Advertisment

INDvsAUS: ପର୍ଥରେ ଅନର୍ଥ; ନିରାଶ କଲେ ରୋହିତ ଓ ବିରାଟ

ଅଷ୍ଟ୍ରେଲିଆ ଓ ଭାରତ ମଧ୍ୟସ୍ଥ ତିନିଟି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ଆଜିଠାରୁ ଆରମ୍ଭ ହୋଇଛି। ପର୍ଥରେ ଖେଳା ଯାଉଥିବା ପ୍ରଥମ ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ଟସ୍‌ ଜିତି ଫିଲ୍ଡିଂ ନିଷ୍ପତ୍ତି ନେଇଥିବା ବେଳେ ଭାରତ ବ୍ୟାଟିଂ କରୁଛି।

Cricket

ବିରାଟ କୋହଲି ଓ ରୋହିତ ଶର୍ମା

Advertisment

ଅଷ୍ଟ୍ରେଲିଆ ଓ ଭାରତ ମଧ୍ୟସ୍ଥ ତିନିଟି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ଆଜିଠାରୁ ଆରମ୍ଭ ହୋଇଛି। ପର୍ଥରେ ଖେଳା ଯାଇଥିବା ପ୍ରଥମ ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ୭ ୱିକେଟ୍‌ରେ ବିଜୟୀ ହୋଇଛି। 

Advertisment

ଏହି ମ୍ୟାଚ୍‌କୁ ନେଇ ସମସ୍ତ ନଜର ରହିଥିଲା ରୋହିତ ଶର୍ମା ଓ ବିରାଟ କୋହଲିଙ୍କ ଉପରେ। କାରଣ ଟେଷ୍ଟ ଓ ଟି-ଟ୍ୱେଣ୍ଟିରୁ ଅବସର ନେଇ ସାରିଥିବା ରୋହିତ ଓ ବିରାଟ ପ୍ରାୟ ୭ ମାସ ପରେ ଟିମ୍‌କୁ ଫେରିଛନ୍ତି ଦିନିକିଆ ସିରିଜ୍ ଖେଳିବା ପାଇଁ। ତେବେ ଏତେ ଦିନ ପରେ ଟିମ୍‌କୁ ଫେରିଥିବା ଏହି ଦୁଇ ଖେଳାଳି ଭାରତୀୟ କ୍ରିକେଟ ପ୍ରେମୀଙ୍କୁ ନିରାଶ କରିଛନ୍ତି। ଆଜି ସେମାନେ ଫେଲ୍‌ ମାରିଛନ୍ତି।

ମ୍ୟାଚ୍‌ର ମାତ୍ର ୩.୪ ଓଭରରେ ଭାରତକୁ ଲାଗିଥିଲା ବଡ଼ ଝଟକା। ଆଉଟ୍ ହୋଇଥିଲେ ଓପନର ରୋହିତ ଶର୍ମା। ସେ ସେଟେଲ୍ ହେବା ପୂର୍ବରୁ ଜୋଶ୍ ହାଜେଲଉଡ୍‌ ତାଙ୍କୁ ନିଜ ଫାଶରେ ପକାଇ ଦେଇଥିଲେ। ଜୋଶ୍ ହାଜେଲଉଡ୍‌ଙ୍କ ବଲ୍‌ରେ ମ୍ୟାଟ୍ ରେନ୍‌ଶୋଙ୍କ ହାତରେ କ୍ୟାଚ୍ ଆଉଟ୍ ହୋଇଥିଲେ ରୋହିତ ଶର୍ମା। ସେ ୧୪ଟି ବଲ୍‌ରୁ ୮ ରନ୍ କରି ଆଉଟ୍ ହୋଇଥିଲେ। ତା’ମଧ୍ୟରେ ଗୋଟିଏ ଚୌକା ଥିଲା।

Advertisment

ରୋହିତ ଯିବା ପରେ ୩ ନମ୍ବରରେ ବ୍ୟାଟିଂ କରିବାକୁ ଆସିଥିବା ବିରାଟ କୋହଲି ମାତ୍ର ୮ଟି ବଲ୍‌ର ସମ୍ମୁଖୀନ ହୋଇଥିଲେ। ନା ତାଙ୍କ ବ୍ୟାଟ୍‌ରୁ କୌଣସି ରନ୍ ବାହାରିଥିଲା ନା ସେ ସେଟେଲ ହୋଇପାରିଥିଲେ। ମିଚେଲ ଷ୍ଟାର୍କଙ୍କ ଏକ ୱାଇଡ୍ ଡେଲିଭରୀକୁ ହିଟ୍ କରି ପଏଣ୍ଟରେ କୁପର କୋନୋଲୀଙ୍କ ହାତରେ କ୍ୟାଚ୍ ଆଉଟ୍ ହୋଇଥିଲେ କୋହଲି। ଏହା ସହିତ ପ୍ରଥମ ଥର ପାଇଁ ଅଷ୍ଟ୍ରେଲିଆରେ ଦିନିକିଆରେ ଶୂନରେ ଆଉଟ୍ ହୋଇଛନ୍ତି କୋହଲି। 

ରୋହିତ ଶର୍ମା ଓ ବିରାଟ କୋହଲିଙ୍କୁ ସମାଲୋଚନା କରିଛନ୍ତି ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ମାର୍କ ଟେଲର। ସେ କହିଛନ୍ତି ଯେ ଏହି ଦୁଇ ଖେଳାଳି ପର୍ଥର ସ୍ଥିତି ସହିତ ଖାପଖୁଆଇବାକୁ ନିଜକୁ ଅଧିକ ସମୟ ଦେବାରେ ବିଫଳ ହୋଇଛନ୍ତି। 

ଯଦିଓ ଏହି ବିଫଳତା ଉଭୟ ଖେଳାଳିଙ୍କ ପାଇଁ ସତର୍କର ଘଣ୍ଟି ବୋଲି କୁହାଯାଇପାରିବ ନାହିଁ, କିନ୍ତୁ ସେମାନଙ୍କୁ ଖୁବ୍‌ ଶୀଘ୍ର ଫର୍ମକୁ ଫେରିବାକୁ ପଡ଼ିବ। ଏହି ଦୁଇ ଖେଳାଳି ୨୦୨୭ ଦିନିକିଆ ବିଶ୍ୱକପ୍‌ ଖେଳିବାକୁ ଲକ୍ଷ୍ୟ ରଖିଥିଲେ ହେଁ, ଅନ୍ୟ ଖେଳାଳିଙ୍କ ଭଳି ସେମାନଙ୍କ ପ୍ରଦର୍ଶନକୁ ବିଚାରକୁ ନେଇ ଟିମ୍‌କୁ ମନୋନୀତ କରିବେ ଚୟନକର୍ତ୍ତା। ବିରାଟ ଓ ରୋହିତ ଟେଷ୍ଟ ଓ ଟି-ଟ୍ୱେଣ୍ଟିରୁ ଅବସର ନେଇ ସାରିଥିବା ବେଳେ କେବଳ ଦିନିକିଆ ଖେଳୁଛନ୍ତି। ୨୦୨୭ ଦିନିକିଆ ବିଶ୍ୱକପ୍‌ ପୂର୍ବରୁ ଭାରତ ୨୫ଟିରୁ କମ୍ ଦିନିକିଆ ମ୍ୟାଚ୍ ଖେଳିବ। ତେଣୁ ସେମାନଙ୍କୁ ଏହି ମ୍ୟାଚ୍‌ଗୁଡ଼ିକ ପାଇଁ ସବୁବେଳେ ପ୍ରସ୍ତୁତ ରହିବାକୁ ପଡ଼ିବ ଓ ଭଲ ପ୍ରଦର୍ଶନ କରିବାକୁ ପଡ଼ିବ।  

ବର୍ଷା ବାଧିତ ଏହି ମ୍ୟାଚ୍‌କୁ ୨୬ ଓଭରରେ ସୀମିତ ରଖାଯାଇଥିବା ବେଳେ ଭାରତ ୯ ୱିକେଟ ହରାଇ ୧୩୬ ରନ୍ କରିଥିଲା। ବିଜୟୀ ପାଇଁ ଅଷ୍ଟ୍ରେଲିଆକୁ ୨୬ ଓଭରରେ ୧୩୧ ରନ୍ କରିବାକୁ କୁହାଯାଇଥିଲା। ଘରୋଇ ଦଳ ୨୧.୧ ଓଭରରେ ୩ଟି ୱିକେଟ୍ ହରାଇ ଏହି ଲକ୍ଷ୍ୟ ହାସଲ କରିଥିଲା। 

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe