ଲାହୋର: କୁହାଯାଏ ନିଷ୍ଠା ଥିଲେ ପ୍ରତିଷ୍ଠା ଆସିବ। ଏଥିପାଇଁ କିନ୍ତୁ ଧୈର୍ଯ୍ୟର ଆବଶ୍ୟକତା ରହିଛି। ହୁଏତ ଏହି କ୍ରିକେଟରଙ୍କ ଜନ୍ମ ଆମ ଶତ୍ରୁ ଦେଶ ପାକିସ୍ତାନରେ। ଅନେକ ଥର ତାଙ୍କ ଜବରଦସ୍ତ ବ୍ୟାଟିଂ ପାଇଁ ଭାରତ ହାରିଛି। ତଥାପି ଏହି ବ୍ୟାଟସମ୍ୟାନଙ୍କ ସଂଘର୍ଷ ଜୀବନୀ ଖାଲି ପାକିସ୍ତାନ ନୁହେଁ ବରଂ ସମସ୍ତଙ୍କ ପାଇଁ ପ୍ରେରଣା ସାଜିଛି।
୨୭ ଅଗଷ୍ଟ ୧୯୭୪ରେ ପାକିସ୍ତାନର ଲାହୋରର ଏକ ବସ୍ତିରେ ଜନ୍ମଗ୍ରହଣ କରିଥିଲେ ୟୁସୁଫ ୟୋହାନା। ଜଣେ ଖ୍ରୀଷ୍ଟିଆନ ପରିବାରରେ ଜନ୍ମ ଗ୍ରହଣ କରିଥିବା ଏହି ଛୋଟ ଛୁଆ କାଳକ୍ରମେ ମହମ୍ମଦ ୟୁସୁଫ ନାମରେ ପରିଚିତ ହୋଇଥିଲା। ୟୁସୁଫ ପାକିସ୍ତାନ ପାଇଁ ୯୦ ଟି ଟେଷ୍ଟ ଖେଳି ୫୨ ଷ୍ଟାଇକ ରେଟରେ ସ୍କୋର କରିଛନ୍ତି। ଯେଉଁଥିରେ ୨୪ଟି ଶତକ ରହିଛି। ଏହା ବ୍ୟତୀତ ୨୮୮ ଟି ଦିନିକିଆ ଖେଳି ୯୭୨୦ ରନ୍ ସଂଗ୍ରହ କରିଛନ୍ତି। ଯେଉଁଥିରେ ମୋଟ ୧୫ ଟି ଶତକ ରହିଛି।
ପାକିସ୍ତାନର ସର୍ବଶ୍ରେଷ୍ଠ ବ୍ୟାଟ୍ସମ୍ୟାନଙ୍କ ମଧ୍ୟରେ ୟୁସୁଫ ହେଉଛନ୍ତି ଅନ୍ୟତମ। ସବୁଠୁ ବଡ଼ କଥା ହେଲେ ଏହି ଶୀଖରରେ ପହଞ୍ଚିବା ପାଇଁ ତାଙ୍କୁ ଅନେକ ପରିସ୍ଥିତି ଦେଇ ଗତି କରିବାକୁ ପଡ଼ିଛି। ନିଜ ଘରେ ଦୁଇ ଓଳି ରୁଟି ଖାଇବା ପାଇଁ ସଂଘର୍ଷ କରୁଥିବା ୟୁସୁଫ କେମିତି ଏତେ ବଡ଼ ଖେଳାଳି ହେଲେ ତାହା ଏବେ ଜାଣିବା ଜରୁରୀ।
ମହମ୍ମଦ ୟୁସୁଫ୍ ଏକ ଗରିବ ପରିବାରରେ ଜନ୍ମଗ୍ରହଣ କରିଥିଲେ। ଲାହୋରର ଏକ ଝୁମ୍ପୁଡ଼ି ଘରେ ତାଙ୍କର ପିଲାଦିନ କଟିଛି। ବାପା ରେଲଓ୍ୱେ ଷ୍ଟେସନରେ ଜଣେ ଝାଡ଼ୁଦାର ଥିଲେ। ବାପା ଯେତିକି ରୋଜଗାର କରୁଥିଲେ ସେଥିରେ ପରିବାର ଚଳିବା କଷ୍ଟକର ହୋଇ ପଡ଼ିଥିଲା। ସେଥିପାଇଁ ବାପାଙ୍କ ଆର୍ଥିକ ବୋଝକୁ ହାଲୁକା କରିବା ପାଇଁ କମ୍ ବୟସରେ ଟେଲର ଦୋକାନ ଆରମ୍ଭ କରିଥିଲେ। ସମୟ ପାଇଲେ କ୍ରିକେଟ ଖେଳୁଥିଲେ। ଆଉ ଏହା ଥିଲା ଛୋଟ ବେଳେ ତାଙ୍କର ନିଶା। ଟେଲରିଂରୁ ଯାହା ରୋଜଗାର ହୁଏ ସେଥିରେ ପରିବାରକୁ ସହଯୋଗ ହୁଏ। ତେଣୁ ସେ ଗଛର ଡାଳକୁ ବ୍ୟାଟ କରି ପରିଣତ କରି କ୍ରିକେଟ ଖେଳୁଥିଲେ। ଟେନିସ ବଲରେ ସାଙ୍ଗ ମାନଙ୍କ ସହିତ କ୍ରିକେଟ ଖେଳୁଥିଲେ। କ୍ରିକେଟ ଖେଳିବା ବେଳେ ତାଙ୍କର ବ୍ୟାଟିଂକୁ ନେଇ ଅନେକ ତାରିଫ୍ କରୁଥିଲେ। ହେଲେ ଘରର ଆର୍ଥିକ ସମସ୍ୟା ଅଧିକ ଦେଖାଦେବାରୁ ୧୨ ବର୍ଷ ବେଳକୁ ସେ ରିକ୍ସା ଟାଣିବା ଆରମ୍ଭ କରିଥିଲେ।
ଦିନେ ସେ ଟେଲର ଦୋକାନରେ ବସିଥିଲେ। ଏହି ସମୟରେ କିଛି ସ୍ଥାନୀୟ ଯୁବକ ଆସି ତାଙ୍କୁ ଏକ କ୍ଲବରୁ କ୍ରିକେଟ୍ ଖେଳିବା ପାଇଁ ଅନୁରୋଧ କରିଥିଲେ। ୟୁସୁଫ୍ କିନ୍ତୁ ରାଜି ହୋଇନଥିଲେ। ହେଲେ ଯୁବକମାନେ ଜୋର ଜବରଦସ୍ତି କିନ୍ତୁ ତାଙ୍କୁ ଉଠାଇ ଆଣିଥିଲେ। ଆଉ ପଡ଼ିଆରେ ଆରମ୍ଭ ହୋଇଥିଲା ୟୁସୁଫଙ୍କ ଚମତ୍କାର ବ୍ୟାଟିଂ। ଏହି ମ୍ୟାଚରେ ସେ ଶତକ ମାରିଥିଲେ। ଏହି କ୍ରିକେଟ ସିରିଜର ନାମ ଥିଲା ବ୍ରାଡଫୋର୍ଡ କ୍ରିକେଟ୍ ଲିଗ। ପୂର୍ବରୁ ୟୁସୁଫ୍ ଯେତେ ମ୍ୟାଚ ଖେଳିଥିଲେ ସବୁଠାରୁ ଅଧିକ ସ୍କୋର ଏହି ମ୍ୟାଚରେ ସେ କରିଥିଲେ। ବାସ୍ ଏହି ମ୍ୟାଚ ପରେ ବଦିଳଗଲା ୟୁସୁଫଙ୍କ ଜୀବନ। ଏହାପରେ ସେ କ୍ରିକେଟ୍ ଉପରେ ଅଧିକ ଧ୍ୟାନ ଦେଇଥିଲେ।
୧୯୯୮ରେ ୟୁସୁଫଙ୍କ ଜୀବନରେ ଏକ ବିରାଟ ପରିବର୍ତ୍ତନ ଆସିଲା। ଯାହାକୁ ସେ ପିଲାଦିନୁ ଅପେକ୍ଷା କରିଥିଲେ। ଆଉ କେବେ କଳ୍ପନା ମଧ୍ୟ କରିନଥିଲେ ସେ ଦିନେ ପାକିସ୍ତାନ ପାଇଁ କ୍ରିକେଟ ଖେଳିବେ ବୋଲି। କାରଣ ମହମ୍ମଦ ୟୁସୁଫ ପାକିସ୍ତାନ ଦଳ ପାଇଁ ମନୋନୀତ ହୋଇ ଦକ୍ଷିଣ ଆଫ୍ରିକା ଗସ୍ତରେ ଯାଇଥିଲେ। ୨୬ ଫେବୃଆରୀ, ୧୯୯୮ରେ ଡର୍ବାନରେ ସେ ତାଙ୍କର ପ୍ରଥମ ଅନ୍ତର୍ଜାତୀୟ ଡେବ୍ୟୁ ମ୍ୟାଚ ଖେଳିଥିଲେ। ହେଲେ ଦୁଇଟି ଯାକ ଇନିଂସରେ ମୋଟ୍ ୬ ରନ୍ କରିବାରେ ସକ୍ଷମ ହୋଇଥିଲେ। ଏହାପରେ ସେ ଜିମ୍ୱାଓ୍ୱେ ବିପକ୍ଷରେ ଟେଷ୍ଟ ମ୍ୟାଚ ଖେଳିଥିଲେ। ଆଉ ଉଭୟ ଇନିଂସରେ ଅର୍ଦ୍ଧଶତକ ହାସଲ କରିବା ସହିତ ଶତକ ମଧ୍ୟ ମାରିଥିଲେ। ଆଉ ଏହାପରେ ୟୁସୁଫଙ୍କ ବ୍ୟାଟରୁ ଶତକ ବାହାରିବା ଆରମ୍ଭ କରିଥିଲା। ୨୦୦୨-୦୩ରେ ଜିମ୍ବାୱେ ବିପକ୍ଷ ଦିନିକିଆ ସିରିଜରେ ୪୦୫ ରନ୍ କରିଥିଲେ ୟୁସୁଫ୍। ଆଉ ସେତେବେଳେ ଏହା ବିଶ୍ୱ ରେକର୍ଡ ଥିଲା।
୨୦୦୬ ମସିହାରେ ମହମ୍ମଦ ୟୁସୁଫ ନିଜକୁ ଜଣେ ଦକ୍ଷ ବ୍ୟାଟ୍ସମ୍ୟାନ୍ ବୋଲି ପ୍ରମାଣିତ କରିଥିଲେ। କାରଣ ଗୋଟିଏ ବର୍ଷରେ ସେ ୧୧ ଟି ଟେଷ୍ଟ ମ୍ୟାଚ ଖେଳି ୯ଟି ଶତକ ଏବଂ ୩ଟି ଅର୍ଦ୍ଧଶତକ ହାସଲ କରିଥିଲେ। ୟୁସୁଫ ଗୋଟିଏ ବର୍ଷରେ ୧୭୮୮ ଟେଷ୍ଟ ରନ୍ ସ୍କୋର କରିଥିଲେ ଯାହାକି ଏପର୍ଯ୍ୟନ୍ତ ବିଶ୍ୱ ରେକର୍ଡ ରହିଛି। ସବୁଠୁ ବଡ଼ କଥା ହେଲା ଯଦି କ୍ଲବ ପିଲା ୟୁସୁଫଙ୍କୁ ଟେଲର ଦୋକାନରୁ ଜୋର ଜବରଦସ୍ତି ଉଠାଇ ନଥାନ୍ତେ ତାହାଲେ ଏହେ ୟୁସୁଫଙ୍କ କ’ଣ ଆଜି ପରିଚୟ ପାଇ ପାରିଥାନ୍ତେ?