ସୟଦ ମୁସ୍ତାକ୍ ଅଲୀ ଟ୍ରଫି: ନାଗାଲ୍ୟାଣ୍ଡକୁ ହରାଇଲା ଓଡ଼ିଶା

ସୁରତ: ଚଳିତ ସୟଦ ମୁସ୍ତାକ ଅଲୀ ଟ୍ରଫିରେ ଓଡ଼ିଶା ଦମଦାର ବୋଲିଂ ପ୍ରଦର୍ଶନ ବଳରେ ରବିବାର ନାଗାଲ୍ୟାଣ୍ଡକୁ ୪୫ ରନରେ ପରାସ୍ତ କରିଛି। ଚଳିତ ଟୁର୍ଣ୍ଣାମେଣ୍ଟରେ ଓଡ଼ିଶାର ଏହା ତୃତୀୟ ବିଜୟ। ଏହା ପୂର୍ବରୁ ଓଡ଼ିଶା ତା’ର ଚତୁର୍ଥ ମ୍ୟାଚରେ ଗୁଜରାଟଠାରୁ ପରାସ୍ତ ହୋଇଥିଲା। ତେବେ ଆଜି ଓଡ଼ିଶା ଅପେକ୍ଷାକୃତ ଦୁର୍ବଳ ନାଗାଲ୍ୟାଣ୍ଡ୍ ବିପକ୍ଷରେ ସେତେଟା ଉନ୍ନତ ବ୍ୟାଟିଂ କରିଥିଲେ ହେଁ, ବୋଲିଂରେ ଦମ୍ ଦେଖାଇଥିଲା। ଲାଲଭାଇ କଣ୍ଟ୍ରାକ୍ଟର ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚରେ ଆମନ୍ତ୍ରଣ ପାଇ […]

pappu

Ranjit Kumar Jena
  • Published: Sunday, 17 November 2019
  • , Updated: 17 November 2019, 06:12 PM IST

ସୁରତ: ଚଳିତ ସୟଦ ମୁସ୍ତାକ ଅଲୀ ଟ୍ରଫିରେ ଓଡ଼ିଶା ଦମଦାର ବୋଲିଂ ପ୍ରଦର୍ଶନ ବଳରେ ରବିବାର ନାଗାଲ୍ୟାଣ୍ଡକୁ ୪୫ ରନରେ ପରାସ୍ତ କରିଛି। ଚଳିତ ଟୁର୍ଣ୍ଣାମେଣ୍ଟରେ ଓଡ଼ିଶାର ଏହା ତୃତୀୟ ବିଜୟ। ଏହା ପୂର୍ବରୁ ଓଡ଼ିଶା ତା'ର ଚତୁର୍ଥ ମ୍ୟାଚରେ ଗୁଜରାଟଠାରୁ ପରାସ୍ତ ହୋଇଥିଲା। ତେବେ ଆଜି ଓଡ଼ିଶା ଅପେକ୍ଷାକୃତ ଦୁର୍ବଳ ନାଗାଲ୍ୟାଣ୍ଡ୍ ବିପକ୍ଷରେ ସେତେଟା ଉନ୍ନତ ବ୍ୟାଟିଂ କରିଥିଲେ ହେଁ, ବୋଲିଂରେ ଦମ୍ ଦେଖାଇଥିଲା।

ଲାଲଭାଇ କଣ୍ଟ୍ରାକ୍ଟର ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚରେ ଆମନ୍ତ୍ରଣ ପାଇ ପ୍ରଥମେ ବ୍ୟାଟିଂ ସୁଯୋଗ ପାଇଥିବା ଓଡ଼ିଶା ନିର୍ଦ୍ଧାରିତ ୨୦ ଓଭରରେ ୯ ୱିକେଟ୍ ହରାଇ ୧୪୯ ରନ୍ କରିଥିଲା। ଦଳର ସବୁଠାରୁ ନିର୍ଭରଯୋଗ୍ୟ ବ୍ୟାଟ୍ସମ୍ୟାନ୍ ଶୁଭ୍ରାଂଶୁ ସେନାପତି ସର୍ବାଧିକ ୪୨ (୨୧ ବଲ୍‌, ୩ ଚୌକା, ୪ ଛକା) ରନ୍ କରିଥିଲେ। ସେ ଦ୍ୱିତୀୟ ୱିକେଟ୍ ପାଇଁ କ୍ୟାପଟେନ୍ ଗୋବିନ୍ଦ ପୋଦ୍ଦାର (୧୭)ଙ୍କ ସହ ମିଶି ୫୬ ରନର ପାର୍ଟନରଶିପ୍ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅଭିଷେକ ରାଉତ ୩୬ (୨୯ ବଲ୍‌, ୬ ଚୌକା) ରନର ଯୋଗଦାନ କରିଥିବା ବେଳେ ରାଜେଶ ଧୂପର ୨୩ ରନର ଧିମା ଇନିଂସ୍ ଖେଳିଥିଲେ। ନାଗାଲ୍ୟାଣ୍ଡର ଷ୍ଟୁଆର୍ଟ ବିନ୍ନି ଓ ଇମଲିୱାଟି ଲେମତୁର ୨ଟି ଲେଖାଏ ୱିକେଟ୍ ହାସଲ କରିଥିଲେ।

୧୫୦ ରନର ଟାର୍ଗେଟର ପିଛା କରୁଥିବା ନାଗାଲ୍ୟାଣ୍ଡ୍ ଟିମ୍ ଭଲ ଆରମ୍ଭ କରିଥିଲା। ଦଳ ଏକ ସମୟରେ ୬୧ ରନରେ ମାତ୍ର ୧ ୱିକେଟ୍ ହରାଇ ମଜଭୁତ୍ ସ୍ଥିତିରେ ଥିଲା, କିନ୍ତୁ ମଧ୍ୟକ୍ରମ ବ୍ୟାଟ୍ସମ୍ୟାନଙ୍କ ଖରାପ ବ୍ୟାଟିଂ ଯୋଗୁ ଏହି ଟିମ୍ ୧୭ ଓଭରରେ ସମସ୍ତ ୱିକେଟ୍ ହରାଇ ୧୦୪ ରନ୍ କରିବାକୁ ସକ୍ଷମ ହୋଇଥିଲା। ନାଗାଲ୍ୟାଣ୍ଡ୍ ତା'ର ଶେଷ ୯ ୱିକେଟ୍ ୩୩ ରନରେ ହରାଇଥିଲା। ଦଳ ପକ୍ଷରୁ ବିନ୍ନି ସର୍ବାଧିକ ଅପରାଜିତ ୩୧ (୨୦ ବଲ୍‌, ୨ ଚୌକା, ୨ ଛକା) ରନ୍ କରିଥିବା ବେଳେ ଯୋଗେଶ ଟାକାୱାଲେ ୩୧, ଶ୍ରୀକାନ୍ତ ମୁଣ୍ଡେ ୨୦ ଓ ଆଓଶାଶୀ ଲଙ୍କଚାର ୧୪ ରନ୍ କରିଥିଲେ। ଓଡ଼ିଶାର ସଫଳ ବୋଲର ଭାବେ ପପୁ ରୟ ୨୧ ରନ୍ ଦେଇ ୩ଟି ଓ ଗୋବିନ୍ଦ ପୋଦ୍ଦାର ୨୧ ରନ୍ ଦେଇ ୩ଟି ୱିକେଟ୍ ନେଇଥିଲେ। ଅନ୍ୟ ବୋଲରଙ୍କ ମଧ୍ୟରେ ସୂର୍ଯ୍ୟକାନ୍ତ ପ୍ରଧାନ ୨ଟି ଓ ଅଭିଷେକ ରାଉତ ଗୋଟିଏ ୱିକେଟ୍ ନେଇଥିଲେ। ଆସନ୍ତାକାଲି ଓଡ଼ିଶା ତା'ର ପରବର୍ତ୍ତୀ ମ୍ୟାଚରେ ଦିଲ୍ଲୀକୁ ଭେଟିବ।

Related story