ନ୍ୟୁଜିଲ୍ୟାଣ୍ଡର ପ୍ରଥମ ବିଜୟ: ୧୪.୪ ଓଭରରେ ଜିତିଗଲା ଚତୁର୍ଥ ଦିନିକିଆ

ହାମିଲ୍‌ଟନ୍‌: ସିରିଜ୍ ହାରି ସାରିଥିବା ନ୍ୟୁଜିଲ୍ୟାଣ୍ଡ ଆଜି ଚତୁର୍ଥ ଦିନିକିଆରେ ଭାରତକୁ ହରାଇଛି। ଦଳ ୮ ୱିକେଟ୍‌ରେ ଟିମ୍ ଇଣ୍ଡିଆକୁ ହରାଇବା ସହିତ ସିରିଜ୍‌କୁ ୩-୧ ସ୍ଥିତିକୁ ଆଣିଛି। ଏହା ସହିତ ୫-୦ରେ ସିରିଜ୍ ଜିତିବା ନେଇ ଭାରତ ଯେଉଁ ଲକ୍ଷ୍ୟ ରଖିଥିଲା ତାହା ଧୂଳିସାତ୍ ହୋଇଛି। ବିରାଟ କୋହଲିଙ୍କ ଅନୁପସ୍ଥିତିରେ ଆଜି ପଡ଼ିଆକୁ ଓହ୍ଲାଇ ଥିବା ଟିମ୍ ଇଣ୍ଡିଆ ମାତ୍ର ୩୦.୫ ଓଭରରେ ଅଲ୍ ଆଉଟ୍ ହୋଇଯାଇଥିଲା। ଦଳ ୯୨ ରନ୍ କରିଥିବା ବେଳେ ନ୍ୟୁଜିଲ୍ୟାଣ୍ଡ […]

newslandwin

Jitendra Garnayak
  • Published: Thursday, 31 January 2019
  • , Updated: 31 January 2019, 11:41 AM IST

ହାମିଲ୍‌ଟନ୍‌: ସିରିଜ୍ ହାରି ସାରିଥିବା ନ୍ୟୁଜିଲ୍ୟାଣ୍ଡ ଆଜି ଚତୁର୍ଥ ଦିନିକିଆରେ ଭାରତକୁ ହରାଇଛି। ଦଳ ୮ ୱିକେଟ୍‌ରେ ଟିମ୍ ଇଣ୍ଡିଆକୁ ହରାଇବା ସହିତ ସିରିଜ୍‌କୁ ୩-୧ ସ୍ଥିତିକୁ ଆଣିଛି। ଏହା ସହିତ ୫-୦ରେ ସିରିଜ୍ ଜିତିବା ନେଇ ଭାରତ ଯେଉଁ ଲକ୍ଷ୍ୟ ରଖିଥିଲା ତାହା ଧୂଳିସାତ୍ ହୋଇଛି।

ବିରାଟ କୋହଲିଙ୍କ ଅନୁପସ୍ଥିତିରେ ଆଜି ପଡ଼ିଆକୁ ଓହ୍ଲାଇ ଥିବା ଟିମ୍ ଇଣ୍ଡିଆ ମାତ୍ର ୩୦.୫ ଓଭରରେ ଅଲ୍ ଆଉଟ୍ ହୋଇଯାଇଥିଲା। ଦଳ ୯୨ ରନ୍ କରିଥିବା ବେଳେ ନ୍ୟୁଜିଲ୍ୟାଣ୍ଡ ମାତ୍ର ୧୪.୪ ଓଭରରେ ଦୁଇଟି ୱିକେଟ୍ ହରାଇ ମ୍ୟାଚ୍ ଜିତି ଯାଇଥିଲା।

ଟସ୍ ଜିତି ନ୍ୟୁଜିଲ୍ୟାଣ୍ଡ ପ୍ରଥମେ ଫିଲ୍ଡିଂ କରିବାକୁ ନିଷ୍କତ୍ତି ନେଇଥିଲା। ପୂର୍ବ ତିନି ମ୍ୟାଚ୍ ଭଳି ଏ ମ୍ୟାଚ୍‌କୁ ଜିତିବା ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିବା ଭାରତୀୟ ଦଳକୁ ୫.୫ ଓଭରରେ ପ୍ରଥମ ଝଟକ ଲାଗିଥିଲା ଯେତେବେଳେ ଓପନର ଶିଖର ଧୱନ ଆଉଟ୍ ହୋଇଯାଇଥିଲେ। ସେ ମାତ୍ର ୧୩ ରନ୍ କରି ଆଉଟ୍ ହୋଇଥିଲେ। ଅଧିନାୟକ ରୋହିତ ଶର୍ମା ବି ଅଧିକ ସମୟ ରହିପାରି ନ ଥିଲେ। ୭.୬ ଓଭରରେ ମାତ୍ର ୭ ରନ୍ କରି ସେ ଆଉଟ୍ ହୋଇଯାଇଥିଲେ। ଏ ଦୁହିଁଙ୍କୁ ଟ୍ରେଣ୍ଟ ବୋଲ୍ଟ ଆଉଟ୍ କରିଥିଲେ।

ଆଜି ଡେବ୍ୟୁ ମ୍ୟାଚ୍ ଖେଳିଥିବା ଶୁଭମନ୍ ଗିଲ୍ ମାତ୍ର ୯ ରନ୍ (୨୧ ରନ୍) କରି ଆଉଟ୍ ହୋଇଯାଇଥିଲେ। ୪ ଓ ୫ ନମ୍ବରରେ ଆସିଥିବା ଅମ୍ବାତି ରାୟୁଡୁ ଓ ଦୀନେଶ କାର୍ତ୍ତିକ ଖାତା ଖୋଲି ପାରି ନଥିଲେ। ଏ ଦୁହେଁ କଲିନ୍‌ ଡି ଗ୍ରାଣ୍ଡହୋମଙ୍କ ବଲ୍‌ରେ କ୍ୟାଚ୍ ଆଉଟ୍ ହୋଇଥିଲେ। କେଦାର ଯାଦବ ମାତ୍ର ୧ ରନ୍ କରି ଆଉଟ୍ ହୋଇଯାଇଥିଲେ। ସେ ଟ୍ରେଣ୍ଟ ବୋଲ୍ଟଙ୍କ ଦ୍ୱାରା ଏଲ୍‌ବିଡବ୍ଲ୍ୟୁ ହୋଇଥିଲେ।

ବିବାଦ ପରେ ଟିମ୍‌କୁ ଫେରିଥିବା ହାର୍ଦ୍ଦିକ ପାଣ୍ଡ୍ୟା ବି ଆଜି ଭଲ ଖେଳି ପାରି ନଥିଲେ। ସେ ମାତ୍ର ୧୬ ରନ୍ କରି ଆଉଟ୍ ହୋଇଯାଇଥିଲେ। ସେ ବି ବୋଲ୍ଟଙ୍କ ଶିକାର ହୋଇଥିଲେ। କୁଲ୍‌ଦୀପ ଯାଦବ ୧୫ ରନ୍ କରିଥିବା ବେଳେ ୟୁଜଭେନ୍ଦ୍ର ଚହଲ ଅପରାଜିତ ରହି ୧୮ ରନ୍ କରିଥିଲେ। ଖଲିଲ ଅହମଦ ୫ ରନ୍ କରି ଆଉଟ୍ ହୋଇଯାଇଥିଲେ।

ନ୍ୟୁଜିଲ୍ୟାଣ୍ଡ ପକ୍ଷରୁ ଟ୍ରେଣ୍ଟ ବୋଲ୍ଟ ୫ଟି ୱିକେଟ୍ ନେଇଥିବା ବେଳେ କଲିନ୍‌ ଡି ଗ୍ରାଣ୍ଡହୋମ୍‌ ୩ଟି ୱିକେଟ୍ ନେଇଥିଲେ। ଟୋଡ୍ ଆଷ୍ଟେଲ୍ ଓ ଜିମ୍ମୀ ନଶୀମ୍ ଗୋଟିଏ ଲେଖାଏ ୱିକେଟ୍ ନେଇଥିଲେ।

[caption id="attachment_333486" align="aligncenter" width="750"] ୫ଟି ୱିକେଟ୍ ନେଇଥିବା ଟ୍ରେଣ୍ଟ୍ ବୋଲ୍ଟ[/caption]

୯୩ ରନ୍‌ର ବିଜୟ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇ ଥିବା ଘରୋଇ ଟିମ୍‌କୁ ମଧ୍ୟ ପ୍ରାରମ୍ଭିକ ଝଟକା ଲାଗିଥିଲା। ପ୍ରଥମ ଓଭରରେ ମାର୍ଟିନ୍ ଗପ୍ଟିଲ୍ ଆଉଟ୍ ହୋଇଯାଇଥିଲେ। ସେ ୪ଟି ବଲ୍‌ରେ ଦୁଇଟି ଚୌକା ଓ ଗୋଟିଏ ଛକା ସହାୟତାରେ ୧୪ ରନ୍ କରି ଆଉଟ୍ ହୋଇଥିଲେ। ଭୁବନେଶ୍ୱର କୁମାରଙ୍କ ବଲ୍‌ରେ ସେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଦ୍ୱାରା କ୍ୟାଚ୍ ଆଉଟ୍ ହୋଇଥିଲା। ଅଧିନାୟକ କେନ୍‌ ୱିଲିୟମସନ୍‌ ୬.୨ ଓଭରରେ ୧୧ ରନ୍ କରି ଦୀନେଶ କାର୍ତ୍ତିକଙ୍କ ହାତରେ କ୍ୟାଚ୍ ଆଉଟ୍ ହୋଇଥିଲେ। ଭୁବନେଶ୍ୱର କୁମାରଙ୍କ ବଲ୍‌ରେ ହିଁ ସେ ଆଉଟ୍ ହୋଇଥିଲେ। ହେନରୀ ନିକୋଲସ୍‌ ଅପରାଜିତ ରହି ୩୦ ରନ୍ କରିଥିବା ବେଳେ ରସ୍ ଟେଲର ମଧ୍ୟ ୩୭ ରନ୍ କରି ଅପରାଜିତ ରହିଥିଲେ।

ଏହି ସିରିଜ୍‌ର ପଞ୍ଚମ ତଥା ଅନ୍ତିମ ମ୍ୟାଚ୍ ଫେବ୍ରୁଆରୀ ୩ ତାରିଖରେ ଖେଳାଯିବ।

Related story