ଥାଇଲ୍ୟାଣ୍ଡ୍ ଓପନ୍: ସାଇନା ଓ ଶ୍ରୀକାନ୍ତଙ୍କ ଅଭିଯାନ ଆରମ୍ଭ

ବ୍ୟାଙ୍ଗକକ୍: ଭାରତର ଷ୍ଟାର୍ ଶଟଲର୍ ସାଇନା ନେହ୍ୱାଲ୍ ବୁଧବାରଠାରୁ ଏଠାରେ ଆରମ୍ଭ ହୋଇଥିବା ଥାଇଲ୍ୟାଣ୍ଡ୍ ଓପନ୍ ବ୍ୟାଡମିଣ୍ଟନ୍ ଟୁର୍ଣ୍ଣାମେଣ୍ଟର ମହିଳା ସିଙ୍ଗଲ୍ସ ଦ୍ୱିତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି। ପ୍ରଥମ ରାଉଣ୍ଡରେ ସାଇନା ସ୍ଥାନୀୟ ଖେଳାଳି ଫିଟ୍ଟାୟାପର୍ନ ଚାଇୱାନଙ୍କୁ ହରାଇ କୋର୍ଟକୁ ଦମଦାର ପ୍ରତ୍ୟାବର୍ତ୍ତନ କରିଛନ୍ତି। ପ୍ରାୟ ଦୁଇମାସ ପରେ କୋର୍ଟକୁ ଫେରିଥିବ ସାଇନା ନିଜର ପ୍ରଥମ ମୁକାବିଲାରେ ଚାଇୱାନଙ୍କୁ ୨୧-୧୭, ୨୧-୧୯ ଗେମରେ ପରାଜିତ କରିଛନ୍ତି। ଆହତ ଯୋଗୁ ସାଇନା ଇଣ୍ଡୋନେସିଆ ଓପନ୍ ଏବଂ ଗତ ସପ୍ତାହରେ […]

saina1

Ranjit Kumar Jena
  • Published: Wednesday, 31 July 2019
  • , Updated: 31 July 2019, 05:41 PM IST

ବ୍ୟାଙ୍ଗକକ୍: ଭାରତର ଷ୍ଟାର୍ ଶଟଲର୍ ସାଇନା ନେହ୍ୱାଲ୍ ବୁଧବାରଠାରୁ ଏଠାରେ ଆରମ୍ଭ ହୋଇଥିବା ଥାଇଲ୍ୟାଣ୍ଡ୍ ଓପନ୍ ବ୍ୟାଡମିଣ୍ଟନ୍ ଟୁର୍ଣ୍ଣାମେଣ୍ଟର ମହିଳା ସିଙ୍ଗଲ୍ସ ଦ୍ୱିତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି। ପ୍ରଥମ ରାଉଣ୍ଡରେ ସାଇନା ସ୍ଥାନୀୟ ଖେଳାଳି ଫିଟ୍ଟାୟାପର୍ନ ଚାଇୱାନଙ୍କୁ ହରାଇ କୋର୍ଟକୁ ଦମଦାର ପ୍ରତ୍ୟାବର୍ତ୍ତନ କରିଛନ୍ତି।

ପ୍ରାୟ ଦୁଇମାସ ପରେ କୋର୍ଟକୁ ଫେରିଥିବ ସାଇନା ନିଜର ପ୍ରଥମ ମୁକାବିଲାରେ ଚାଇୱାନଙ୍କୁ ୨୧-୧୭, ୨୧-୧୯ ଗେମରେ ପରାଜିତ କରିଛନ୍ତି। ଆହତ ଯୋଗୁ ସାଇନା ଇଣ୍ଡୋନେସିଆ ଓପନ୍ ଏବଂ ଗତ ସପ୍ତାହରେ ଜାପାନ ଓପନ୍ ଖେଳିପାରିନଥିଲେ। ସପ୍ତମ ସିଡ୍ ଏହି ଭାରତୀୟ ଖେଳାଳି ଏବେ ଜାପାନର ସାୟାକା ତାକାହାଶି ଏବଂ ଇଣ୍ଡୋନେସିଆର ରୁସେଲି ହାର୍ତାୱାନଙ୍କ ମଧ୍ୟରେ ହେବାକୁଥିବା ପ୍ରଥମ ରାଉଣ୍ଡ ମୁକାବିଲାର ବିଜେତାଙ୍କୁ ଭେଟିବେ।

ପୁରୁଷ ସିଙ୍ଗଲ୍ସରେ ମଧ୍ୟ ଭାରତୀୟ ଖେଳାଳିମାନେ ଭଲ ପ୍ରଦର୍ଶନ କରିଛନ୍ତି। ଭାରତର କିଦାମ୍ବୀ ଶ୍ରୀକାନ୍ତ, ଏଚଏସ୍ ପ୍ରଣୟ, ପାରୁପଲ୍ଲୀ କଶ୍ୟପ୍ ଏବଂ ଶୁଭଙ୍କର ଡେ' ନିଜ ନିଜର ମୁକାବିଲା ଜିତି ପରବର୍ତ୍ତୀ ରାଉଣ୍ଡରେ ପ୍ରବେଶ କରିଛନ୍ତି। ପଞ୍ଚମ ସିଡ୍ ଶ୍ରୀକାନ୍ତଙ୍କୁ ପ୍ରଥମ ରାଉଣ୍ଡରେ ଚୀନର କ୍ୱାଲିଫାୟର୍ ରେନ୍ ପେଙ୍ଗ୍ ବୋ'ଙ୍କୁ ହରାଇବା ପାଇଁ କଡ଼ା ସଂଘର୍ଷ କରିବାକୁ ପଡ଼ିଥିଲା। ଏହି ଭାରତୀୟ ଖେଳାଳି ୧ ଘଣ୍ଟା ୭ ମିନିଟ୍ ଧରି ଚାଲିଥିବା ମୁକାବିଲାରେ ପେଙ୍ଗଙ୍କୁ ୨୧-୧୩, ୧୭-୨୧, ୨୧-୧୯ ଗେମରେ ପରାସ୍ତ କରିଥିଲେ। ଦ୍ୱିତୀୟ ରାଉଣ୍ଡରେ ସେ ଥାଇଲ୍ୟାଣ୍ଡର ଖୋସିତ୍ ଫେଟପ୍ରଦାବଙ୍କୁ ଭେଟିବେ।

ପ୍ରଣୟ ପ୍ରଥମ ରାଉଣ୍ଡରେ ହଂକଂର ୱଙ୍ଗ ୱିଙ୍ଗ୍ କି ଭିନସେଣ୍ଟଙ୍କୁ ୨୧-୧୬, ୨୨-୨୦ରେ ହରାଇଥିବା ବେଳେ କଶ୍ୟପ୍ ଇସ୍ରାଏଲର ମିଶା ଜିଲବର୍ମନଙ୍କୁ ୧୮-୨୧, ୨୧-୮, ୨୧-୧୪ ଗେମରେ ପରାସ୍ତ କରିଛନ୍ତି। ଭାରତର ଅନ୍ୟତମ ତାରକା ଶୁଭଙ୍କର ଭାଗ୍ୟଶାଳୀ ଥିଲେ ଯେ, ତାଙ୍କୁ ପ୍ରଥମ ରାଉଣ୍ଡରେ ଟପ୍ ସିଡ୍ ତଥା ବିଶ୍ୱର ଏକ ନମ୍ବର ଜାପାନ ଖେଳାଳି କେଣ୍ଟୋ ମୋମୋଟାଙ୍କଠାରୁ ୱାକଓଭର୍ ମିଳିଥିଲା। ତେବେ ସୌରଭ ବର୍ମାଙ୍କ ଅଭିଯାନ ପ୍ରଥମ ରାଉଣ୍ଡରେ ଶେଷ ହୋଇଛି। ସେ ସପ୍ତମ ସିଡ୍ ଜାପାନ ଖେଳାଳି କାଣ୍ଟା ସୁନେୟାମାଙ୍କଠାରୁ ୨୧-୨୩, ୨୧-୧୯, ୫-୨୧ ଗେମରେ ପରାସ୍ତ ହୋଇଥିଲେ।

Related story