ସ୍ମିଥଙ୍କ ଶତକ, ଅଷ୍ଟ୍ରେଲିଆର ସମ୍ମାନଜନକ ସ୍କୋର

ବର୍ମିଂହାମ୍: ଏଜବାଷ୍ଟନରେ ଆରମ୍ଭ ହୋଇଛି ଅଷ୍ଟ୍ରେଲିଆ-ଇଂଲଣ୍ଡ ଆଶେସ୍ ସିରିଜର ପ୍ରଥମ ଟେଷ୍ଟ। ମ୍ୟାଚର ପ୍ରଥମ ଦିବସର ଇଂଲଣ୍ଡ ବୋଲରଙ୍କ ଦବଦବା ଦେଖିବାକୁ ମିଳିଥିଲା। ଅନ୍ୟପକ୍ଷରେ ପ୍ରଥମରୁ ନିୟମିତ ବ୍ୟବଧାନରେ ୱିକେଟ୍ ହରାଇଥିବା ଅଷ୍ଟ୍ରେଲିଆର ସମ୍ମାନ ରକ୍ଷା କରିଛନ୍ତି ପୂର୍ବତନ କ୍ୟାପଟେନ୍ ଷ୍ଟିଭ୍ ସ୍ମିଥ୍। ପ୍ରତ୍ୟାବର୍ତ୍ତନରେ ସ୍ମିଥ୍ ଦମଦାର ବ୍ୟାଟିଂ କରି କ୍ୟାରିୟରର ୨୪ତମ ଟେଷ୍ଟ ଶତକ ମାରିଛନ୍ତି। ରିପୋର୍ଟ ଲେଖା ହେଲା ବେଳକୁ ଅଷ୍ଟ୍ରେଲିଆ ପ୍ରଥମ ଇନିଂସରେ ୯ ୱିକେଟ୍ ହରାଇ ୨୪୮ ରନ୍ କରିଛି। ସ୍ମିଥ୍ ୧୧୭ […]

smith

smith

Ranjit Kumar Jena
  • Published: Thursday, 01 August 2019
  • Updated: 01 August 2019, 10:35 PM IST

Sports

Latest News

ବର୍ମିଂହାମ୍: ଏଜବାଷ୍ଟନରେ ଆରମ୍ଭ ହୋଇଛି ଅଷ୍ଟ୍ରେଲିଆ-ଇଂଲଣ୍ଡ ଆଶେସ୍ ସିରିଜର ପ୍ରଥମ ଟେଷ୍ଟ। ମ୍ୟାଚର ପ୍ରଥମ ଦିବସର ଇଂଲଣ୍ଡ ବୋଲରଙ୍କ ଦବଦବା ଦେଖିବାକୁ ମିଳିଥିଲା। ଅନ୍ୟପକ୍ଷରେ ପ୍ରଥମରୁ ନିୟମିତ ବ୍ୟବଧାନରେ ୱିକେଟ୍ ହରାଇଥିବା ଅଷ୍ଟ୍ରେଲିଆର ସମ୍ମାନ ରକ୍ଷା କରିଛନ୍ତି ପୂର୍ବତନ କ୍ୟାପଟେନ୍ ଷ୍ଟିଭ୍ ସ୍ମିଥ୍। ପ୍ରତ୍ୟାବର୍ତ୍ତନରେ ସ୍ମିଥ୍ ଦମଦାର ବ୍ୟାଟିଂ କରି କ୍ୟାରିୟରର ୨୪ତମ ଟେଷ୍ଟ ଶତକ ମାରିଛନ୍ତି। ରିପୋର୍ଟ ଲେଖା ହେଲା ବେଳକୁ ଅଷ୍ଟ୍ରେଲିଆ ପ୍ରଥମ ଇନିଂସରେ ୯ ୱିକେଟ୍ ହରାଇ ୨୪୮ ରନ୍ କରିଛି। ସ୍ମିଥ୍ ୧୧୭ ଓ ନେଥନ୍ ଲାୟନ୍ ୪ ରନରେ ବ୍ୟାଟିଂ କରୁଛନ୍ତି।

ତେବେ ବଲ୍ ଟ୍ୟାମ୍ପରିଂ ଘଟଣାରେ ୧୬ ମାସ ପରେ ଟେଷ୍ଟକୁ ଫେରିଥିବା ଡେଭିଡ୍ ୱାର୍ଣ୍ଣର୍ ଓ କ୍ୟାମେରନ୍ ବ୍ୟାନକ୍ରଫ୍ଟ ନିରାଶ କରିଛନ୍ତି। ଅନ୍ୟପକ୍ଷରେ ଇଂଲଣ୍ଡକୁ ତା'ର ଏକ ନମ୍ବର ପେସ୍ ବୋଲର ଜେମ୍ସ ଆଣ୍ଡରସନଙ୍କ ଅନୁପସ୍ଥିତି ଅନୁଭୂତ ହୋଇଥିଲା। ଆଣ୍ଡରସନ୍ ମାତ୍ର ୪ ଓଭର୍ ବୋଲିଂ କରିବା ପରେ ଆହତ ହୋଇ ପ୍ୟାଭିଲିୟନ୍ ଫେରିଯାଇଥିଲେ।

ଉକ୍ତ ମ୍ୟାଚରେ ଅଷ୍ଟ୍ରେଲିଆ କ୍ୟାପଟେନ୍ ଟିମ୍ ପେନ୍ ଟସ୍ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ପିଚ୍ ଆରମ୍ଭରୁ ବୋଲରଙ୍କ ପାଇଁ ଅନୁକୂଳ ରହିଥିଲା, ଯାହାର ଫାଇଦା ଉଠାଇ ଇଂଲଣ୍ଡ ବୋଲରମାନେ ଅଷ୍ଟ୍ରେଲିଆର ପ୍ରାରମ୍ଭିକ ବିପର୍ଯ୍ୟୟ ଘଟାଇଥିଲେ। ଅଷ୍ଟ୍ରେଲିଆର ଦୁଇ ଓପ୍ନର କ୍ୟାମେରନ୍ ବ୍ୟାନକ୍ରଫ୍ଟ ଓ ଡେଭିଡ୍ ୱାର୍ଣ୍ଣର୍ ପ୍ରତ୍ୟାବର୍ତ୍ତନରେ ନିରାଶ କରିଥିଲେ। ଉଭୟ ଓପ୍ନରଙ୍କୁ ଇଂଲଣ୍ଡର ଦ୍ୱିତୀୟ ସଫଳ ବୋଲର ଷ୍ଟୁଆର୍ଟ ବ୍ରଡ୍ ପ୍ୟାଭିଲିୟନ୍ ପଠାଇଥିଲେ।

ୱାର୍ଣ୍ଣର୍ ୨ ରନ୍ କରି ଏଲବିଡବ୍ଲ୍ୟୁ ହୋଇଥିବା ବେଳେ ବ୍ୟାନକ୍ରଫ୍ଟ ୮ ରନ୍ କରି ଇଂଲଣ୍ଡ କ୍ୟାପଟେନ୍ ଜୋ ରୁଟଙ୍କ ଦ୍ୱାରା କ୍ୟାଚ୍ ଆଉଟ୍ ହୋଇଥିଲେ। ତୃତୀୟ ସ୍ଥାନରେ ବ୍ୟାଟିଂ କରିବାକୁ ଆସିଥିବା ଉସମାନ୍ ଖୱାଜା (୧୩) ମଧ୍ୟ ଇଂଲିଶ ପେସ୍ ଆକ୍ରମଣଖୁ ସାମ୍ନା କରିପାରିନଥିଲେ ଏବଂ କ୍ରିସ୍ ଓକ୍ସଙ୍କ ବଲରେ ୱିକେଟକିପର ଜନ୍ନି ବେୟାରଷ୍ଟୋଙ୍କୁ କ୍ୟାଚ୍ ଦେଇ ବସିଥିଲେ। ୩୫ ରନରେ ୩ ୱିକେଟ୍ ହରାଇ ବିପର୍ଯ୍ୟର ସମ୍ମୁଖୀନ ହୋଇଥିବା ଅଷ୍ଟ୍ରେଲିଆ ସ୍ଥିତି ସୁଧାରିଥିଲେ ସ୍ମିଥ୍ ଓ ଟ୍ରେଭିସ୍ ହେଡ୍।

ହେଡ୍ ସକାରାତ୍ମକ ବ୍ୟାଟିଂ କରି ଟିମ୍ ଉପରୁ ଚାପ ହଟାଇବାକୁ ପ୍ରୟାସ କରିଥିଲେ ହେଁ ବଡ଼ ସ୍କୋର କରିବାକୁ ସମର୍ଥ ହୋଇନଥିଲେ। ସେ ୩୫ ରନ୍ କରି ଓକ୍ସଙ୍କ ଶିକାର ହୋଇଥିଲେ । ଏହା ପରେ ଅଷ୍ଟ୍ରେଲିଆର ୨୩ ରନରେ ଭିତରେ ୪ ୱିକେଟ୍ ହରାଇ ସଙ୍କଟରେ ପଡ଼ିଯାଇଥିଲା। ମାଥ୍ୟୁ ୱେଡ୍ (୧), କ୍ୟାପଟେନ୍ ପେନ୍ (୫), ଜେମ୍ସ ପ୍ୟାଟିନସନ୍ (୦) ଓ ପ୍ୟାଟ୍ କମିନ୍ସ (୪) ଦୁଇ ଅଙ୍କ ଛୁଇଁବାକୁ ସକ୍ଷମ ହୋଇଥିଲେ।

ଏଭଳି ସ୍ଥିତିରେ ଅଷ୍ଟ୍ରେଲିଆ ଟିମ୍ ୧୫୦ ରନ୍ ଭିତରେ ଅଲଆଉଟ୍ ହୋଇଯିବ ବୋଲି ଲାଗୁଥିଲା। କିନ୍ତୁ ସ୍ମିଥଙ୍କୁ ଠିକଣା ସମୟରେ ସାଥ୍ ଦେଇଥିଲେ ସିଡଲ୍, ଯିଏ ଇଂଲଣ୍ଡ ବୋଲରଙ୍କୁ ଦୃଢ଼ତାର ସହ ମୁକାବିଲା କରିଥିଲେ। ଦୁହେଁ ନବମ ୱିକେଟ୍ ପାଇଁ ୮୮ ରନର ମୂଲ୍ୟବାନ୍ ପାର୍ଟନରଶିପ୍ କରି ଅଷ୍ଟ୍ରେଲିଆ ସ୍କୋରକୁ ୨୦୦ ଅତିକ୍ରମ କରାଇଥିଲେ। ଏହି ସେଟ୍ ଯୋଡ଼ିକୁ ଇଂଲଣ୍ଡ ସ୍ପିନର୍ ମୋଇନ୍ ଅଲୀ ଭାଙ୍ଗିଥିଲେ। ସିଡଲ୍ ୪୪ ରନ୍ କରି ଜୋସ ବଟଲରଙ୍କ ଦ୍ୱାରା କ୍ୟାଚ୍ ଆଉଟ୍ ହୋଇଥିଲେ। ଇଂଲଣ୍ଡ ପକ୍ଷରୁ ଷ୍ଟୁଆର୍ଟ ବ୍ରଡ୍ ୫୮ ରନ୍ ଦେଇ ସର୍ବାଧିକ ୪ଟି ଓ ଓକ୍ସ ୪୩ ରନ୍ ଦେଇ ୩ଟି ୱିକେଟ୍ ନେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos