ ଅଧିକ ମ୍ୟାଚ୍‌ ଖେଳିନାହାନ୍ତି।

ଏମାନଙ୍କ ବ୍ୟତୀତ ବିଶ୍ୱକପ୍ ଦଳରେ ସ୍ଥାନ ପାଇଥିବା ଆଣ୍ଡିଲେ ଫେଲୁକୱାୟୋ ଓ ତାଜରେଜ୍ ଶାମସୀଙ୍କ ଭଳି ସିନିୟର ଖେଳାଳି ରହିଛନ୍ତି। ରସେଇ ଭାନ୍‌ ଡେର ଡୁସେନ ବିଶ୍ୱକପରେ ଚମତ୍କାର ବ୍ୟାଟିଂ କରିଥିଲେ। ତେଣୁ ତାଙ୍କ ଉପରେ ସମସ୍ତଙ୍କ ନଜର ରହିବ।

ତାଙ୍କ ବ୍ୟତୀତ ଟେମ୍ବା ବାଉଭାମ, ବି ଫୋରଟୁନ୍‌ ଭଳି ବ୍ୟାଟସ୍‌ମ୍ୟାନ୍‌ ରହିଛନ୍ତି। ତେଣୁ ଭାରତ ପାଇଁ ମ୍ୟାଚ୍‌ ଜିତିବା ସହଜ ହେବନାହିଁ।

ବିଶ୍ୱକପ୍ ପରେ ଦକ୍ଷିଣ ଆଫ୍ରିକା ପରେ ପ୍ରଥମଥର ପାଇଁ ଏହି ସିରିଜ୍ ଜରିଆରେ ଅନ୍ତର୍ଜାତୀୟ କ୍ରିକେଟକୁ ପ୍ରତ୍ୟାବର୍ତ୍ତନ କରିବ। ଟି-୨୦ ରାଙ୍କିଙ୍ଗରେ ତୃତୀୟ ସ୍ଥାନରେ ଥିବା ଦକ୍ଷିଣ ଆଫ୍ରିକା ଦଳରେ ଏକାଧିକ ଯୁବ ଖେଳାଳିଙ୍କୁ ସାମିଲ୍ କରାଯାଇଛି।

ଭ୍ରମଣକାରୀ ଦଳ ଚଳିତ ମାର୍ଚ୍ଚ ମାସରେ ଶ୍ରୀଲଙ୍କା ବିପକ୍ଷରେ ତା’ର ଶେଷ ଟି-୨୦ ସିରିଜ୍ ଖେଳିଥିଲେ। ତିନିମ୍ୟାଚ୍ ବିଶିଷ୍ଟ ଏହି ସିରିଜରେ ଦକ୍ଷିଣ ଆଫ୍ରିକା ୨-୦ରେ ବିଜୟୀ ହୋଇଥିଲା।

Related story