ନୂଆଦିଲ୍ଲୀ: ଆଉ ଦୁଇ ଦିନ ପରେ ଆରମ୍ଭ ହେବ ଭାରତ-ଅଷ୍ଟ୍ରେଲିଆ ଦିନିକିଆ ସିରିଜ୍। ଦିନିକିଆ ସିରିଜରେ ଟିମ୍ ଇଣ୍ଡିଆ ନୂଆ ଜର୍ସିରେ ମଇଦାନକୁ ଓହ୍ଲାଇବ। ଏ ନେଇ ସଂକେତ ଦେଇଛନ୍ତି ଟିମର ଓପନିଂ ବ୍ୟାଟ୍ସମ୍ୟାନ୍ ଶିଖର ଧୱନ୍। ଧୱନ ନିଜର ଅଫିସିଆଲ୍ ଟୁଇଟର୍ ଆକାଉଣ୍ଟରେ ଏକ ଫଟୋ ପୋଷ୍ଟ କରିଛନ୍ତି, ଯେଉଁଥିରେ ସେ ଲେଖିଛନ୍ତି, 'ନୂଆ ଜର୍ସି, ନୂଆ ଉତ୍ସାହ, ଆମେ ପ୍ରସ୍ତୁତ।
https://twitter.com/SDhawan25/status/1331163041392574464?s=20
ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜରେ ଭାରତୀୟ ଟିମ୍ ଏହି ଜର୍ସି ପିନ୍ଧି ମଇଦାନକୁ ଓହ୍ଲାଇବ। ଭାରତୀୟ ଟିମର ଏହି ନୂଆ ଜର୍ସିର ରଙ୍ଗ ନେଭି ବ୍ଲୁ ଓ ଏହାର ତଳଭାଗରେ ମଧ୍ୟ ଏହି ରଙ୍ଗ ରହିଛି। ୮୦ ଦଶକରେ ଭାରତୀୟ ଟିମ୍ ଏହି ରଙ୍ଗର ଜର୍ସିକୁ ପିନ୍ଧିଥିଲା। ଏପରିକି ୧୯୯୨ ୱାର୍ଲ୍ଡ କପରେ ମଧ୍ୟ ଟିମ୍ ଇଣ୍ଡିଆ ଏହିଭଳି ଜର୍ସି ପିନ୍ଧି ମଇଦାନକୁ ଓହ୍ଲାଇଥିଲା।
ସୂଚନାଯୋଗ୍ୟ, ନିକଟରେ ଟିମ୍ ଇଣ୍ଡିଆକୁ ନୂଆ କିଟ୍ ସ୍ପନସର୍ ମିଳିଛି। ଟିମ୍ ଇଣ୍ଡିଆର କିଟ୍ ସ୍ପନସର୍ ଏବେ ଅନଲାଇନ୍ ଗେମ୍ କମ୍ପାନୀ ଏମପିଏଲ୍ ଅଛି, ଯାହାର ଲୋଗୋ ଜର୍ସି ଉପରେ ଲାଗିଛି। ଏହା ପୂର୍ବରୁ ଟିମ୍ ଇଣ୍ଡିଆର କିଟ୍ ସ୍ପନସର୍ ନାଇକି ଥିଲା। ଏମପିଏଲ୍ ଏବେ ପ୍ରତି ମ୍ୟାଚ୍ ପାଇଁ ବିସିସିଆଇକୁ ୬୫ଲକ୍ଷ ଟଙ୍କା ଦେବ।
ଭାରତ ଓ ଅଷ୍ଟ୍ରେଲିଆ ଦିନିକିଆ ସିରିଜର ପ୍ରଥମ ମ୍ୟାଚ୍ ନଭେମ୍ବର ୨୭ ତାରିଖରେ ଖେଳାଯିବ। ୨ୟ ମ୍ୟାଚ୍ ୨୯ ଏବଂ ତୃତୀୟ ମ୍ୟାଚ୍ ଡିସେମ୍ବର ୨ ତାରିଖରେ ଅନୁଷ୍ଠିତ। ଏହା ପରେ ଡିସେମ୍ବର ୪ ତାରିଖରେ ପ୍ରଥମ ଟି-୨୦, ୬ରେ ୨ୟ ଟି-୨୦ ଏବଂ ୮ରେ ତୃତୀୟ ଟି-୨୦ ମୁକାବିଲା ହେବ। ଡିସେମ୍ବର ୧୭ ତାରିଖରୁ ଚାରିମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଆରମ୍ଭ ହେବ। ପ୍ରଥମ ଟେଷ୍ଟ ଆଡିଲେଡରେ ଦିବାରାତ୍ର ବିଶିଷ୍ଟ ହେବ। ୨ୟ ଟେଷ୍ଟ ଡିସେମ୍ବର ୨୬ରୁ ୩୦, ତୃତୀୟ ଟେଷ୍ଟ ଜାନୁଆରୀ ୭ରୁ୧୧ ଏବଂ ଚତୁର୍ଥ ଟେଷ୍ଟ ଜାନୁଆରୀ ୧୫ରୁ ୨୯ ପର୍ଯ୍ୟନ୍ତ ହେବ।