ଥୋମାସ କପ୍‌ରେ ଇତିହାସ ରଚିଲା ଭାରତ

ନୂଆଦିଲ୍ଲୀ: ଭାରତର ପୁରୁଷ ବ୍ୟାଡମିଣ୍ଟନ ଦଳ ଥୋମାସ କପ୍‌ରେ ଇତିହାସ ରଚିଛି। ଦୀର୍ଘ ୪୩ ବର୍ଷ ପରେ ଭାରତୀୟ ଟିମ୍‌ ସେମି ଫାଇନାଲରେ ପ୍ରବେଶ କରିବାକୁ ସକ୍ଷମ ହୋଇଛି। ଭାରତ ସେମିରେ ପ୍ରବେଶ କରିଥିବାରୁ ବ୍ରୋଞ୍ଜ ମେଡାଲ ସୁନିଶ୍ଚିତ କରିଛି। ଥୋମାସ କପର ଯୋଗ୍ୟତା ଅର୍ଜନ ଫର୍ମାଟ ପରିବର୍ତ୍ତନ ହେବା ପରେ ଭାରତ ପ୍ରଥମଥର ପାଇଁ ଏପରି ମେଡାଲ ଜିତିବାକୁ  ସକ୍ଷମ ହୋଇଛି। କ୍ୱାର୍ଟର ଫାଇନାଲରେ ଭାରତୀୟ ପୁରଷ ଦଳ ଶକ୍ତିଶାଳୀ ମାଲେସିୟାକୁ ୩-୨ରେ ପରାସ୍ତ କରିବା […]

Badminton

Hemant Lenka
  • Published: Friday, 13 May 2022
  • , Updated: 13 May 2022, 04:35 PM IST

ନୂଆଦିଲ୍ଲୀ: ଭାରତର ପୁରୁଷ ବ୍ୟାଡମିଣ୍ଟନ ଦଳ ଥୋମାସ କପ୍‌ରେ ଇତିହାସ ରଚିଛି। ଦୀର୍ଘ ୪୩ ବର୍ଷ ପରେ ଭାରତୀୟ ଟିମ୍‌ ସେମି ଫାଇନାଲରେ ପ୍ରବେଶ କରିବାକୁ ସକ୍ଷମ ହୋଇଛି। ଭାରତ ସେମିରେ ପ୍ରବେଶ କରିଥିବାରୁ ବ୍ରୋଞ୍ଜ ମେଡାଲ ସୁନିଶ୍ଚିତ କରିଛି। ଥୋମାସ କପର ଯୋଗ୍ୟତା ଅର୍ଜନ ଫର୍ମାଟ ପରିବର୍ତ୍ତନ ହେବା ପରେ ଭାରତ ପ୍ରଥମଥର ପାଇଁ ଏପରି ମେଡାଲ ଜିତିବାକୁ  ସକ୍ଷମ ହୋଇଛି।

କ୍ୱାର୍ଟର ଫାଇନାଲରେ ଭାରତୀୟ ପୁରଷ ଦଳ ଶକ୍ତିଶାଳୀ ମାଲେସିୟାକୁ ୩-୨ରେ ପରାସ୍ତ କରିବା ପରେ ଏହି ବରିଳ ରେକର୍ଡର ଅଧିକାରୀ ହୋଇପାରିଛି। ଭାରତ ପାଇଁ ଏହି ମ୍ୟାଚ୍‌ ଜିତିବା ଆଦୌ ସହଜ ନଥିଲା। ଶେଷରେ ଏଚଏସ୍‌ ପ୍ରଣୟ ନିଜର ବଳିଷ୍ଠତା ଦେଖାଇ ପୁରୁଷ ଏକକ ବର୍ଗରେ ଲେଓଙ୍ଗ ଜୁନ ହାଓଙ୍କୁ ପରାସ୍ତ କରିବାକୁ ସକ୍ଷମ ହୋଇଛନ୍ତି। ଏହି ମ୍ୟାଚ୍‌ରେ ପ୍ରଣୟ ଆରମ୍ଭରୁ ପଛରେ ରହିଥିଲେ। କିନ୍ତୁ ପରବର୍ତ୍ତୀ ଅବସ୍ଥାରେ ସେ ଦମଦାର ପ୍ରଦର୍ଶନ କରି ଭାରତକୁ ସେମି ଫାଇନାଲକୁ ନେଇଛନ୍ତି।

ପ୍ରଣୟ ୨୧-୧୩ ଓ ୨୧-୮ରେ ମ୍ୟାଚ୍‌କୁ ଜିତିବା ପରେ ଅନ୍ୟ ଭାରତୀୟ ଶଟଲରମାନେ ଖୁସିରେ କୋର୍ଟ ମଧ୍ୟକୁ ଲମ୍ଫ ମାରିଥିଲେ। ଏକାଠି ହୋଇ ସମସ୍ତେ ଏହି ଐତିହାସିକ ମୁହୁର୍ତ୍ତକୁ ଉପଭୋଗ କରିଥିଲେ। ଭାରତ ପାଇଁ କ୍ୱାର୍ଟର ଫାଇନାଲ ଲଢ଼େଇ ଆରମ୍ଭରୁ ଭଲ ଫଳ ଆଣି ନଥିଲେ। ଏହି ଟିମ୍‌ ଇଭେଣ୍ଟର ପ୍ରଥମ ମ୍ୟାଚ୍‌ରେ ଲକ୍ଷ୍ୟ ସେନ ବିଶ୍ୱ ବିଜେତା ଲି ଜି ଜିଆଙ୍କ ଠାରୁ ୨୧-୨୩ ଓ ୯-୨୧ରେ ପରାସ୍ତ ହୋଇଥିଲେ। ଫଳରେ ଭାରତ ୧-୦ରେ ପଛୁଆ ହୋଇଯାଇଥିଲା।

କିନ୍ତୁ ପୁରୁଷ ଡବଲ୍ସରେ ଚିରାଗ ଶେଟ୍ଟୀ ଓ ସାତ୍ତ୍ୱିକ ସାଇରାଜ ରଙ୍କିରେଡ୍ଡୀ ଦମଦାର ପ୍ରଦର୍ଶନ କରିଥିଲେ। ସେମାନେ ଗୋହ ସେଜ ଫେଇ ଓ ନୁର ଇଜ୍ଜୁଦ୍ଦିନଙ୍କୁ ୨୧-୧୯ ଓ ୨୧-୧୫ରେ ହରାଇଥିଲେ। ଫଳରେ ସ୍ଥିତି ୧-୧ରେ ବରାବର ହୋଇଥିଲା।

ତୃତୀୟ ମୁକାବିଲାରେ କାଦମ୍ବୀ ଶ୍ରୀକାନ୍ତ ନିଜ ଅଭିଜ୍ଞତାର ଯାଦୁ ଦେଖାଇ ଭାରତକୁ ୨-୧ରେ ଆଗୁଆ କରି ଦେଇଥିଲେ। ସେ ତାଙ୍କ ବ୍ୟକ୍ତିଗତ ମୁକାବିଲାରେ ଏନଜି ଟେଜ ୟୋଙ୍ଗଙ୍କୁ ୨୧-୧୧ ଓ ୨୧-୧୭ ସେଟ୍‌ରେ ପରାସ୍ତ କରିଥିଲେ। କିନ୍ତୁ ମାଲେସିୟା ହାରିବା ମୁଡରେ ନଥିଲା। ଦ୍ୱିତୀୟ ପୁରୁଷ ଡବଲ୍ସରେ ଆରୋନ ଚିଆ ଓ ତେଓ ୟି ଭାରତର କ୍ରିଷ୍ଣା ପ୍ରସାଦ ଗର୍ଗ ଓ ବିଷ୍ଣୁ ବର୍ଦ୍ଧନ ଗୌଡ଼ା ପଞ୍ଜାଲାଙ୍କୁ ହରାଇ ଦେଇଥିଲେ। ଫଳରେ ସ୍ଥିତି ୨-୨ ହୋଇଯାଇଥିଲା।

ଏହା ପରେ ଆରମ୍ଭ ହୋଇଥିଲା ଶେଷ ଲଢ଼େଇ। ଶେଷ ମୁକାବିଲାରେ ପ୍ରଣୟ କାହାକୁ ବି ନିରାଶ କରି ନଥିଲେ। ସେ ୨୨ ବର୍ଷୀୟ ଲେଓଙ୍ଗ ଜୁନ ହାଓଙ୍କୁ ପରାସ୍ତ କରି ଭାରତକୁ ଐତିହାସିକ ସଫଳତା ଭେଟି ଦେଇଥିଲେ।

Related story