ପୁଣି ‌ଦମ୍ ଦେଖାଇଲେ ଜାଡେଜା‍, ଟିମ୍ ଇଣ୍ଡିଆ ୧୬୧/୭

କ୍ୟାନବେରା: ଦିନିକିଆ ସିରିଜ୍ ଭଳି ଟି-୨୦ରେ ବି ଦମ୍ ଦେଖାଇଛନ୍ତି ରବୀନ୍ଦ୍ର ଜାଡେଜା। ଟପ୍ ଅର୍ଡର ବିଫଳତା ପରେ ଜାଡେଜାଙ୍କ ବିସ୍ଫୋରକ ଇନିଂସ୍ ବଳରେ ଟିମ୍ ଇଣ୍ଡିଆ ଏଠାରେ ଖେଳାଯାଇଥିବା ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଟି-୨୦ ମ୍ୟାଚରେ ନିର୍ଦ୍ଧାରିତ ୨୦ ଓଭରରେ ୭ ୱିକେଟ୍ ହରାଇ ୧୬୧ ରନ୍ କରିଛି। ଫଳରେ ମ୍ୟାଚ୍ ଜିତିବା ପାଇଁ ଅଷ୍ଟ୍ରେଲିଆକୁ ୧୬୨ ରନ୍ କରିବାକୁ ପଡ଼ିବ। ଜାଡେଜାଙ୍କ ବ୍ୟତୀତ ଓପନ୍ କରିବାକୁ ଆସିଥିବା ଲୋକେଶ ରାହୁଲଙ୍କ ଅର୍ଦ୍ଧଶତକକୁ ଛାଡ଼ି ଦେଲେ […]

jaddu

Ranjit Kumar Jena
  • Published: Friday, 04 December 2020
  • , Updated: 04 December 2020, 03:36 PM IST

କ୍ୟାନବେରା: ଦିନିକିଆ ସିରିଜ୍ ଭଳି ଟି-୨୦ରେ ବି ଦମ୍ ଦେଖାଇଛନ୍ତି ରବୀନ୍ଦ୍ର ଜାଡେଜା। ଟପ୍ ଅର୍ଡର ବିଫଳତା ପରେ ଜାଡେଜାଙ୍କ ବିସ୍ଫୋରକ ଇନିଂସ୍ ବଳରେ ଟିମ୍ ଇଣ୍ଡିଆ ଏଠାରେ ଖେଳାଯାଇଥିବା ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଟି-୨୦ ମ୍ୟାଚରେ ନିର୍ଦ୍ଧାରିତ ୨୦ ଓଭରରେ ୭ ୱିକେଟ୍ ହରାଇ ୧୬୧ ରନ୍ କରିଛି। ଫଳରେ ମ୍ୟାଚ୍ ଜିତିବା ପାଇଁ ଅଷ୍ଟ୍ରେଲିଆକୁ ୧୬୨ ରନ୍ କରିବାକୁ ପଡ଼ିବ। ଜାଡେଜାଙ୍କ ବ୍ୟତୀତ ଓପନ୍ କରିବାକୁ ଆସିଥିବା ଲୋକେଶ ରାହୁଲଙ୍କ ଅର୍ଦ୍ଧଶତକକୁ ଛାଡ଼ି ଦେଲେ ମିଡିଲ୍ ଅର୍ଡର ବ୍ୟାଟିଂ ଲାଇନ୍ ଫେଲ୍ ମାରିଛି। ଭାରତ ପକ୍ଷରୁ ରାହୁଲ୍ ୪୦ ବଲରେ ସର୍ବାଧିକ ୫୧ ରନ୍ ଓ ଜାଡେଜା ୪୪ (୨୩ ବଲ୍, ୫ ଚୌକା, ୧ ଛକା) ରନ୍ କରିଛନ୍ତି।

ମାନୁକା ଓଭାଲରେ ଖେଳାଯାଇଥିବା ଏହି ମ୍ୟାଚରେ ଅଷ୍ଟ୍ରେଲିଆ କ୍ୟାପଟେନ୍ ଆରୋନ୍ ଫିଞ୍ଚ୍ ଟସ୍ ଜିତି ପ୍ରଥମେ ଫିଲ୍ଡିଂ ନିଷ୍ପତ୍ତି ନେଇଥିଲେ। ଆରମ୍ଭରୁ ଭାରତକୁ ଝଟକା ଲାଗିଥିଲା। ଦିନିକିଆ ସିରିଜରେ ଆଶାମୁତାବକ ପ୍ରଦର୍ଶନ କରିନଥିବା ଶିଖର ଧୱନ୍ ମାତ୍ର ୧ ରନ୍ କରି ମିଚେଲ୍ ଷ୍ଟାର୍କଙ୍କ ବଲରେ କ୍ଲିନ୍ ବୋଲ୍ଡ ହୋଇଥିଲେ। ତାଙ୍କ ସ୍ଥାନ ପୂରଣ କରିବାକୁ ଆସିଥିବା କ୍ୟାପଟେନ୍ ବିରାଟ୍ କୋହଲି (୯) ମଧ୍ୟ ବେଶୀ ସମୟ କ୍ରିଜରେ ତିଷ୍ଠିପାରିନଥିଲେ।

କୋହଲିଙ୍କୁ ମିଚେଲ୍ ସ୍ୱେପସନ୍ ଆଉଟ୍ କରିଥିଲେ। ଏହା ପରେ ରାହୁଲ୍ ଓ ସଞ୍ଜୁ ସାମସନ୍ ରନ୍ ଗତିକୁ ବଢ଼ାଇଥିଲେ ଏବଂ ଭାରତର ବଡ଼ ସ୍କୋର ଆଶା ଉଜ୍ଜୀବିତ କରିଥିଲେ। କିନ୍ତୁ ସାମସନ୍ ସୁଯୋଗର ଫାଇଦା ଉଠାଇ ନପାରି ମାତ୍ର ୨୩ (୧୫ ବଲ୍, ୧ ଚୌକା, ୧ ଛକା) ରନ୍ କରି ମୋଜେସ୍ ହେନରିକ୍ସଙ୍କ ଶିକାର ହୋଇଥିଲେ। ଦିନିକିଆ ସିରିଜରେ ସୁଯୋଗ ପାଇନଥିବା ମନିଷ ପାଣ୍ଡେ ମାତ୍ର ୨ ରନ୍ କରି ପ୍ୟାଭିଲିୟନ୍ ଫେରିଥିଲେ। ରାହୁଲ୍ ଅର୍ଦ୍ଧଶତକ ମାରିଥିଲେ ହେଁ, ଏହାଠାରୁ ଆଗକୁ ବଢ଼ିପାରିନଥିଲେ।

ଦିନିକିଆ ସିରିଜରେ ଜବରଦସ୍ତ ବ୍ୟାଟିଂ କରିଥିବା ହାର୍ଦ୍ଦିକ ପାଣ୍ଡ୍ୟା ୧୬ ରନ୍ କରିବାକୁ ସକ୍ଷମ ହୋଇଥିଲେ। ଉଭୟ ରାହୁଲ୍ ଓ ହାର୍ଦ୍ଦିକଙ୍କୁ ହେନରିକ୍ସ ଆଉଟ୍ କରିଥିଲେ। ହାର୍ଦ୍ଦିକଙ୍କ ଆଉଟ୍ ପରେ ଭାରତ ବ୍ୟାକଫୁଟକୁ ଚାଲିଆସିଥିବା ବେଳେ ରବୀନ୍ଦ୍ର ଜାଡେଜା ଦ୍ରୁତ ରନ୍ କରି ଟିମକୁ ସମ୍ମାନଜନକ ସ୍କୋରରେ ପହଞ୍ଚାଇଥିଲେ। ଜାଡେଜା ୨୩ ବଲରେ ୫ ଚୌକା ଓ ୧ ଛକା ସହ ୪୪ ରନ୍ କରି ଅପରାଜିତ ଥିଲେ। ଅଷ୍ଟ୍ରେଲିଆ ପକ୍ଷରୁ ହେନରିକ୍ସ ସର୍ବାଧିକ ୩ଟି, ଷ୍ଟାର୍କ ୨ଟି, ଆଡାମ ଜାମ୍ପା ଓ ସ୍ୱେପସନ୍ ଗୋଟିଏ ଲେଖାଏ ଲେଖାଏ ୱିକେଟ୍ ପାଇଥିଲେ।

Related story