ମୁମ୍ବାଇ: ଭାରତୀୟ କ୍ରିକେଟ୍ ଦଳର ଓପନିଂ ବ୍ୟାଟ୍ସମ୍ୟାନ୍ ଶିଖର ଧୱନ୍ ମଙ୍ଗଳବାର ଏକ ଖାସ ଉପଲବ୍ଧି ନିଜ ନାଁରେ କରିଛନ୍ତି। ଅନ୍ତର୍ଜାତୀୟ ଦିନିକିଆ ଫର୍ମାଟରେ ଧୱନ୍ ଅଷ୍ଟ୍ରେଲିଆ ବିପକ୍ଷରେ ୧ହଜାର ରନ୍ ପୂରଣ କରିବାରେ ପଞ୍ଚମ ଭାରତୀୟ ବ୍ୟାଟ୍ସମ୍ୟାନ୍ ହୋଇଛନ୍ତି।
ବାମହାତୀ ବ୍ୟାଟ୍ସମ୍ୟାନ୍ ଧୱନ୍ ଅଷ୍ଟ୍ରେଲିଆ ବିପକ୍ଷରେ ୧ହଜାର ରନ୍ ପୂରଣ କରିବାରେ ଓଭରଅଲ୍ ୩୨ତମ ଖେଳାଳି ହୋଇଛନ୍ତି। ଭାରତୀୟଙ୍କ ମଧ୍ୟରେ କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ୍ ସଚିନ ତେନ୍ଦୁଲକର ଅଷ୍ଟ୍ରେଲିଆ ବିପକ୍ଷରେ ସର୍ବାଧିକ ରନ୍ କରିଛନ୍ତି। ସଚିନ କଙ୍ଗାରୁ ଟିମ୍ ବିପକ୍ଷରେ ୩୦୭୭ ରନ୍ କରି ପ୍ରଥମ ସ୍ଥାନରେ ରହିଥିବାବେଳେ ରୋହିତ୍ ଶର୍ମା (୨୦୪୭ ରନ୍) ଦ୍ୱିତୀୟ, ବିରାଟ୍ କୋହଲି (୧୭୧୭ ରନ୍) ତୃତୀୟ ଏବଂ ମହେନ୍ଦ୍ର ସିଂ ଧୋନି (୧୬୭୦ ରନ୍) ଚତୁର୍ଥ ସ୍ଥାନରେ ରହିଛନ୍ତି।
ଧୱନ୍ ଅଷ୍ଟ୍ରେଲିଆ ବିପକ୍ଷରେ ମାତ୍ର ୨୫ତମ ଇନିଂସରେ ଏହି ମାଇଲଖୁଣ୍ଟ ହାସଲ କରିଛନ୍ତି। ଧୱନ୍ ଅଷ୍ଟ୍ରେଲିଆ ବିପକ୍ଷରେ ୪ ଶତକ ମାରିଛନ୍ତି। ଉକ୍ତ ମ୍ୟାଚରେ ଧୱନ୍ ୭୪ ରନ୍ କରି ଆଉଟ୍ ହୋଇଥିଲେ।