କଲମ୍ବୋ: ଆଞ୍ଜେଲୋ ମାଥ୍ୟୁସଙ୍କ ଦମଦାର ବ୍ୟାଟିଂ ଓ ବୋଲରଙ୍କ ଶାଣିତ ପ୍ରଦର୍ଶନ ବଳରେ ଶ୍ରୀଲଙ୍କା ଏଠାରେ ଅନୁଷ୍ଠିତ ତୃତୀୟ ତଥା ଶେଷ ଦିନିକିଆରେ ବାଂଲାଦେଶକୁ ୧୨୨ ରନରେ ହରାଇ ତିନିମ୍ୟାଚ୍ ବିଶିଷ୍ଟ ସିରିଜକୁ ୩-୦ରେ ପୋଛି ନେଇଛି। ଆର୍. ପ୍ରେମଦାସା ଷ୍ଟାଡିୟମରେ ଖେଳାଯାଇଥିବା
ଏହି ମୁକାବିଲାରେ ଶ୍ରୀଲଙ୍କା ଟସ୍ ଜିତି ପ୍ରଥମେ ବ୍ୟାଟିଂ କରି ୫୦ ଓଭରରେ ୮ ୱିକେଟ୍ ହରାଇ ୨୯୪ ରନ୍ କରିଥିଲା। ଟିମ୍ ପକ୍ଷରୁ ମାଥ୍ୟୁସ୍ ସର୍ବାଧିକ ୮୭ (୯୦ ବଲ୍, ୮ ଚୌକା, ୧ ଛକା) ରନ୍ କରିଥିବା ବେଳେ କୁଶଲ ମେଣ୍ଡିସ୍ ୫୪ (୫୮ ବଲ୍, ୫ ଚୌକା, ୧ ଛକା), କ୍ୟାପଟେନ୍ ଦିମୁତ କରୁଣାରତ୍ନେ ୪୬, କୁଶଲ ପରେରା ୪୨ ରନ୍ କରିଥିଲେ।
ଶେଷଭାଗରେ ଦାସୁନ୍ ଶନକା ମାତ୍ର ୧୪ ବଲରେ ୩୦ (୨ ଚୌକା, ୨ ଛକା) ରନ୍ କରି ଶ୍ରୀଲଙ୍କାକୁ ଚ୍ୟାଲେଞ୍ଜିଂ ସ୍କୋରରେ ପହଞ୍ଚାଇଥିଲେ। ଶ୍ରୀଲଙ୍କା ତା'ର ଶେଷ ୧୦ ଓଭରରେ ୧୦୬ ରନ୍ ସଂଗ୍ରହ କରିଥିଲା। ବାଂଲାଦେଶ ପକ୍ଷରୁ ସାଫିଉଲ୍ ଇସଲାମ୍ ଓ ସୌମ୍ୟ ସରକାର ୩ଟି ଲେଖାଏ ୱିକେଟ୍ ନେଇଥିଲେ।
୨୯୫ ରନର ଲକ୍ଷ୍ୟର ପିଛା କରୁଥିବା ବାଂଲାଦେଶ ୩୬ ଓଭରରେ ସମସ୍ତ ୱିକେଟ୍ ୧୭୨ ରନ୍ କରିବାକୁ ସକ୍ଷମ ହୋଇଥିଲା। ଦଳ ପକ୍ଷରୁ ସୌମ୍ୟ ସରକାର ସର୍ବାଧିକ ୬୯ ଓ ତାଇଜୁଲ୍ ଇସଲାମ୍ ଅପରାଜିତ ୩୯ ରନ୍ କରିଥିବା ବେଳେ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ୍ ବଡ଼ ସ୍କୋର କରିବାକୁ ସକ୍ଷମ ହୋଇନଥିଲେ। ଶ୍ରୀଲଙ୍କା ପକ୍ଷରୁ ଶନକା ୩ଟି, ରଜିଥା ଓ ଲାହିରୁ କୁମାରା ୨ଟି ଲେଖାଏ ୱିକେଟ୍ ହାସଲ କରିଥିଲେ। ମାଥ୍ୟୁସଙ୍କୁ ଉଭୟ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ଏବଂ ମ୍ୟାନ୍ ଅଫ୍ ଦି ସିରିଜ୍ ବିବେଚିତ କରାଯାଇଛି।