ଟ୍ରେଣ୍ଟ ବୋଲ୍ଟଙ୍କ ହ୍ୟାଟ୍ରିକ, ଅଷ୍ଟ୍ରେଲିଆ ୨୪୩/୯

ଲର୍ଡସ: ନ୍ୟୁଜିଲ୍ୟାଣ୍ଡ ଦ୍ରୁତ ବୋଲର ଟ୍ରେଣ୍ଟ ବୋଲ୍ଟ ଚଳିତ ବିଶ୍ୱକପ୍‌ରେ ଦ୍ୱିତୀୟ ଖେଳାଳି ଭାବେ ହ୍ୟାଟ୍ରିକ ୱିକେଟ ହାସଲ କରିଛନ୍ତି। ସେ ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚ୍‌ର ଶେଷ ଓଭର୍‌ରେ ଲଗାତାର ୩ଟି ବଲ୍‌ରେ ୩ଟି ୱିକେଟ୍‌ ନେଇ ଇତିହାସ ସୃଷ୍ଟି କରିଛନ୍ତି। ବୋଲ୍ଟଙ୍କ ଘାତକ ବୋଲିଂ ଯୋଗୁ ଅଷ୍ଟ୍ରେଲିଆ ନିର୍ଦ୍ଧାରିତ ୫୦ ଓଭର୍‌ରେ ୯ ୱିକେଟ୍‌ ହରାଇ ୨୪୩ ରନ୍‌ କରିଛି। ଅଷ୍ଟ୍ରେଲିଆ ପକ୍ଷରୁ ଉସମାନ ଖ୍ୱାଜା ୮୮ ଓ ଆଲେକ୍ସ କେରୀ ୭୧ ରନ୍‌ର ଇନିଂସ୍‌ […]

saqq

Hemant Lenka
  • Published: Saturday, 29 June 2019
  • , Updated: 29 June 2019, 09:47 PM IST

ଲର୍ଡସ: ନ୍ୟୁଜିଲ୍ୟାଣ୍ଡ ଦ୍ରୁତ ବୋଲର ଟ୍ରେଣ୍ଟ ବୋଲ୍ଟ ଚଳିତ ବିଶ୍ୱକପ୍‌ରେ ଦ୍ୱିତୀୟ ଖେଳାଳି ଭାବେ ହ୍ୟାଟ୍ରିକ ୱିକେଟ ହାସଲ କରିଛନ୍ତି। ସେ ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚ୍‌ର ଶେଷ ଓଭର୍‌ରେ ଲଗାତାର ୩ଟି ବଲ୍‌ରେ ୩ଟି ୱିକେଟ୍‌ ନେଇ ଇତିହାସ ସୃଷ୍ଟି କରିଛନ୍ତି। ବୋଲ୍ଟଙ୍କ ଘାତକ ବୋଲିଂ ଯୋଗୁ ଅଷ୍ଟ୍ରେଲିଆ ନିର୍ଦ୍ଧାରିତ ୫୦ ଓଭର୍‌ରେ ୯ ୱିକେଟ୍‌ ହରାଇ ୨୪୩ ରନ୍‌ କରିଛି।

ଅଷ୍ଟ୍ରେଲିଆ ପକ୍ଷରୁ ଉସମାନ ଖ୍ୱାଜା ୮୮ ଓ ଆଲେକ୍ସ କେରୀ ୭୧ ରନ୍‌ର ଇନିଂସ୍‌ ଖେଳିଛନ୍ତି। ଏହି ମ୍ୟାଚ୍‌ ଜିତି ସେମି ଫାଇନାଲ ଖେଳିବାକୁ ଲକ୍ଷ୍ୟ ରଖିଥିବା ନ୍ୟୁଜିଲ୍ୟାଣ୍ଡକୁ ୨୪୪ ରନ୍‌ର ଟାର୍ଗେଟ ମିଳିଛି।

ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରୁଥିବା ଅଷ୍ଟ୍ରେଲିଆ ମାତ୍ର ୪୬ ରନ୍‌ରେ ଡେଭିଡ୍‌ ୱାର୍ଣ୍ଣର, ଆରୋନ ଫିଞ୍ଚ ଓ ଷ୍ଟିଭ୍‌ ସ୍ମିଥଙ୍କୁ ହରାଇଥିଲା। ଉସମାନ ଖ୍ୱାଜାଙ୍କ ସହ ମିଶି ମାର୍କସ ଷ୍ଟୋଇନିସ୍‌ ସ୍ଥିତି ସମ୍ଭାଳିବାକୁ ଚେଷ୍ଟା କରିଥିଲେ ହେଁ ମାତ୍ର ୨୧ ରନ୍‌ କରିବାକୁ ସକ୍ଷମ ହୋଇଥିଲେ। ବିସ୍ଫୋରକ ମ୍ୟାକ୍ସୱେଲ ୧ ରନ୍‌ କରି ଜିମ୍ମି ନୀଶମଙ୍କ ଶିକାର ହୋଇଥିଲେ।

୯୨ ରନ୍‌ରେ ୫ ୱିକେଟ୍‌ ହରାଇଥିବା ଅଷ୍ଟ୍ରେଲିଆର ବ୍ୟାଟିଂ ମଙ୍ଗ ୱିକେଟ୍‌ କିପର କେରୀ ଓ ଖ୍ୱାଜା ସମ୍ଭାଳିଥିଲେ। ଗୋଟିଏ ପଟେ ଖ୍ୱାଜା ୱିକେଟ୍‌ ବଞ୍ଚାଉଥିବା ବେଳେ କେରୀ ନ୍ୟୁଜିଲ୍ୟାଣ୍ଡ ବୋଲରଙ୍କୁ କଡ଼ା ପ୍ରହାର କରିଥିଲେ। ଇତି ମଧ୍ୟରେ ଉଭୟ ୬ଷ୍ଠ ୱିକେଟ୍‌ ପାଇଁ ୧୦୭ ରନ୍‌ର ଭାଗିଦାରୀ କରିଥିଲେ। ଏଥିସହ ଖ୍ୱାଜା ଓ କେରୀ ନିଜ ନିଜର ଅର୍ଦ୍ଧଶତକ ହାସଲ କରିଥିଲେ।

ଏହି ସମୟରେ ୭୨ଟି ବଲ୍‌ରେ ୭୧ ରନ୍‌ କରିଥିବା କେରୀଙ୍କୁ ଅଧିନାୟକ କେନ୍‌ ୱିଲିମିସନ ନିଜର ସ୍ପିନ ଜାଲରେ ଫସାଇ ଆଉଟ୍‌ କରିଦେଇଥିଲେ। କିନ୍ତୁ ଖ୍ୱାଜା ହାର ମାନିବାକୁ ପ୍ରସ୍ତୁତ ନଥିଲେ।

ସେ ପ୍ୟାଟ୍‌ କମିନ୍ସଙ୍କୁ ସାଥୀ କରି ଦଳୀୟ ସ୍କୋରକୁ ଆଗକୁ ନେଇଥିଲେ। ତେବେ ୮୮ ରନ୍‌ କରିଥିବା ଖ୍ୱାଜାଙ୍କୁ ବୋଲ୍ଟ ଶେଷ ଓଭର୍‌ରେ ବୋଲ୍ଡ କରିଦେଇଥିଲେ। ଏହାପରେ ସେ ମିଚେଲ ଷ୍ଟାର୍କ ଓ ଜେସନ ବେହରନ୍‌ଡ୍ରଫଙ୍କୁ ଆଉଟ୍‌ କରି ନିଜର ହ୍ୟାଟ୍ରିକ ହାସଲ କରିଥିଲେ। ଶେଷ ଯାଏ କମିନ୍ସ ୨୩ ରନ୍‌ କରି ଅପରାଜିତ ରହିଥିଲେ।

ନ୍ୟୁଜିଲ୍ୟାଣ୍ଡ ପକ୍ଷରୁ ଟ୍ରେଣ୍ଟ ବୋଲ୍ଟ ୪ଟି ୱିକେଟ୍‌ ନେଇଥିବା ବେଳେ ଜିମ୍ମି ନୀଶମ ଓ ଲକି ଫରଗୁସନ ୨ଟି ଲେଖାଏ ୱିକେଟ ନେଇଛନ୍ତି। ସେହିପରି ୱିଲିୟମସନ ଗୋଟିଏ ୱିକେଟ୍‌ ପାଇଛନ୍ତି।

Related story