ଥାଇଲ୍ୟାଣ୍ଡ୍ ଓପନ୍: ଇତିହାସ ରଚିଲେ ସାତ୍ତ୍ୱିକ-ଚିରାଗ

ବ୍ୟାଙ୍ଗକକ୍: ଭାରତର ସାତ୍ତ୍ୱିକସାଇରାଜ ରାଙ୍କିରେଡ୍ଡି ଓ ଚିରାଗ ସେଟ୍ଟୀ ସମ୍ମାନଜନକ ଥାଇଲ୍ୟାଣ୍ଡ୍ ଓପନ୍ ପୁରୁଷ ଡବଲ୍ସ ଟାଇଟଲ୍ ଜିତି ଇତିହାସ ରଚିଛନ୍ତି। ସାତ୍ତ୍ୱିକ ଓ ଚିରାଗ ପ୍ରଥମ ଭାରତୀୟ ପୁରୁଷ ଯୋଡ଼ି ଭାବେ ବିଡବ୍ଲ୍ୟୁଏଫ୍ ସୁପର-୫୦୦ ଟୁର୍ଣ୍ଣାମେଣ୍ଟ ଟାଇଟଲ୍ ଜିତିଛନ୍ତି। ଅଣସିଡ୍ ଭାରତୀୟ ଯୋଡ଼ି ଫାଇନାଲ୍ ମୁକାବିଲାରେ ଡିଫେଣ୍ଡିଂ ୱାର୍ଲ୍ଡ ଚାମ୍ପିଅନ୍ ଚୀନର ଲି ଜୁନ୍ ହୁଇ ଓ ଲିଉ ୟୁ ଚେନଙ୍କୁ ୨୧-୧୯, ୧୮-୨୧, ୨୧-୧୮ ଗେମରେ ପରାସ୍ତ କରି ଏହି ସଫଳତା ହାସଲ କରିଛନ୍ତି। […]

sat-chi

Ranjit Kumar Jena
  • Published: Sunday, 04 August 2019
  • , Updated: 04 August 2019, 09:28 PM IST

ବ୍ୟାଙ୍ଗକକ୍: ଭାରତର ସାତ୍ତ୍ୱିକସାଇରାଜ ରାଙ୍କିରେଡ୍ଡି ଓ ଚିରାଗ ସେଟ୍ଟୀ ସମ୍ମାନଜନକ ଥାଇଲ୍ୟାଣ୍ଡ୍ ଓପନ୍ ପୁରୁଷ ଡବଲ୍ସ ଟାଇଟଲ୍ ଜିତି ଇତିହାସ ରଚିଛନ୍ତି। ସାତ୍ତ୍ୱିକ ଓ ଚିରାଗ ପ୍ରଥମ ଭାରତୀୟ ପୁରୁଷ ଯୋଡ଼ି ଭାବେ ବିଡବ୍ଲ୍ୟୁଏଫ୍ ସୁପର-୫୦୦ ଟୁର୍ଣ୍ଣାମେଣ୍ଟ ଟାଇଟଲ୍ ଜିତିଛନ୍ତି।

ଅଣସିଡ୍ ଭାରତୀୟ ଯୋଡ଼ି ଫାଇନାଲ୍ ମୁକାବିଲାରେ ଡିଫେଣ୍ଡିଂ ୱାର୍ଲ୍ଡ ଚାମ୍ପିଅନ୍ ଚୀନର ଲି ଜୁନ୍ ହୁଇ ଓ ଲିଉ ୟୁ ଚେନଙ୍କୁ ୨୧-୧୯, ୧୮-୨୧, ୨୧-୧୮ ଗେମରେ ପରାସ୍ତ କରି ଏହି ସଫଳତା ହାସଲ କରିଛନ୍ତି। ଏହି ସଂଘର୍ଷପୂର୍ଣ୍ଣ ଟାଇଟଲ୍ ମୁକାବିଲା ୧ ଘଣ୍ଟା ୨ ମିନିଟ୍ ଧରି ଚାଲିଥିଲା।

ଚଳିତ ସିଜନରେ ସାତ୍ତ୍ୱିକ-ଚିରାଗଙ୍କ ଏହା ପ୍ରଥମ ଫାଇନାଲ୍ ଥିଲା। ଦୁହେଁ ଗତବର୍ଷ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ପୁରୁଷ ଡବଲ୍ସରେ ରୌପ୍ୟ ପଦକ ଜିତିଥିଲେ। ଦୁଇ ଯୋଡ଼ିଙ୍କ ମଧ୍ୟରେ ଏହା ଓଭରଅଲ୍ ଦ୍ୱିତୀୟ ମୁକାବିଲା ଥିଲା। ଏହା ପୂର୍ବରୁ ଚଳିତ ବର୍ଷ ଅଷ୍ଟ୍ରେଲିଆନ୍ ଓପନରେ ଚୀନ ଯୋଡ଼ି ୨୧-୧୯, ୨୧-୧୮ରେ ଭାରତୀୟ ଯୋଡ଼ିକୁ ହରାଇଥିଲେ।

ରବିବାର ଫାଇନାଲ୍ ମ୍ୟାଚ୍ ଆରମ୍ଭରୁ ସଂଘର୍ଷପୂର୍ଣ୍ଣ ହୋଇଥିଲା। ଭାରତୀୟ ଯୋଡ଼ି ପ୍ରଥମ ଗେମରେ ୧୦-୬ରେ ଆଗୁଆ ଥିଲେ । ଏହା ପରେ ଚୀନ ଯୋଡ଼ି ପ୍ରତ୍ୟାବର୍ତ୍ତନ କରି ପଏଣ୍ଟ ବ୍ୟବଧାନକୁ କମ୍ କରିଥିଲେ। ପ୍ରଥମ ଗେମର ବ୍ରେକ୍ ସୁଦ୍ଧା ଭାରତୀୟ ଯୋଡ଼ି ୧୧-୯ରେ ଆଗୁଆ ଥିଲେ।

ଏହା ପରେ ଉଭୟ ଯୋଡ଼ିଙ୍କ ମଧ୍ୟରେ ଗୋଟିଏ ଲେଖାଏ ପଏଣ୍ଟ ପାଇଁ କଡ଼ା ମୁକାବିଲା ଦେଖିବାକୁ ମିଳିଥିଲା। ଏକ ସମୟରେ ସ୍କୋର ୧୫-୧୫ ଏବଂ ୧୮-୧୮ରେ ବରାବର ଥିଲା। ପରେ ଭାରତୀୟ ଯୋଡ଼ି ଲଗାତାର ଦୁଇ ପଏଣ୍ଟ ହାସଲ କରି ସ୍କୋରକୁ ୨୦-୧୮ରେ ପହଞ୍ଚାଇଥିଲେ। ଚୀନ ଯୋଡ଼ି ଗୋଟିଏ ପଏଣ୍ଟ ହାସଲ କରିଥିଲେ ହେଁ ଭାରତୀୟ ଯୋଡ଼ିକୁ ଗେମ୍ ଜିତିବାରୁ ରୋକିପାରିନଥିଲେ।

ଚୀନ ଯୋଡ଼ି ଦ୍ୱିତୀୟ ଗେମରେ ସଫଳତାର ସହ ପ୍ରତ୍ୟାବର୍ତ୍ତନ ୨୧-୧୮ରେ ବିଜୟୀ ହୋଇ ମୁକାବିଲାକୁ ୧-୧ରେ ବରାବର କରିଥିଲେ। ନିର୍ଣ୍ଣାୟକ ତଥା ତୃତୀୟ ଗେମ୍ରେ ଚୀନ ଯୋଡ଼ି ଆରମ୍ଭରୁ ଭାରତୀୟ ଯୋଡ଼ିଙ୍କ ଉପରେ ଚାପ ପକାଇଥିଲେ। ଚୀନ୍ ଯୋଡ଼ି ୫-୨ରେ ଆଗୁଆ ଥିଲା, କିନ୍ତୁ ଭାରତର ଦୁଇ ଖେଳାଳି ପ୍ରତ୍ୟାବର୍ତ୍ତନ କରିବାରେ ସଫଳ ରହିଥିଲେ ଏବଂ ମୁକାବିଲାକୁ ୧୪-୧୪ରେ ବରାବର କରିଥିଲେ। ଏହା ପରେ ସାତ୍ତ୍ୱିକ-ଚିରାଗଙ୍କ ଯୋଡ଼ି ଆଉ ପଛକୁ ନଫେରି ଗେମକୁ ୨୧-୧୮ରେ ଜିତି ଇତିହାସ ରଚିଥିଲେ।

Related story