ମହୀଶୂର: ଭାରତ-ଏ ଓ ଦକ୍ଷିଣ ଆଫ୍ରିକା-ଏ ମଧ୍ୟରେ ଦ୍ୱିତୀୟ ଅନଅଫିସିଆଲ୍ ଟେଷ୍ଟ ଆଜିଠାରୁ ଆରମ୍ଭ ହୋଇଛି । ମ୍ୟାଚରେ ଦକ୍ଷିଣ ଆଫ୍ରିକା-ଏ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ଆମନ୍ତ୍ରଣ ପାଇ ପ୍ରଥମେ ବ୍ୟାଟିଂ କରିଥିବା ଭାରତ-ଏ ପ୍ରଥମ ଦିବସ ଖେଳ ଶେଷ ସୁଦ୍ଧା ୭୪ ଓଭରରେ ୩ ୱିକେଟ୍ ହରାଇ ୨୩୩ ରନ୍ କରିଛି। ଖରାପ ଆଲୋକ ଯୋଗୁ ପ୍ରଥମ ଦିବସର ଖେଳ ଘଣ୍ଟାଏ ପୂର୍ବରୁ ବନ୍ଦ କରାଯାଇଛି।
ଷ୍ଟମ୍ପ ଅପସାରଣ ବେଳକୁ କରୁନ୍ ନାୟର୍ ୭୮ (୧୬୭ ବଲ୍, ୧୦ ଚୌକା) ଓ କ୍ୟାପଟେନ୍ ଋଦ୍ଧିମାନ ସାହା ୩୬ (୮୬ ବଲ୍, ୫ ଚୌକା) ରନରେ ଅପରାଜିତ ରହିଛନ୍ତି। ଘରୋଇ ଦଳ ପକ୍ଷରୁ ଓପନିଂ ବ୍ୟାଟ୍ସମ୍ୟାନ୍ ଶୁବମାନ୍ ଗିଲ୍ ଦମଦାର ବ୍ୟାଟିଂ କରି ୯୨ (୧୩୭ ବଲ୍, ୧୨ ଚୌକା, ୧ ଛକା) ରନର ଇନିଂସ୍ ଖେଳିଛନ୍ତି।
ଟସ୍ ଜିତି ବୋଲିଂ କରିବା ନିଷ୍ପତ୍ତି ଦକ୍ଷିଣ ଆଫ୍ରିକା-ଏ ପାଇଁ ଫଳପ୍ରଦ ହୋଇଥିଲା। ଦଳର ବୋଲରମାନେ ୩୧ ରନ୍ ଭିତରେ ଘରୋଇ ଟିମ ଶୀର୍ଷ ଦୁଇ ବ୍ୟାଟ୍ସମ୍ୟାନଙ୍କୁ ପ୍ୟାଭିଲିୟନ୍ ପଠାଇଥିଲେ। ଓପ୍ନର ଅଭିମନ୍ୟୁ ଈଶ୍ୱରନ୍ (୫)ଙ୍କୁ ଲୁଙ୍ଗି ଏନଗିଡି ଏଲବିଡବ୍ଲ୍ୟୁ ଆଉଟ୍ କରିଥିବା ବେଳେ ପ୍ରିୟଙ୍କ ପାଞ୍ଚାଲ୍ (୬)ଙ୍କୁ ମୁଲ୍ଡର ଆଉଟ୍ କରିଥିଲେ। ତେବେ ଏହି ସମୟରେ ଭାରତକୁ ଏକ ଭଲ ପାର୍ଟନରଶିପର ଆବଶ୍ୟକ ହେଉଥିବା ବେଳେ ଗିଲ୍ ଓ ନାୟର୍ ଆକର୍ଷଣୀୟ ବ୍ୟାଟିଂ କରିଥିଲେ।
ଦୁହେଁ ତୃତୀୟ ୱିକେଟ୍ ପାଇଁ ୧୩୫ ରନ୍ ଯୋଡ଼ି ଭାରତ-ଏ'କୁ ଭଲ ସ୍ଥିତିରେ ପହଞ୍ଚାଇଥିଲେ। ଭାରତ-ଏ'ର ସ୍କୋର ୧୬୬ ଥିବା ବେଳେ ଗିଲଙ୍କୁ ସିପାମ୍ଲା ଆଉଟ୍ କରିଥିଲେ। ଗିଲ୍ ମାତ୍ର ୮ ରନ୍ ପାଇଁ ଶତକରୁ ବଞ୍ଚିତ ହୋଇଥିଲେ। ଏହା ପରେ ନାୟରଙ୍କୁ ସାଥ୍ ଦେଇଥିଲେ ସାହା। ଦୁହେଁ ଦିବସର ଖେଳ ଶେଷ ସୁଦ୍ଧା ଘରୋଇ ଦଳକୁ ଆଉ କୌଣସି କ୍ଷତି ସହିବାକୁ ଦେଇନଥିଲେ। ଚତୁର୍ଥ ୱିକେଟ୍ ପାଇଁ ନାୟର୍ ଓ ସାହା ଅପରାଜିତ ୬୭ ରନର ଭାଗୀଦାରୀ କରିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।