ବସନ୍ତ ମହାନ୍ତିଙ୍କ ସୁଇଂରେ ଉତ୍ତରାଖଣ୍ଡ ଛିନଛତ୍ର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଟାଙ୍ଗୀ ସ୍ଥିତ ଡ୍ରିମ୍ସ ପଡ଼ିଆରେ ଆଜି ଠାରୁ ଓଡ଼ିଶା ଓ ଉତ୍ତରାଖଣ୍ଡ ମଧ୍ୟରେ ରଣଜୀ ଟ୍ରଫି ମୁକାବିଲା ଆରମ୍ଭ ହୋଇଛି। ପ୍ରଥମ ଦୁଇଟି ମ୍ୟାଚରେ ଇନିଂସ ବିଜୟ ହାସଲ କରିଥିବା ଓଡ଼ିଶା ଆଜି ମଧ୍ୟ ଉତ୍ତରାଖଣ୍ଡ ବିପକ୍ଷରେ ନିଜର ଦବଦବା ଦେଖାଇଛି। ପ୍ରଥମ ଦିନରେ ବସନ୍ତ ମହାନ୍ତିଙ୍କ ଘାତକ ବୋଲିଂ ଆଗରେ ଉତ୍ତରାଖଣ୍ଡ ଏକ ପ୍ରକାରର ଆତ୍ମସମର୍ପଣ କରିଛି। ବସନ୍ତ ୬ ୱିକେଟ ଦଖଲ ଯୋଗୁ ଉତ୍ତରାଖଣ୍ଡ ତା’ର ପ୍ରଥମ ଇନିଂସ୍‌ରେ ମାତ୍ର ୧୧୭ […]

yu

Hemant Lenka
  • Published: Wednesday, 25 December 2019
  • , Updated: 25 December 2019, 08:43 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଟାଙ୍ଗୀ ସ୍ଥିତ ଡ୍ରିମ୍ସ ପଡ଼ିଆରେ ଆଜି ଠାରୁ ଓଡ଼ିଶା ଓ ଉତ୍ତରାଖଣ୍ଡ ମଧ୍ୟରେ ରଣଜୀ ଟ୍ରଫି ମୁକାବିଲା ଆରମ୍ଭ ହୋଇଛି। ପ୍ରଥମ ଦୁଇଟି ମ୍ୟାଚରେ ଇନିଂସ ବିଜୟ ହାସଲ କରିଥିବା ଓଡ଼ିଶା ଆଜି ମଧ୍ୟ ଉତ୍ତରାଖଣ୍ଡ ବିପକ୍ଷରେ ନିଜର ଦବଦବା ଦେଖାଇଛି।

ପ୍ରଥମ ଦିନରେ ବସନ୍ତ ମହାନ୍ତିଙ୍କ ଘାତକ ବୋଲିଂ ଆଗରେ ଉତ୍ତରାଖଣ୍ଡ ଏକ ପ୍ରକାରର ଆତ୍ମସମର୍ପଣ କରିଛି। ବସନ୍ତ ୬ ୱିକେଟ ଦଖଲ ଯୋଗୁ ଉତ୍ତରାଖଣ୍ଡ ତା’ର ପ୍ରଥମ ଇନିଂସ୍‌ରେ ମାତ୍ର ୧୧୭ ରନ୍‌ କରି ଅଲଆଉଟ ହୋଇଯାଇଛି। ଏହାର ଜବାବରେ ଓଡ଼ିଶା ପ୍ରଥମ ଦିନର ଖେଳ ଶେଷ ସୁଦ୍ଧା ୩ ୱିକେଟ ହରାଇ ୯୮ ରନ୍‌ କରିଛି। ଦଳ ଏବେ ବି ଉତ୍ତରାଖଣ୍ଡର ପ୍ରଥମ ଇନିଂସ ସ୍କୋର ଠାରୁ ୧୯ ରନ ପଛରେ ରହିଛି। ଓଡ଼ିଶା ପାଖରେ ୭ ୱିକେଟ ଥିବାରୁ ଦଳ ବୃହତ ଅଗ୍ରଣୀ ପାଇଁ ଲକ୍ଷ୍ୟ ରଖିଛି।

ଓଡ଼ିଶାର ଅଧିନାୟକ ଶୁଭ୍ରାଂଶୁ ସେନାପତି ଟସ୍‌ ଜିତି ଉତ୍ତରାଖଣ୍ଡର ଅଧିନାୟକ ଉନ୍ମକ୍ତ ଚାନ୍ଦଙ୍କୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲେ। ତେବେ ଓଡ଼ିଶାକୁ ପ୍ରଥମ ସଫଳତା ଦେଇଥିଲେ ୟଙ୍ଗଷ୍ଟର ରାଜେଶ ମହାନ୍ତି। ସେ ଉତ୍ତରାଖଣ୍ଡ ଅଧିନାୟକ ଉନ୍ମକ୍ତ ଚାନ୍ଦ(୬)ଙ୍କୁ ଏଲବିଡବ୍ଲ୍ୟୁ କରିଦେଇଥିଲେ। ଏହାପରେ ସୂର୍ଯ୍ୟକାନ୍ତ ପ୍ରଧାନ ୧୭ ରନ କରିଥିବା ଅଭନୀଶ ସୁଧାଙ୍କୁ ଆଉଟ କରି ଓଡ଼ିଶାକୁ ଦ୍ୱିତୀୟ ସଫଳତା ଦେଇଥିଲେ।

ଏହିଠାରୁ ଆରମ୍ଭ ହୋଇଥିଲା ଅଭିଜ୍ଞ ବସନ୍ତ ମହାନ୍ତି ନିଜର ଜଲୱା। ସେ ପ୍ରଥମେ କ୍ରିଜ୍‌ରେ ଜମି ଆସୁଥିବା ଓପନର ତନ୍ମୟ ଶ୍ରୀବାସ୍ତବଙ୍କୁ ଆଉଟ କରିଦେଇଥିଲେ। ପରେ ସୌରଭ ରାୱତ(୪), କରନବୀର କୌଶଲ(୦) ଓ ଡି ନେଗୀ(୩୬)ଙ୍କୁ ପ୍ୟାଭିଲିୟନ ପଠାଇ ଇନିଂସରେ ନିଜର ୪ର୍ଥ ଶିକାର କରିଥିଲେ।

ଡିକେ ଶର୍ମା ଓ ସନ୍ନିଙ୍କୁ ଦେବବ୍ରତ ପ୍ରଧାନ ଆଉଟ କରି ଓଡ଼ିଶାକୁ ଡବଲ ସଫଳତା ଦେଇଥିଲେ। ଶେଷରେ ପ୍ରଦୀପ ଚାମୋଲି ଓ ମାଧୱାଲଙ୍କୁ ଆଉଟ କରି ବସନ୍ତ ମହାନ୍ତି ଉତ୍ତରାଖଣ୍ଡ ଇନିଂସରେ ପୂର୍ଣ୍ଣଚ୍ଛେଦ ଟାଣିଥିଲେ।

ଉତ୍ତରାଖଣ୍ଡ ପରି ଓଡ଼ିଶା ମଧ୍ୟ ତା’ର ପ୍ରଥମ ଇନିଂସରେ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ଗୋବିନ୍ଦ ପୋଦ୍ଦାର ମାତ୍ର ୧୧ ରନ କରି ସନ୍ନିଙ୍କ ବଲରେ ଆଉଟ ହୋଇଥିଲେ। ଏହପରେ ଗତ ମ୍ୟାଚ୍‌ରେ ଜବରଦସ୍ତ ଇନିଂସ ଖେଳି ମ୍ୟାନ ଅଫ ଦି ମ୍ୟାଚ ପାଇଥିବା ଦେବାଶିଷ ସାମନ୍ତରାୟ ପ୍ରଥମ ବଲରେ ହିଁ ଆଉଟ ହୋଇଯାଇଥିଲେ।

ଅଧିନାୟକ ଶୁଭ୍ରାଂଶୁ ସେନାପତି ଓ ଶାନ୍ତନୁ ମିଶ୍ର ସ୍ଥିତି ସମ୍ଭାଳିବାକୁ ଚେଷ୍ଟା କରିଥିଲେ। ହେଲେ ୧୬ ରନ କରିଥିବା ଶୁଭ୍ରାଂଶୁଙ୍କୁ ମାଧୱାଲ ଆଉଟ କରି ଓଡ଼ିଶାକୁ ଜବରଦସ୍ତ ଝଟକା ଦେଇଥିଲେ।

ତେବେ ଅଭିଜ୍ଞ ବିପ୍ଳବ ସାମନ୍ତରାୟ ଓ ଶାନ୍ତନୁ ମିଶ୍ର ପ୍ରଥମ ଦିନର ଖେଳ ଶେଷ ହେବା ଯାଏ ଆଉ କୌଣସି କ୍ଷତି ଘଟାଇବା ପାଇଁ ଦେଇ ନଥିଲେ। ଷ୍ଟମ୍ପ ଅପସାରଣ ବେଳକୁ ଶାନ୍ତନୁ ୩୦ ରନ ଓ ବିପ୍ଳବ ୩୫ ରନ କରି ଅପରାଜିତ ରହିଥିଲେ।

Related story