ପର୍ଥ ଦିବାରାତ୍ର ଟେଷ୍ଟରେ ଅଷ୍ଟ୍ରେଲିଆର ବିଶାଳ ବିଜୟ

ପର୍ଥ: ମିଚେଲ୍ ଷ୍ଟାର୍କ ଓ ନେଥନ୍ ଲାୟନଙ୍କ ଘାତକ ବୋଲିଂ ବଳରେ ଅଷ୍ଟ୍ରେଲିଆ ଏଠାରେ ଖେଳାଯାଇଥିବା ପ୍ରଥମ ଦିବାରାତ୍ର ଟେଷ୍ଟରେ ନ୍ୟୁଜିଲ୍ୟାଣ୍ଡକୁ ୨୯୬ ରନରେ ପରାସ୍ତ କରିଛି। ଏହି ବିଜୟ ସହ ଅଷ୍ଟ୍ରେଲିଆ ତିନିମ୍ୟାଚ୍ ବିଶିଷ୍ଟ ସିରିଜରେ ୧-୦ରେ ଆଗୁଆ ହୋଇଛି। ଅଷ୍ଟ୍ରେଲିଆ ଦ୍ୱାରା ଧାର୍ଯ୍ୟ ୪୬୮ ରନର ବିଶାଳ ଲକ୍ଷ୍ୟର ପିଛା କରି ନ୍ୟୁଜିଲ୍ୟାଣ୍ଡ୍ ୧୭୧ ରନରେ ଅଲଆଉଟ୍ ହୋଇଥିଲା। ଦଳ ପକ୍ଷରୁ କୌଣସି ବ୍ୟାଟ୍ସମ୍ୟାନ୍ ଅର୍ଦ୍ଧଶତକୀୟ ଇନିଂସ୍ ଖେଳିବାକୁ ସକ୍ଷମ ହୋଇନଥିଲେ। ଏହା ପୂର୍ବରୁ […]

aus-vs-nz

Ranjit Kumar Jena
  • Published: Sunday, 15 December 2019
  • , Updated: 15 December 2019, 08:14 PM IST

ପର୍ଥ: ମିଚେଲ୍ ଷ୍ଟାର୍କ ଓ ନେଥନ୍ ଲାୟନଙ୍କ ଘାତକ ବୋଲିଂ ବଳରେ ଅଷ୍ଟ୍ରେଲିଆ ଏଠାରେ ଖେଳାଯାଇଥିବା ପ୍ରଥମ ଦିବାରାତ୍ର ଟେଷ୍ଟରେ ନ୍ୟୁଜିଲ୍ୟାଣ୍ଡକୁ ୨୯୬ ରନରେ ପରାସ୍ତ କରିଛି। ଏହି ବିଜୟ ସହ ଅଷ୍ଟ୍ରେଲିଆ ତିନିମ୍ୟାଚ୍ ବିଶିଷ୍ଟ ସିରିଜରେ ୧-୦ରେ ଆଗୁଆ ହୋଇଛି। ଅଷ୍ଟ୍ରେଲିଆ ଦ୍ୱାରା ଧାର୍ଯ୍ୟ ୪୬୮ ରନର ବିଶାଳ ଲକ୍ଷ୍ୟର ପିଛା କରି ନ୍ୟୁଜିଲ୍ୟାଣ୍ଡ୍ ୧୭୧ ରନରେ ଅଲଆଉଟ୍ ହୋଇଥିଲା। ଦଳ ପକ୍ଷରୁ କୌଣସି ବ୍ୟାଟ୍ସମ୍ୟାନ୍ ଅର୍ଦ୍ଧଶତକୀୟ ଇନିଂସ୍ ଖେଳିବାକୁ ସକ୍ଷମ ହୋଇନଥିଲେ।

ଏହା ପୂର୍ବରୁ ଅଷ୍ଟ୍ରେଲିଆ ଚତୁର୍ଥ ଦିବସରେ ତା'ର ପୂର୍ବଦିନର ସ୍କୋର ୧୬୭/୬ରୁ ଖେଳ ଆରମ୍ଭ କରିଥିଲା। ଘରୋଇ ଦଳ ଆଜି ଆଉ ୫୦ ରନ୍ ଯୋଡ଼ିଥିଲା ଏବଂ ଦ୍ୱିତୀୟ ଇନିଂସରେ ୯ ୱିକେଟ୍ ହରାଇ ୨୧୭ ରନରେ ପାଳି ଘୋଷଣା କରିଥିଲା। ଦଳ ପକ୍ଷରୁ ମାଥ୍ୟୁ ୱେଡ୍ ୧୭, ପ୍ୟାଟ୍ କମିନ୍ସ ୧୩ ଓ ମିଚେଲ୍ ଷ୍ଟାର୍କ ୨୩ ରନ୍ କରି ଆଉଟ୍ ହୋଇଥିଲେ। ନ୍ୟୁଜିଲ୍ୟାଣ୍ଡ୍ ପକ୍ଷରୁ ଟିମ୍ ସାଉଦୀ ସର୍ବାଧିକ ୫ଟି ଓ ନିଲ୍ ୱାଗନର୍ ୩ଟି ୱିକେଟ୍ ଅକ୍ତିଆର କରିଥିଲେ।

ବଡ଼ ଲକ୍ଷ୍ୟର ପିଛା କରୁଥିବା ନ୍ୟୁଜିଲ୍ୟାଣ୍ଡ୍ ଆରମ୍ଭରୁ ହିଁ ନିୟମିତ ବ୍ୟବଧାନରେ ୱିକେଟ୍ ହରାଇଥିଲା। ଟିମର ଓପନିଂ ବ୍ୟାଟ୍ସମ୍ୟାନ୍ ଜିତ୍ ରାଭାଲ୍ (୧)ଙ୍କୁ ଷ୍ଟାର୍କ ପ୍ୟାଭିଲିୟନ୍ ପଠାଇଥିଲେ। ତାଙ୍କ ସ୍ଥାନ ପୂରଣ କରିବାକୁ ଆସିଥିବା କ୍ୟାପଟେନ୍ କେନ୍ ୱିଲିୟମସନ୍ ମାତ୍ର ୧୪ ରନ୍ କରି ଲାୟନଙ୍କ ଶିକାର ହୋଇଥିଲେ। ଏହା ପରେ ଷ୍ଟାର୍କ ଭ୍ରମଣକାରୀ ଦଳର ବ୍ୟାଟ୍ସମ୍ୟାନ୍ ଟମ୍ ଲାଥାମ (୧୮) ଓ ରସ୍ ଟେଲର (୨୨)ଙ୍କୁ ଆଉଟ୍ କରି ନ୍ୟୁଜିଲ୍ୟାଣ୍ଡକୁ ବ୍ୟାକଫୁଟକୁ ଠେଲି ଦେଇଥିଲେ।

ୱିକେଟକିପର ବିଜେ ୱାଟଲିଙ୍ଗ୍ ପଞ୍ଚମ ୱିକେଟ୍ ପାଇଁ ହେନରୀ ନିକୋଲ୍ସ (୨୧)ଙ୍କ ସହ ୪୧ ରନ୍ ଏବଂ କଲିନ୍ ଡି' ଗ୍ରାଣ୍ଡହୋମଙ୍କ ସହ ମିଶି ଷଷ୍ଠ ୱିକେଟ୍ ପାଇଁ ୫୬ ରନର ଭାଗୀଦାରୀ କରିଥିଲେ। ୱାଟଲିଙ୍ଗ୍ ବ୍ୟକ୍ତିଗତ ୪୦ ରନ୍ କରିଥିବା ବେଳେ ଷ୍ଟାର୍କଙ୍କ ବଲରେ ଷ୍ଟିଭେନ୍ ସ୍ମିଥଙ୍କୁ କ୍ୟାଚ୍ ଦେଇ ବସିଥିଲେ। ଶେଷକ୍ରମରେ ମିଚେଲ୍ ସାଣ୍ଟନର୍ (୦), ସାଉଦୀ (୪) ଓ ୱାଗନର୍ (୮) ଦୁଇଅଙ୍କ ଛୁଇଁପାରି ନଥିଲେ। ଅଷ୍ଟ୍ରେଲିଆ ପକ୍ଷରୁ ଷ୍ଟାର୍କ ୪୫ ରନ୍ ଦେଇ ୪ଟି ଓ ଲାୟନ୍ ୬୩ ରନ୍ ଦେଇ ୪ଟି ୱିକେଟ୍ ନେଇଥିଲେ। ସେହିପରି କମିନ୍ସ ୨ଟି ୱିକେଟ୍ ହାସଲ କରିଥିଲେ। ମ୍ୟାଚରେ ମୋଟ ୯ ୱିକେଟ୍ ନେଇଥିବା ଷ୍ଟାର୍କ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଥିଲେ।

Related story