ରଣଜୀ ଟ୍ରଫି: ଓଡ଼ିଶାକୁ ପ୍ରଥମ ଇନିଂସ୍ ଅଗ୍ରଣୀ ଦେଲେ ବୋଲର

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କଟକ ଟାଙ୍ଗୀସ୍ଥିତ ଡ୍ରିମ୍ସ ଗ୍ରାଉଣ୍ଡରେ ଚାଲିଥିବା ଓଡ଼ିଶା ଓ ଜମ୍ମୁ-କଶ୍ମୀର ରଣଜୀ ମ୍ୟାଚର ଦ୍ୱିତୀୟ ଦିବସ ମଧ୍ୟ ବୋଲରଙ୍କ କବଜାରେ ରହିଛି। ଓଡ଼ିଶାର ୧୬୧ ରନ୍ ଜବାବରେ ଜମ୍ମୁ ଓ କଶ୍ମୀର ଟିମ୍ ପ୍ରଥମ ଇନିଂସରେ ୧୨୪ ରନ୍ କରି ଅଲଆଉଟ୍ ହୋଇଛି। ଓଡ଼ିଶାର ବୋଲରମାନେ ଜବରଦସ୍ତ ପ୍ରଦର୍ଶନ କରି ନିଜ ଟିମକୁ ପ୍ରଥମ ଇନିଂସରେ ୩୭ ରନର ମହତ୍ତ୍ୱପୂର୍ଣ୍ଣ ଅଗ୍ରଣୀ ଦେଇଛନ୍ତି। ଜବାବରେ ଓଡ଼ିଶା ଦ୍ୱିତୀୟ ଦିବସ ଖେଳ ଶେଷ ସୁଦ୍ଧା […]

odisha

Ranjit Kumar Jena
  • Published: Monday, 20 January 2020
  • , Updated: 20 January 2020, 06:51 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କଟକ ଟାଙ୍ଗୀସ୍ଥିତ ଡ୍ରିମ୍ସ ଗ୍ରାଉଣ୍ଡରେ ଚାଲିଥିବା ଓଡ଼ିଶା ଓ ଜମ୍ମୁ-କଶ୍ମୀର ରଣଜୀ ମ୍ୟାଚର ଦ୍ୱିତୀୟ ଦିବସ ମଧ୍ୟ ବୋଲରଙ୍କ କବଜାରେ ରହିଛି। ଓଡ଼ିଶାର ୧୬୧ ରନ୍ ଜବାବରେ ଜମ୍ମୁ ଓ କଶ୍ମୀର ଟିମ୍ ପ୍ରଥମ ଇନିଂସରେ ୧୨୪ ରନ୍ କରି ଅଲଆଉଟ୍ ହୋଇଛି। ଓଡ଼ିଶାର ବୋଲରମାନେ ଜବରଦସ୍ତ ପ୍ରଦର୍ଶନ କରି ନିଜ ଟିମକୁ ପ୍ରଥମ ଇନିଂସରେ ୩୭ ରନର ମହତ୍ତ୍ୱପୂର୍ଣ୍ଣ ଅଗ୍ରଣୀ ଦେଇଛନ୍ତି। ଜବାବରେ ଓଡ଼ିଶା ଦ୍ୱିତୀୟ ଦିବସ ଖେଳ ଶେଷ ସୁଦ୍ଧା ୭ ୱିକେଟ୍ ହରାଇ ୧୩୬ ରନ୍ କରିଛି। ଷ୍ଟମ୍ପ ଅପସାରଣ ବେଳକୁ ରାଜେଶ ଧୂପର ୬ ଓ ରାଜେଶ ମହାନ୍ତି ୪ ରନ୍ କରି ଅପରାଜିତ ରହିଛନ୍ତି। ଓଡ଼ିଶା ଦ୍ୱିତୀୟ ଇନିଂସରେ ମୋଟ ୧୭୩ ରନରେ ଆଗୁଆ ଥିବା ବେଳେ ହାତରେ ୩ ୱିକେଟ୍ ବାକି ରହିଛି।

ସୋମବାର ଅସମାପ୍ତ ପ୍ରଥମ ଇନିଂସ୍ ସ୍କୋର ୩୮/୩ରୁ ଖେଳ ଆରମ୍ଭ କରିଥିବା ଜମ୍ମୁ ଓ କଶ୍ମୀର ଓଡ଼ିଶା ବୋଲରଙ୍କୁ ସାମ୍ନା କରିବାରେ ବିଫଳ ହୋଇଥିଲା। ଓଡ଼ିଶାର ସବୁଠାରୁ ଅଭିଜ୍ଞ ବୋଲର ବସନ୍ତ ମହାନ୍ତି ଦିବସର ଆରମ୍ଭରୁ ଭ୍ରମଣକାରୀ ଦଳର କ୍ୟାପଟେନ୍ ପରଭେଜ୍ ରସୁଲ୍ (୧୦)ଙ୍କୁ ପ୍ୟାଭିଲିୟନ୍ ପଠାଇଥିଲେ। ଏହା ପରେ ବସନ୍ତ ଜମ୍ମୁ ଓ କଶ୍ମୀରର ଫଜିଲ୍ ରଶିଦ୍ (୦) ଓ ଅବଦୁଲ୍ ସମାଦ୍ (୨୦)ଙ୍କୁ ଆଉଟ୍ କରି ଓଡ଼ିଶାକୁ ମ୍ୟାଚରେ ପ୍ରତ୍ୟାବର୍ତ୍ତନ କରିଥିଲେ।

ଜମ୍ମୁ ଓ କଶ୍ମୀର ଟିମ୍ ପକ୍ଷରୁ ସର୍ବାଧିକ ୪୦ ରନ୍ କରିଥିବା ଶୁଭମ୍ ଖଜୁରିଆଙ୍କୁ ଦେବବ୍ରତ ପ୍ରଧାନ ଆଉଟ୍ କରିଥିଲେ। ଆକିବ୍ ନବି ୨୩ ରନ୍ କରି ଅପରାଜିତ ଥିବା ବେଳେ ଆବିଦ୍ ମୁସ୍ତାକ୍ (୮), ମହମ୍ମଦ ମୁଦାସିର୍ (୧) ଓ ଉମର୍ ନାଜିର୍ (୦) ନିରାଶ କରିଥିଲେ। ଓଡ଼ିଶା ପକ୍ଷରୁ ବସନ୍ତ ମହାନ୍ତି ୪୨ରନ୍ ଦେଇ ସର୍ବାଧିକ ୪ଟି ଓ ଦେବବ୍ରତ ୧୨ ରନ୍ ଦେଇ ୩ଟି ୱିକେଟ୍ ନେଇଥିଲେ। ରାଜେଶ ମହାନ୍ତି ୨ଟି ଓ ସୂର୍ଯ୍ୟକାନ୍ତ ପ୍ରଧାନ ଗୋଟିଏ ୱିକେଟ୍ ଅକ୍ତିଆର କରିଥିଲେ।

ଦ୍ୱିତୀୟ ଇନିଂସରେ ଓଡ଼ିଶା ଭଲ ଆରମ୍ଭ କରିଥିଲେ ହେଁ, ଏହାକୁ କାଏମ୍ ରଖିପାରିନଥିଲେ। ଦୁଇ ଓପ୍ନର ଶାନ୍ତନୁ ମିଶ୍ର (୨୬) ଓ ଅନୁରାଗ ଷଡଙ୍ଗୀ (୨୬) ପ୍ରଥମ ୱିକେଟ୍ ପାଇଁ ୫୦ ରନ୍ ଯୋଡ଼ିଥିଲେ। ତୃତୀୟ ସ୍ଥାନରେ ବ୍ୟାଟିଂ କରିବାକୁ ଆସିଥିବା ଦେବାଶିଷ ସାମନ୍ତରାୟ (୨୩) ଓ କ୍ୟାପଟେନ୍ ଶୁଭ୍ରାଂଶୁ ସେନାପତି (୧୭) ପୁଣିଥରେ ନିରାଶ କରିଥିଲେ।

ଅଭିଜ୍ଞ ବିପ୍ଳବ ସାମନ୍ତରାୟ ମାତ୍ର ୭ ରନ୍ କରି ପ୍ୟାଭିଲିୟନ୍ ଫେରିଥିବା ବେଳେ ସୁଜିତ୍ ଲେଙ୍କା ୧୯ ଓ ଦେବବ୍ରତ ଖାତା ଖୋଲିପାରିନଥିଲେ। ଜମ୍ମୁ ଓ କଶ୍ମୀର ପକ୍ଷରୁ ଆକିବ୍ ନବି ଓ ଉମର ନାଜିର୍ ୨ଟି ଲେଖାଏ ୱିକେଟ୍ ନେଇଥିଲେ। ମଙ୍ଗଳବାର ତୃତୀୟ ଦିବସରେ ଓଡ଼ିଶା ଭ୍ରମଣକାରୀ ଦଳକୁ ଚ୍ୟାଲେଞ୍ଜିଂ ଟାର୍ଗେଟ୍ ଦେଇ ମ୍ୟାଚକୁ ଜିତିବାକୁ ପ୍ରୟାସ କରିବ।

Related story