ବିଶ୍ୱକପ୍ ପରେ ଟିମ୍ ଇଣ୍ଡିଆର ପ୍ରଥମ ବିଜୟ

ନୂଆଦିଲ୍ଲୀ: ପ୍ରଥମ ଦିନିକିଆ ବର୍ଷା ଧୋଇ ଦେବା ପରେ ଦ୍ୱିତୀୟ ଦିନିକିଆ ମଧ୍ୟ ବର୍ଷା ବାଧାପ୍ରାପ୍ତ ହୋଇଥିଲା। କିନ୍ତୁ ଏହି ବର୍ଷା ଭାରତକୁ ବିଜୟ ହାସଲ କରିବାରୁ ରୋକିପାରିନଥିଲା। ବିଶ୍ୱକପ୍ ସେମିଫାଇନାଲ୍ ପରାଜୟ ପରେ ଦିନିକିଆରେ ଟିମ୍ ଇଣ୍ଡିଆର ଏହା ପ୍ରଥମ ବିଜୟ। ଟିମର ଏହି ବିଜୟରେ ହିରୋ ସାଜିଛନ୍ତି କ୍ୟାପଟେନ୍ ବିରାଟ୍ କୋହଲି, ଯୁବ ବ୍ୟାଟ୍ସମ୍ୟାନ୍ ଶ୍ରେୟସ୍ ଆୟର୍ ଏବଂ ଅଭିଜ୍ଞ ପେସର ଭୁବନେଶ୍ୱର କୁମାର। ଗତ ପାଞ୍ଚମାସ ଧରି ବିରାଟ୍ ଶତକର ସ୍ୱାଦ ଚାଖିନଥିଲେ। […]

india

Ranjit Kumar Jena
  • Published: Monday, 12 August 2019
  • , Updated: 12 August 2019, 06:55 PM IST

ନୂଆଦିଲ୍ଲୀ: ପ୍ରଥମ ଦିନିକିଆ ବର୍ଷା ଧୋଇ ଦେବା ପରେ ଦ୍ୱିତୀୟ ଦିନିକିଆ ମଧ୍ୟ ବର୍ଷା ବାଧାପ୍ରାପ୍ତ ହୋଇଥିଲା। କିନ୍ତୁ ଏହି ବର୍ଷା ଭାରତକୁ ବିଜୟ ହାସଲ କରିବାରୁ ରୋକିପାରିନଥିଲା। ବିଶ୍ୱକପ୍ ସେମିଫାଇନାଲ୍ ପରାଜୟ ପରେ ଦିନିକିଆରେ ଟିମ୍ ଇଣ୍ଡିଆର ଏହା ପ୍ରଥମ ବିଜୟ।

ଟିମର ଏହି ବିଜୟରେ ହିରୋ ସାଜିଛନ୍ତି କ୍ୟାପଟେନ୍ ବିରାଟ୍ କୋହଲି, ଯୁବ ବ୍ୟାଟ୍ସମ୍ୟାନ୍ ଶ୍ରେୟସ୍ ଆୟର୍ ଏବଂ ଅଭିଜ୍ଞ ପେସର ଭୁବନେଶ୍ୱର କୁମାର। ଗତ ପାଞ୍ଚମାସ ଧରି ବିରାଟ୍ ଶତକର ସ୍ୱାଦ ଚାଖିନଥିଲେ। କିନ୍ତୁ ପୋର୍ଟ ଅଫ୍ ସ୍ପେନରେ ବିରାଟ୍ ଏହି ବ୍ୟବଧାନର ଅନ୍ତ ଘଟାଇ କ୍ୟାରିୟରର ୪୨ତମ ଶତକ ହାସଲ କରିଥିଲେ। ତାଙ୍କ ଶତକ ବଳରେ ଭାରତ ଦ୍ୱିତୀୟ ଦିନିକିଆକୁ ଡିଏଲ୍ ନିୟମରେ ୫୯ ରନରେ ପରାସ୍ତ କରିଥିଲା।

ଏହି ମ୍ୟାଚରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଟିମ୍ ଇଣ୍ଡିଆ ନିର୍ଦ୍ଧାରିତ ୫୦ ଓଭରରେ ୭ ୱିକେଟ୍ ହରାଇ ୨୭୯ ରନ୍ କରିଥିଲା। ବିରାଟ୍ ଓ ଶ୍ରେୟସ ଚତୁର୍ଥ ୱିକେଟ୍ ପାଇଁ ୧୨୫ ରନର ମହତ୍ତ୍ୱପୂର୍ଣ୍ଣ ଭାଗୀଦାରୀ କରିଥିଲେ। ବିରାଟ୍ ୧୨୫ ବଲରେ ୧୪ ଚୌକା ଓ ୧ ଛକା ସହ ୧୨୦ ଏବଂ ଆୟର୍ ୬୮ ବଲରେ ୫ ଚୌକା ଓ ୧ ଛକା ସହ ୭୧ ରନ୍ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ରୋହିତ୍ ଶର୍ମା (୧୮), ଶିଖର ଧୱନ୍ (୨), ରିଷଭ ପନ୍ତ (୨୦), କେଦାର ଯାଦବ (୧୬) ବଡ଼ ସ୍କୋର କରିପାରିନଥିଲେ। ରବୀନ୍ଦ୍ର ଜାଡେଜା ୧୬ ଓ ମହମ୍ମଦ ଶାମି ୩ ରନ୍ କରି ଅପରାଜିତ ଥିଲେ। ୱେଷ୍ଟଇଣ୍ଡିଜ୍ ପକ୍ଷରୁ କାର୍ଲସ୍ ବ୍ରାଥୱେଟ୍ ସର୍ବାଧିକ ୩ଟି ୱିକେଟ୍ ନେଇଥିଲେ।

ଜବାବରେ ୱେଷ୍ଟଇଣ୍ଡିଜ୍ ୧୨.୫ ଓଭରରେ ୨ ୱିକେଟ୍ ହରାଇ ୫୫ ରନ୍ କରିଥିବା ବେଳେ ବର୍ଷା ଆରମ୍ଭ ହୋଇଥିଲା। ବର୍ଷା ଛାଡ଼ିବା ପରେ ୱେଷ୍ଟଇଣ୍ଡିଜ୍ ଆଗରେ ଡିଏଲ୍ ନିୟମ ଆଧାରରେ ୪୬ ଓଭରରେ ୨୭୦ ରନର ଟାର୍ଗେଟ୍ ଧାର୍ଯ୍ୟ କରାଯାଇଥିଲା। କିନ୍ତୁ ଘରୋଇ ଟିମ୍ ୪୨ ଓଭରରେ ୨୧୦ ରନରେ ଅଲ୍ ଆଉଟ୍ ହୋଇଯାଇଥିଲା।

ଟିମ୍ ପକ୍ଷରୁ ଏଭିନ୍ ଲୁଇସ୍ ସର୍ବାଧିକ ୬୫ (୮୦ ବଲ୍, ୮ ଚୌକା, ୧ ଛକା) ରନ୍ କରିଥିବା ବେଳେ ନିକୋଲାସ ପୁରନ୍ ୪୨, ରୋଷ୍ଟନ୍ ଚେଜ୍ ୧୮, ଶିମରନ୍ ହେଟମେୟର୍ ୧୮, ଶେଲଡନ୍ କଟ୍ଟରେଲ୍ ୧୭, କ୍ରିସ୍ ଗେଲ୍ ୧୧, ଶାଇ ହୋପ୍ ୫ ଓ କ୍ୟାପଟେନ୍ ଜେସନ୍ ହୋଲ୍ଡର୍ ଅପରାଜିତ ୧୩ ରନ୍ କରିଥିଲେଊ । ଭାରତ ପକ୍ଷରୁ ଭୁବନେଶ୍ୱର କୁମାର ୩୧ ରନ୍ ଦେଇ ୪ଟି, ମହମ୍ମଦ ଶାମି ଓ କୁଲଦୀପ ଯାଦବ ୨ଟି ଲେଖାଏ ୱିକେଟ୍ ନେଇଥିଲେ।

ଏହି ମ୍ୟାଚରେ ଉଭୟ ଦଳର ଷ୍ଟାର୍ ଖେଳାଳି କୋହଲି ଓ ଗେଲ୍ ଏକାଧିକ ରେକର୍ଡର ଅଧିକାରୀ ହୋଇଛନ୍ତି। କୋହଲି ନିଜର ୪୨ତମ ଶତକ ସହ ଭାରତର ଦ୍ୱିତୀୟ ସର୍ବାଧିକ ସ୍କୋରର ଭାବେ ପୂର୍ବତନ କ୍ୟାପଟେନ୍ ସୌରଭ ଗାଙ୍ଗୁଲିଙ୍କୁ ପଛରେ ପକାଇଛନ୍ତି। ଏହାଛଡ଼ା କୌଣସି ଟିମ୍ ଭାବେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ କୋହଲି ସର୍ବାଧିକ ରନ୍ ମଧ୍ୟ କରିଛନ୍ତି।

ସେହିପରି ଗେଲ୍ ପୋର୍ଟ ଅଫ୍ ସ୍ପେନରେ ନିଜର ୩୦୦ତମ ଦିନିକିଆ ମ୍ୟାଚ୍ ଖେଳିଛନ୍ତି । ୩୦୦ତମ ମ୍ୟାଚରେ ଗେଲ୍ (୧୦,୪୦୮ ରନ୍) ୱେଷ୍ଟଇଣ୍ଡିଜ୍ ପକ୍ଷରୁ ଦିନିକିଆରେ ସର୍ବାଧିକ ରନ୍ ସଂଗ୍ରହକାରୀ ବ୍ୟାଟ୍ସମ୍ୟାନ୍ ମଧ୍ୟ ହୋଇଛନ୍ତି। ତେବେ ଉଭୟ ମାମଲାରେ ସେ କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ୍ ବ୍ରାଏନ୍ ଲାରାଙ୍କୁ ଟପିଛନ୍ତି।

Related story