ସିଡନୀ: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ତିନିମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜର ୨ୟ ମ୍ୟାଚରେ ଜବରଦସ୍ତ ବ୍ୟାଟିଂ କରି ଅଷ୍ଟ୍ରେଲିଆ। ନିୟମିତ କ୍ୟାପଟେନ୍ ଆରୋନ୍ ଫିଞ୍ଚଙ୍କ ସ୍ଥାନରେ ନେତୃତ୍ୱ ନେଇଥିବା ମାଥ୍ୟୁ ୱେଡ୍ ଓ ଇନଫର୍ମ ଷ୍ଟିଭ୍ ସ୍ମିଥଙ୍କ ଦମଦାର ବ୍ୟାଟିଂ ବଳରେ ଅଷ୍ଟ୍ରେଲିଆ ୨୦ ଓଭରରେ ୫ ୱିକେଟ୍ ହରାଇ ୧୯୪ ରନ୍ କରିଛି। ଫଳରେ ସିରିଜ୍ ଜିତିବା ପାଇଁ ଭାରତକୁ ୧୯୫ ରନ୍ କରିବାକୁ ପଡ଼ିବ। ଅଷ୍ଟ୍ରେଲିଆ ପକ୍ଷରୁ ମାଥ୍ୟୁ ୱେଡ୍ (୫୮) ଅର୍ଦ୍ଧଶତକ ଓ ସ୍ମିଥ୍ ୪୬ ରନର ଇନିଂସ୍ ଖେଳିଥିବା ବେଳେ ଭାରତ ପକ୍ଷରୁ ପୁଣି ଶାଣିତ ବୋଲିଂ କରି ୨ଟି ୱିକେଟ୍ ନେଇଛନ୍ତି।
ଏସସିଜିରେ ଖେଳାଯାଇଥିବା ଏହି ମ୍ୟାଚରେ ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ୍ କୋହଲି ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲେ। ଆମନ୍ତ୍ରଣ ପାଇ ବ୍ୟାଟିଂ କରିଥିବା ଅଷ୍ଟ୍ରେଲିଆକୁ ଭଲ ଷ୍ଟାର୍ଟ ମିଳିଥିଲା। ଆରୋନ୍ ଫିଞ୍ଚଙ୍କ ସ୍ଥାନରେ ଟିମର ନେତୃତ୍ୱ ନେଉଥିବା ମାଥ୍ୟୁ ୱେଡ୍ ଠିକଣା ସମୟରେ ଫର୍ମକୁ ଫେରିଛନ୍ତି। ସେ ସାଥୀ ଓପ୍ନର ଡାର୍ସି ଶର୍ଟଙ୍କ ସହ ମିଶି ପ୍ରଥମ ୱିକେଟ୍ ପାଇଁ ୪୭ ରନ୍ ଯୋଡ଼ିଥିଲେ। ଶର୍ଟ (୯) ପୁଣିଥରେ ନିରାଶ କରିଥିଲେ ଏବଂ ତାଙ୍କୁ ଟି. ନଟରାଜନ୍ ପ୍ୟାଭିଲିୟନ ପଠାଇଥିଲେ।
ୱେଡ୍ ବିସ୍ଫୋରକ ବ୍ୟାଟିଂ କରି ମାତ୍ର ୨୫ ବଲରେ ଅର୍ଦ୍ଧଶତକ ପୂରଣ କରିଥିଲେ। ତେବେ ଅର୍ଦ୍ଧଶତକ ମାରିବା ପରେ ସେ ଦୁର୍ଭାଗ୍ୟଜନକ ଭାବେ ରନଆଉଟ୍ ହୋଇଥିଲେ। ୱେଡ୍ ୩୨ ବଲରେ ୧୦ ଚୌକା ଓ ୧ ଛକା ସହ ୫୮ ରନ୍ କରି ଆଉଟ୍ ହୋଇଥିଲେ। ମିଡିଲ୍ ଅର୍ଡରରେ ଷ୍ଟିଭ୍ ସ୍ମିଥ୍, ଗ୍ଲେନ୍ ମ୍ୟାକ୍ସୱେଲ୍ ଓ ମୋଜେସ୍ ହେନରିକ୍ସଙ୍କ ମିଳିତ ସହଯୋଗରେ ଅଷ୍ଟ୍ରେଲିଆ ଚ୍ୟାଲେଞ୍ଜିଂ ସ୍କୋର କରିବାକୁ ସକ୍ଷମ ହୋଇଥିଲା।
ମ୍ୟାକ୍ସୱେଲ୍ ୧୩ ବଲରେ ୨୨ ରନ୍ (୨ ଛକା) ରନ୍ କରି ଆଉଟ୍ ହେବା ପରେ ସ୍ମିଥ୍ ଓ ହେନରିକ୍ସ ଚତୁର୍ଥ ୱିକେଟ୍ ପାଇଁ ୪୮ ରନର ମହତ୍ତ୍ୱପୂର୍ଣ୍ଣ ପାର୍ଟନରଶିପ୍ କରିଥିଲେ। ସ୍ମିଥ୍ ୪୬ (୩୮ ବଲ୍, ୩ ଚୌକା, ୨ ଛକା) ରନ୍ କରି ୟୁଜବେନ୍ଦ୍ର ଚହଲଙ୍କ ବଲରେ ଆଉଟ୍ ହୋଇଥିଲେ। ସେହିପରି ହେନରିକ୍ସ (୨୬)ଙ୍କୁ ନଟରାଜନ୍ ଆଉଟ୍ କରିଥିଲେ।
ଶେଷ ଆଡ଼କୁ ମାର୍କସ୍ ଷ୍ଟୋଇନିସ୍ ମାତ୍ର ୭ ବଲରେ ଦ୍ରୁତ ୧୬ (୧ ଛକା) ରନ୍ କରି ଅଷ୍ଟ୍ରେଲିଆ ସ୍କୋରକୁ ୧୯୪ରେ ପହଞ୍ଚାଇଥିଲେ। ଭାରତ ପକ୍ଷରୁ ପୁଣିଥରେ ସଫଳ ସାବ୍ୟସ୍ତ ହୋଇଛନ୍ତି ନଟରାଜନ୍। ନଟରାଜନ୍ ୪ ଓଭରରେ ମାତ୍ର ୨୦ ରନ୍ ନେଇ ୨ଟି ସଫଳତା ହାସଲ କରିଛନ୍ତି।