ଟିମ୍ ଇଣ୍ଡିଆକୁ ୨୬୮ ରନ୍‌ରେ ରୋକିଲା ୱେଷ୍ଟଇଣ୍ଡିଜ୍

ମ୍ୟାଞ୍ଚେଷ୍ଟର୍: ଟିମ୍ ଇଣ୍ଡିଆର ମଧ୍ୟକ୍ରମ ପୁଣିଥରେ ସମସ୍ୟା ହୋଇ ଦେଖା ଦେଇଛି। ଚଳିତ ବିଶ୍ୱକପରେ ଟିମ୍ ଇଣ୍ଡିଆ ତା’ର ଷଷ୍ଠ ମୁକାବିଲାରେ ୱେଷ୍ଟଇଣ୍ଡିଜକୁ ଭେଟିଛି। ଏହି ମୁକାବିଲାରେ ବିରାଟ କୋହଲି ଓ ମହେନ୍ଦ୍ର ସିଂହ ଧୋନିଙ୍କ ଅର୍ଦ୍ଧଶତକ ବଳରେ ଭାରତ ନିର୍ଦ୍ଧାରିତ ୫୦ ଓଭରରେ ୭ ୱିକେଟ୍ ହରାଇ ୨୬୮ ରନ୍ କରିଛି। ଫଳରେ ୱେଷ୍ଟଇଣ୍ଡିଜକୁ ଏହି ମୁକାବିଲା ଜିତିବା ପାଇଁ ନିର୍ଦ୍ଧାରିତ ଓଭରରେ ୨୬୯ ରନ୍ କରିବାକୁ ପଡ଼ିବ। ଭାରତ ପକ୍ଷରୁ ଓପନିଂ ଯୋଡ଼ି ପୁଣି […]

d

Hemant Lenka
  • Published: Thursday, 27 June 2019
  • , Updated: 27 June 2019, 07:31 PM IST

ମ୍ୟାଞ୍ଚେଷ୍ଟର୍: ଟିମ୍ ଇଣ୍ଡିଆର ମଧ୍ୟକ୍ରମ ପୁଣିଥରେ ସମସ୍ୟା ହୋଇ ଦେଖା ଦେଇଛି। ଚଳିତ ବିଶ୍ୱକପରେ ଟିମ୍ ଇଣ୍ଡିଆ ତା'ର ଷଷ୍ଠ ମୁକାବିଲାରେ ୱେଷ୍ଟଇଣ୍ଡିଜକୁ ଭେଟିଛି। ଏହି ମୁକାବିଲାରେ ବିରାଟ କୋହଲି ଓ ମହେନ୍ଦ୍ର ସିଂହ ଧୋନିଙ୍କ ଅର୍ଦ୍ଧଶତକ ବଳରେ ଭାରତ ନିର୍ଦ୍ଧାରିତ ୫୦ ଓଭରରେ ୭ ୱିକେଟ୍ ହରାଇ ୨୬୮ ରନ୍ କରିଛି। ଫଳରେ ୱେଷ୍ଟଇଣ୍ଡିଜକୁ ଏହି ମୁକାବିଲା ଜିତିବା ପାଇଁ ନିର୍ଦ୍ଧାରିତ ଓଭରରେ ୨୬୯ ରନ୍ କରିବାକୁ ପଡ଼ିବ।

ଭାରତ ପକ୍ଷରୁ ଓପନିଂ ଯୋଡ଼ି ପୁଣି ଫେଲ୍ ମାରିଥିବା ବେଳେ ମଧ୍ୟକ୍ରମରେ ବିରାଟଙ୍କୁ ଛାଡ଼ି ଦେଲେ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ୍ ଆଶା ମୁତାବକ ପ୍ରଦର୍ଶନ କରିପାରିନଥିଲେ। ତେବେ ଶେଷଆଡ଼କୁ ଧୋନି ଓ ହାର୍ଦ୍ଦିକ ପାଣ୍ଡ୍ୟା ଦ୍ରୁତ ରନ୍ କରି ଭାରତକୁ ସମ୍ମାନଜନକ ସ୍କୋରରେ ପହଞ୍ଚାଇଛନ୍ତି। ବିରାଟ୍ ୮୨ ବଲରେ ୮ ଚୌକା ସହ ୭୨ ରନ୍ କରିଥିଲେ।

ଓଲ୍ଡ ଟ୍ରାଫର୍ଡରେ ଖେଳାଯାଇଥିବା ଏହି ମ୍ୟାଚରେ ଭାରତ ଅଧିନାୟକ ବିରାଟ୍ କୋହଲି ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଭାରତର ଦୁଇ ଓପ୍ନର ରୋହିତ୍ ଶର୍ମା ଓ ଲୋକେଶ ରାହୁଲ ଭଲ ଆରମ୍ଭ କରିଥିଲେ। ରୋହିତ୍ ଭଲ ଖେଳିଆସୁଥିବା ବେଳେ ତାଙ୍କୁ କେମାର ରୋଚ୍ ପ୍ୟାଭିଲିୟନ୍ ପଠାଇଥିଲେ। ତେବେ ରୋହିତ ଆଉଟ ବୋଲି ତୃତୀୟ ଏମ୍ପାୟାରଙ୍କ ନିଷ୍ପତ୍ତି ବିବାଦୀୟ ହୋଇଛି, କାରଣ ବଲ ତାଙ୍କ ବ୍ୟାଟକୁ ଛୁଇଁ ନଥିଲା ବୋଲି ରିପ୍ଲେରୁ ସ୍ପଷ୍ଟ ହୋଇଛି। ରୋହିତ୍ ୨୩ ବଲରେ ୧ ଚୌକା ଓ ୧ ଛକା ସହ ୧୮ ରନ୍ କରିଥିଲେ।

ଏହା ପରେ ରାହୁଲଙ୍କୁ ଭଲ ସାଥ୍ ଦେଇଥିଲେ ବିରାଟ୍। ଦୁହେଁ ଦ୍ୱିତୀୟ ୱିକେଟ୍ ପାଇଁ ୬୯ ରନ୍ ଯୋଡ଼ିଥିଲେ। ରାହୁଲ ଅର୍ଦ୍ଧଶତକ ଆଡ଼କୁ ଅଗ୍ରସର ହେଉଥିବା ବେଳେ ତାଙ୍କୁ ଜେସନ୍ ହୋଲ୍ଡର କ୍ଲିନ୍ ବୋଲ୍ଡ କରିଦେଇ ଥିଲେ। ରାହୁଲ୍ ୬୪ ବଲରେ ୬ ଚୌକା ସହ ୪୮ ରନ୍ କରିବାକୁ ସକ୍ଷମ ହୋଇଥିଲେ। ତାଙ୍କ ସ୍ଥାନ ପୂରଣ କରିବାକୁ ଆସିଥିବା ବିଜୟ ଶଙ୍କର କ୍ରମାଗତ ଦ୍ୱିତୀୟଥର ପାଇଁ ନିରାଶ କରିଥିଲେ। ସେ ଦୁଇଟି ଆକର୍ଷଣୀୟ ଚୌକା ମାରି ଭଲ ଷ୍ଟାର୍ଟ କରିଥିଲେ ହେଁ, ବଡ଼ ସ୍କୋର କରିବାକୁ ସକ୍ଷମ ହୋଇନଥିଲେ।

ବିଜୟ ଶଙ୍କର (୧୪)ଙ୍କୁ ରୋଚ୍ ୱିକେଟକିପର ଶାଇ ହୋପଙ୍କ ଦ୍ୱାରା କ୍ୟାଚ୍ ଆଉଟ୍ କରାଇଥିଲେ। ଆଫଗାନିସ୍ତାନ ବିପକ୍ଷ ମୁକାବିଲାରେ ଅର୍ଦ୍ଧଶତକ ମାରିଥିବା କେଦାର ଯାଦବଙ୍କ ବ୍ୟାଟ୍ ମଧ୍ୟ ଚାଲିନଥିଲା। କେଦାର ମାତ୍ର ୭ ରନ୍ କରି ରୋଚଙ୍କ ଶିକାର ହୋଇଥିଲେ। ଭଲ ଟଚରେ ଥିବା ବିରାଟ ଦମଦାର ବ୍ୟାଟିଂ କରି ନିଜର ୫୩ତମ ଅର୍ଦ୍ଧଶତକ ପୂରଣ କରିଥିଲେ। ତାଙ୍କୁ ମହେନ୍ଦ୍ର ସିଂହ ଧୋନି ଭଲ ସହଯୋଗ ଦେଇଥିଲେ। ତେବେ ଧୋନି ପୁଣିଥରେ ଧିମା ବ୍ୟାଟିଂ କରିବାରୁ କୋହଲିଙ୍କ ଉପରେ ଚାପ ବଢ଼ିଥିଲା। ଏଭଳି ସ୍ଥିତିରେ କୋହଲି ବଡ଼ ଶଟ୍ ଖେଳିବାକୁ ଯାଇ ନିଜ ୱିକେଟ୍ ହରାଇ ବସିଥିଲେ।

ଭାରତର ସ୍କୋର ୧୮୦ ଥିବା ବେଳେ କୋହଲିଙ୍କୁ ହୋଲ୍ଡର ଆଉଟ୍ କରି ଇଣ୍ଡିଜକୁ ବଡ଼ ସଫଳତା ଦେଇଥିଲେ। ଏହା ପରେ ହାର୍ଦ୍ଦିକ ଦ୍ରୁତ ରନ୍ କରି ଭାରତର ସ୍କୋରକୁ ୨୫୦ ରନ୍ ଅତିକ୍ରମ କରାଇଥିଲେ। ଧୋନି ଓ ହାର୍ଦ୍ଦିକ ଷଷ୍ଠ ୱିକେଟ୍ ପାଇଁ ୭୦ ରନର ମହତ୍ତ୍ୱପୂର୍ଣ୍ଣ ଭାଗୀଦାରୀ କରିଥିଲେ।

ପାଣ୍ଡ୍ୟା ଦମଦାର ବ୍ୟାଟିଂ କରି ୪୬ (୩୮ ବଲ୍, ୫ ଚୌକା) ରନର ଦ୍ରୁତ ଇନିଂସ୍ ଖେଳି ପ୍ୟାଭିଲିୟନ୍ ଫେରିଥିଲେ। ଧୋନି ଶେଷଭାଗରେ ଆକ୍ରମଣାତ୍ମକ ବ୍ୟାଟିଂ କରିଥିଲେ, ଯାହା ଫଳରେ ଭାରତ ୨୬୮ ରନ୍ କରିବାକୁ ସକ୍ଷମ ହୋଇଥିଲା। ଧୋନି ୬୧ ବଲରେ ୩ ଚୌକା ଓ ୨ ଛକା ସହ ୫୬ ରନ୍ କରି ଅପରାଜିତ ଥିଲେ। ଇଣ୍ଡିଜ୍ ପକ୍ଷରୁ ରୋଚ୍ ୩୬ ରନ୍ ଦେଇ ୩ଟି, ହୋଲ୍ଡର୍ ଓ ଶେଲଡନ୍ କଟ୍ଟରେଲ୍ ୨ଟି ଲେଖାଏ ୱିକେଟ୍ ହାସଲ କରିଥିଲେ।

Related story