ଧୋନି ଦଶନ୍ଧିର ଦିନିକିଆ ଏବଂ କୋହଲି ଟେଷ୍ଟ କ୍ୟାପଟେନ୍

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆର ପୂର୍ବତନ କ୍ୟାପଟେନ୍ ମହେନ୍ଦ୍ର ସିଂହ ଧୋନି ଅନ୍ତର୍ଜାତୀୟ କ୍ରିକେଟରେ ନିଜର ୧୫ ବର୍ଷ ପୂରଣ କରିଛନ୍ତି। ଏହି ପରିପ୍ରେକ୍ଷୀରେ କ୍ରିକେଟ୍ ଅଷ୍ଟ୍ରେଲିଆ ପକ୍ଷରୁ ତାଙ୍କୁ ବଡ଼ ଉପହାର ଦିଆଯାଇଛି। କ୍ରିକେଟ୍ ଅଷ୍ଟ୍ରେଲିଆ ମଙ୍ଗଳବାର ଦଶନ୍ଧିର ଶ୍ରେଷ୍ଠ ଦିନିକିଆ ଟିମ୍ ଘୋଷଣା କରିଛି। ବଡ଼ କଥା ହେଉଛି ମହେନ୍ଦ୍ର ସିଂହ ଧୋନିଙ୍କୁ ଏହି ଟିମର କ୍ୟାପଟେନ୍ କରାଯାଇଛି। ଧୋନିଙ୍କ ବ୍ୟତୀତ ଟିମରେ ଆଉ ଦୁଇ ଭାରତୀୟ ଖେଳାଳିଙ୍କୁ ମଧ୍ୟ ସ୍ଥାନ ମିଳିଛି ସେହି ଦୁଇଜଣ […]

dhoni

Ranjit Kumar Jena
  • Published: Tuesday, 24 December 2019
  • , Updated: 24 December 2019, 08:03 PM IST

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆର ପୂର୍ବତନ କ୍ୟାପଟେନ୍ ମହେନ୍ଦ୍ର ସିଂହ ଧୋନି ଅନ୍ତର୍ଜାତୀୟ କ୍ରିକେଟରେ ନିଜର ୧୫ ବର୍ଷ ପୂରଣ କରିଛନ୍ତି। ଏହି ପରିପ୍ରେକ୍ଷୀରେ କ୍ରିକେଟ୍ ଅଷ୍ଟ୍ରେଲିଆ ପକ୍ଷରୁ ତାଙ୍କୁ ବଡ଼ ଉପହାର ଦିଆଯାଇଛି। କ୍ରିକେଟ୍ ଅଷ୍ଟ୍ରେଲିଆ ମଙ୍ଗଳବାର ଦଶନ୍ଧିର ଶ୍ରେଷ୍ଠ ଦିନିକିଆ ଟିମ୍ ଘୋଷଣା କରିଛି। ବଡ଼ କଥା ହେଉଛି ମହେନ୍ଦ୍ର ସିଂହ ଧୋନିଙ୍କୁ ଏହି ଟିମର କ୍ୟାପଟେନ୍ କରାଯାଇଛି। ଧୋନିଙ୍କ ବ୍ୟତୀତ ଟିମରେ ଆଉ ଦୁଇ ଭାରତୀୟ ଖେଳାଳିଙ୍କୁ ମଧ୍ୟ ସ୍ଥାନ ମିଳିଛି ସେହି ଦୁଇଜଣ ଖେଳାଳି ହେଲେ ରୋହିତ୍ ଶର୍ମା ଓ ବିରାଟ୍ କୋହଲି। କ୍ରିକେଟ୍ ଅଷ୍ଟ୍ରେଲିଆ ଦଶନ୍ଧିର ଦିନିକିଆ ଟିମରେ ପାକିସ୍ତାନର କୌଣସି ଟିମକୁ ସାମିଲ୍ କରିନାହିଁ। ହେଲେ ଶ୍ରୀଲଙ୍କାର ଲସିଥ୍ ମାଲିଙ୍ଗା, ବାଂଲାଦେଶର ସାକିବ୍ ଅଲ୍ ହାସନ୍ ଏବଂ ଆଫଗାନିସ୍ତାନର ରଶିଦ୍ ଖାନ୍ ସାମିଲ୍ ହୋଇଛନ୍ତି।

ଧୋନିଙ୍କ ଉପଯୋଗିତାକୁ ନେଇ କ୍ରିକେଟ୍ ଅଷ୍ଟ୍ରେଲିଆ ପକ୍ଷରୁ କୁହାଯାଇଛି ଯେ, "ହୁଏତ ଦଶନ୍ଧିର ଶେଷ ଭାଗରେ ଧୋନିଙ୍କ ବ୍ୟାଟରୁ ସେତେଟା ରନ୍ ବାହାରିନି। କିନ୍ତୁ ତାଙ୍କ ନେତୃତ୍ୱରେ ଭାରତ ଦିନିକିଆରେ ଯେଉଁ ସଫଳତା ଅର୍ଜନ କରିଛି, ତାହା ସର୍ବକାଳୀନ ଶ୍ରେଷ୍ଠ। ୨୦୧୧ରେ ଭାରତୀୟ ମାଟିରେ ଭାରତକୁ ବିଶ୍ୱକପ୍ ଚାମ୍ପିୟନ୍ କରାଇବାରେ ଧୋନିଙ୍କର ପ୍ରମୁଖ ଯୋଗଦାନ ରହିଛି।"

୩୮ ବର୍ଷୀୟ ୱିକେଟକିପର ବ୍ୟାଟ୍ସମ୍ୟାନ୍ ଧୋନି ୩୫୦ ଦିନିକିଆ, ୯୦ ଟେଷ୍ଟ ଏବଂ ୯୮ ଟି-୨୦ ମ୍ୟାଚରେ ଭାରତର ପ୍ରତିନିଧିତ୍ୱ କରିଛନ୍ତି। ଏହାଛଡ଼ା ଅନ୍ତର୍ଜାତୀୟ କ୍ରିକେଟରେ ଧୋନିଙ୍କ ନାଁରେ ୧୭,୨୬୬ ରନ୍ ରହିଛି, ଯେଉଁଥିରେ କେବଳ ଦିନିକିଆରେ ତାଙ୍କର ୧୦,୭୭୩ ରନ୍ ସାମିଲ୍ ଅଛି। ୱିକେଟ ପଛରେ ମଧ୍ୟ ଧୋନି ୮୨୯ ସଫଳତା ହାସଲ କରିଛନ୍ତି। ସୀମିତ ଓଭର କ୍ରିକେଟରେ ଧୋନିଙ୍କୁ ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ୍ କୁହାଯାଏ। ସେ ଟିମର ଆବଶ୍ୟକ ମୁତାବକ ଖେଳିପାରନ୍ତି। ଯଦି ଆବଶ୍ୟକ ପଡ଼େ, ତାହେଲେ ସେ ୱିକେଟରେ ଧୈର୍ଯ୍ୟର ସହ ବ୍ୟାଟିଂ କରନ୍ତି ଏବଂ ଆବଶ୍ୟକ ମୁତାବକ ଦ୍ରୁତ ରନ୍ ମଧ୍ୟ କରିପାରନ୍ତି।

ତେବେ ୱିକେଟ୍ ପଛରେ ତାଙ୍କର ଅଭିଜ୍ଞତା ଟିମ୍ ପାଇଁ ବହୁତ ପ୍ରଭାବୀ ସାବ୍ୟସ୍ତ ହୋଇଥାଏ। କୁଲଦୀପ ଯାଦବ ଓ ୟୁଜବେନ୍ଦ୍ର ଚହଲଙ୍କ ଭଳି ସ୍ପିନର ସାର୍ବଜନିକ ଭାବେ ସ୍ୱୀକାର କରିସାରିଛନ୍ତି ଯେ ଧୋନିଙ୍କ ଇନପୁଟ୍ ସେମାନଙ୍କୁ ପ୍ରତିପକ୍ଷ ବ୍ୟାଟ୍ସମ୍ୟାନଙ୍କ ଉପରେ ଅଙ୍କୁଶ ଲଗାଇବା ଏବଂ ୱିକେଟ୍ ହାସଲ କରିବାରେ ସହାୟକ ହୋଇଥାଏ। ୨୦୧୯ ବିଶ୍ୱକପ୍ ପରେ ଧୋନି ୬ମାସ ହେବ ଅନ୍ତର୍ଜାତୀୟ କ୍ରିକେଟରୁ ଦୂରରେ ଅଛନ୍ତି। ଏହାଛଡ଼ା ତାଙ୍କୁ ଆଗାମୀ ଶ୍ରୀଲଙ୍କା ବିପକ୍ଷ ଟି-୨୦ ଏବଂ ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜ୍ ପାଇଁ ମଧ୍ୟ ସ୍କ୍ୱାଡରେ ସାମିଲ୍ କରାଯାଇନାହିଁ।

କ୍ରିକେଟ୍ ଅଷ୍ଟ୍ରେଲିଆ ଦିନିକିଆ ସହ ଦଶନ୍ଧିର ଟେଷ୍ଟ ଟିମ୍ ମଧ୍ୟ ଘୋଷଣା କରିଛି। ଟେଷ୍ଟ ଟିମର ନେତୃତ୍ୱ ଭାର ବିରାଟ୍ କୋହଲିଙ୍କୁ ପ୍ରଦାନ କରାଯାଇଛି। କୋହଲି ଏକମାତ୍ର ଭାରତୀୟ କ୍ରିକେଟର୍ ଭାବେ ଟିମରେ ସ୍ଥାନ ପାଇଛନ୍ତି। ଏହି ଟିମରେ ଏସିଆ ବାହାର ଖେଳାଳିମାନଙ୍କର ଦବଦବା ରହିଛି। ପାକିସ୍ତାନ, ବାଂଲାଦେଶ, ଶ୍ରୀଲଙ୍କା ଏବଂ ଆଫଗାନିସ୍ତାନର କୌଣସି ଖେଳାଳି ସ୍ଥାନ ପାଇବାରେ ସଫଳ ହୋଇନାହାନ୍ତି। ଏହି ଟିମରେ ଇଂଲଣ୍ଡର ସର୍ବାଧିକ ଚାରି ଜଣ, ଅଷ୍ଟ୍ରେଲିଆର ତିନିଜଣ ସ୍ଥାନ ପାଇଛନ୍ତି।

ଇଂଲଣ୍ଡର ଆଲିଷ୍ଟର୍ କୁକ୍‌, ବେନ୍ ଷ୍ଟୋକ୍ସ, ଷ୍ଟୁଆର୍ଟ ବ୍ରଡ୍ ଓ ଜେମ୍ସ ଆଣ୍ଡରସନଙ୍କୁ ଟିମରେ ସ୍ଥାନ ମିଳିଥିବା ବେଳେ ଅଷ୍ଟ୍ରେଲିଆର ଡେଭିଡ୍ ୱାର୍ଣ୍ଣର, ଷ୍ଟିଭ୍ ସ୍ମିଥ୍ ଏବଂ ନେଥନ୍ ଲାୟନଙ୍କୁ ସାମିଲ୍ କରାଯାଇଛି। ନ୍ୟୁଜିଲ୍ୟାଣ୍ଡର କେନ୍ ୱିଲିୟମସନଙ୍କୁ ସ୍ଥାନ ମିଳିଥିବା ବେଳେ ଦକ୍ଷିଣ ଆଫ୍ରିକାର ଦୁଇଜଣ ଖେଳାଳି ଭାବେ ଏବି ଡି'ଭିଲିୟର୍ସ ଓ ଡେଲ୍ ଷ୍ଟେନ୍ ସ୍ଥାନ ପାଇଛନ୍ତି। ଡି'ଭିଲିୟର୍ସଙ୍କୁ ଏହି ଟିମରେ ୱିକେଟକିପର ଭାବେ ଚୟନ କରାଯାଇଛି।

ଦିନିକିଆ ସ୍କ୍ୱାଡ୍‌: ମହେନ୍ଦ୍ର ସିଂହ ଧୋନି (କ୍ୟାପଟେନ୍ ଓ ୱିକେଟକିପର), ରୋହିତ୍ ଶର୍ମା, ହାଶିମ୍ ଆମଲା, ବିରାଟ୍ କୋହଲି, ଏବି ଡି'ଭିଲିୟର୍ସ, ସାକିବ୍ ଅଲ୍ ହାସନ୍‌, ଜୋସ୍ ବଟଲର୍‌, ରଶିଦ୍ ଖାନ୍‌, ମିଚେଲ୍ ଷ୍ଟାର୍କ, ଟ୍ରେଣ୍ଟ୍ ବୋଲ୍ଟ, ଲସିଥ୍ ମାଲିଙ୍ଗା।

ଟେଷ୍ଟ ସ୍କ୍ୱାଡ୍‌: ବିରାଟ୍ କୋହଲି (କ୍ୟାପଟେନ୍‌), ଆଲିଷ୍ଟର୍ କୁକ୍‌, ଡେଭିଡ୍ ୱାର୍ଣ୍ଣର୍‌, କେନ୍ ୱିଲିୟମସନ୍‌, ଷ୍ଟିଭ୍ ସ୍ମିଥ୍‌, ଏବି ଡି'ଭିଲିୟର୍ସ (ୱିକେଟକିପର), ବେନ୍ ଷ୍ଟୋକ୍ସ, ଡେଲ୍ ଷ୍ଟେନ୍‌, ଷ୍ଟୁଆର୍ଟ ବ୍ରଡ୍‌, ନେଥନ୍ ଲାୟନ୍‌, ଜେମ୍ସ ଆଣ୍ଡରସନ୍।

Related story